ଅଖିଳ ଭାଇନାଙ୍କୁ ଚିଠିଟିଏ

akhil-bhainku-chithitie

ପ୍ରିୟ ଅଖିଳ ଭାଇନା,

କେମିତି ଅଛ? ନାକଟା ଚିତ୍ରକର ପାଖେ ଏବେ ବହି ଖୋଲି ପଢିବାକୁ ଅଜସ୍ର ସମୟ ଥିବ, ନୁହେଁ? ତୁମ ସହ ବସି ବରା ଘୁଗୁନି ଖାଇ ଅନୁଗୁଳର ସ୍ମୃତିକୁ ଲେଉଟାଇ ଦେଖିବା ଆଗରୁ ତମେ ଚାଲିଗଲ । ଗଲ ଯେ ଆମକୁ ପଦଟିଏ କହିଲନି ବି ! ଭୁବନେଶ୍ୱର ଆସିଲେ ଜଣାଉଥିବା ଅଖିଳ ଭାଇନା ସେପୁରକୁ ଯିବା ଆଗରୁ ଥରୁଟିଏ ବି ଆମ କଥା ଭାବିଲେନି ! ତମସହ ମିଶିବା ଆଗରୁ ଭାବୁଥିଲି କେମିତିକା ମଣିଷଟିଏ ହେଇଥିବ କେଜାଣି ! କିନ୍ତୁ ଯୋଉଦିନ ଆମ ଘରକୁ ଗୋଟେ ନାହ ନହକା ପତଳା ଡେଙ୍ଗା ଲୋକଟିଏ ଫିନ ଫିନ ଧଳା ସାର୍ଟ ପିନ୍ଧି ଆସିଲା, ମୁଁ ଜାଣିଲି ଏ ଲୋକଟାକୁ କେବଳ ଭଲପାଇ ହୁଏ, ଶ୍ରଦ୍ଧା ଓ ସମ୍ମାନ କରିହୁଏ । ଏ ଜଣକ ଆମର ନାକଟା ଚିତ୍ରକର/ଖିଲିଖିଲିଆ ।

ବୋଧେ ଜାଣି ସାରିଥିଲ ଯେ ଡଙ୍ଗା ଫୁଟି ସାରିଛି ତେଣୁ ଆଉ ଫୋନ କଲନି ଯେ ”ଝିଅ ଆସ ବରା ଖାଇବା ।” ତୁମର ଗପ ପେଡ଼ିର ଅପେକ୍ଷା କରି କରି ହାଲିଆ ହେଇଗଲୁ; ହେଲେ ତୁମେ ଆସିଲନି । ତୁମର ଖିଲିଖିଲିଆ ହସ ଶୁଣିବାକୁ ଆମେ କେତେ ବ୍ୟାକୁଳ ଅଥଚ ତୁମେ ଏଠି ନାହଁ । ଏମିତିକା ମଣିଷଟେ ଏଠି ନାହିଁ ଯିଏ ତୁମକୁ ଝୁରୁନି । ଆମେ ପରା ତୁମ ଗପମୁଣିର ଯାଦୁରେ ବନ୍ଧା ହୋଇଥିଲୁ । ଭାଇନା, ତୁମେ ଯୋଉଠି ଥାଅ, ଭଲରେ ଥାଅ । ଆମପାଇଁ ତୁମ ଆସରରେ ଆଗ ଧାଡ଼ିରେ ଜାଗା ରଖିଥାଅ, ଯେମିତି ତୁମେ ଗପ କହିବ ଆଉ ଆମେ ଜୋରରେ ହସିବୁ ଖିଲିଖିଲିଆ ହସ…..

ଇତି
ତୁମକୁ ଝୁରି ମରୁଥିବା ଟ୍ୱିଟର ପରିବାର

(ରଚନା: ଶ୍ୱେତପଦ୍ମା ଶତପଥୀ)

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...