ମଇ ମାସ ୭ ତାରିଖ ଭୋର ସମୟ, ପୋଲିସ ଗାଡ଼ି ଆଜି ମାଧପୁର ଗାଁ କୁଣ୍ଡ ପୋଖରୀ କୂଳରେ ଥିବା ଅଣଓସାରିଆ ରାସ୍ତା ଦେଇ ଗାଁ ମଝିରେ ଥିବା ରାଜଉଆସ ଆଗରେ । ରାଜଉଆସ ଅସଲରେ କେଉଁ ରାଜାଙ୍କର ବାସଭବନ ନୁହେଁ, ଗାଁ’ର ବୋଧହୁଏ ସବୁଠୁ ଧନୀ ଲୋକର ଘର, ଧଳା ଫରଫର ଘରଟି । ସେ ଘର ଆଗ ଦେଇ ଯିଏ ଯାଏ, ମନରେ ଥରେ ଏହି ଭାବନା ତ ନିଶ୍ଚିନ୍ତ ଆସେ, “ଏମିତି ମୋର ଖଣ୍ଡେ ଘରଟି ଥାନ୍ତା ହେଲେ !” ପୋଲିସ ବାବୁମାନେ କାହାର ଗୋଟିଏ ଶବକୁ ଧଳା ବେଡ଼ସିଟରେ ଘୋଡ଼େଇ ଦେଇଛନ୍ତି, ପାଖରେ ଦଉଡ଼ି ଖଣ୍ଡେ ପଡ଼ିଛି, କିଏ ଗୋଟିଏ ଆତ୍ମହତ୍ୟା କରିଛି ବୋଧେ । କୋହଲା ପବନର ଚାପୁଡ଼ାରେ ବେଡ଼ସିଟ୍ଟି ଅଧା ଘୋଡ଼ି ଗଲାରୁ ଦେଖାଗଲା ଯେ ବାଲା ବୁଢ଼ା ଶୋଇଛି, ପୋଲିସ ପାଖରେ କିଛି ଲୋକଙ୍କୁ କ’ଣ ପଚରାଉଚୁରା କରୁଛି । କ୍ଷୀଣ ସ୍ୱରରେ କିଏ ଜଣେ “ଯେସାକୁ ତେସା” ବୋଲି କହିବାର ଶୁଣି ପାରୁଛି ମୁଁ ।
ପାଦ ତଳୁ ମାଟି ଖସିଗଲା ଭଳି ଲାଗିଲା ମୋତେ, ଏଇ ସେହି ବାଲା ବୁଢ଼ାଟି? ବାଳକୃଷ୍ଣ ସାମନ୍ତସିଂହାର, ନାଁ’ଟା ପୂରା ଗୋବିନ୍ଦପୁର ପଞ୍ଚାୟତର ୧୦ଟି ଗାଁରେ କାହାକୁ ଅଜଣା ନଥିବ । ଆଛା ମୁଁ କିଏ, ବାଲା ବୁଢ଼ା ମରିବା ଖବର ଶୁଣି ମୁଁ କାହିଁକି ଏତେ ହତବାକ୍ ହୋଇ ପଡ଼ିଛି? ମୁଁ ସେଇ ମାଧପୁର ଗାଁର ନକୁଳ ସାହୁ, ଆଜକୁ ପ୍ରାୟ ତିରିଶି ବର୍ଷ ପୂର୍ବେ ମୋର ଗୋଟିଏ ୨ ଗୁଣ୍ଠ ଜମିକୁ ବନ୍ଧା ଦେଇଥିଲି, ସୁଧ ମୂଳ ବାବଦକୁ ୭ ବର୍ଷ ଋଣ ସୁଝିଲା ପରେ ବି ସେ ଜମିକୁ ଆଉ ଫେରି ପାଇଲି ନାହିଁ । କୋର୍ଟ କଚେରୀ ଚକର ଲଗେଇବାକୁ ବଳ ନଥିଲା, ତଥାପି ପୁଅଝିଅ ଥିବାରୁ ତାଙ୍କ ଭବିଷ୍ୟତ କଥା ଭାବି ମୋର ପାରୁପର୍ଯ୍ୟନ୍ତ ଚେଷ୍ଟା କଲି । ହେଲେ ବି ମୁଁ ହାରିଗଲି, ବାଲା ବୁଢ଼ା ଠାରୁ ଓ ତା’ର ଶକ୍ତି, ସତ୍ତା ଓ ପଇସା ଠାରୁ । ଦୀର୍ଘ ଦେଢ଼ବର୍ଷ ଚେଷ୍ଟା କଲି, କିନ୍ତୁ ଲଘୁଚାପରେ ଇନ୍ଦ୍ରଧନୁ ଲୁଚିଗଲା ଭଳି ମୋର ସେହି ୨ ଗୁଣ୍ଠ ଜମି ବାଲାର ବିଶାଳ ସାମ୍ରାଜ୍ୟରେ ଲୀନ ହୋଇ ସାରିଥିଲା । ନିଜ ଜମି ଗଲା ପରେ ମୂଲ ଲାଗି ଭାରି କଷ୍ଟରେ ପୁଅକୁ ସହର ପଠେଇଲି, ଇନ୍ଫୋସିସ୍ରେ ଚାକିରି କରିଛି ସେ, କ’ଣ କୋଡ଼ିଂ କରୁଛି, ସବୁଠାରୁ ବଡ଼କଥା ହେଲା ସେ ଭଲରେ ଅଛି, ମାସକୁ ୧୦,୦୦୦ ଟଙ୍କା ପଠାଉଛି, ମଝିରେ ମଝିରେ ଗାଁକୁ ଆସୁଛି ଓ ଆମକୁ ବି ଥରେ ଦି’ଥର ବାହାରକୁ ବୁଲେଇ ନେଇଛି । ଝିଅ ମୋର ବି.ଏ. ପାସ କରି ୨ ବର୍ଷ ତଳେ ହାତକୁ ଦି’ହାତ ହେଇଛି, ସରକାରୀ ଚାକିରି ମୋ ଜ୍ଵାଇଁର, ଭୁବନେଶ୍ୱର ସେକ୍ରେଟାରୀ ଅଫିସରେ କାମ । ଏବେ ଆମେ ବୁଢ଼ାବୁଢ଼ୀ ଭଲରେ ଅଛୁ, ଆର ବର୍ଷ ପୁଅ ବାହାଘର କରିଦେଲେ ଚିନ୍ତା ସରିଲା । ଇଏ ତ ଗଲା ମୋ କଥା, ଏବେ ଆସିବା ବାଲା ବୁଢ଼ାର କଥା, ତା’ର ଅସହିଷ୍ଣୁତା ଓ ବର୍ବରତାର କଥା, ଛନ୍ଦ କପଟର କଥା ।
୮୩ ବର୍ଷରେ ବାଲା ବୁଢ଼ା ଆଜି ଆତ୍ମହତ୍ୟା କରିଛି, ଚଉଡ଼ା କପାଳ, ଚନ୍ଦା ମୁଣ୍ଡ, ଓ ଶ୍ୟାମଳ ବର୍ଣ୍ଣ । ଲୁଙ୍ଗିଖଣ୍ଡେ ପିନ୍ଧିଛି, ହାତ ଶିଥିଳ ହୋଇ ପଡ଼ିଛି, ଆଖି କୋରଡ଼ରେ ପଶି ଯାଇଛି, ପାଦ ନିସ୍ତେଜ ହୋଇ ପଡ଼ିଛି, ଉଚ୍ଚ ସ୍ୱରରେ ଚିତ୍କାର କରୁଥିବା ବୁଢ଼ା ଆଜି ସବୁଦିନ ପାଇଁ ଚୁପ ହୋଇଯାଇଛି । କିନ୍ତୁ ପ୍ରଶ୍ନ ଏଇଠି ଉଠିଛି ଯେ ୮୩ ବର୍ଷରେ ଆତ୍ମହତ୍ୟା, ସେ ପୁଣି