୧. ଅଳସୁଆ ଖରାବେଳ
ଅଗନା ଅଗନି ବନସ୍ତ ନହେଲେ ବି ଘଞ୍ଚ ଜଙ୍ଗଲ । ଶୀତ ଦିନିଆ ଦିପହର ! ଜଙ୍ଗଲ ଭିତରେ ଦିନ ବେଳରେ ବି କାଲୁଆ ପବନ । ଦେହ ଶୀତେଇ ଯାଉଛି । ଗଛ ଆଢ଼ୁଆଳ କି ବୁଦା ପଛ ଛାଡ଼ି ଫର୍ଛାରେ ଖରା ପଡ଼ିଥିବା ପଥର ଉପରେ ପେଟେଇ ଉଷୁମ ଟାଣୁଛି ବାଘୁଣୀ । କେତେ ରାତି ହେଲାଣି ଗୋଟେ ବାର୍ହା ପଛରେ ପଡ଼ି ନିଦ ଠିକରେ ହେଇନଥିଲା । କାଲି ରାତିରେ ପାଣି ପାଖରେ ଛକି ଛକି ଠିକ ହାବୁଡ଼ିଗଲା । ଆଉ କି ଛାଡ଼ିଥାନ୍ତା ! ସିଧା ଡ଼ିଆଁ ମାରି ଦାନ୍ତ ଗଳେଇଦେଲା ବେକରେ । ଗଁ ଗଁ ରଡ଼ି ଛାଡ଼ିଲା କିଛି ସମୟ ଆଉ ତା’ପରେ ଶେଷ । ଆଜିକାଲି ବାର୍ହା ମାଂସରେ ଆଉ ସେ ସୁଆଦ ନାହିଁ । ଯାହା ଯେମିତି ଖାଇ ପେଟ ପୁରେଇବା କଥା । ସୁଆଦିଆ ହରିଣ ମାଂସ ଟିକେ ମିଳନ୍ତାନି ! ପଞ୍ଝା ଟେକି ନଖଗୁଡ଼ା ଚାଟି ଚାଟି ଗୋଟେ ଦୁଇଟି ଉଙ୍କୁଣିଆ ପୋକ ଚୋବେଇଦେଲା ଆଉ ତା’ପରେ ଆଖି ବୁଜି ଢୁଳେଇଲା । ଠିକ୍ ଆଖି ପଡ଼ି ଆଇଲା ବେଳକୁ କାନ ପାଖରେ ମାଛି କେତୁଟା ବାଇଁ ବାଇଁ ହେଇ ଲାଗିଗଲେ । ଓହୋ ଶୁଆଇ ଦେବେନି ଟିକେ ଶାନ୍ତିରେ । ଶଃ ! ଇଆଡ଼େ ପିଠିରେ ଉକୁଣି ଗୁଡ଼ା ଉତ୍ପାତ କଲେଣି । ବାଘୁଣୀ କର ଲେଉଟେଇ ଟିକେ ଏପଟ ସେପଟ ହେଲା । ପିଠିଟା ଉଷୁମ ପଥର ଉପରେ ଟିକେ ରଗଡ଼ି ପକେଇଲା । ଯୋଉ ଆରାମ ! ଏଥର ଟିକେ ଶାନ୍ତିରେ ଆଖି ପକେଇପାରିବ ସେ । ଆଖ ପାଖରେ ସୁଲୁସୁଲିଆ ଉତ୍ତରା ପବନରେ ଉଡ଼ୁଥିବା ଶୁଖିଲା ପତ୍ର ଆଉ ପାଖ ଗଛ ଡାଳରେ ଟିଁ ଟିଁ ହେଉଥିବା ଚଟିଆ ଗୁଡ଼ାକୁ ଧ୍ୟାନ ନଦେଇ ପୁଣି ଶୋଇବାକୁ ଚେଷ୍ଟା କଲା ବାଘୁଣୀ । ହେଃ କ’ଣ ହଉଛନ୍ତି ଏଇ ବଜ୍ଜାରି ମାଛିଗୁଡ଼ା ସିଧା ମୁହଁ ପାଖରେ ଭଁ ଭଁ ହେବେ ଆସିକି । ଏ ଲାଙ୍ଗୁଡ଼ଟା କିଏ ଗୋଟେ ଟାଣିଲାଣି; ଏଇଟା ସେଇ ବେହିଆ ମାଙ୍କଡ଼ ଛଡ଼ା ଆଉ କେହି ନୁହଁ । ଅତି ଗୁରେ ହେଲେ କୁଆଡ଼ିକି ନୁହଁ । ଖାଆସେ ଏଇ ଖରାବେଳୁଟାରେ ଗଡ଼ିପଡ଼ିଲାବେଳକୁ ଏଗୁରାଙ୍କ ଉପଦ୍ରବ ଆରମ୍ଭ ହେଇଯିବ । କି ମଜା ପାଆନ୍ତି କେଜାଣି ମାଙ୍କଡ଼ାମି କରି?? ଗୋଟିଏ ଜାବୁଡ଼ା ଦେଲେ କାମ ଶେଷ ଏମାନଙ୍କର ତଥାପି ଅବେଇଜି ଯାଉନି ଶଃ ! ଥରେ ଗୋଟା ସେମିତି ଗଛରୁ ଓହୋଳି ଓହୋଳି ଲାଙ୍ଗୁଡ଼ ତ କେବେ କାନ ଟାଣୁଥିଲା; ଲୁଚି ଯାଉଥିଲା । ଟିକେ ଡରେଇଦେଲେ ଏ ଡାଳରୁ ସେ ଡାଳକୁ ଡେଇଁ ନାଚପକଉଥିଲା । ଖାଲି ଖତେଇ ହେଉଥିଲା ରାଗ ଚିଡ଼ିଲା ପଞ୍ଚମକୁ ପାହାରେ ଦେଲି ସିଧା ଶେଷ । ଶୁଖିଲାରେ ଜୀବନରୁ ଗଲା ସିନା ! ଭାରି ମନସ୍ତାପ ହେଲା ସେଦିନ ଯାକ । ବିରକ୍ତିଆ କରେଇଲେ ମୁଁ କାହାର ନୁହେଁ ଯେତିକି ଭଲ ସେତିକି ମନ୍ଦ ! ନିଶକୁ ଟିକେ ଚାଟିଦେଲା ଏବେ ଯାଏଁକେ ବାର୍ହା ଲୋମ ଲାଗିଚି ୨/୪ଟା । ଗଛଡାଳରେ କାଉଟା ଅନବରତ ରାବି ଚାଲିଛି ! କାଉ ଗୁଡ଼ାକ ବି ଭାରି ସୁଖିଆତିଆ ଜୀବ କାହାର ଅଇଣ୍ଠା ମଲା ମାଂସ ଟୁକୁରାଏ ମିଳିଗଲେ ଶାନ୍ତି । କାହାର ମଲେ ଗଲେ କିଛି ନାହିଁ । ଯୋଉ ସୁନ୍ଦର ସ୍ଵର ତା’ ସାଙ୍ଗକୁ ବଦନ; କି ବେଳାରେ ଏଗୁଡ଼ାକ ଜନମିଥିଲେ କେଜାଣି । ଆସିଲୁ ଆସିଲୁ ଖୁମ୍ପି ଦେଲୁ ଟିକେ ଏଇ ଦାନ୍ତ ସନ୍ଧିଗୁଡ଼ା । ଯାହା ମାଂସ କ’ଣ ଲାଗିଥିବ ଖାଇ ସଫା କରିଦେବୁ । କାଉଟା ଉଡ଼ି ଆସି ସତରେ ବସିଲା; ଓଲଟି ଖରା ପୋହଁନ୍ତା ବାଘୁଣି ଦେହରେ ଖୁଣ୍ଟିବାରେ ଲାଗିଲା ଟିଙ୍କ, ଉକୁଣି ଆଉ ଖଣ୍ଡିଆ ମାଂସ କ’ଣ ସବୁ । ଏଇ ବକଟେ କରକଶିଆ ରାବୁଥିବା ଅସୁନ୍ଦରିଆ କାଉ ହିଁ ମୋ ପ୍ରକୃତ ସାଙ୍ଗ, ମନ କଥା ବୁଝିବ ।
୨. ସୁଖଦୁଃଖ ଅଙ୍ଗେନିଭା କଥା
