ଆଈ ସମସ୍ତଙ୍କୁ ଖୁବ ସ୍ନେହ କରେ । କିନ୍ତୁ ସେ ସ୍ନେହରେ ସବୁଠୁ ଅଧିକ ଭାଗ ଅମ୍ଭାର ଘର କୋଣକୁ ଠାକୁର ମଣ୍ଡପରେ ଜଳ ଜଳ କରି ଚାହିଁ ବସିଥିବା କାଳିଆ ଠାକୁରର । ଏମିତି କହୁଥିବ ଯେମିତି କାଳିଆ ଠାକୁର ନୁହଁ ଆମରିମାନଙ୍କ ପରି ତା’ର ଆଉଗୋଟେ ନାତୀ ସେ !
– ଆଈ ! ଦିନ ୧୧ଟା ହେଲାଣି ଖାଇବୁନିକି?
– ହଁ ହଁ… ଏଇତ ତୁଠରୁ ଫେରିଲି, ମାଇଁକୁ କହ ବଢ଼ାବଢ଼ି କରୁ । ତୁମେମାନେ ସବୁ କଂସା ନେଇକି ଖଳାକୁ ଚାଲ ।
– ଆଲୋ ଓଦା ଲୁଗାରେ କୁଆଡ଼େ ଯାଉଛୁ??
– ରହ ରହ ରହ ଟିକେ କାଳିଆକୁ ଦେଖି ଆସେ ।
କାଳିଆକୁ ଦେଖିବା ଆଉ ସୁଖଦୁଃଖ ଗପରେ ଅଧଘଣ୍ଟାଏ ବିତିଯାଏ ତା’ର । ଅଜା ଚାଲି ଗଲାପରେ ତା’ର ଭାବ, ସୁଖ, ଦୁଃଖ ବାଣ୍ଟିବାକୁ ସେ ନିଜ ପୁଅ ଝିଅଙ୍କୁ ପଛ କରି କାଳିଆକୁ ବାଛିଥିଲା ।
ଏମିତି ଅନେକ କଥା… ଆଈ ଗଲାପରେ ତା’ର ଦଶାହ ତିଥିରେ ଆମେ ସବୁ ଭାଈ ଭଉଣୀ ମିଶି ଏମିତି କେତେ କଥାହେଉଥିଲୁ । ମନେ ପଡ଼ିଲା ଶେଷଥର ପାଇଁ ଯେବେ ପୁରୀ ଯାଇଥିଲା ଆଈ ଗତ ବର୍ଷ । ଦର୍ଶନ ପରେ ପରେ ମନ୍ଦିର ବାହାରକୁ ଆସି ଦେଖୁ ତ ଆଈ ନାହିଁ !
ଠାକୁଆଈ ହଜିଗଲେ !!! ବ୍ୟସ୍ତ ହେଇପଡ଼ିଲା ଭାଇଙ୍କ କୁନି ଝିଅ । ଅଲଗା ଅଲଗା ହେଇ ଚାରିଜଣ ଖୋଜିବାକୁ ଗଲେ । ଆମେ ମୁକ୍ତି ମଣ୍ଡପ ପାଖେ ଅପେକ୍ଷା କଲୁ । କିଛି ସମୟ ପରେ ଆଈ ମିଳିଗଲା । ମନ୍ଦିର ଭିତରେ ହିଁ ରହିଯାଇଥିଲା ।
– ଠାକୁଆଈ ତୁମେ କ’ଣ ବାଟ ପାଇଲନି?
ଆଈ ହସିଦେଇ କହିଲା, “କାଳିଆକୁ ଦେଖିଦେଲେ ସବୁ ଭୁଲିହେଇଯାଏ ପରା !!”
ମା ପଚାରିଲେ, “ଆମ ସାଙ୍ଗରେ ତ ଆସୁଥିଲୁ ପୁଣି ରହିଗଲୁ କୋଉଠି? ଡାକିଲୁନି ଆମକୁ କାହାକୁ??”
ଏତିକି କଥାରେ ଆଈ କାନ୍ଦ କାନ୍ଦ ହେଇଗଲେ । କହିଲେ, “ମୁଁ ତ ପଳେଇ ଆସୁଥିଲି ହେଲେ ଲାଗିଲା କାଳିଆ ମତେ ଆଉଥରେ ଡାକୁଛି । ଭିଡ଼ରେ ପୁଣି ଠେଲି ହେଇଗଲି ତା’ ଦୁଆର ଆଡ଼କୁ । କେଜାଣି ଆଉ ଆସିପାରିବି କି ନାହିଁ ! ସେଇଲାଗି ଆଉଥରେ ମତେ ଡାକିଲା ବୋଧେ ମୋ କାଳିଆ ସୁନା । ଏଥର ଟିକେ କମ ଭିଡ଼ରେ ମନ ପୁରେଇ ଦେଖି ଆସିଛି ।
“କାହିଁକି ଆସିପାରିବନି ତୁମେ ଆଉ?”, କୁନି ଝିଅ ପଚାରିଲା ।
– ମୁଁ କ’ଣ ଆଉ ସବୁଦିନ ବଞ୍ଚିକି ଥିବିକି? ଅଣନାତୁଣୀ ଦେଖିଲିଣି ପରା !!
ଦୁଇ ହାତକୁ ମେଲେଇ ଝିଅ କହିଲା, “ତୁମେ ଆହୁରି ବହୁତ ବର୍ଷ ବଞ୍ଚିବ । ମୁଁ ତୁମ ଭଳି ହେଲାଯାଏ ବୁଢ଼ୀଟିଏ ହେଇଥା ।”
ସମସ୍ତେ ଏଥର ଫିକ କରି ହସିଦେଲେ ।
– ବୁଢ଼ୀ ତ ହେଲିଣି ଆଉ କେତେ ହେବି?
ଆଈ ଗୁଣୁଗୁଣେଇଲେ, “କେହି ରହି ନାହିଁ ରହିବେ ନାହିଁ…”
ଝିଅ କୌତୁହଳି ହେଇ ପଚାରୁଥିଲା… “ମାନେ??”
– ଜ୍ୟୋତ୍ସ୍ନା ଜେନା
Comments
ଜ୍ୟୋତ୍ସ୍ନା ଜେନା ଓଡ଼ିଆ ଭାଷାରେରେ ବିଭିନ୍ନ ପ୍ରକାରର ଗପ, କବିତା ଓ ଭ୍ରମଣ କାହାଣୀ ଆଦି ରଚନା କରିଥାନ୍ତି । ସୋସିଆଲ୍ ମିଡ଼ିଆରେ ତାଙ୍କ ଲେଖାଗୁଡ଼ିକ ଆଦୃତିଲାଭ କରିଛି ।