କାଶତଣ୍ଡୀ ଫୁଲେ
ସଜ୍ଜିତ ପୃଥିବୀ
ଧବଳ ଦିଶଇ ଧରା
ଆଶ୍ଵିନ ଉତ୍ସବ
ଲାଗଇ ଗହଳ
ମେଲାଇ ଖୁସି ପସରା ।
ପାର୍ବଣର ଋତୁ
ଅବତରି ଆସେ
ଶାରଦୀୟ ଶୋଭା ନେଇ
ଆବିର୍ଭାବ ଧରା
ଧାମେ ମହାମାୟୀ
ଦୁଃଖ ନିବାରିବା ପାଇଁ ।
ପୂଜା ମଣ୍ଡପଟି
ଝଲସି ଉଠଇ
ରୋଷଣୀରେ ହୋଇ ସଜା
ଦେବୀ ନାରାୟଣୀ
ମହିଷାମର୍ଦ୍ଦିନୀ
ଅଦିଶକ୍ତି ଦଶଭୂଜା ।
ଆକାଶ ନିର୍ମଳ
ସ୍ୱଚ୍ଛ ନଦୀଜଳ
ପବିତ୍ର ଏ ଧରା ଧାମ
ପିତୃ ପୁରୁଷଙ୍କୁ
ବାଢ଼ି ଶ୍ରାଦ୍ଧ ପିଣ୍ଡ
ଲଭନ୍ତି ଅପାର ପୂଣ୍ୟ ।
ରଙ୍ଗ ବେରଙ୍ଗର
ଫୁଲର ସମ୍ଭାର
ନେଇ ଆସଇ ଶରତ
ଉଛୁଳଇ ମହୀ
ଶୋଭାମୟ ନେଇ
ଅପରୁପ ସେ ବନିତ ।
ବିଚିତ୍ର ବର୍ଣ୍ଣାଳୀ
ପ୍ରକୃତିର ଛବି
ଶୁଦ୍ଧପୁତ ପରିବେଶ
ଆନନ୍ଦିତ ମନେ
ପୁଲକ ଭରଇ
ଦିବ୍ୟ ଚେତନା ପ୍ରକାଶ ।
ପଲ୍ଲୀରୁ ସହର
ଉତ୍ସବ ମୁଖର
ପାର୍ବଣର ଋତୁ ବୋଲି
ଲାସ୍ୟରତା ଶୋଭା
ମନୋରମେ ଭରେ
ମନରେ ଉଲ୍ଲାସ ଖେଳି ।
– ମମତା ସାହୁ
Comments

ମମତା ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।