ଜାଣିଛୁରେ କାଉ ମୁଁ ପ୍ରକୃତରେ ଏଇ ଜଙ୍ଗଲର ନୁହଁ । ମୁଁ ଆଉ ଗୋଟେ କୋଉ ଦୂର ଜଙ୍ଗଲରେ ଜନ୍ମ ହେଇଥିଲି ୟାଠୁ ବି ବଡ଼ ଜେଗା ସିଏ । ଜନ୍ମ ହେଲାବେଳେ ତ ଆଖି ଫିଟି ନଥିଲା ଖାଲି ଚୁଁ ଚୁଁ ହେଉଥିଲି । ବାପାକୁ କେବେ ଦେଖିନି ହେଲେ ମାଆ କୋଳରେ ଶୋଇ ଶୋଇ ଦିନ କଟୁଥିଲା । ଭାରି ଉଷୁମ ସେ କୋଳ, ଓହୋ ଏ ଖରାଟିଆ ପଥର କିଛି ବି ନୁହଁ ମାଆକୋଳ ସାମନାରେ । ମୋର ତ ଆଖି ଫିଟି ନଥିଲା । ଅନ୍ଧାରରେ ଚିରରେ ମୁହଁ ଲଗେଇ କ୍ଷୀର ଖାଇ ଦେଉଥିଲି । କ୍ଷୀର ଖାଉ ଖାଉ ଆଉ ଗୋଟେ କାହା ସାଙ୍ଗେ ଧକ୍କା ହେଇଯାଉଥିଲି । ସେଇଟା ମୋ ଭାଇ ଥିଲା । ମୋରି ଭଳି ଆଖି ଅଫିଟା ଅଣ୍ଡାଳି ଅଣ୍ଡାଳି କ୍ଷିର ଖାଉଥିଲା । କେତୁଟା ଦିନ ପରେ ଆଖି ଫିଟିଲା; ମୋ ଭାଇ ଆଉ ମାଆକୁ ଦେଖିଲି । ଭାରି ବଢ଼ିଆ ଥିଲା ସେଇ ଦିନଗୁଡ଼ାରେ କାଉ ଟୋକା । ମୋ ଜୀବନର ସବୁଠାରୁ ସୁଖର ଦିନ ଗୁଡ଼ା । ମୁଁ, ଭାଇ ମିଶି ମାଆର ଛାତି ପାଖେ ମୁଣ୍ଡ ଗୁଞ୍ଜି ଦେଉଥିଲୁ । ଆମ ତିନି ଜଣଙ୍କ ଦୁକୁଦୁକୀ ଏକାଠି ଶୁଣୁଥିଲୁ । ଭାଇର ମୋର କି ମଜା କରୁଥିଲୁ । କେତେ ବେଳେ ସେ ମୋ ଉପରେ ଗଡ଼ିଯାଉଥିଲା ତ ମୁଁ କେତେବେଳେ ଲୁଚିକି ଡ଼ିଆଁ ମାରୁଥିଲି ତା’ ପିଠିକି । ଖାଲି ଗଡ଼ା ଗଡ଼ି ତଡ଼ା ତଡ଼ି । ମାଆ ଆମପାଇଁ ବଢ଼ିଆ ଜିନିଷ ସବୁ ନେଇ ଆସୁଥିଲା ଟିକେ ବଡ଼ ହେଲାରୁ । କେବେ ଛୋଟ ଠେକୁଆ ତ କେବେ ଛେଳି ଛୁଆ । ଦିନେ ମାଆ ଆମପାଇଁ ଖାଇବାକୁ ଆଣିବ କହି ଗଲା ଯେ ଆଉ ଆଇଲାନି । ଆମେ ଦିଇ ଭାଇଭଉଣୀ କାନ୍ଦି କୁନ୍ଥେଇ ପଥର ଖୋଲ ଭିତରେ ସେଇ ରାତି କାଟି ଦେଲୁ । ସେଇ ଦିନ ଜଣା ପଡ଼ିଲା ଭୋକ ଆଉ ଶୀତଠାରୁ ବେଶୀ କଷ୍ଟ କିଛି ନାହିଁ ଏଇ ଦୁନିଆରେ । ଭାଇର ମୋର ଯୋଡ଼ାଯୋଡ଼ି ହେଇ କୁଙ୍କୁଟି କାଙ୍କୁଟି ହେଇ ବସିଥାଉ । ସକାଳ ହେଉ ହେଉ ଭାଇ କହିଲା । ମାଆର ବୋଧେ କିଛି ଅସୁବିଧା ହେଇଛି । ଖାଇବା ଆଣିବାକୁ ଯାଇକି ବେଶୀ ବାଟ ପଳେଇଛି ଆଉ ବାଟ ପାଉନି । ଚାଲ ଆମେ ତାକୁ ଖୋଜିବା । ଭାଇର ମୋର ବାହାରିଲୁ ଖୋଜିବାକୁ ମାଆକୁ । ପାଖାପାଖି