You are currently viewing ତାବିଜ
Odia Horry Story Tabij (ତାବିଜ) by Deepak Sarangi

ତାବିଜ

ମୋ ନାଁ ଆଦିତ୍ୟ ସାମଲ । ମୁଁ ଆଜି ମୋ ଜୀବନର ଏମିତି ଗୋଟେ କଥା ଶୁଣେଇବି ଯାହାକୁ ଶୁଣିଲା ପରେ ଯେ କେହି ବି ଆତ୍ମା ଓ ଈଶ୍ଵରଙ୍କ ଅସ୍ତିତ୍ଵ ଉପରେ ବିଶ୍ଵାସ କରିବାକୁ ବାଧ୍ୟ ହେବ ।

୨ ବର୍ଷ ହେଲା ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରୁ ଏମ.ଏ ପାସ କରି ଚାକିରି ଖଣ୍ଡେ ପାଇଁ ବୁଲି ବୁଲି ନୟାନ୍ତ ହେଲାପରେ ମଧ୍ୟ କେଉଁଠି କିଛି ମୋ ପାଇଁ ଗୋଟେ ଚାକିରିର ବ୍ୟବସ୍ଥା ହୋଇପାରୁନଥିଲା । ବଡ଼ କଷ୍ଟରେ ଧରାଧରି କରି ଗୋଟେ କମ୍ପାନୀରେ କିରାଣି ଚାକିରୀ ଖଣ୍ଡେ ପାଇଲି । ଦରମା ମାତ୍ର ୬୦୦୦ ଟଙ୍କା । ଘରଠାରୁ କମ୍ପାନିର ଦୂରତା ପ୍ରାୟ ୨୦ କିଲୋମିଟର । ସବୁ ଦିନ ମୋଟର ସାଇକେଲ ନେଇ ଯିବାଆସିବା କରିବା, ଏଇ ସ୍ଵଳ୍ପ ଦରମାରେ ମୋ ପକ୍ଷେ ସମ୍ଭବପର ନ ଥିଲା । ତେଣୁ ବସରେ ଯିବା ଆସିବା କରି ଦେଉଥିଲି । କମ୍ପାନୀ ଚାକିରୀରେ ଛୁଟି କମ ଆଉ କାମ ବହୁତ ବେଶି ସେଥିପାଇଁ ପ୍ରାୟ ସବୁ ରବିବାର ମଧ୍ୟ ମତେ କମ୍ପାନୀ ଆସିବାକୁ ପଡ଼ୁଥିଲା । ରାତି ବେଶି ହୋଇଗଲେ ମୋର ଜଣେ ସହକର୍ମୀଙ୍କ ଘରେ ରହି ଯାଉଥିଲି । ଦିନରେ ଅଫିସରେ କାମ କରୁଥିଲି ଆଉ ସନ୍ଧ୍ୟା ବେଳେ ସମୟ ମିଳିଲେ ସେଇ ପାଖପାଖି ଅଞ୍ଚଳରେ ଗୋଟେ ଅଳ୍ପ ପଇସା ଭଡ଼ା ଥିବା ଘରର ସନ୍ଧାନରେ ଥିଲି । ଏମିତି ଘର ଖୋଜୁ ଖୋଜୁ ସେ ଅଞ୍ଚଳର ଶେଷ ମୁଣ୍ଡରେ ଥିବା ଗୋଟେ ଦୁଇ ବଖରିଆ ଘରର ସନ୍ଧାନ ପାଇଲି । ଘରଟି ବହୁତ ଦିନ ହେଲା ଖାଲି ପଡ଼ି ରହିଥିଲା । ଘରର ମାଲିକ ମୁମ୍ୱାଇରେ ରୁହନ୍ତି, ଦେଖାଶୁଣା ପାଇଁ ପଡ଼ିଶା ଘରର ଜଣେ ଭଦ୍ର ବ୍ୟକ୍ତିଙ୍କୁ ଦାଇତ୍ଵ ଦିଆଯାଇଥିଲା । ଘରଟି ଅବଶ୍ୟ ଭଲ ଥିଲା । କିନ୍ତୁ ଘରର କାନ୍ଥ ଗୁଡ଼ିକ ବହୁତ ପୁରୁଣା ଜଣା ପଡ଼ୁଥିଲା । ଛାତରୁ ଠାଏ ଠାଏ ପଲସ୍ତରା ଛାଡ଼ି ଯାଇଥିଲା । କିନ୍ତୁ ମୋ ଭଳି ଏକୁଟିଆ ଲୋକ ପାଇଁ ବହୁତ ଭଲ ଥିଲା । ଘର ଭଡ଼ା ବି ମାତ୍ର ୮୦୦ ଟଙ୍କା । ଏତେ କମ ପଇସାରେ ଘର ଦୁଇବଖରା ମିଳିବା ଯଦିଓ ମୋତେ ଟିକେ ଆଶ୍ଚର୍ଯ୍ୟ ବୋଧ କରେଇ ଥିଲା କିନ୍ତୁ ବେଶି କିଛି ନ ଭାବି ଘରେ ରହିବା ପାଇଁ ମନସ୍ଥ କରିନେଲି । ଆଖ ପାଖ ସାଇପଡ଼ିଶାମାନଙ୍କ ଠାରୁ ଶୁଣିବାକୁ ପାଇଲି ଯେ ସେଇ ଘରେ କୁଆଡ଼େ ଗୋଟେ ଅତୃପ୍ତ ଆତ୍ମା ଅଛି ଯେଉଁଥିପାଇଁ ସେ ଘରେ କେହି ରହିବାକୁ ରାଜି ହେଉନାହାଁନ୍ତି । ସେଥିପାଇଁ ଘର ମାଲିକ ଭଡ଼ା କମ କରେଇଛନ୍ତି । ମୋର କିନ୍ତୁ ସେ ଭୂତ ପ୍ରେତ ଆଦି ପ୍ରତି କୌଣସି ଭୟ ବା ସଂଶୟ ମନରେ ନଥିଲା । ମୋ ମତରେ ଏଗୁଡ଼ା ସବୁ ମନ ଭିତରେ ରହିଥିବା ଗୋଟେ ଭ୍ରମ ମାତ୍ର । ମୁଁ ଠିକ୍ କରିନେଲି ସେ ଘରେ ରହିବା ପାଇଁ । ଯେହେତୁ ଘରଟି କଲୋନୀ ଅଞ୍ଚଳଠାରୁ ଟିକେ ଦୂରରେ ଥିଲା, ମୁଁ ଭାବିଲି ଯେ ମୋ ସହ ଆଉ ଜଣେ କିଏ ରହୁ ବୋଲି । ଯୋଗକୁ ଆମ କମ୍ପାନୀର ରମେଶ ମୋତେ ମିଳିଗଲା । ରମେଶ ଯୁକ୍ତ ଦୁଇ ପାସ କରି ସେଇ କମ୍ପାନୀରେ ଏକ ବର୍ଷ ହେଲାଣି ଅଛି । ତା’ର ବି ମୋରି ଭଳି ଆହୁରି କମ ଦରମା ଏବଂ ଘର କମ୍ପାନୀ ଠାରୁ ୩୦ କିଲୋମିଟର ଦୂର । ସେ ବି ଚାହୁଁ ଥିଲା ଯେ ପାଖାପାଖି ଗୋଟେ କେଉଁଠି ରହିବା ପାଇଁ ଆଉ ଯୋଗକୁ ମୁଁ ମିଳିଗଲି । ରନ୍ଧାବଢ଼ା କରିବା ପାଇଁ ଜଣେ ମାଉସୀ ସହ ବି