କ’ଣ ହେଇଗଲା ସବୁ ନିମିଷକେ । ହଠାତ୍ ସବୁକିଛି ଓଲଟ ପାଲଟ କେମିତି ହେଇଗଲା ! ସବୁ ତ ଠିକ୍ ଚାଲିଥିଲା । ମତେ ଶୁଭୁ ଏମିତି ଛାଡ଼ି ଯାଇ ପାରିବନି ନା ! କଦାପି ନୁହେଁ । ଏମିତି ଭାବି ଭାବି ପାଗଳ ପ୍ରାୟ କାନ୍ଦୁଥାଏ ରୁଦ୍ର । ପାଗଳ ପରି ତା’ର ସବୁ ସାଙ୍ଗକୁ ଫୋନ୍ ଲଗାଉଥାଏ । କିନ୍ତୁ କିଛି କହିପାରୁନଥାଏ । କାନ୍ଦି ବି ପାରୁନଥାଏ । କେତେ କ’ଣ କରିନଥିଲା ସେ ଶୁଭୁ ପାଇଁ । ସବୁବେଳେ ତା’ ସୁଖଦୁଃଖର ସାଥୀ ହେଇ ଚାଲିଥିଲା କିନ୍ତୁ ସେ ତା’ ସାଙ୍ଗରେ କ’ଣ କଲା ! ତାକୁ ଛାଡ଼ିଦେଇ ଆଉ କାହା ପାଖକୁ ଚାଲିଗଲା । ଏଇ କ’ଣ ପ୍ରେମ ! ଆଜିକାଲି ଦୁନିଆରେ ପ୍ରେମର ମୂଲ୍ୟ କିଛି ନାହିଁ । ଖାଲି ଟଙ୍କା ଆଉ ରୂପ ! ମୋର ତାକୁ ଭଲ ପାଇବାଟା ଭୁଲ୍ ଥିଲା । ଥରେ ଶୁଭୁ ଦେହ ଭଲ ନଥିଲା ବୋଲି ସେ ସମ୍ବଲପୁରରୁ ଆସିଥିଲା ଭୁବନେଶ୍ୱର ଶୁଭୁକୁ ଦେଖା କରିବାକୁ । ସାଙ୍ଗ ମେସ୍ରେ ରହି ଗୋଟେ ଦୁଇଦିନ ତା’ କଥା ବୁଝି ଯାଇଥିଲା । ଏସବୁର ମୂଲ୍ୟ ବୋଧେ ତା’ ଭଳି ଅବିବେକି ଝିଅ ପାଖେ କିଛି ନୁହେଁ । ଆଜି ଘରେ କହିଲେ ବୋଲି ଆଉ କାହାର ହେବାକୁ ସେ ଟିକେ ପଛେଇଲାନି । ଠିକ୍ ଅଛି । ଛାଡ଼ । ଏମିତି ଭାବି ଭାବି ମନକୁ ବୁଝୋଉଥାଏ । କିନ୍ତୁ ମନ କ’ଣ ମାନେ । ପୁଣି ଲୁହ ଆସିଯାଏ ଆଖିରେ । ତା’ ସହ ବିତେଇଥିବା ସମୟ ଆଖି ସାମ୍ନାରେ ଚାଲି ଆସେ । ଏମିତି ହେଇ ନୂଆବର୍ଷ ସରିଯାଏ । ହେଲେ ଏବର୍ଷ କିଛି ଖାସ୍ ନାହିଁ ତା’ ପାଇଁ । ଶୁଭୁ ବିନା ସବୁ ଯେମିତି ଫିକା ହେଇଯାଇଛି ତା’ ଜୀବନରେ । ନିଜକୁ ବୁଝାଉଥାଏ ସେ । କାହିଁକି ମୁଁ ଏମିତି ହୃଦୟହୀନ କଥା ଭାବୁଛି । ଏମିତି ନିଜକୁ ବୁଝେଇ ବୁଝେଇ ରଖିଥାଏ । କିନ୍ତୁ ଫେବୃଆରୀ ତାକୁ ଅଥୟ କରିଦେଲା । ପ୍ରେମିକ ପ୍ରେମିକାଙ୍କ ଉତ୍ସବର ମାସ ଫେବୃଆରୀ । ତା’ର ସବୁ ସାଙ୍ଗମାନେ ଉତ୍ସବ ପାଳିବାକୁ ବ୍ୟସ୍ତ । ଉତ୍ସବ ମାନେ ଭାଲେଣ୍ଟାଇନ୍ ଡେ । ଏଇ ସମୟ ସତେ ଯେମିତି ଅଭିଶାପ ପରି ଲାଗୁଥାଏ ରୁଦ୍ରକୁ । ଏଇ ସମୟ ପୁଣି ମନେ ପକେଇ ଦେଉଥାଏ ଶୁଭୁ ସହ ବିତିଥିବା ମୁହୂର୍ତ୍ତ । ଏଇ ଭାଲେଣ୍ଟାଇନ୍ ଡେରେ ସେ ଶୁଭୁକୁ କେତେ ଗିଫ୍ଟ ଦିଏ । ତା’ ପୂର୍ବରୁ ରୋଜ୍ ଡେ, ଟେଡି ଡେ ସବୁରେ ସେ ଗିଫ୍ଟରେ ପୋତି ଦେଉଥିଲା ଶୁଭୁକୁ । ଆଉ ଭାଲେଣ୍ଟାଇନ୍ ଡେ ଦିନ କେତେ ଶୁଭୁର ପ୍ରେମ… ପୁଣି ତା’ ଆଖିରେ ଲୁହ ଆଣିଦେଲା ।
ଏ ବର୍ଷ ଭାଲେଣ୍ଟାଇନ୍ ଡେରେ ସେ ଆଉ ମେସ୍ରେ ରହିପାରିଲାନି । ବାଇକ୍ ଧରି ବାହାରିଲା ମୁଣ୍ଡ ଥଣ୍ଡା କରିବାକୁ । ବାଇକ୍, କ୍ୟାମେରା ଆଉ ଫୋନ୍ ଯେମିତି ଏଇ କିଛି ଦିନ ତା’ ସୁଖ ଦୁଃଖର ସାଥୀ ଥିଲେ । କିଛି ବାଟ ଗଲା । ପାଖରେ ଗୋଟେ ଝରଣା ଥାଏ । ସେଇ ଝରଣା ପାଖେ ଏକ ଛୋଟ ଡ୍ୟାମ୍ । ଆଉ ଗଛରେ ଭରା ଏକ ରମଣୀୟ ସ୍ଥାନ । ମନ ଖୁସି ହେଇଯାଏ । ସେ ପ୍ରାୟ ଏଠିକି ଆସେ । ତା’ ପ୍ରିୟ ସ୍ଥାନ । ଏବେ ତ ସେ ସ୍ଥାନ ତା’ର ସାଥୀ ହେଇଯାଇଛି । ସେ କିଛି ଫୋଟୋ ଉଠେଇ ସାଇଡ୍ରେ ଥିବା ବେଞ୍ଚ ଉପରେ ବସି କିଛି ଭାବୁଛି । ଏତିକି ବେଳେ କାହାର କଥା ବାର୍ତ୍ତା ଶୁଣିଲା । ସେ ଗଛ ଉହାଡ଼ରୁ ଦେଖିଲା ଏକ ବୃଦ୍ଧ କଥା ହେଉଛନ୍ତି ଏକା ଏକା । ଆପେ ଆପେ ହସୁଛନ୍ତି । ନାଲି ଚୁଡ଼ି ଆଣିଥାନ୍ତି ଆଉ ଗୋଲାପର ଫୁଲଟିଏ । ନାଲି ଚୁଡ଼ିକୁ ଦେଖି କ’ଣ କ’ଣ ସବୁ କହୁଛନ୍ତି । ରୁଦ୍ରକୁ ଟିକେ କୌତୁହଳ ଲାଗିଲା । ସେ ଟିକେ ପାଖକୁ ଯାଇ ତାଙ୍କୁ ପଚାରିଲା, “ମଉସା ଆପଣ ଏକା ଏଠି କ’ଣ କରୁଛନ୍ତି?” ସେ ଟିକେ ଆଶ୍ଚର୍ଯ୍ୟ ହେଇ ରୁଦ୍ରକୁ ଚାହିଁଲେ । ପାଟିରେ ଆଙ୍ଗୁଳି ଦେଇ କହିଲେ । ଧୀରେ କହ ମୋ ଫୁଲ ଶୋଇଛି ମୋ କୋଳରେ ତତେ ଦେଖା ଯାଉନି । ରୁଦ୍ର ହସିଲା ଆଉ ଭାବିଲା ପାଗଳ ବୁଢ଼ାଟେ ବୋଧେ । କିନ୍ତୁ ବେଶ ପୋଷାକ ତ ସେମିତି ଲାଗୁନଥିଲା । ପୂରା ସଜବାଜ ହେଇ ଆସିଥିଲେ । କିନ୍ତୁ ତାଙ୍କ ପାଖେ ତ କେହି ନଥିଲେ । ସେ ତା’ପରେ ଫେରି ଯାଉଥିଲା । କିନ୍ତୁ ପୁଣି କଥାବାର୍ତ୍ତା ଶୁଣି ରହିଗଲା । ମଉସା ଜଣକ କହୁଥିଲେ ସ୍ନେହରେ, “କ’ଣ ଖାଇବ ଆଜି? ତମ ମନ ପସନ୍ଦର କ୍ଷୀରି ବନେଇ ମୁଁ ଆଣିଛି । ଦେଖ ମୁଁ ନାଲି ଚୁଡ଼ି ବି ଆଣିଛି ଆଉ ଗୋଲାପ ଫୁଲ ବି । ଆଜି କ’ଣ ସବୁ ଛୁଆମାନେ ଭାଲେଣ୍ଟାଇନ୍ ଡେ ପାଳୁଛନ୍ତି । ଆମେ କ’ଣ କୋଉ ଲୈଲା ମଜୁନୁଠୁ କମ୍ କି ! ତମେ ତ ମୋ ଲୈଲା । ଇସ୍ କି ଲାଜ ମୋ ଫୁଲର !” ସତେ ଯେମିତି ତାଙ୍କ ସ୍ତ୍ରୀ ତାଙ୍କ କୋଳରେ ମୁଣ୍ଡ ରଖି ଲାଜେଇ ଯାଉଛନ୍ତି । ରୁଦ୍ରକୁ ବ୍ୟସ୍ତ କରି ପକେଇଲା ଏ ଘଟଣା । କିଛି ବୁଝି ପାରୁନଥାଏ । ଏକ ଚଟାଣ ଉପରେ ବସି ଏକ ୭୦ ବର୍ଷୀୟ ବୃଦ୍ଧଙ୍କ ଏମିତି ପ୍ରଳାପ ଚକିତ କରୁଥାଏ ତାକୁ । ସେ ଉତ୍କଣ୍ଠାର ସହ ଆଉ ଟିକେ ସ୍ପଷ୍ଟ ହେବାକୁ ବୁଲି ଚାହିଁଲା । ସେ ସେମିତି ଗୋଡ଼ ଲମ୍ବେଇ ବସିଥାନ୍ତି ସତେ ଯେମିତି କେହି ତାଙ୍କ ଗୋଡ଼ ଉପରେ ମୁଣ୍ଡ ରଖି ଶୋଇଛି । ସେ ପାଖକୁ ଗଲା । ପଚାରିଲା ମଉସା ତମେ ଏ ଫୁଲ ଆଉ ଚୁଡ଼ି କାହା ପାଇଁ ଆଣିଛ? ଆରେ ତୋ’ ମାଉସୀ ପାଇଁ ମ । ତାକୁ ଆଜି ପିନ୍ଧେଇବି ମୁଁ । ଆଜି ପରା ଭାଲେଣ୍ଟାଇନ୍ ଡେ । ତୁ ଟୋକାଟା ହେଇ ଏତିକି ଜାଣିପାରୁନୁ କ’ଣ ମ ! ରୁଦ୍ର ଟିକେ ଉତ୍କଣ୍ଠାର ସହ ପଚାରିଲା, “ଆଚ୍ଛା ତମର ତା’ହେଲେ ଲଭ୍ ମ୍ୟାରେଜ୍?” ଏଥର ମଉସାଙ୍କ ମୁହଁରେ ହସ ଦେଖିବାକୁ ମିଳିଲା । ଖୁସିରେ କହିଲେ ବସ୍ ଏଇଠି ମୋ ପାଖେ ମୁଁ କହୁଛି ।
ତୋ ମାଉସୀ ଆଉ ମୁଁ ଥରେ ସମଲେଇ ମନ୍ଦିରରେ ଦେଖା ହେଇଥିଲୁ । ପ୍ରଥମଥର ସେ କିଛି କହିନଥିଲା । କିନ୍ତୁ ୨/୩ ଥର ଦେଖା ହେବା ପରେ ମନ ଦେଇ ବସିଲୁ ଆମେ । ମୁଁ ତାଙ୍କ ଘରକୁ ଗଲି ତାଙ୍କ ବାପାଙ୍କୁ କହିଲି କିନ୍ତୁ ତାଙ୍କ ବାପା ରାଜି ନହେବାରୁ ଆମେ ଲୁଚି କୋର୍ଟ ମ୍ୟାରେଜ କରିଦେଲୁ । ବହୁତ୍ ଖୁସିରେ ଥିଲୁ । ତୋ ମାଉସୀ ସବୁଦିନ ମୋ ମନ ପସନ୍ଦର ଜିନିଷ ବନେଇ ଖୁଆଉଥିଲା; ନୂଆ ନୂଆ ଜିନିଷ ସବୁଦିନ । ଆଉ ଅଭିଯୋଗ ବି କରୁଥିଲା, “ମୋ ପାଇଁ ତମେ କାହିଁକି ଦିନେ ବନୋଉ ନାହଁ ।” ମୁହଁ ଫୁଲେଇ ଦେଉଥିଲା ମୁଁ ଗେହ୍ଲା ଟିକେ କରିଦେଉଥିଲି ସେ ପୁଣି ଖୁସି ହେଇ ଖାଇବା ବନୋଉଥିଲା ମୋ ପାଇଁ । ବହୁତ୍ ଖୁସିରେ ଥିଲୁ ଆମେ । ଆମର ପୁଅଟିଏ ହେଲା । ସେ ଏବେ ଆମେରିକାରେ ଅଛି । ମୋର ଛୋଟ ନାତିଟିଏ ବି ଅଛି । ବହୁତ୍ ଗୁଲୁଗାଲିଆ । ବହୁତ୍ ଭଲପାଏ ମତେ । ଆମେ ଥରେ ଆମେରିକା ବାହାରିଥିଲୁ ପୁଅ ପାଖକୁ ଯିବାକୁ ୨୦୧୯ ମାର୍ଚ୍ଚ ୨୦ରେ । ବାଟରେ ଉଡ଼ାଜାହାଜରେ ତୋ’ ମାଉସୀର ଛାତିରେ ଯନ୍ତ୍ରଣା ହେଲା । ମୁଁ ସାଙ୍ଗେ ସାଙ୍ଗେ ତାକୁ ଡାକ୍ତରଖାନା ନେଇଗଲି । ୨/୩ ଦିନରେ ସେ ଭଲ ହେଇଗଲା । ତା’ପରେ ମୁଁ ପୁଅକୁ ସିଧା କହିଦେଲି ଆମେ ଆଉ ଆମେରିକା ଯିବୁନି । ତୋ’ ବୋଉ ଦେହ ଖରାପ ହେଉଛି । ତୁ ଆସିବୁ ଯଦି ଆସେ ଆମେ ଆଉ ଯିବୁନି । ଆମେ ବହୁତ ଖୁସିରେ ଅଛୁ । ଏତିକି କହି ସେ କହିଲେ, “ଓଲୋ ମୋ ପ୍ରିୟତମାକୁ ଭୋକ ହେଲାଣି କି ! ଦେଖ ମୁଁ ତମ ପାଇଁ ଆଜି କ୍ଷୀରି ବନେଇଛି । ତମେ ସବୁବେଳେ ଅଭିମାନ କର ନା ମୁଁ କିଛି କରେନି ତମପାଇଁ । ଆଜି କରିଛି । ତୁ ପା ମୋ ଭାଲେଣ୍ଟାଇନ୍ ।” ହସି ହସି କହୁଥାନ୍ତି ସେ । ରୁଦ୍ର ମଉସାଙ୍କ ପାଖରେ ଥିବା କୋରିୟରଟିକୁ ଦେଖିଲା ସେଥିରେ ତାଙ୍କ ପୁଅଙ୍କ ହାତ ଲେଖା କାର୍ଡଟେ ଖାଲି ଥିଲା । ସେଥିରେ ଲେଖା ଥିଲା, “ବାପା ବ୍ୟସ୍ତ ହେବନି । ବୋଉ କଥା ଭାବି ଆଉ ମନ ଦୁଃଖ କରିବନି ଆମେ ଆଉ ଅଳ୍ପ ଦିନେ ପହଞ୍ଚିବୁ ଓଡ଼ିଶାରେ । ବୋଉର ଶ୍ରାଦ୍ଧ ପୂର୍ବଦିନ ପହଞ୍ଚିବୁ ।” ସେଥିରେ ମାଉସୀଙ୍କ ଶ୍ରାଦ୍ଧ ପାଇଁ ଫୋଟୋଟିଏ ବି ଥିଲା । ଫୋଟୋ ତଳେ ଲେଖା ଯାଇଥିଲା । ଜନ୍ମ – ୧୯୬୦ ଫେବୃଆରୀ ୧୪, ମୃତ୍ୟୁ ୨୦୧୯ ମାର୍ଚ୍ଚ ୨୦ । ରୁଦ୍ର ହାତରୁ ଫୋଟୋଟି ଖସି ପଡ଼ିଲା । ମାନେ ମାଉସୀ ସେହିଦିନ ହିଁ ଛାତି ଯନ୍ତ୍ରଣାରେ ଚାଲି ଯାଇଥିଲେ । କିନ୍ତୁ ମଉସା ତାକୁ ସହଜରେ ଗ୍ରହଣ କରି ପାରିନାହାନ୍ତି । ଏବେ ବି ସେ ଭାବୁଛନ୍ତି ମାଉସୀ ତାଙ୍କ ସହ ହସୁଛନ୍ତି, ବସିଛନ୍ତି । ସେ ମଉସାଙ୍କ ଆଡ଼କୁ ଅବାକ୍ ହେଇ ଚାହିଁଥିଲା । ମଉସା କ୍ଷୀରି ଖୁଆଇଦେଉଥାନ୍ତି ଶୂନ୍ୟରେ । କ୍ଷୀରି ତଳେ ପଡ଼ୁଥାଏ କିନ୍ତୁ ସେ ତ ତାଙ୍କ ପ୍ରେମିକାର ସତ୍କାରରେ ବ୍ୟସ୍ତ । ଆଜିଯାଏଁ ସେ ଏହି ଭ୍ରମରେ ବଞ୍ଚିଛନ୍ତି । ପ୍ରକୃତରେ ଇଏ ହେଉଛି ପ୍ରେମ । ରୁଦ୍ର ତାଙ୍କୁ ତାଙ୍କ ଭ୍ରମରୁ କାଢ଼ିବାକୁ ଚେଷ୍ଟା ବି କଲାନି । ସେ ହୃଦୟଙ୍ଗମ କରିପାରୁଥିଲା ପ୍ରେମ ବିନା ଜୀବନକୁ । ଯଦି ସେ ନିଜ ଭ୍ରମ ଭିତରେ ବି ନିଜ ପ୍ରେମକୁ ପାଇ ପାରୁଛନ୍ତି ତେବେ ମୁଁ କିଏ ତାଙ୍କ ପ୍ରେମକୁ ଭୁଲ୍ ବା ଭ୍ରମର ନାମ ଦେବାକୁ । ପ୍ରକୃତ ଭାଲେଣ୍ଟାଇନ୍ ଦିବସ ତ ମଉସା ପାଳୁଛନ୍ତି । ଏକ ଲୟରେ ସେ ମଉସାଙ୍କୁ ଚାହିଁଥାଏ । ଏତିକି ବେଳେ ସେ ମଉସାଙ୍କ ଫୋଟୋ ନିଜ କ୍ୟାମେରାରେ ଉଠେଇ ନେଲା । ଆଉ ସ୍ମିତ ହାସ୍ୟ ଦେଇ ଚାହିଁ ରହିଥିଲା ଏକ ନିଆରା ପ୍ରେମିକକୁ । ମଉସା ଚୁଡ଼ି ଆଉ ଗୋଲାପ ଦେଖାଉଥାନ୍ତି ଆଉ ସତେ ଯେମିତି ମାଉସୀ ତାଙ୍କୁ ଦେଖି ଲାଜ କରୁଥାନ୍ତି । ତା’ପରେ ରୁଦ୍ର ସେଠୁ ମେସ୍କୁ ଚାଲି ଆସିଲା । ଆଜି ତାକୁ ପ୍ରକୃତ ପ୍ରେମର ପରିଚୟ ମିଳିଥିଲା । ମେସ୍ ଆସି ଫ୍ରେସ୍ ହେଇ ବସିଲା । ଅଧା ଦୁଃଖ ତା’ର ହାଲୁକା ହେଇଯାଇଥିଲା । ଆଉ ଫୋଟୋ ଯେତେବେଳେ ଦେଖିବାକୁ ବାହାର କଲା । ତା’ର ଆଶ୍ଚର୍ଯ୍ୟର ସୀମା ରହିଲାନି, ଯେତେବେଳେ ସେ ଦେଖିଲା ଫଟୋରେ କେହି ନାହିଁ । କେବଳ ଚୁଡ଼ି, ଗୋଲାପ ଫୁଲ ଆଉ କାର୍ଡ଼, ଯାହା ସେ ପଢ଼ିଥିଲା ସେତିକି ସେ ଚଟାଣ ଉପରେ ପଡ଼ିଛି । ନିଜ ଆଖିକୁ ବିଶ୍ୱାସ କରିପାରିଲାନି ସେ । ଏବେ ଭ୍ରମରେ କିଏ ଥିଲା । ତା’ ମୁଣ୍ଡ ଘୂରେଇ ଦେଲା । କ’ଣ ହେଇଗଲା ଆଜି ତା’ ସହ? ମଉସାଙ୍କ ପ୍ରେମଭରା କଥା ତା’ କାନରେ ଶୁଭୁଥିଲା । ଗୁଞ୍ଜିଉଠୁଥିଲା ସେହି ଶବ୍ଦ ଗୁଡ଼ିକ, “ତୁ ମୋ ଭାଲେଣ୍ଟାଇନ୍” ।
– ସୁଶ୍ରୀ ସଙ୍ଗୀତା ସେଠୀ
Comments
ସୁଶ୍ରୀ ସଙ୍ଗୀତା ସେଠୀ ଓଡ଼ିଆ ଭାଷାରେ ବିଭନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରିଥାନ୍ତି । ତାଙ୍କ ରଚିତ ପ୍ରସଙ୍ଗଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇଛି ।