ଆଗକୁ ବିଶ୍ଵକର୍ମା ପୂଜା, ସେଥିପାଇଁ ବୋଧହୁଏ ଇନ୍ଦ୍ରଧନୁ ମାର୍କେଟ୍ ଥିଲା ଟିକେ ଜନଗହଳପୂର୍ଣ୍ଣ । ଆକ୍ଟିଭା ନେଇ ସେଇ ଭିଡ଼ ଭିତରୁ ବିବ୍ରତ ହେଇ ବାହାରିଲା ବେଳକୁ ଦେଖା ହେଲେ ସାର୍ । ହୋଣ୍ଡା ୟୁନିକର୍ନ, ଟୋପି ଆଉ ମୁଁହରେ ହସ ଠିକ୍ ସେମିତି ଥିଲା ଯେମିତି ବାର ବର୍ଷ ତଳେ ମୁଁ ଦେଖିଥିଲି । ହାତ ଯୋଡ଼ି ନମସ୍କାର କରିବାର ସୁଯୋଗ ମିଳିଲାନି, ଖାଲି ଯାହା ପାଟିରେ ସାର୍ ନମସ୍କାର କହିବା କଥା, ସାର୍ କହିଲେ, କେମିତି ଅଛ ପଦ୍ମଲୋଚନ? ଉତ୍ତରରେ କହିଥିଲି ଭଲ ଅଛି ସାର୍। ଉଭୟଙ୍କ ଗାଡ଼ିଥିଲା ଗତିଶୀଳ, ଟିକେ ସମୟ ଅଟକି ଥିଲେ ବୋଧହୁଏ ପଛପଟୁ ହେଇଯାଇଥାନ୍ତା ହର୍ଣ୍ଣର ବର୍ଷା । ସମସ୍ତେ ବ୍ୟସ୍ତ, କାହା ପାଖରେ ଅଛି ଅଟକିବା ପାଇଁ ସମୟ ! ୩୦ ସେକେଣ୍ଡରୁ ବି କମ୍ ସମୟର ବାର୍ତ୍ତାଳାପକୁ ମିଳୁନାହିଁ ସୁଯୋଗ ।
ସେଇଠୁ ଫେରିଲା ବେଳେ ସେଇ ପୁରୁଣା ଦିନ ଆଖି ଆଗରେ ନାଚି ଉଠୁଥିଲା, ମାନେ ପଡ଼ିଯାଉଥିଲା କିଛି ସ୍ମୃତି । ସମୟ କେତେ ଗତିଶୀଳ ! କାଲି ପରି ଲାଗୁଥିବା ଦିନଗୁଡ଼ିକୁ ବିତି ଯାଇଛି ୧୦ ରୁ ୧୨ ବରଷ । ଏହା ଭିତରେ ମୁଁ ପହଞ୍ଚି ସାରିଥିଲି ମୋ ଘର ଗେଟ୍ ପାଖରେ ଅନ୍ୟମନସ୍କ ହେଇ ।
କେତେ ବ୍ୟସ୍ତ ବହୁଳ ଏ ଜୀବନ, ନିଜର ଭବିଷ୍ୟତକୁ ସୁନ୍ଦର ଭାବେ ଗଢ଼ିବାରେ ଯୋଗଦାନ ଦେଇଥିବା ମହତ୍ୱପୂର୍ଣ୍ଣ ବ୍ୟକ୍ତିବିଶେଷଙ୍କୁ ବି ଟିକେ ଦେଇ ହେଉନି ସମୟ ।
ସାର୍ ଆଉ କେବେ ଦେଖା ହେଲେ ନିଶ୍ଚୟ କଥା ହବାର ସୁଯୋଗ ମିଳିବ ବୋଲି ମୋର ଆଶା।
– ପଦ୍ମଲୋଚନ ପାଢ଼ୀ