ରହିବାକୁ ଭାଇ ମୋତେ ବାରମ୍ୱାର କହିଥିଲା । ତେଣୁ ଛଡ଼ାଛଡ଼ି ହେଉ ନଥିଲୁ । ଦିନ ସାରା ଖୋଜି ଖୋଜି ମାଆକୁ ପାଇଲୁନି । ଯୋଡ଼େ ତିନିଟା ଏଣ୍ଡୁଅ ଖାଇ ଯେମିତି ସେମିତି ରହିଗଲୁ । ଅନ୍ଧାର ହେଇ ଆସିଲାରୁ ଭାଇ କହିଲା ଚାଲ ପଳେଇବା । ଅନ୍ଧାର ମାଡ଼ି ଚାଲିଥିଲା ସବୁ ଆଲୁଅରେ ଝଲସୁଥିବା ଗଛ, ଲଟା, ଖାଲ, ଖମା, ରାସ୍ତା, ଘାଟ ଉପରେ । ମୁହଁକୁ ମୁହଁ ଦୁଶୁ ନଥିଲା ଭାଇ ଆଉ ମୁଁ ଏକା ରାଆରେ ଦୌଡ଼ିଚୁ ହଠାତ ଗୋଟେ ଜିନିଷ ଦେହରେ ଧକ୍କା ଖାଇଗଲୁ । ଜନ୍ଦାଧାର ଗୁଡ଼ା ଯୋଉ ଲାଗିଥିଲେ ନାକ କାନ ଭିତରେ ପଶିଗଲେ । ଆଉ କେତୁଟା ପୋକ ବି । ଛିଙ୍କି ଛିଙ୍କି ଉଶ୍ୱାସ ହେଲାବେଳକୁ ଭାଇ ବୋବାଳି ଛାଡ଼ିଲା ମାଆଆଆ….. ସେଇଟା ଆମରି ମାଆର ଜଡ଼ ଶରୀରଟା ଥିଲା । ପୋକ ମାଛି ସାଲୁବାଲୁ ହେଉଥିଲେ । ମାଆ ମୁହଁଟାକୁ ଟିକେ ଚାଟିଦେବି ଭାବିଲିଯେ ଖୋଜି ଖୋଜି ପାଇଲିନି । ତା’ ଛାତି ପାଖରେ ମୁଁ ଆଉ ଭାଇ ଶେଷଥର ପାଇଁ ଜାକିଜୁକି ହେଇ ବସିପଡ଼ିଲୁ । ଏଥର କିନ୍ତୁ ଭାରୀ ଥଣ୍ଡା ଲାଗୁଥିଲା । ଆଉ ମାଆ ଛାତି ଭିତରୁ ଦୁକୁଦୁକି ଶୁଭୁନଥିଲା । ସେଦିନ ଜାଣିଲି ଭୋକ ଆଉ ଶୀତଠୁ ବେଶୀ କଷ୍ଟ ବି କିଛି ଅଛି ।
୩. ଅପରାହ୍ନର ରଙ୍ଗ
କାଉ ଟୋକା ! ତୁ ଭାବୁଚୁକି ମାଆ କଥା ମନେ ପକାଇ କାନ୍ଦି ପକେଇଚି କି ଆଉ । ନାଇଁରେ ଏଗୁଡ଼ାପା ନେଞ୍ଜେରା ! ସେଦିନ ଯୋଉ ବାର୍ହା ଶିଙ୍ଗଟା ବାଜି ଯାଇନଥିଲା ! ସେଇଟା ପା ଆଜିଯାଏଁ ନେଞ୍ଜରା ଦେଉଚି । ମାଆ ମରିଗଲା ପରେ ଆମେ ଦି ଭାଇଭଉଣୀ କାନ୍ଦ କୁନ୍ଥା ଭୁଲି ଯାଇଛୁ । ବାଘ ହେବାକୁ ହେଲେ ଏମିତିଆ ଛାତି ଟାଣୁଆ କରିବାକୁ ପଡ଼େ । ଖରା ଲେଉଟୁଚି । ଗଛ ଲଟା ଛାଇଗୁଡ଼ା ଲମ୍ବି ଲମ୍ବି ଯାଉଛି । ହଳଦିଆ ସୁନେଲି ଖରାଗୁଡ଼ା ଧୀରେ ଧୀରେ ନାଲିଆ ଗୋଲାପି ଖରା ଛାଇ ମିଶା ହେଇଯିବ ତା’ପରେ ନୀଳ ଆଉରି ନୀଳ ତାପରେ ସବୁ ଅନ୍ଧାର । ମୋ ଭାଇ ଏବେ କୋଉଠି ଥିବ କେଜାଣି? ସେତେବେଳେତ କୋଉ ଗୋଟେ ବାଘୁଣୀ ନିଶାରେ ବାୟା ହେଇ ବୁଲୁଥିଲା । ମୁଁ କୁଆଡ଼େ ମଲି କି ଗଲି ଆଉ ଖବର ରଖିପାରିଲା କି?? ପରେ ଭାବିଥିବ ମୁଁ ବି ମାଆ ପରି ଆର ପାରିରେ । ଘେର୍ରର୍ର୍ ! ଗୋଟେ ଏତେ କର୍କଶିଆ ରଡ଼ି ପକେଇ ମାଡ଼ି ଆଇଲାଣି ସେପଟ ଆଡ଼ୁ । କାଉଟା ବି ଉଡ଼ିଗଲା । ହେ ଶଳେ ସମସ୍ତେ ଫିକର କରିଛନ୍ତି ଆଜି ଶୁଆଇଦେବେନି ଏ ଜନ୍ତୁଟିକୁ । ହେଃ ଏଗୁଡ଼ା ଅଳପେଇସା ଅବେଇଜା ବଣ କରମଚାରୀ ଦଳ ମୋ ଉପରେ ନିଘା ରଖି ଆଇଛନ୍ତି; ହାତରେ ବନ୍ଧୁକ ଧରି ଗୋଟେ ବଡ଼ ହାତୀ ଭଳିଆ ଜନ୍ତୁ ଭିତରେ ବସି । ହାତୀ ତ ନୁହଁ ହେଇଟା କ’ଣ କହୁଛନ୍ତି କ’ଣ ଜିପ୍ ନା କ’ଣ । ଇଚ୍ଛା ହେଉଛି ପୁଳା ପୁଳା କାମୁଡ଼ିକି ରକ୍ତ ପିଇଯାଆନ୍ତି ଏଇଗୁଡ଼ାଙ୍କର । ନିଘା ରଖିବେ ପୁଣି ମୋ ଉପରେ!! ଏଡ଼େ ବହପ ୟାଙ୍କର । ଏମିତିଆ ଗୋଟ ଚିଜ ଭିତରେ ପୁରେଇ ମୋତେ ଅଚେତ କରି ଏଗୁଡ଼ା ଏଇଠି ଛାଡ଼ି ଦେଇଛନ୍ତି । ବେକରେ ଏଇ ଅବାଗିଆ ପଟି ଖଣ୍ଡେ । କିଓ କୁକୁର ବୋଲି ଭାବିଲ ନା କ’ଣ?? ସେପଟେ ଜଙ୍ଗଲରେ କେଡ଼େ ଆରାମରେ ବୁଲୁଥିଲି କ’ଣ ୨/୩ଟା ଝିଙ୍କ କାଠି ଭଳିଆ ପଶିଗଲା ପଛଆଡ଼ୁ । ଚେତା ଗତା କିଛି ରହିଲାନି ଆଉ । ଚେତା ଫେରିଲା ବେଳକୁ ଏଠି ଆସି । ଯାଏଁ ଟିକେ ପାଣି ପିଇ ଆସେ । ବାଘୁଣୀ ମୁହାଁଇଲା ପାଣିଚୁଆ ଆଡ଼େ । ଖରା ଲେଉଟିଲେ ପ୍ରାୟ ଏଇ ଆଡ଼େ ପଳେଇଆସେ ବାଘୁଣୀ । ପାଣିରେ ସମସ୍ତଙ୍କ ଛବି ଦେଖେ ଆଉ ନିଜର ବି । ନିଜର ଖରା ଭଳିଆ ସୁନେଲି ଦେହ ଆଉ ତା’ ଭିତରେ ଚିକିଚିକିଆ କଳା ପଟା ଓହୋ ଏମିତି ସୁନ୍ଦରିଆ ଜୀବ ଆଉ ଅଛି କି??? ହଁ ସେଇ ହଳଦୀ ବସନ୍ତ ଆଉ ତା’ ଜାତିଭାଇଗୁଡ଼ା ବଢ଼ିଆ ସ୍ୱରରେ ଗାଆନ୍ତି ବି । ଆହା ଖରାଦିନେ ଦିପହର ଯାକ ତାଙ୍କ ସ୍ଵରକୁ କାନେଇଥାଏ । ଆଉ ଏଇ ମାଛଗୁଡ଼ା ଖାଲି ଫଡ଼ ଫଡ଼ ହେବେ ବେଳବୁଡ଼ି ଆସିଲେ । ଭାରି ମଜା ଆଉ ପାଣି ଭିତରେ ! ଏଇ ଦଣ୍ଡିକିରି, ଶେଉଳ, କେରାଣ୍ଡି ଆଉରି କେତେ କିଏ; ଖାଲି ମୁଣ୍ଡ ଟେକି ଅନେଇବେ ପଶିଯିବେ । ଯୋଉ ଛୋପରାମି ଆଉ କ’ଣ କହିବ । ଥିବ ଥିବ ଏଇ କ୍ଷଣି ଝପଟି ଯିବ ବଗ, ମାଛରଙ୍କା, ତମ ମଜା ବାହାର କରିଦବ । ସେମିତି ବାଘୁଣୀକୁ ବି ଭାରି ଭଲ ଲାଗେ ଯେ ପାଣିରେ ଖେଳିବାକୁ କିନ୍ତୁ ଖରା ଦିନେ । ଶୀତ ଦିନେ ଖାଲି ଦେଖି ଦେଖି ସାରିଦବ । ତା’ଛଡ଼ା ଏଇ ପାଣି ଚୁଆ ପାଖେ ତ ତା’ର ଟୋକା ବାଘ ସହ ଦେଖା । ସେଦିନ ପାଣି ପିଇଲା ବେଳେ ସେ ଦେଖିଲା ତା’ ଆଖି ଛଡ଼ା ଆଉ ଦୁଇଟି ଆଖି ବି ଲାଖିରହିଚି ତା’ ଉପରେ । ବୁଲି ଦେଖେ ତ ଚୋରମୁହାଁଟା କୁଆଡ଼େ ଡେଇଁ ପଳେଇଲା । ଏମିତି ୨/୪ ଦିନ ଲାଗେଲାଗେ ଟୋକା ବାଘ ତା’ ପିଛା କରେ । ବାଘୁଣୀ ପଚାରିଲେ ଚୋରପଟିଆ ପଳାଏ । ସେଦିନ ବାଘୁଣୀର ସଦ୍ୟ ଶୀକାରକୁ ଚୋରି କରିନେଲା ଟୋକା ବାଘ । ବାଘୁଣୀର ରାଗ ଆଉ ସମ୍ଭାଳେ କିଏ । ସିଧା ଗୋଡ଼େଇ ଗୋଡ଼େଇ ଝାମ୍ପ ଦେଲା ଟୋକା ବାଘ ଉପରେ । ଟୋକା ବାଘଟା ଗୁଡ଼ୁମ ହେଇ ତଳେ ଆଉ ବାଘୁଣୀ ତା’ ଉପରେ । ସେଇ ଦିନଠୁ ବାଘବାଘୁଣୀ ଭିତରେ ଭାରି ଭାବ । ଦିନେ ଟୋକା ବାଘକୁ ନଦେଖିଲେ ବାଘୁଣୀର ଦିନ କଟେନି । ଏଇ ୩/୪ ଦିନ ହେବ ଟୋକା ବାଘର ଦେଖା ନାହିଁ । ଭାରି ଝୁରୁଥିଲା ବାଘୁଣୀ । କ’ଣ କହୁଥିଲା ସେ ଚୋରମୁହାଁ ଟୋକା ବାଘ ତ ! ସେ କାଳେ ଆଉ ଗୋଟେ କୋଉଠି ଥିଲା । ଭଲ ସୁସ୍ଥ ସବଳ ହେଇଥିଲା ବୋଲି ମଣିଷଗୁଡ଼ା କାଳେ ତାର ଛବି ତୋଳୁଥିଲେ । ଭଲା କହିବ ଏଇ ମଣିଷ ଜାତିକି?? କେବେ ମରିପଡ଼ି ଛବି ତୋଳୁଛି ତ କେବେ ଗୋଟେ ଜେଗାରୁ ଆଣି ଆଉ ଗୋଟେ ଠା ଥୋଉଛି । ବାଘୁଣୀର ଚିନ୍ତା ହେଲା ଟୋକାବାଘର କାଇଁ ଦେଖା ନାହିଁ??