ଛାତ ଉପରୁ ଏକ ରଶି ଲଗାଇ ଝୁଲି ପଡ଼ିଛି? ଆଜିକାଲି ଲୋକେ ୬୫-୭୦ ବର୍ଷରୁ ବାର୍ଦ୍ଧକ୍ୟ ଅନୁଭବ କରୁଛନ୍ତି ଆଉ ସେ ୮୩ ବର୍ଷରେ ରସି ବାନ୍ଧି ଝୁଲିଛି? ଲୋକେ କହୁଛନ୍ତି ସାନ ପୁଅ ବୋହୂର ବ୍ୟବହାରରେ ଅତିଷ୍ଠ ହୋଇ ବୁଢ଼ା ଏମିତି କରିଛି । ୮୩ ବର୍ଷ ଜୀବନକାଳ ଭିତରେ କେତେ ଯେ ଜୀବନ ଉଜାଡ଼ିଛି ସେ, କେତେ ନିରୀହ ଲୋକର ଦାନାପାଣି ବନ୍ଦ କରିଦେଇଛି ସେ ତା’ର ହିସାବ କେବଳ ସମୟ ପାଖରେ ହିଁ ଅଛି । ଏତେ ଶକ୍ତିଶାଳୀ, ଅହଂକାରୀ, ନିଷ୍ଠୁର ଲୋକର ଏଭଳି ଅବସାନକୁ ଲୋକେ ଟିକେ ସହଜରେ ଗ୍ରହଣ କରି ପାରୁ ନାହାନ୍ତି ! ବାକ୍ୟର ବାଣ ବୁଢ଼ାର ବକ୍ଷକୁ ଏଭଳି ଭେଦ କରିଛି ଯେ ବୁଢ଼ା ଆଉ ବଞ୍ଚିବାକୁ ଇଚ୍ଛା କଲାନି । ବୁଢ଼ା ଗତ ୩-୪ ବର୍ଷ ହେଲାଣି ବ୍ଲଡ୍ ପ୍ରେସର୍, ଡାଇବେଟିସ୍, ବ୍ରେନ୍ ଷ୍ଟ୍ରୋକ୍, ପାରାଲେସିସ୍ରେ ପୀଡ଼ିତ ହୋଇ ଶଯ୍ୟାଶାୟୀ ଥିଲା, ଭାରି ଯନ୍ତ୍ରଣାରେ ଜୀବନ ବିତାଉଥିଲା, ଚାମୁଚରେ ବି ଟିକେ ଖାଇ ପାରୁନଥିଲା କି ଠିକରେ ଶୋଇ ପାରୁ ନଥିଲା । ବଡ଼ପୁଅ ଦିଲ୍ଲୀରେ ଗତ ୧୫ ବର୍ଷ ଧରି ରହୁଛି, ତା’ ମୁଁହ ଟିକେ ଦେଖି ପାରିନି ସେ । ଗତ ୬-୭ ମାସ ହେବ ବୁଢ଼ା ଠିକ୍ ହୋଇ ଚଲାବୁଲା କଲା, ଠିକ୍ ହୋଇଆସିଲା, ତେବେ ଅଚାନକ ଏଭଳି ଏକ ଅଘଟଣ । ଏହା କ’ଣ ବିଧିର ବିଧାନ? ନା ଭଗବାନଙ୍କ ଶାସ୍ତି? ନା ହଜାର ହଜାର ଲୋକଙ୍କ ଆଖିର ଲୁହ? ସେ ଯାହା ବି ହେଉ, ବୁଢ଼ା ଆଜି ନାହିଁ, ଏହି ଚର୍ଚ୍ଚା ଯେତିକି ଜୋର୍ ଧରିନି ତା’ ଠାରୁ ବଡ଼ କଥା ହେଲା ଆତ୍ମଗର୍ବୀ ବାଲା ବୁଢ଼ା ଆତ୍ମହତ୍ୟା କରିଛି । ବାଲା ବୁଢ଼ାକୁ ମୁଁ ଏତେ ଭର୍ତ୍ସନା କାହିଁକି କରୁଛି? ହଉ, ଆସନ୍ତୁ ଶୁଣିବା ବାଳକୃଷ୍ଣ ସାମନ୍ତସିଂହାରର କଥା ।
ଦେଶ ସ୍ୱାଧୀନର ପର କଥା, ବାଲା ସେତେବଳେ ୬ ବର୍ଷର ବାଳୁତ । ଧୀରେ ଧୀରେ ବଡ଼ ହେଲା, ପାଠଶାଠରେ ଟିକିଏ ହେଲେ ମନ ଦେଲାନି । ବାଲାର ଦୁଇ ଭାଇ ଓ ବାଲାର ବାପା ଅମାପ ସମ୍ପତ୍ତିର ଅଧିକାରୀ । କାହାକୁ ଖାତିର କରୁନଥିଲା ବାଲା, ସମସ୍ତଙ୍କ ସହ ଝଗଡ଼ା କରିବା, ଅସଭ୍ୟ ଭାଷାରେ ଲୋକଙ୍କୁ ଗାଳିଗୁଲଜ କରିବା, ସମସ୍ତଙ୍କ ପରିହାସ କରିବା ବାଲାର ଗୋଟିଏ ଅଭ୍ୟାସରେ ପରିଣତ ହେଉଥିଲା । ନିଜ ଜେଜେବାପା ବୋଉଙ୍କୁ ବାଲା ଖରାପ ବ୍ୟବହାର କଲା, ଏଥିରେ ତା’ ବାପାମାଆ ତାକୁ ରୋକିଲେ ନାହିଁ, ସାହସ ପାଇ ବାଲା ଆହୁରି ଉଦ୍ଧତ ହୋଇଗଲା । ୧୯୭୦ ମସିହାରେ ବାଲା ହାତକୁ ଦି ହାତ ହେଲା । ଦିନକୁ ଦିନ ବାଲାର କାର୍ଯ୍ୟକଳାପ ଆହୁରି ଅସହ୍ୟ ହୋଇଗଲା । ବାଲା ନିଜ ସ୍ତ୍ରୀ, ବାପାମାଙ୍କୁ ବି ଖରାପ ଭାଷାରେ ଗାଳି ଦେବାରେ ଲାଗିଲା । ନିଜ ସ୍ତ୍ରୀକୁ ଗାଳିଗୁଲଜ କରିବା ସହ ମାଡ଼ ମାରିଲା । ବୁଢ଼ା ବୟସରେ ନିଜ ବୁଢ଼ା ବାପାମାଆଙ୍କୁ ନାନା ରକମର ହଇରାଣ କଲା, ଦିନେ ତ ନିଜ ଜନ୍ମଦିଆ ମା’କୁ ଟେକି ତଳେ ଫୋପାଡ଼ି ଦେଇଥିଲା । ବାହା ହେବା ପରଠାରୁ ନିଜ ସ୍ତ୍ରୀକୁ ଦିନେ ବି ଖୁସିରେ ରଖିନି ବାଲା, କେବେ ଦୋ ଅକ୍ଷରୀ ଗାଳି ତ କେବେ ଚାରି ଅକ୍ଷରୀ । ସବୁବେଳେ ତା’ ମନରେ କଷ୍ଟ ଦେଇ ଆସିଛି । ନିଜ ପୁଅ-ବୋହୂଙ୍କୁ ବି ଖରାପ ଭାଷାରେ ଗାଳି ଦେଇଛି ସେ । ଇଏ ତ ଗଲା ବାଲା ପରିବାରର ଭିତିରି କଥା, ତା’ ସାମାଜିକ ରୂପ ବି କିଛି କମ କଠୋର ନଥିଲା । ସାହୁକାର ଜମିଦାର ଭଳି ସମ୍ଭ୍ରାନ୍ତ ଶ୍ରେଣୀର ଲୋକ ସେ । ସେତେବଳେ ତ ଆଉ ବ୍ୟାଙ୍କ ନଥିଲା, ତା’ ଦୁଆରେ ଲୋକଙ୍କର ଲମ୍ବା ଧାଡ଼ି ଲାଗୁଥିଲା ଟଙ୍କା ଋଣ ନେବା ପାଇଁ । ଋଣ ଉପରେ ମନ ଇଚ୍ଛା ସୁଧ ହିସାବ କରେ, ସୁଧ ଟଙ୍କା ପୈଠ କଲାପରେ ବି ଅନେକ ଲୋକଙ୍କର ଘରଜମି ହଡ଼ପ କରିଛି ସେ । ଟଙ୍କା ପାଇଁ କେତେ ଲୋକ ନିଜ ସୁନାଗହଣା ବନ୍ଧକ ରଖିଥାନ୍ତି ତା’ ପାଖରେ, ସେ ସବୁ ସୁନାଗହଣା ଆଉ ଫେରେ ନାହିଁ ସେ ନିରୀହ ଲୋକଙ୍କ ପାଖକୁ । ଋଣ ଦେବା ଓ ଋଣ ଟଙ୍କା ପରିଶୋଧ ନ କରି ପାରିଲେ ଜମି ହଡ଼ପ କରିନେବା କାମରେ ସେ ବୋଧହୁଏ ସ୍ନାତକ ହାସଲ କରି ସାରିଥିଲା । ଏହା ବ୍ୟତୀତ ଲୋକଙ୍କ ନିନ୍ଦା ଓ ପରିହାସ କରିବା, ଛନ୍ଦ କପଟ କରିବା, ପାରିବାରିକ କଳହରେ ଲିପ୍ତ ହେବା, ନିଜ ସ୍ତ୍ରୀ ସମେତ ସମସ୍ତଙ୍କୁ ଅସଭ୍ୟ ଭାଷାରେ ଗାଳି ଦେବା, ସମ୍ପତ୍ତି ପାଇଁ ନିଜ ଭାଇମାନଙ୍କ ଠାରୁ ଅଲଗା ହେବା, ତାଙ୍କ ଜମିକୁ ଜବରଦଖଲ କରିନେବା, ଲୋକଙ୍କୁ କଷ୍ଟ ଦେଇ ଖୁସି ପାଇବା – ଏଭଳି କେଉଁ ଅମାନୁଷିକ କାର୍ଯ୍ୟ ନାହିଁ ଯେଉଁଥିରେ ବାଲା ସାମନ୍ତସିଂହାର ଲିପ୍ତ ନଥିଲା । ଅମାପ ସମ୍ପତ୍ତିର ଅଧିକାରୀ ହୋଇ ସେ ଥିଲା କଞ୍ଜୁସ; ଗୋଟିଏ ଟଙ୍କା କାହାକୁ ଦେଉ ନଥିଲା ଓ ଲୋଭୀ । ଜମି/ ଘରବାଡ଼ି ପାଇବାର ଲାଳସା ତା’ର କେବେ ବି ସରୁ ନଥିଲା । ୧୯୮୦-୧୯୯୦ ମସିହା ଭିତରେ ଏସବୁ ବହୁତ ଅଧିକ ହୋଇ ଯାଇଥିଲା । ନିଜ ଭାଇର ଅପରେସନ ପାଇଁ ଟଙ୍କା ମାଗିବାରୁ ଭାଉଜଙ୍କ ଗହଣା ପର୍ଯ୍ୟନ୍ତ ବନ୍ଧା ରଖିବାକୁ ପଛେଇ ନଥିଲା ଓ ସେ ଗହଣାକୁ ଆଉ ଫେରେଇ ବି ନଥିଲା । ଏହିଭଳି ଥିଲା ବାଳକୃଷ୍ଣ ସାମନ୍ତସିଂହାରର ଓରଫ ବାଲା ।
କଥାରେ ଅଛି ଏ ହାତ ପାପ ସେ ହାତ ନିଏନି ଆଉ ମଣିଷକୁ ନିଜ ପାପର ଦଣ୍ଡ ତା’ ପରଜନ୍ମରେ ମିଳେ, କିନ୍ତୁ ଯଦି ପାପଭାର ଅତି ହୋଇଯାଏ ତେବେ କିଛିଟା ଏଇ ଜନ୍ମରେ ବି ଭୋଗିବାକୁ ପଡ଼େ । ସାନପୁଅ-ବୋହୂ ବାଲାବୁଢ଼ାକୁ କ’ଣ ହଇରାଣ କରିଛନ୍ତି କି ଖରାପ ବ୍ୟବହାର କରିଛନ୍ତି ସେ କଥା ମୁଁ ଜାଣିନି । କିନ୍ତୁ ବୁଢ଼ା ବୟସରେ ବଡ଼ ପୁଅ ଘର ବାହାରେ, ନାନା ରୋଗରେ ପୀଡ଼ିତ ହୋଇ ୩-୪ ବର୍ଷ ଧରି ଶଯ୍ୟାଶାୟୀ, ସାନପୁଅ-ବୋହୂଙ୍କର ଅତ୍ୟାଚାର; ବାର୍ଦ୍ଧକ୍ୟ ହେଉଛି ଅଣକୁଶଳୀ ନିରସ୍ତ୍ର ସିପାହୀର ଅବସ୍ଥା ଭଳି, ସେଥିରେ ପୁଣି ତାକୁ ସାମ୍ନା କରିବାକୁ ପଡ଼ିଛି ସୃଷ୍ଟିର ଶକ୍ତିଶାଳୀ ଯୋଦ୍ଧାମାନଙ୍କୁ । ସେ ସାନପୁଅ-ବୋହୂର କେଉଁ କଥା ବୁଢ଼ାକୁ ଏତେ ବାଧିଛି ତାହା ତ ଭଗବାନ ହିଁ ଜାଣିଥିବେ । କିନ୍ତୁ ସେ କଥା ପଦ ବୋଧେ ଇନ୍ଦ୍ରାସ୍ତ୍ର ଓ ବ୍ରହ୍ମାସ୍ତ୍ର ଠାରୁ ଅଧିକ ଭୟାନକ ଥିଲା ଯାହା ବାଲା ସାମନ୍ତସିଂହାର ଭଳି ଲୋକର “ଗର୍ବ-ଅହଂକାର” ସ୍ୱରୂପ କବଚକୁ ବି ଭେଦି ଦେଇ ପାରିଲା । ବାଳକୃଷ୍ଣ ସାମନ୍ତସିଂହାରର ଚିତା ଜଳୁଛି, କିଛି ଲୋକ ଠିଆ ହୋଇ ଦେଖୁଛନ୍ତି, ନିଜ ଭିତରେ କ’ଣ ଗୁଣୁଗୁଣୁ ହେଉଛନ୍ତି । ସେମାନେ ବୋଧେ ବାଲା ବୁଢ଼ାର ମରଶରୀରକୁ ଜଳିବାର ଦେଖୁ ନାହାନ୍ତି, ସେମାନେ ଦେଖୁଛନ୍ତି ବାଲାର ଲୋଭ, ଗର୍ବ, ଅହଂକାର, ଛନ୍ଦ କପଟ, କଟୁ କଥା ଓ ଅସଂଖ୍ୟ ଅମାନୁଷିକ କାର୍ଯ୍ୟକଳାପ ଗୁଡ଼ିକ ମାଟିରେ ମିଶୁଥିବାର ।
– ଅଭିଜିତ୍ ସାହୁ
Comments
ଅଭିଜିତ୍ ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।