You are currently viewing ଆମ ଗାଆଁର ପୋଖରୀ
Odia Poem Ama Gaon ra Pokhari (ଆମ ଗାଆଁର ପୋଖରୀ) by Rajshekhar Chima for Shubhapallaba Magazine

ଆମ ଗାଆଁର ପୋଖରୀ

ଆସନ୍ତୁ ଜାଣିବା ଆମ ଗାଁ ପୋଖରୀର କଥା,
ଯେତେ ଗାଇଲେ ବି ସରେନି ଯାହାର ଗାଥା ।

ଆମ ପୋଖରୀରେ ଅଛି ବିଶୁଦ୍ଧ ପାଣି,
ଉପ‌ହାର ଦେଇଛନ୍ତି ଆମକୁ ବର୍ଷା ରାଣୀ ।

ସ୍ପର୍ଶ କରନ୍ତି ଯେବେ ପୋଖରୀକୁ ସୁବର୍ଣ୍ଣ ରବି କିରଣ,
ଅର୍ଘ୍ୟ ସମର୍ପଣ କରି ମନ୍ଦିର ପୂଜାରୀ ମାଗନ୍ତି ସୂର୍ଯ୍ୟଙ୍କୁ ଶରଣ ।

ଏହି ପୋଖରୀ ପାଖରେ ଘର କରି ର‌ହୁଛନ୍ତି ମୋ ଅଜା ଆଈ,
ଏ ପୋଖରୀର ପାଣି ପିଅନ୍ତି ତାଙ୍କ ଦୁଇ ଗାଈ ।

ସବୁଦିନେ ଫୁଟନ୍ତି ଏଥିରେ ସୁନ୍ଦର କମଳ,
ଶ୍ରୀଜୀଉ ଏବଂ ଗ୍ରାମଦେବୀଙ୍କ ପୁଷ୍ପାଞ୍ଜଳୀ ପାଇଁ ଯେ ସର୍ବଦା ବିମଳ ।

ଆମ ପୋଖରୀରେ ବଞ୍ଚିଛନ୍ତି ବ‌ହୁପ୍ରକାର ମୀନ,
ଜଳ ଭିତରେ ହିଁ ଅଛି ତାଙ୍କ ଜୀବନ ।

ପୋଖରୀ ପାଣିର ଦିନସାରା ବିଭିନ୍ନ ରଙ୍ଗ,
ଛୋଟ ଛୋଟ ଲହରୀରୁ ହେଉଛି ଅନନ୍ତ ତରଙ୍ଗ ।

ଅପେକ୍ଷା କରୁଛୁ କେବେ ଆସିବ ପୂର୍ଣ୍ଣିମା ରାତିର ଚନ୍ଦ୍ରବିମ୍ବ,
ପୋଖରୀରେ ଦେଖିବାକୁ ଆତୁର ଜ‌ହ୍ନମାମୁଁଙ୍କ ପ୍ରତିବିମ୍ବ ।

ପୋଖରୀରେ ସନ୍ତରଣ କରନ୍ତି ଶ୍ୱେତ‌ହଂସ ପରି ବିଭିନ୍ନ ସୁନ୍ଦର ପକ୍ଷୀ,
ଏ ମନୋରମ ଦୃଶ୍ୟକାବ୍ୟର ବର୍ଣ୍ଣନାର ମୋ ଆଖି ସାଜିଛି ସାକ୍ଷୀ ।

ଛୋଟ ପିଲାମାନେ ପୋଖରୀର କୂଳରୁ କୂଳ ଯାଆନ୍ତି ପ‌ହଁରୀ,
ପୁଣି ଖୁସିରେ ଖେଳନ୍ତୁ ଚକା ଭଉଁରୀ ।

ପୋଖରୀ ପାଖରେ ଏକତ୍ର ହୁଅନ୍ତି ସାଙ୍ଗମାନେ ଖୋଜି ଖୋଜି,
କରନ୍ତି ବେଳେ ବେଳେ ଆମ୍ବ ଗଛ ଛାଇରେ ଛୋଟ ବଣଭୋଜି ।

ପୋଖରୀ ଘାଟରେ କେବେ କେବେ ହୁଏ ସ୍ତ୍ରୀଲୋକଙ୍କ କଥା କଥାରେ କଳି,
କିଛି ଚଗଲା ପିଲାଏ ଯାହା ଦେଖି ହସିହସି ପାଳି କରି ମାରନ୍ତି ତାଳି ।

ପୋଖରୀ ପାଖର ପଣସ ଗଛ ତଳେ ଲୋକେ ତାସ୍ ଖେଳି କରନ୍ତି ଖଟି,
ଟୋକାମାନେ ପୁଣି ଖୁସିରେ ଖେଳନ୍ତି ଏଇଠି ବାଟି ।

ପୋଖରୀର ପଦ୍ମନାଡ଼ରୁ ରନ୍ଧାହୁଏ ବାଟବସା ତରକାରୀ ପିଠୋଉ ଭଜା,
ଅମିତ ଜିଭ ଲାଳସା ହୁଏ ନେବାକୁ ଏହି ରୁଚିକର ବ୍ୟଞ୍ଜନର ମଜା ।

ପୋଖରୀ ପାଖର ମସାଣିରେ ହୁଏ ମୃତ ଲୋକଙ୍କର ଅନ୍ତିମ ସଂସ୍କାର,
ନଶ୍ୱର ଜୀବନର ନିବାଡ଼ ସତ୍ୟ ସ୍ୱୀକାର କରିବାକୁ କ‌ହିଛି ସଂସାର ।

ପୋଖରୀ ସାମନା ସ୍ଥଳରେ ହୁଏ ସାପ୍ତାହିକ ହାଟ,
ଲୋକଙ୍କ ଗ‌ହଳି ଯୋଗୁଁ ବନ୍ଦ କରାଯାଏ ପୋଖରୀକୁ ବାଟ ।

ହୁଏ ପୋଖରୀ ସମୀପ ପ୍ରଦର୍ଶନୀ ପଡ଼ିଆରେ ବାର୍ଷିକ ଉତ୍ସବ ମେଳା,
ପ୍ରଦର୍ଶନ ହୁଏ ସଖୀ କଣ୍ଢେଇ, ପ୍ରହଲ୍ଲାଦ ନାଟକ, ଲୋକନାଟ୍ୟ ଓ ହସ୍ତକଳା ।

କାର୍ତ୍ତିକ ପୂର୍ଣ୍ଣିମାରେ ଗ୍ରାମ୍ୟ ପୋଖରୀରେ ହୁଏ ବୋଇତ ବନ୍ଦାଣ, ଦୀପଦର୍ଶନ,
ଯାହା ହେଉଛି ଓଡ଼ିଆ ପୂର୍ବଜଙ୍କ ବାଲିଯାତ୍ରା ପ୍ରୟାଣର ନିଦର୍ଶନ ।

ହୁଏ ଯେବେ ସାର୍ବଜନୀନ ପୂଜା ସମାଗମର ସମାପନ,
ପୋଖରୀରେ ହୁଏ ଠାକୁରଙ୍କ ମୂର୍ତ୍ତିର ବିସର୍ଜନ ।

ବୃଦ୍ଧ ଲୋକଙ୍କ ସ‌‌ହିତ ସରପଞ୍ଚ ପ୍ରତ୍ୟହ କରନ୍ତି ଅଳିଆ ଯୋଗୁଁ ଜଳପ୍ରଦୂଷଣର ବୋଧ,
ଆମ ପୋଖରୀ ଜଳ ସ୍ରୋତକୁ ଦୂଷିତ କରିବା ସମ୍ପୂର୍ଣ୍ଣ ନିଷେଧ ।

ରଖାଯାଉ ଆମ ଗ୍ରାମ୍ୟ ପୋଖରୀକୁ ନିର୍ମଳ,
ତା’ହେଲେ ମିଳିବ ସବୁଦିନ ପାଇଁ ସଲିଳ ।

ଆମ ପଲ୍ଲୀର ପୋଖରୀ ଆମ ପାଇଁ ସଦା ସୁନେଲି ସ୍ମୃତି,
ଯେତେ କ‌ହିଲେ ଗାଇଲେ ବି ଇଚ୍ଛା ହୁଏ କରିବାକୁ ଯାହାର ନିରନ୍ତର ସ୍ତୁତି ।

 

ରାଜ ଶେଖର ଶ୍ରୀ ଚିମା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ରାଜ ଶେଖର ଶ୍ରୀ ଚିମା ଓଡ଼ିଆ ତଥା ତେଲୁଗୁ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।