ଶିବମୟ ଯେ ବ୍ରହ୍ମାଣ୍ଡ ଶିବ ଶକ୍ତି ହିଁ ଅନନ୍ତ,
ଶିବ ହିଁ ସବୁର ଆଧାର ଶିବ ଯେ ସୃଷ୍ଟି ଶିବ ଯେ ଅନ୍ତ ।
ଶିବ ହିଁ ସତ୍ୟ ଶିବ ସୁନ୍ଦର ଶିବ ଯେ ରୁଦ୍ର ହର ଶଙ୍କର,
ଶିବ ଆଦିଯୋଗୀ ଅଜ ଭୈରବ ଶିବ ହିଁ ଏକା ପରମେଶ୍ୱର ।
ଶିବ ହିଁ ତନ୍ତ୍ର ଶିବ ହିଁ ମନ୍ତ୍ର ଶିବଙ୍କ ଓଁକାରେ ଚାଲେ ସଂସାର,
ଶିବ ନୀଳକଣ୍ଠ ଜରାଧିଶମନ ଶିବ ମହାବୁଦ୍ଧି ଶିବ ବୀରଭଦ୍ର ।
ଶିବ ହିଁ ଭକ୍ତି ଶିବ ହିଁ ଶକ୍ତି ଶିବ ପଶୁପତି ପରମଜ୍ୟୋତି,
ଶିବ ଲୋକପାଳ ଶିବ ଲିଙ୍ଗାଧ୍ୟକ୍ଷ ଶିବ ସ୍କନ୍ଦଗୁରୁ ଶିବ ମହାନିଧି ।
କୈଳାଶବାସୀ ସିଦ୍ଧ ସନ୍ନ୍ୟାସୀ ଗଙ୍ଗାଧର ଶିବ ନିତ୍ୟସୁନ୍ଦର,
ଶିବ ମହାକାଳ ଶିବ ତ୍ରିପୁରାରୀ ତ୍ରିଲୋଚନ ଶିବ ପ୍ରଣବ ରୁଦ୍ର ।
ଶିବ ଦିଗମ୍ବର ଶିବ ଧ୍ୟାନଦୀପ ଭୂତପାଳ ଶିବ ମହାମୃତ୍ୟୁଞ୍ଜୟ,
ଶିବ ଦୟାଳୁ ଶିବ ଯେ ଭୋଳା ଶିବ ମହାଯୋଗୀ ଶିବ ଦୂର୍ଜୟ ।
ଶିବ ହିଁ ଗୀତ ଶିବ ହିଁ ତାଳ ଶିବ ହିଁ ଛନ୍ଦ ଶିବ ହିଁ ସୁର,
ଶିବ ପୁଷ୍କର ଶିବ ଲୋକଙ୍କର ଶିବ ଶୁଳିନ ଶିବ ଓଁକାର ।
ଶିବ ଶ୍ରୀକାନ୍ତ ଶିବ ବେଦକର୍ତ୍ତା ଶିବ ସୁପ୍ରିତ ତ୍ରିଲୋକପତି,
ଶିବ ବିଶାଳକ୍ଷ ପୁଷ୍ପଲୋଚନ ଦେବଦେବ ସେ ଯେ ବୃଷଭପତି ।
ଶିବ ଯେ ଶମ୍ଭୁ ଶିବ ନଟରାଜ ଶିବ ସର୍ବେଶ୍ଵର ସର୍ବତାପନ,
ଶିବ ଆଶୁତୋଷ ଅଭୟପ୍ରଭୁ ଶିବ ଧ୍ୟୁତିଧର ଶିବ ତ୍ରିଶୁଳିନ ।
ହେ ମହାଦେବ ହେ ଚନ୍ଦ୍ରପାଳ ଶିବରାତ୍ରି ଆଜି ମହା ଜାଗର,
କର ଆଶିଷ ଦିଅ ଅଭୟ ଧ୍ୟାନ ଥାଉ ସଦା ତୁମ ପାଖେ ହର ।
– ଯଜ୍ଞେଶ କୁମାର ରାଉତ
Comments
ଯଜ୍ଞେଶ କୁମାର ରାଉତ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।