କଥାବାର୍ତ୍ତା ହୋଇଗଲୁ । କିନ୍ତୁ ମାଉସୀଙ୍କର କହିବାର ଥିଲା ଯେ ମୁଁ ଏ ଘରକୁ ରାତିରେ ଆସିବି ନାହିଁ ଯାହା ରାନ୍ଧିବାର ଅଛି ମୋତେ ଦିନରୁ ଦିନରୁ କହି ଦେଇଗଲେ ମୁଁ ରାନ୍ଧି କି ଘୋଡ଼େଇ ଦେଇ ଯିବି ତୁମେ ମାନେ ଆସିଲେ ଖାଇବ । ତା’ର ସେଇ କଥାରେ ମୁଁ ଆଉ ରମେଶ ଦୁଇ ଜଣ “ନାହିଁ ମାମୁ ଠାରୁ କଣା ମାମୁଁ ଭଲ” ନ୍ୟାୟରେ ରାଜି ହୋଇ ଗଲୁ ।

ମାସର ୧ ତାରିଖ ଦିନ ମୁଁ ଆଉ ରମେଶ ଆମର ଜିନିଷପତ୍ର ଧରି ନୂଆ ଘରେ ହାଜର ହେଇଗଲୁ । ଘରଟି ଖୁବ ପୁରୁଣା ଜଣା ପଡ଼ୁଥାଏ । ଘର ଚାରି ପଟେ ଭାଙ୍ଗି ଯାଇଥିବା ପାଚେରି । ଅଗଣା ଭିତରେ ବିଭୀର୍ଣ୍ଣ ପ୍ରକାରର ଆମ୍ୱ, ନଡ଼ିଆ, ପଣସ ଆଦି ଗଛର ସଂଭାର । ଘରର ପଛ ପଟେ ଗୋଟେ ପୋଖରୀ । ପୋଖରୀ ଭିତରେ ଦଳ ଭର୍ତ୍ତି, ଲାଗୁଥାଏ ଯେମିତି କେଉଁ କାଳୁ ସେ ସଫା ହୋଇନି । ଘରର କିଛି ଦୂରରେ ସେଇ ଅଗଣା ଭିତରେ ଗୋଟେ ନଳକୂପ ଓ ତା’ଠାରୁ ଚାରି ହାତ ଛାଡ଼ି ପାଇଖାନା । ଆମକୁ ସେଇ ନଳକୂପ ପାଣିରେ ହିଁ ରୋଷେଇ ଓ ପିଇବା ପାଇଁ ବ୍ୟବହାର କରିବାକୁ ପଡ଼ିବ । ଘର ଭିତରେ ଦୁଇଟି ବଖରା, ରୋଷେଇ ଘର ଓ ଗୋଟେ ବୈଠକଖାନା । ଆମେ ଦୁଇ ଜଣ ବହୁତ ଭଲ ଭାବରେ ସେ ଘରେ ନିଜକୁ ନିଜେ ଖୁବ୍ ଶୀଘ୍ର ଖାପ ଖୁଆଇନେଲୁ । ସବୁଦିନ ଆମେ ଦୁଇ ଜଣ ଗୋଟିଏ ଘରେ ତଳେ ମସିଣା ପାରି କଥାବାର୍ତ୍ତା ହୋଇ ରାତିରେ ଶୋଇ ପଡ଼ୁ । ଦିନ ଗୁଡ଼ିକ ଖୁବ ଭଲ ଭାବରେ କାଟି ଚାଲିଥାଏ ।

