ଝିଅର ମାଆ

ଝିଅର ମାଆ

ରିଚା ତ କହିକି ଫୋନ କାଟି ଦେଲା ଯେ ତାକୁ ବହୁତ କାମ ଅଛି, ମାସକଯାକ ପାଇଁ ଚାଉଳ କାଢ଼ିବାର ଅଛି । ବହୁତ କାମ ପଡ଼ିଛି ପରେ କଥା ହେବି କିନ୍ତୁ ମା ସୁଜାତାକୁ ଭାରି ବ୍ୟସ୍ତ ହୋଇପଡ଼ିଲେ । ନୂଆ ବାହାହୋଇଛି ଝିଅ ରିଚା । ବଡ଼ ଅଲିଅଳିର ଝିଅ ତାଙ୍କର । ଅଭାବ ହେଲେ ବି କୁଟାଟିଏ ବି ଗଡ଼ି କରିବାକୁ ଦେଇ ନଥିଲେ ଝିଅକୁ । ବାପା ଥିଲାବେଳେ ରିଚାକୁ ଗୋଡ଼ରେ ବସେଇ ଖୁଆଇ ଦେଉଥିଲେ । ଭାରି ଗେହ୍ଲା ସେ ବାପାଙ୍କର । ବହୁତ ଜଲଦି ଇହଧାମ ଛାଡ଼ିଦେଲେ ସେ, ହେଲେ ଯିବା ଆଗରୁ କହି ଯାଇଥିଲେ ଝିଅକୁ ଖୁବ ପଢ଼େଇବ । କେବେ କୌଣସି ଜିନିଷରେ ଅଭାବ କରିବନି । ମା ବି ସେୟା କଲେ । ରିଚାର ବହୁତ ଭଲ ଭାବରେ ଲାଳନପାଳନ କଲେ । ଝିଅ ସହରରେ ବହୁତ ଭଲ ଚାକିରିଟାଏ ବି ପାଇଲା । ଆଉ ଏଇ ଅଳ୍ପ ଦିନ ହେବ ତାକୁ ପାଖ ଗାଁରେ ଏକ ଭଲ ଘର ଦେଖି ବାହା ଦେଇଛନ୍ତି । ଜ୍ୱାଇଁ ବି ସେଇ ଅଫିସରେ ଭଲ ଚାକିରି ଖଣ୍ଡେ କରନ୍ତି । ସ୍ଵାମୀ ସ୍ତ୍ରୀ ଦୁହେଁ ଦୁଇ ମାସ ଛୁଟି ନେଇଥିଲେ ବାହାଘର ପାଇଁ । ଦୁଇ ଦିନ ପରେ ଛୁଟି ସରିଯିବ । ଝିଅ ଜ୍ୱାଇଁ ଦୁଇ ଜଣ ଚାଲିଯିବେ ।

