ଚତୁର୍ଥ ଶ୍ରେଣୀରେ ଶିକ୍ଷକ ପିଲାମାନଙ୍କୁ ପଢ଼ାଉଥିଲେ । ମିଶାଣ କରିବାର ଧାରା ସବୁ ବୁଝେଇ ସାରିଲା ପରେ, ଗୋଟିଏ ପିଲାକୁ ପଚାରିଲା, “ଅର୍ଣ୍ଣବ, ଯଦି ମୁଁ ତୁମକୁ ୨ଟି ଓ ୨ଟି ଆମ୍ବ ଦେବି, ତେବେ ତୁମ ପାଖରେ କେତୋଟି ଆମ୍ବ ରହିବ?”
ଅର୍ଣ୍ଣବ କହିଲା, “ସାର୍ ୫ଟି ।” ଶିକ୍ଷକ ପୁଣିଥରେ କହିଲେ, ୨ଟି ଆମ୍ବ ଆଉ ୨ଟି ଆମ୍ବ ଦେଲେ କେତୋଟି ଆମ୍ବ ହେବ?” ଅର୍ଣ୍ଣବ ପୁଣିଥରେ କହିଲା, “ସାର୍ ୫ଟି ।”
ଶିକ୍ଷକ ପ୍ରଶ୍ନଟିକୁ ଏଥର ସାମାନ୍ୟ ପରିବର୍ତ୍ତନ କରିଲେ, ପୁଣି ପଚାରିଲେ, “ଅର୍ଣ୍ଣ ଯଦି ମୁଁ ତୁମକୁ ୨ଟି ଓ ପୁଣି ୨ଟି ସେଓ ଦେବି, ତେବେ ତୁମ ପାଖରେ କେତୋଟି ସେଓ ହେବ?” ଅର୍ଣ୍ଣ କହିଲା, “ସାର୍ ୪ଟି ।”
ଏବେ ଶିକ୍ଷକ ପୁଣିଥରେ ସେଇ ପୂର୍ବ ଆମ୍ବ ପ୍ରଶ୍ନଟି ପଚାରିଲେ । ଏଥର ବି ଅର୍ଣ୍ଣବ ସେଇ ୫ଟି ଉତ୍ତର ଦେଲା । ଶିକ୍ଷକ ରାଗିଗଲେ ଓ ବିରକ୍ତି ହୋଇ ପଚାରିଲେ, “୨ଟି, ୨ଟି ସେଉ ମିଶିଲେ ଚାରି ହେଲା, କିନ୍ତୁ ଆମ୍ବ କେମିତି ୫ ହେଉଛି ତୋର?”
ଅର୍ଣ୍ଣବ କହିଲା, “ସର୍ ଆପଣ ମତେ ୨ଟି, ୨ଟି ଚାରୋଟି ଆମ୍ବ ଦେଲେ, ମୋ ବ୍ୟାଗରେ ଆଗରୁ ଆଉ ଗୋଟିଏ ଆମ୍ବ ଅଛି, ତେଣୁ ପାଞ୍ଜୋଟି ଆମ୍ବ ରହିଲା । କିନ୍ତୁ ମୋ ପାଖରେ ଆଗରୁ ସେଓ ନ ଥିଲା, ତେଣୁ ଆପଣ ୨ଟି ଲେଖାଏଁ ସେଓ ଦୁଇଥର ଦେଲେ ମୋ ପାଖରେ ଚାରୋଟି ସେଓ ରହିଲା ।
ତେବେ କୁହନ୍ତୁ, “ଉପରୋକ୍ତ ଗଳ୍ପରେ କ’ଣ ଶିକ୍ଷକ ଭୁଲ୍ ଥିଲେ? ନା ଅର୍ଣ୍ଣବ ଭୁଲ ଥିଲା ।
କେହି ବି ଭୁଲ ନ ଥିଲେ । ଆମ ଜୀବନରେ ଏମିତି ବହୁତ ପରିସ୍ଥିତି ଆସେ, ଯେଉଁଟି ଏହିଭଳି ପ୍ରଶ୍ନବାଚୀ ସୃଷ୍ଟି ହୁଏ । ଆଖିକୁ ଯାହା ଦେଖାହୁଏ ସବୁବେଳେ ତାହା ସତ ହୋଇ ନ ଥାଏ । ୨+୨=୪, ଏହି ଧ୍ରୁବ ସତ୍ୟ ମଧ୍ୟ ଏକ ନିର୍ଦ୍ଧିଷ୍ଟ ପରିସ୍ଥିତିରେ ପରିବର୍ତ୍ତନ ହୋଇଗଲା । ତେଣୁ ଠିକ୍ ଜିନିଷଟି ସବୁବେଳେ ଠିକ୍- ଏହା ଯୁକ୍ତିଯୁକ୍ତ ନୁହେଁ ।
ଅନ୍ୟ ଏକ ଉଦାହରଣ ନେବା; ଆମେ ସମସ୍ତେ ଜାଣିଛନ୍ତି ଯେ, ଦୂରତା (Distance) ଓ ବେଗ (Speed) ପରସ୍ପର ପ୍ରତିଲୋମୀ । ଅର୍ଥାତ ଗୋଟିଏ ରାଶି ବଢ଼ିଲେ ଅନ୍ୟ ରାଶିଟି କମିବ, ଆମେ ଯେବେ ଅଧିକ ବେଗରେ ଯିବା, ଦୂରତା ସେତେ କମି କମି ଯିବ ।
ଏହା ହେଉଛି ଏକ ପ୍ରାଣାମିକ ବୈଜ୍ଞାନିକ ସର୍ତ୍ତ । କିନ୍ତୁ ଗୋଟିଏ ଖାଲଢ଼ିପ, ଆବଡ଼ା ଖାବଡ଼ା ରାସ୍ତା କଥା ବିଚାର କରନ୍ତୁ, ସେହି ରାସ୍ତା ଉପରେ ଆମେ ଯଦି ଅଧିକ ବେଗରେ ଯିବା, ତେବେ କ’ଣ ଆମେ ଆମକୁ ଅତିକ୍ରମ କରିବାକୁ ଥିବା ଦୂରତାକୁ ଶିଘ୍ର ପାର କରିପାରିବା? କେବେ ନୁହେଁ, ଆମେ ନିଶ୍ଚିତ ସେହି ରାସ୍ତାରେ ପଡ଼ିବା ଓ ଖଣ୍ଡିଆଖାବରା ହେବା ।
ପ୍ରତ୍ୟେକ ଜିନିଷର ଦୁଇଟି ସଠିକତା ଥାଏ;
Technical Rightness:
ଯେଉଁଟା ଆଖିକୁ ଦେଖାଯାଏ ବା ଯେଉଁ ଜିନିଷଟି ଆଗରୁ ଠିକ୍ ବୋଲି ଜଣାଥାଏ ।
Practical Rightness:
ବାସ୍ତବ ପରିସ୍ଥିତିରେ ଯେଉଁଟା ସତ୍ୟ ବୋଲି ପ୍ରମାଣିତ ହୁଏ ।
ତେଣୁ, ଜୀବନରେ ଯେକୌଣସି ପରିସ୍ଥିତି ଆସୁ ନା କାହିଁକି, ସବୁ ଦୃଷ୍ଟିରୁ ବୁଝିବିଚାରି ନିଷ୍ପତ୍ତି ନେବା ଆବଶ୍ୟକ । ଆମ ବିପରୀତ ପାର୍ଶ୍ୱରେ ଥିବା ବ୍ୟକ୍ତି ଠିକ୍ କିମ୍ବା ଭୁଲ ବାଛିବା ଆଗରୁ ଆମକୁ ବୁଝିବାକୁ ହେବ ଯେ ଯେଉଁ ଜିନିଷଟି ମୋ ପାଇଁ ଭୁଲ୍, ଅନ୍ୟଜଣଙ୍କ ପାଇଁ ତାହା ଠିକ୍ ମଧ୍ୟ ହୋଇପାରେ ।
– ଭାଗ୍ୟଶ୍ରୀ ସାହୁ
Comments
ଭାଗ୍ୟଶ୍ରୀ ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।