ଏଇ ଭିତରେ ଅକ୍ଟୋବର ମାସ ଆସିଗଲା । ଦୂର୍ଗାପୂଜା ପାଇଁ କମ୍ପାନୀ ଚାରି ଦିନ ଛୁଟି । ଛୁଟିରେ ମୁଁ ଏବଂ ରମେଶ ଦୁଇ ଜଣ ଯାକ ଘରକୁ ଚାଲି ଆସିଲୁ । ମୁଁ ଘରେ ଚାରି ଦିନ ଛୁଟି କାଟି ରବିବାର ବାହାରିଲି କମ୍ପାନୀ ଅଭିମୁଖେ ଭାବିଲି ସାଙ୍ଗରେ ମୋଟର ସାଇକେଲଟା ନେଇଗଲେ ସମୟ ଅସମୟେ କାମରେ ଆସିବ । ମୋଟର ସାଇକେଲ ଧରି ଆସିବା ବେଳେ ବାଟରେ ତାରକେଶ୍ଵର ମହାଦେବଙ୍କ ମନ୍ଦିର ପଡ଼େ । ସେହି ଶିବ ମନ୍ଦିରରେ ଜଣେ ସାଧୁ କୈଳାସ ମିଶ୍ର ରୁହନ୍ତି । ତାଙ୍କୁ ମୁଁ ପିଲା ଦିନରୁ ଚିହ୍ନିଛି । ବାବା ଜଣେ ସିଦ୍ଧ ପୁରୁଷ ବୋଲି ଆମ ଗାଁ’ରେ ତାଙ୍କର ବଡ଼ ଖ୍ୟାତି । ଆମେ ପିଲାଦିନେ ମନ୍ଦିର ବେଢ଼ାରେ ଲୁଚକାଳି ଖେଳୁ । ପୂଜା ସରିଲେ ବାବା ଆମକୁ ଠାକୁରଙ୍କ ପାଖେ ଭୋଗ ଲାଗିଥିବା ନଡ଼ିଆ, କଦଳୀ, ଆମ୍ୱ ଇତ୍ୟାଦି ଖାଇବାକୁ ଦିଅନ୍ତି । ଦେଖିଲି ବାବା ବାହାରେ ଛିଡ଼ା ହେଇଛନ୍ତି । ଗାଡ଼ିକୁ ରାସ୍ତାର କଡ଼କୁ ରଖି ବାବଙ୍କୁ ପ୍ରଣାମ କଲି । ବାବା ମୋତେ ପଚାରିଲେ, “କୁଆଡ଼େ ଯାଉଛୁ?” ମୁଁ କହିଲି, “ମୋର ଏଇ ଆଗ ସହର ପାଖରେ ଗୋଟେ କମ୍ପାନୀରେ ଚାକିରି ହୋଇ ଯାଇଛି । ଛୁଟିରେ ଘରକୁ ଆସିଥିଲି । କାଲି ସୋମବାର, ମୋତେ ସକାଳୁ ଯାଇଁ ଅଫିସରେ ହାଜିର ହେବାକୁ ପଡ଼ିବ ସେଥିପାଇଁ ଚାଲି ଯାଉଛି ଆଜି ।” ବାବା କିଛି ସମୟ ନୀରବ ରହି ମୋ ଆଡ଼କୁ ଚାହିଁ କହିଲେ, “ଆଦି ! ତୁ ଯଦି ଆଜି ନଯାଇ କାଲି ସକାଳୁ ଯାଅନ୍ତୁ କ’ଣ ହୁଆନ୍ତା ନାହିଁ ।” ମୁଁ ଧୀରେ କହିଲି, “ନା ବାବା ନୂଆ ନୂଆ ଚାକିରି କରିଛି କାଲି ଅଫିସରେ ଗୋଟେ ମିଟିଙ୍ଗ୍ ଅଛି । ମୁଁ ଯଦି ଆଜିଠାରୁ କାଗଜପତ୍ର ପ୍ରସ୍ତୁତ ନ କରି ରଖିବି ତେବେ ମୁଁ ହିଁ କାଲି ହଇରାଣ ହେବି ।” ଆଉ ବେଶି କିଛି ନ କହି ବାବାଙ୍କୁ ପ୍ରଣାମ କରି ମୁଁ ବାହାରି ଆସିଲି ।