୪. ମଣିଷଖିଆ ବାଘ
ରାତି ଘନେଇ ଚାଲିଥିଲା । ଆଉ ହେମାଳିଆ ପବନ ତା’ର କରାମତି ଦେଖୋଉଥିଲା । ସବୁ ପଶୁପକ୍ଷୀ ନିଜ ନିଜ ନୀଡ଼ରେ ଆଗାମୀ କାଲିର ସ୍ଵପ୍ନ ଦେଖୁଥିଲେ । ବାଘୁଣୀର ମନ ଅଶାନ୍ତ । ବାହାରି ଗଲା ଟୋକା ବାଘର ଅନ୍ଵେଷଣରେ । କୁଆଡ଼େ ଯାଇଥାଇ ପାରେ । ଅଳସୁଆଟା ତ ମୋଠୁ ଚୋରେଇ ଶୀକାର ଖାଉଥିଲା । ଆଉ କହୁଥିଲା କ’ଣ ନା ସେ ଯୋଉଠି ଆଗରୁ ରହୁଥିଲା ତାକୁ କାଳେ ଖାଇବା ଦିଆ ହେଉଥିଲା । ଓଲଟା ବାଘକୁ କ’ଣ କିଏ ଖାଇବା ଆଣିକି ଦିଏ ! ସିଏ କେମିତିକା ବାଘ ବା ! ଯାହା ବି ହେଉ ଆଜି ତ ଟୋକା ବାଘକୁ କହିଦେବ ସେ ତାକୁ ନଦେଖା ଦେଇ କେତେ କଷ୍ଟ ଦେଉଛି । ଏମିତି କିଏ ଆପଣା ଲୋକ ସହ କରେ? ଦରକାର ପଡ଼ିଲେ ସେ ଶୀକାର କରିକି ଆଣି ଦବ । ବାଘକୁ କିନ୍ତୁ ଆଉ ତାକୁ ଛାଡ଼ିବାକୁ ଦବନି । ହେ ଏଇଟି କାହାର ହେଣ୍ଟାଳ ଶୁଭୁଚି, ତା’ର ଟୋକା ବାଘଟା ତ । ଏମିତି ବୋବାଳି କାଇଁ ଛାଡ଼ୁଚି?? ବାଘୁଣୀ ଶବ୍ଦର ଅନ୍ୱେଷଣ କରି କରି ଚାଲିଲା ଜଙ୍ଗଲର ଶେଷ ଆଡ଼କୁ । ଯୋଉଠୁ ଜଙ୍ଗଲ ସରି ବିଲ ଆରମ୍ଭ ହେଇଛି ତା’ପରେ ମଣିଷମାନଙ୍କ ଇଟାପଥର ଘେରା ଜଙ୍ଗଲ । ହଁ ଏଇଟା ତ ଟୋକା ବାଘଟା । ଏହେ ୟାର କ’ଣ ହେଲା । ଏମିତି କାଇଁ ପଡ଼ିକି ଗଡ଼ିଛି? ଏହେ ଏଇଟା କ’ଣ ଗୋଟେ ଜିନିଷ ତା’ ବେକରେ ଲାଗିଛି । ଏଇଟା ତ ତା ନିଜ ବେକ ପଟି ପରି ନୁହେଁ । ଆଃ ବାପରେ କି ଝଟକା । ବାଘୁଣୀର ପାପୁଲିରୁ ଛାଲ ଉତୁରି ଗଲା । ହେ ଭଗବାନ ମୋ ଟୋକା ବାଘ ଏଇଥିରୁ କେମିତି ମୁକୁଳିବ? ଇସ୍ ଏତେ ପୋକ ସାଲୁ ବାଲୁ?? ଇସ୍ ଟୋକା ବାଘ ମୁହଁରୁ ଦେହରୁ ଖଣ୍ଡ ଖଣ୍ଡ ମାଂସ ମିଳେଇ ମିଳେଇ ପଡ଼ି ଯାଉଛି ପୋକ ସହ । ଜୀବନ ଥାଉ ଥାଉ ଏଗୁଡ଼ା ତାକୁ ମାରି ସାଇଲେଣି । ବାଘ ତ କିଛି କଥା କହିପାରୁନି । ଦାନ୍ତ ଜିଭ ସବୁ ମିଳେଇଗଲାଣି । ଚାହିଁ ରହିଛି ବାଘୁଣୀର ମୁହଁକୁ ବିକଳ ହେଇ । କ’ଣ ଯେମିତି କହିବାକୁ ଚାହୁଁଚି । ବୋଧେ କହୁଛି । ସବୁବେଳେ ଶୀକାର ଆସୁନି ବୋଲି ଖୁଣ୍ଟା ଶୁଣି ଶୁଣି ଭାବିଥିଲି ଏଥର ତୋତେ ଚକମା ଦେଇ ତୋ ପାଇଁ ଗୋଟେ ଶୀକାର ଆଣିବି ଆଉ ତୋ ମୁହଁକୁ ସିଧା ଅନେଇକି ଦେଖିବି ଚୋରପଟିଆ ନୁହେଁ । ହେଲେ ସେତକ ମୋ କପାଳରେ ନାହିଁ ଲୋ ବାଘୁଣୀ । ଭାରି କଷ୍ଟ ହେଉଛି ଲୋ ବାଘୁଣୀ ! ଆଉ ସହି ହେଉନି । ବାଘଟିଏ ହେଇ ପୋକ ମାଛି ପରି ମରିବି ! ଆସିଲୁ ଆସିଲୁ ତୋ ଗୋଜିଆ ଗୋଜିଆ ଦାନ୍ତ ଗୁଡା ଗଳେଇ ଦେଲୁ । ମୋ ଦୁକୁଦୁକୀ ବନ୍ଦ ହେଇ ଯାଉ । ଶେଷ ନିଶ୍ଵାସ ଟିକକ ଶାନ୍ତିରେ ନେବି । ବାଘୁଣୀ ବାଘ ମନକଥା ଜାଣିପାରିଲା କି କ’ଣ?? ଆଗେଇ ଆସିଲା । ବାଘ ଛାତିରେ ଆଉଜି ଦୁକୁଦୁକିକୁ କାନେଇଲା । ଯେଉଁଠି ଦୁକୁଦୁକୁ ଶୁଭୁଥିଲା । ଦାନ୍ତ ଗଳେଇ ଚାପି ଦେଲା । ବାଘଟା ଛାଟିପିଟି ହେବା ବନ୍ଦ କରି ସତରେ ଶାନ୍ତିରେ ଲୋଟି ଯାଇଥିଲା । ବାଘୁଣୀର ରକ୍ତରେ ନିଆଁ ଲାଗିଥିଲା । ମନେ ପଡ଼ିଯାଉଥିଲା ତା’ମାଆର ଶବକୁ ଝୁଣ୍ଟେଇ ପଡ଼ିବା କଥା । ତା’ମାଆକୁ ବି କିଏ ବୋଧେ ଏମିତି କଲବଲ କରି ବେକରେ ବିଜୁଳି ଫାଶ ଦେଇ ମାରିଥିବ । ତା’ର ଅତି ଆପଣାର ଟୋକା ବାଘ ସାତ ଫୁଟିଆ ମୋଟା ମହାବଳଟା ସୁକୁଟି କାଠ ହେଇ ଯାଇଥିଲା । ମଣିଷ ଜାତିଟା ଅତି ମାରାତ୍ମକ, ହେଲେ ତାଙ୍କୁ ଆଉ ଛାଡ଼ିବନି । ଗୋଟା ଗୋଟା କରି ସମସ୍ତଙ୍କୁ ତଣ୍ଟି କଣା କରି ମାରିବ । ଟପିଯିବ ଜଙ୍ଗଲର ଗଛବୃକ୍ଷ ଛାଉଣୀ ଛାଡ଼ି ବିଲ ଆଉ ବାଡ଼ି ଆଡେ, ଗାଆଁ ଆଉ ସହର ଆଡ଼େ । ମଣିଷ ଶୀକାର କରୁଥିବ ଶେଷ ମଣିଷଟିଏ ଦେଖିଲା ପର୍ଯନ୍ତ । ବାଘୁଣୀକୁ ଆଉ କିଛି ଦିଶୁନଥିଲା କେବଳ ରକ୍ତ ଛଡ଼ା । ଏଥର ସେ କେବଳ ମଣିଷ ରକ୍ତ ପିଇବ ।
– ମାଧବୀ ମଧୁସ୍ମିତା
Comments
ମାଧବୀ ମଧୁସ୍ମିତା ପେଶାରେ ଜଣେ ଗବେଷିକା । ସେ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି ।