ଝଣ୍ ଝଣ୍
ଝଣ୍ ଝଣ୍

ଝଣ୍ ଝଣ୍

ସବୁଦିନ ସକାଳୁ ସକାଳୁ ଏଇ ଶବ୍ଦଟା ମୂରଲୀର ନିଦ ଭାଙ୍ଗେ । ଖବରକାଗଜବାଲାଟା ପୁରା ଲକ୍ଷ୍ୟକରି ଏମିତି ରକେଟ୍ ବେଗରେ ଖବରକାଗଜଟା ଛାଡ଼େ ଯେ, ଦୁଆର ସାମ୍ନା ବାସ୍ତୁଟା ଝଣ୍ ଝଣ୍ ସ୍ୱରରେ ଚିତ୍କାର କରେ । ବାସ୍ତବରେ ଚିତ୍କାର ନୁହଁ ତ, କାହାର ଉପସ୍ଥିତି ଯେମିତି ଜାହିର କରେ । ସେଇଥିପାଇଁ ତ’ ସେଇ ବାସ୍ତୁଟା ସେଇଠି ଅଛି । ମୃଦୁ ମଳୟ ତା’ ଦେଇ ଚାଲିଗଲେ, ସେ ଝଣ୍ ଝଣ୍ ଶବ୍ଦଟା ମୂରଲୀ କାନରେ ଯେମିତି କହିଦିଏ, “ଏଇଠି ତ ଅଛି, ତମ ପାଖରେ, ବହୁତ ପାଖରେ । ସବୁ ଦେଖୁଛି, ସବୁ ଶୁଣୁଛି । ହଁ ତମେ କାନ୍ଦିଲେ କଷ୍ଟ ହଉଛି, ଖାଲି ଯାହା କହିପାରୁନି” । ଲୁହଟା ଆସି ଆଖିରେ ଜମାଟ ବାନ୍ଧେ । ସେଇଠି ବନ୍ଧ ବାନ୍ଧେ । ଧାର ହେଇ ଫିଟିଗଲେ, ପୂରବୀକୁ କଷ୍ଟ ହବ ଯେ ।

ଘର କହିଲେ, ଏଇ ଗୋସିବାପା ଅମଳର ଦଦରା ଖଞ୍ଜା, ହାତ ଭଙ୍ଗା କାଠ ଚୌକି ଦି’ଟା, ଟୁକୁରା ଟୁକୁରି ଜିନିଷ କେଇଟା । ସବୁ ନିର୍ଜୀବ । ତା’ରି ଭିତରେ ଥାକରେ ଝଟକୁଛି, ବହି କେତେଖଣ୍ଡି ଆଉ ସେ ସବୁଜ କଲମ । ଏମିତି ଦିନେ ଏଇ ଘରେ ଝଟକୁଥିଲା ପୂରବୀର ମୁହଁ । ଘରର ଘରଣୀ, ଆଉ ମୂରଲୀର ସ୍ୱନ । ସରସ୍ୱତୀଙ୍କ ବରପୁତ୍ର ଏଇ ଲକ୍ଷ୍ମୀଛଡ଼ା ମୂରଲୀ । ଭଲପାଇ ପୂରବୀକୁ ସିନା ଘରକୁ ନେଇ ଆସିଲା, ହେଲେ ସେଥିରେ କି ପେଟ ପୂରେ? ବଦଳୁଥିବା ଏଇ ଜୀବନରେ ଟଙ୍କା ଦେଇ କଲମ କିଣାହୁଏ, କଲମ ଦେଇ ଟଙ୍କା ଆସେନି ।

ସାହିତ୍ୟର ଉପମା, ଅଳଙ୍କାର ସବୁ କାଗଜରେ ଶୋଭାପାଏ । ଜୀବନର ବାସ୍ତବତା ତ’ ପଥର ଉପରେ ଖୋଦାହୁଏ । ତାକୁ ସହିବାକୁ ଏ ଗରିବ ଲେଖକର ବଳ ବା କାହିଁ ! କଳା କାହ୍ନୁ କୁଆଡ଼େ ସୁଦାମା ଖୁଦ ଭଜା ଖାଇ ଆତ୍ମତୃପ୍ତି ପାଉଥିଲେ, ହେଲେ ତାକୁ ଖାଇ କେବେ ପେଟ ପୂରିନି, ନା ମୂରଲୀର, ନା ପୂରବୀର । ଯୋଉଠି ଖାଇବାକୁ ଦାନା ନାହିଁ, ସେଇଠି ପିନ୍ଧା କନାକୁ ବା କିଏ ପଚାରେ? ଲେଖକକୁ ଭଲ ଶ୍ରୋତାଟିଏ ମିଳିଯାଇଥିଲା ।

ଆ ଲୋ ବଉଳ ଖାଇବ ଆସ
ସରାଗେ ରାନ୍ଧିଛି ଭାତ ମାଉଁସ
ମଉନମୁହିଁ ମୋ ରାଜକୁମାରୀ
ଆଣିବି ତୋ ପାଇଁ ସୁନାର ଶାଢ଼ୀ

ଗରିବ ରଜା କଳ୍ପନାର ରାଜମହଲରେ ତା’ ରାଣୀକୁ ରଖେ । ମନଜିଣା ରାଣୀ ହସି ଦେଇ ସବୁ ଦୁଃଖ ଭୁଲାଇଦିଏ । ହେଲେ ଶରୀର ନାମକ ଯନ୍ତ୍ରଟା ଆଉ କେତେ ଦିନ ବା ସହିଥାଆନ୍ତା ! ଅବହେଳାରେ ଦିନେ ତା’ର ବି ଧୈର୍ଯ୍ୟ ତୁଟିଲା । କଳ୍ପିତ ରାଜମହଲର ବାସ୍ତବ ରାଣୀ ଦିନେ ଶେଯରେ ପଡ଼ିଲା ଯେ, ଉଠିବାକୁ ଆଉ ବଳ ପାଇଲା ନାହିଁ । ନା ଟଙ୍କା ଅଛି, ନା ବନ୍ଧା ପକେଇବାକୁ ସମ୍ପତ୍ତି । ଏ ଭଙ୍ଗା ଘରଟାକୁ ବି କେହି ବନ୍ଧା ନେବାକୁ ମନକଲେନି । ଔଷଧ ଟିକକ ବି ଭାଗ୍ୟରେ ଜୁଟିଲାନି । ବେଳ ଜାଣି କାଳ ହେବା ଦିନ ସବୁଜ କଲମଟିଏ ଧରାଇ ଦେଇଥିଲା ପୂରବୀ । ଛଳ ଛଳ ଆଖି ତା’ର ଅସରନ୍ତି ଗପ ସବୁ ଗପିଯାଉଥିଲା । ହାତରେ ଲେଖନୀ ରହିଗଲା ସିନା, ହୃଦୟର ପ୍ରାଣପକ୍ଷୀ ନୀଡ଼ ଛାଡ଼ି ଚାଲିଗଲା । ପଛରେ ରହିଗଲା କଳ୍ପନାବିଳାସୀ ମନଟିଏ, ଶବ୍ଦକୁ ସଜାଉଥିବା ଆତ୍ମାଟିଏ, ପ୍ରେମ ଜର୍ଜର୍ରିତ ପ୍ରେମିକଟିଏ ।

ଅତୀତକୁ ସାଉଁଟୁ ସାଉଁଟୁ ବାହାରକୁ ବାହାରି ପଡ଼ିଲା ମୂରଲୀ । ପେଟ ଚାଖଣ୍ଡକ ପାଇଁ ଦାନା ତ ଲୋଡ଼ା । ସେଇ ରାସ୍ତା, ସେଇ ଗଛ, ସେଇ ପୋଖରୀ, ସବୁ ସ୍ମୃତି ଯେମିତି ସେଇଠି ବାନ୍ଧି ହେଇରହିଛି । ରାଜୁଆ ଦୋକାନ ପାଖେ ପାନ ଖିଲ ଜାକି ଜଣେ ଆରଜଣଙ୍କୁ ପଚାରି ବସିଲା, “ଏ ମନୁଆ ଆଉ ଲେଖା ଲେଖି କରୁନି କି?” ସେପଟୁ ଉତ୍ତର ଆସିଲା, “ଲେଖାରେ କ’ଣ କେବେ ଲେଖକର ପେଟ ପୂରେ?” ଏଥର ଲୁହଟା କିନ୍ତୁ ଧାର ହେଇ ବୋହିଗଲା, ଆଉ ଉତ୍ତର ଦିଗରୁ ସାଇଁ ସାଇଁ ପବନ ମାଡ଼ି ଆସିଲା ।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଆଭା ପ୍ରଧାନ

ଆଭା ପ୍ରଧାନ ତାଙ୍କ ଛୋଟବେଳୁ ସାହିତ୍ୟ ପ୍ରତି ଅଧିକ ଆକର୍ଷିତ ଥିଲେ । ବିଭିନ୍ନ ପ୍ରକାରର ରଚନା ରହିଛି ତାଙ୍କର । ପାଠକମାନେ ସବୁବେଳେ ତାଙ୍କର ଲେଖାରେ ଥିବା ନିଜର ପଣିଆକୁ ସବୁବେଳେ ପସନ୍ଦ କରିଆସିଛନ୍ତି ।

Leave a Reply

Close Menu