ବଞ୍ଚିକି ପାରିବ, ଶଶାଙ୍କ ବିନା
ସରୋବରର ସେ କଇଁ?
କେମିତି ବଞ୍ଚିବି ତୁମବିନା ପ୍ରିୟ
ଆଖିରେ ଏ ଲୁହ ନେଇ ।୧।
ବସନ୍ତ ମଳୟ, ଶ୍ରାବଣର ବର୍ଷା
ଆସିଥିଲ ତୁମେ ସାଜି,
ଗଲାବେଳେ କାଇଁ ହୋଇଗଲ ତୁମେ,
ରୁକ୍ଷ ନିଦାଘର ଝାଞ୍ଜି ।୨।
ଶିଖେଇଲ ତୁମେ ହସିବା ବଢ଼ିବା
ଜିତିବାର ସେଇ କଳା,
ସଜେଇଲେ କୁନି ଆଖିରେ ମୋହର
ଅସୁମାରୀ ସ୍ୱପ୍ନ ଆଶା ।୩।
ଜୀବନରେ ଥିଲା କେତେ ଝଡ଼ଝଞ୍ଜା
ତୁମ ସାଥେ ଥିଲି ସହି,
ତୁମେ ଚାଲିଗଲା ପରଠାରୁ ତ’ ମୁଁ
ପାରୁନି ଏ ସବୁ ଦେଖି ।୪।
ତୁମ ଆଖିଦେଇ ଦେଖେଇଲ ମତେ
ଦୁନିଆର ଏଇ ଜ୍ୟୋତି,
ଆଖି ଥାଇ ଆଉ କାହାକୁ ଦେଖିବି
ମୋ ପାଖେ ମୋ ପ୍ରିୟା ନାହିଁ ।୫।
ବୁଝିବା ଆଗରୁ ଅବୁଝା ହୋଇଲ
ଆଖିରେ ମୋ’ ଲୁହ ଦେଇ,
ଓଠ ପିଇଗଲା ସବୁ ଲୁହ ହେଲେ
ତୁମେ ତ’ ଫେରିଲ ନାହିଁ ।୬।
ତୁମରି ସ୍ୱପ୍ନକୁ ଧରି ମୁଁ ବଞ୍ଚିଛି
ତୁମରି ସାହାସ ନେଇ,
ସଜ ଗୋଲାପଟେ ନହେଲେ ନହେଲି
ଦୁବଘାସଟିଏ ହେବି ।୭।
ଶରୀର ନଥାଇ ନିଃଶ୍ୱାସେ ମୋ ଅଛ,
ରହିଥିବ ମଲାଯାଏ,
ଦୂର କରିବିନି ତୁମକୁ ମୁଁ କେବେ
ସ୍ପନ୍ଦନ ଚାଲିବା ଯାଏ ।୮।
ଚାଲିବାକୁ ଅଛି ପଥ ବହୁଦୂର
ସମୟ ବହୁତ ସ୍ୱଳ୍ପ
ତୁମେ ଶୋଇଥାଅ, ମୁଁ ଚେଇଁ ଏବେ
କରିଯାଏ ମୋର କାମ ।୯।
ତୁମ କୋଳେ ଦିନେ ମଥା ରଖି ମୋର
ସବୁ କଥା ଯିବି କହି,
ସମୟ କେବେ ଯେ ଦବ ତା’ ନିର୍ଦ୍ଦେଶ
ସେ ବେଳକୁ ଡର ନାହିଁ ।୧୦।
ବଞ୍ଚିଲି ବଞ୍ଚିଛି ବଞ୍ଚିବି କେବଳ
ତୁମର ମୁଁ ପ୍ରିୟା ହୋଇ,
ସ୍ୱର୍ଗରେ ନିଶ୍ଚୟ ମିଳନ ହୋଇବ
ମର୍ତ୍ତ୍ୟରେ ନହେଲେ ନାହିଁ ।୧୧।
– ଭାଗ୍ୟଶ୍ରୀ ସାହୁ
Comments
ଭାଗ୍ୟଶ୍ରୀ ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।