କିନ୍ତୁ ଆଜି ହଠାତ ଝିଅର କଥା ଶୁଣି ସୁଜାତା ଭାରି ବ୍ୟସ୍ତ ହୋଇପଡ଼ିଲେ । ସାରା ଦିନ ଗୋଟିଏ ଜାଗାରେ ବସି ପାରିଲେନି । କୋଉଠି କ’ଣ ଅଛି ସବୁ ଦରାଣ୍ଡି ପକେଇଲେ । ଦୁଇ ମାସ ହେଲା ଝିଅ ବାହା ହୋଇକି । ଯାହା ଯୋଉଠୁ ପଇସାପତ୍ର ଥିଲା ସବୁ ସରିଛି । ମୁଣ୍ଡ କିଛି କାମ କରୁନି । ଧାଇଁ ଗଲେ ବରିଆକୁ । କିଛି ବୁଦ୍ଧି ବାଟ ନପାଇ କୁଲା ଖଣ୍ଡେ ଧରି ବସିଗଲେ । ଭୋକଶୋଷ ଛାଡ଼ି ଦିନଟାଯାକ ଲାଗିପଡ଼ି ଦୁଇ ବସ୍ତା ଚାଉଳ ଯୋଗାଡ଼ କଲେ । ସାରା ରାତି ଆଖିରେ ନିଦ ନାହିଁ । ଗୁଡ଼ାଏ ଭାବନାରେ ରାତି ପହିଲା । ଆଜି ସନ୍ଧ୍ୟାରେ ଝିଅ ଚାଲିଯିବ ତେଣୁ ତା ପାଇଁ ତାରି ପସନ୍ଦର ତଥା ଜୋଇଁ ବାବୁଙ୍କ ପସନ୍ଦର ନାନା ଦରବ ସବୁ ବରାଦ ଦେଇ ବନା ଗଲା । ରଇତ ସମୟରେ ଆସିଗଲା । ସୁଜାତା ଆଉ ରହି ପାରୁନଥିଲେ, କାଳ ବିଳମ୍ବ ନକରି ଧାଇଁଲେ ଝିଅ ଘରକୁ । ଏତେ ସକାଳୁ ମାଆକୁ ତା ଘରେ ଦେଖି ରିଚା ବି ଆଶ୍ଚର୍ଯ୍ୟରେ ଚାହିଁ ରହିଲା । କହିଲା, “ମା’ ଟ୍ରେନ ତ ରାତିରେ ଅଛି, ମୁଁ ତ ଆସିଥାନ୍ତି ତୁମ ପାଖକୁ ।” ଝିଅକୁ ଉପରୁ ତଳକୁ ଚାହିଁ ସୁଜାତା କହିଲେ, “ତୁ କୋଉଠି ମାସକର ଚାଉଳ କାଢ଼ି ପାରିବୁ?” ରଇତ ଆଡ଼େ ଇସାରା ଦେଇ କହିଲେ, “ଚାଉଳ ନେଇ ଆସିଛି, ଆରମରେ ମାସେ ପଳେଇବ ବୁଝିଲୁ ।” ରଇତ କହିଲା, “ଆଲୋ ମା ସାଆନ୍ତାଣୀ ପରା କାଲି ଦିନଯାକ ଲାଗିକି ତୋ ପାଇଁ ଭାର ଯୋଗାଡ଼ିଛନ୍ତି ।” ସୁଜାତାର ମୁହଁରୁ ତା’ର କ୍ଲାନ୍ତି ସଫା ଜଣା ପଡ଼ୁଥିଲା । ରିଚା ମାଆକୁ ଏମିତି ଅବସ୍ଥାରେ ଦେଖି ନିଜ ଲୁହ ସମ୍ଭାଳି ପାରିଲାନି । କହିଲା, “ମୋତେ ଆଉଥରେ ଟିକେ ପଚାରି ପାରିଲାନି ମାଆ ଏତେ କଷ୍ଟ କରିବା ଆଗରୁ । ମୁଁ ଦୋକାନରୁ ମାସକର ଚାଉଳ ଆଣିବାକୁ ଯିବା କଥା କହିଥିଲି ।” ସେ ଆଙ୍ଗୁଠି ନିର୍ଦ୍ଦେଶ କରି ଦେଖାଇଲା ବସ୍ତାଏ ଚାଉଳକୁ । ସୁଜାତା ହାଁ କରି ଚାହିଁ ରହିଥିଲେ । ସମୁଦୁଣି ଆସି କହିଲେ, “ହଇହୋ ସମୁଦୁଣି ମୁଁ ବିଭାଘର ଦିନ ପରା କହିଥିଲି ମୁଁ ଝିଅ ନେଉଛି ପୁଅ ଦେଉଛି । ତା ପରେ ବି ତମକୁ ଲାଗିଲା ମୁଁ ଆମ ବୋହୂ ହାତରେ ଏତକଯାକ କାମ କରେଇବି ।” ସୁଜାତା ମୁଣ୍ଡ ଲଇଁଗଲା ଟିକେ ଲାଜରେ କହିଲେ, “କାମ କଥା ନାହିଁ ସମୁଦୁଣି, ମୋ ଝିଅ ଯେଡ଼େ ବଡ଼ କାମ ବି କରିଦେବ ହେଲେ ମୁଁ ଝିଅର ମାଆ ନା ମନଟା ମାନିଲାନି ।”

ରିଚା ମାଆକୁ କୁଣ୍ଢେଇ ବହେ କାନ୍ଦୁଥିଲା ।।

ପରମିତା ମିଶ୍ର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...