ଘରେ ପହଞ୍ଚୁ ପହଞ୍ଚୁ ଦିନ ଦୁଇଟା ବାଜି ଯାଇଥାଏ । ବାଟରେ ଗଲାବେଳକୁ ହୋଟେଲରୁ ଖାଇବା କିଣିକରି ନେଇ ଯାଇଥାଏ । ଗାଧୁଆ ପାଧୁଆ ସାରି ଖାଇକି କିଛି ସମୟ ଶୋଇ ପଡ଼ିଲି । ୫ଟା ବେଳକୁ ଉଠି ମୁହଁ ହାତ ଧୋଇ ଗୋଟେ ପତ୍ରିକା ଧରି ଚେୟାର ପକେଇ ଘର ଆଗରେ ବସି ପଢ଼ିବାକୁ ଆରମ୍ଭ କଲାବେଳକୁ ଦେଖିଲି ଆମ ଗାଁ’ର ସନିଆ ଦଉଡ଼ି ଦଉଡ଼ି ଆସି ମୋ ଘର ଆଗରେ ହାଜର । ତା’କୁ ଦେଖି ମୁଁ ଟିକେ ଶଙ୍କା ପାଇଗଲି, ଭାବିଲି ଘରେ କ’ଣ କାହାର କିଛି ହୋଇଗଲା ନା କ’ଣ? ମୁଁ ତାକୁ କିଛି କହିବାକୁ ଉଦ୍ୟତ ହୁଅନ୍ତେ ସେ କହିଲା, “ସାନବାବୁ ମା’ ମୋ ହାତରେ ଏଇ ଚିଠି ଆଉ ଗୋଟେ ପୁଡ଼ିଆ ପଠେଇଛନ୍ତି ତୁମକୁ ଦେବାକୁ ।” ମୁଁ ସନିଆ ଠାରୁ ଚିଠି ଆଉ ପୁଡ଼ିଆଟି ରଖି ତା’ ହାତରେ କୋଡ଼ିଏ ଟଙ୍କା ଦେଇ ତାକୁ ଗାଁ’କୁ ବିଦା କରିଦେଲି । ମୋ ମାଆ ପଠେଇ ଥିବା ଚିଠିକୁ ଖୋଲି ପଢ଼ିଲି । ସେଥିରେ ମା’ ଲେଖିଥିଲା, “ଆଦି! ଆଜି ତୁ ଗଲା ପରେ କୈଳାସ ବାବା ଆମ ଘରକୁ ଆସିଥିଲେ । ସେ ମୋତେ ଗୋଟେ ତାବିଜ ଦେଇ କହିଲେ ଯେ ଏଇ ତାବିଜଟିକୁ ଆଦି ପାଖରେ ଆଜି ହିଁ ପହଞ୍ଚିଯିବା ଦରକାର । ତା’କୁ କହିବୁ ସେ ଆଜି ହିଁ ତାବିଜକୁ ତା’ର ଡାହାଣ ହାତ ବାହୁରେ ୨୧ ଥର ମହା ମୃତ୍ୟୁଞ୍ଜୟ ମନ୍ତ୍ର ଜପ କରି ବାନ୍ଧି ଦେବ । ଆଉ କୌଣସି କଥାରେ ହଠାତ୍ ଡରିଯିବ ନାହିଁ । ଯଦି ଅଧିକ କିଛି କଷ୍ଟ ବା ଭୟ ଲାଗେ ତେବେ ନିରନ୍ତର ଭାବେ ମହା ମୃତ୍ୟୁଞ୍ଜୟ ମନ୍ତ୍ର ଜପ କରିବା ପାଇଁ ତାକୁ କହିବୁ । ତୋ’ ପାଇଁ ମୁଁ ସନିଆ ହାତରେ ତାବିଜଟି ପଠେଇଲି ତୁ ଯେମିତି ହେଲେ ୟାକୁ ଆଜି ହିଁ ହାତରେ ବାନ୍ଧିଦେବୁ ।” ପୁଡ଼ିଆ ଖୋଲି ତାବିଜ ବାହାର କଲା ବେଳକୁ ଦେଖିଲି ରମେଶ ବ୍ୟାଗ ଧରି ଆସୁଛି । ତା’କୁ କହିଲି ମୋ ହାତରେ ମା’ ଦେଇଥିବା ତାବିଜକୁ ବାନ୍ଧି ଦେବାକୁ । ମାଉସୀ ଯେହେତୁ ଆସି ନଥିଲା ମୁଁ ରମେଶକୁ କହିଲି ପାଖ ହୋଟେଲରୁ କିଛି ଖାଇବା ନେଇ ଆସିବ ରାତି ପାଇଁ । ମୁଁ ଆଉ ରମେଶ ଖାଇ ଦେଇ ଶୋଇବାକୁ ଗଲୁ । କଥାବାର୍ତ୍ତା ହଉହଉ ଆମକୁ ନିଦ ଚାଲି ଆସିଛି ।

ଆମ ମୁଣ୍ଡ ଉପରେ ଝରକାଟା ଖୋଲା ଅଛି । ଆକାଶରେ କଳା ବାଦଲ ଢାଙ୍କି ହେଇଯାଇଛି । ମଝିରେ ମଝିରେ ଝିପଝିପ ବର୍ଷା ବି ହେଉଛି । ବେଳେବେଳେ ଜୋରରେ ପବନ ବହିବାରୁ ଆକାଶରୁ ମେଘ ଗୁଡ଼ିକ ଘୁଞ୍ଚି ଯାଉଛି ଏବଂ ଏକାଦଶୀର ହାଲକା ଜୋତ୍ସ୍ନା କିରଣ ଆମ ଘର ଭିତରେ ଆସି ପଡ଼ୁଛି । ରାତି ପାଖାପାଖି ୨ଟା ହେବ ମୋ ନିଦ ହଠାତ୍ ଭାଙ୍ଗି ଯିବାରୁ ମଳମଳ ନିଦୁଆ ଆଖିରେ ମୁଁ ଦେଖି ପାରୁଛି ଯେ ଆମ ଘରର କବାଟ ପାଖରେ କେହି ଜଣେ ବୟସ୍କ ବୃଦ୍ଧ ବସି ରହିଛି । ଗାଲ ଦୁଇଟା ତା’ର ଝୁଲି ପଡ଼ିଛି । ମାଢ଼ିରେ ଦାନ୍ତ ନାହିଁ । ମୁଣ୍ଡରେ ଧଳା ଚୁଟି ଗୁଡ଼ା ଅଲରା ହୋଇ ରହିଛି । ଆଖି ଯୋଡ଼ିକ କୋରଡ଼ ଭିତରେ ପଶି ଯାଇଛି କିନ୍ତୁ ସେଇ ଆଖିରୁ ଯେପରି କ୍ରୋଧ ଆଉ ଘୃଣା ସ୍ପଷ୍ଟ ବାରି ହୋଇପଡ଼ୁଛି । ମୋତେ ଲାଗିଲା ସତେ ଯେପରି ତା’ର ଲମ୍ୱା ଲମ୍ୱା ବଡ଼ ବଡ଼ ନଖ ଥିବା ହାତ ଦୁଇଟା ମୋର ବେକ ଆଡ଼କୁ ମାଡ଼ି ଆସୁଛି । ତା’କୁ ଦେଖି ମୁଁ ଶିହରି ଉଠିଲି ଆଖି ବନ୍ଦ କରି ଶୋଇବାକୁ ଚେଷ୍ଟା କଲି । କିନ୍ତୁ ଶୋଇ ପାରିଲି ନାହିଁ । ଆଖି ଖୋଲି ପୁଣି ଦେଖିଲା ବେଳକୁ ସେଇ ବିଭତ୍ସ ଚେହରା ମୋ’ରି ଆଡ଼କୁ ଅନେଇଛି । ପୁଣି ଆଖି ବନ୍ଦ କରି ଶୋଇବାକୁ ଚେଷ୍ଟା କଲି କିନ୍ତୁ ପାରିଲି ନାହିଁ । ଏତିକି ବେଳେ ମା’ ଦେଇଥିବା ତାବିଜ କଥା ମନେ ପଡ଼ିଗଲା । ମନେମନେ ଭାବିଲି ମୋର କ’ଣ ହବ ମୋ ହାତରେ ତ ତାବିଜ ଅଛି ଏବଂ ମନ ଭିତରେ ମହା ମୃତ୍ୟୁଞ୍ଜୟ ମନ୍ତ୍ର ଜପ କରିବାକୁ ଲାଗିଲି । ପୁଣି କିଛି ସମୟ ପରେ ଆଖି ଖୋଲି ଦେଖିଲା ବେଳକୁ ସେ ଭୟଙ୍କର ଚେହେରା ଆଉ ମୋ ସାମ୍ନାରେ ନାହିଁ । ମୁଁ ଶେଯରୁ ଉଠି ପଡ଼ିଲି ଲାଇଟ ଲଗେଇଲି । ଘଡ଼ିକି ଚାହିଁଲା ବେଳକୁ ସମୟ ଭୋର ୪.୩୦ । ମୁଁ ରମେଶକୁ ଡାକିକି ଉଠେଇଲି ତାକୁ ସବୁ କଥା କହିଲି । ମୋ କଥା ଶୁଣି ସେ ବି ଭୟରେ ଶିହରି ଉଠିଲା । ଆମେ ଦୁଇ ଜଣ ଆଉ ନ ଶୋଇ କଥାବାର୍ତ୍ତାରେ ହିଁ ଅବଶିଷ୍ଟ ସମୟ କାଟି ଦେଲୁ ।

ଦିନ ୯ଟା ବେଳକୁ ଆମେ ଅଫିସ ପାଇଁ ବାହାରି ଗଲୁ । ସେଦିନ ମୋତେ ଟିକେ ବିବ୍ରତ ଲାଗୁଥାଏ । ଖାଇବା ସମୟରେ ଜଣେ ଅଜଣା ବ୍ୟକ୍ତି ଆସି ମୋତେ ଗୋଟେ ଚିଠି ଦେଇଗଲା ଚିଠି ଉପରେ କୈଳାସ ବାବାଙ୍କର ନାଁ ଲେଖା ଥିଲା । ଚିଠି ଖୋଲି କି ପଢ଼ିଲି ସେଥିରେ ଲେଖା ଥିଲା, “ପ୍ରିୟ ଆଦିତ୍ୟ ଗତ କାଲି ମୋ ସହ ଦେଖା କରି ଯିବା ପରେ ମୁଁ ତୁମ ଘରକୁ ଯାଇ ବାବା ତାରକେଶ୍ଵରଙ୍କର ଗୋଟିଏ ତାବିଜ ତୁମ ପାଇଁ ତୁମ ମା’ଙ୍କୁ ଦେଇ ଆସିଛି । ଆଉ କହି ଆସିଛି ଯେ ଯେପରି ତୁମେ ଯେତେ ଶୀଘ୍ର ପାର ତୁମେ ସେ ତାବିଜଟିକୁ ତୁମ ହାତରେ ଧାରଣ କରିନିଅ । ତା’ ପରେ ଯଦି ତୁମକୁ ଭୟ ଲାଗେ ବା କୌଣସି କଷ୍ଟ ଅନୁଭବ ହୁଏ ତେବେ ତୁମେ ନିରନ୍ତର ଭାବେ ମହା ମୃତ୍ୟୁଞ୍ଜୟ ମନ୍ତ୍ର ଜପ କରିବ । ଇତି ବାବା କୈଳାସ ନାଥ ।”

ଚିଠିଟି ନେଇ ମୁଁ ରମେଶକୁ ପଢ଼ିବାକୁ ଦେଲି । ସେ ମଧ୍ୟ ଚିଠିଟିକୁ ଦେଖି ଖୁବ ଆଶ୍ଚର୍ଯ୍ୟ ହୋଇଗଲା । ସେଦିନ ଆମେ ଦୁଇ ଜଣ ଅଫିସରୁ ହାଫ୍ ଛୁଟି ନେଇ ମୋ ମୋଟର ସାଇକେଲରେ ବାହାରିଗଲୁ ମୋ ଗାଁକୁ । ବାଟରେ ତାରକେଶ୍ଵର ମନ୍ଦିର ପାଖରେ ଓହ୍ଲାଇ ବାବା କୈଳାଶ ନାଥଙ୍କୁ ଦେଖା କରିବାକୁ ଗଲୁ । ବାବାଙ୍କୁ ଦେଖା କରି ଅଶେଷ ଧନ୍ୟବାଦ ଦେବା ସହ ମୁଁ ବାବାଙ୍କୁ ପଚାରିଲି, “ବାବା ଆପଣ କେମିତି ଜାଣିଲେ ଯେ ମୁଁ ସେଇ ରାତିରେ ସେଇ ଘରେ ଡରିବି ବୋଲି?” ବାବା ଟିକେ ମୃଦୁ ହସି କହିଲେ, “ତୁମେ ଯେତେବେଳେ ସେଦିନ ଆସି ମୋତେ ପ୍ରଣାମ କଲ ସେଦିନ ମୁଁ ଦେଖିଲି ଗୋଟେ ଅତୃପ୍ତ ଆତ୍ମା ତୁମ ପଛରେ ଛିଡ଼ା ହୋଇଛି । କୌଣସି କାରଣରୁ ସେ ତୁମ ଉପରେ ଭୟଙ୍କର ଭାବେ ରାଗି ଯାଇଛି । ତୁମକୁ ଜୀବନରୁ ମାରି ଦେବା ହିଁ ତା’ର ଲକ୍ଷ୍ୟ ଥିଲା । କିନ୍ତୁ ଉପଯୁକ୍ତ ସମୟ ନ ପାଇବାରୁ ସେ ସେଥିରେ ସଫଳ ହୋଇ ପାରିନି । ତୁମେ ଯିବା ପରେ ମୁଁ ଗଣନା କରି ଦେଖିଲି ଯେ ସେହି ଆତ୍ମାଟି ତୁମକୁ ଏକାଦଶୀ ରାତ୍ରିରେ ହିଁ ମାରିବାକୁ ବସିଥିଲା । ସେଥିପାଇଁ ମୁଁ ଶୀଘ୍ର ଯାଇଁ ତୁମ ମା’ଙ୍କୁ ଭେଟି ତାବିଜଟି ଦେଇ ଆସିଲି ।” ମୁଁ ପୁଣି ଉତ୍ସାହରେ ପଚାରିଲି, “ବାବା ମୋ ସଙ୍ଗେ ମୋ ବନ୍ଧୁ ରମେଶ ମଧ୍ୟ ଥିଲା ତାକୁ ତ ସେମିତି କିଛି ଅନୁଭବ ହେଲା ନାହିଁ କାହିଁକି? ସେ ମଧ୍ୟ ସେଦିନ ରାତିରେ ମୋ ସଙ୍ଗେ ଥିଲା ।” ବାବା ପୁଣି କହିଲେ, “ତୁମ ସାଙ୍ଗରେ ଯେଉଁ ବନ୍ଧୁ ଅଛି ତା’ର ନାଁ କ’ଣ? ଆଦିତ୍ୟ ରମେଶକୁ ଚାହିଁ କହିଲା, “ୟାଙ୍କ ନାଁ ରମେଶ ଚନ୍ଦ୍ର ମିଶ୍ର ।” ବାବା କହିଲେ, “ସେ ହେଉଛି ବ୍ରାହ୍ମଣ, ତାଙ୍କ କାନ୍ଧରେ ପଇତା ଅଛି ସେଥିପାଇଁ ସେ ତା’ର କିଛି କ୍ଷତି କରିପାରିବ ନାହିଁ । ତୁମେ ହେଉଛ ଶୂଦ୍ର ସେଥିପାଇଁ ତୁମେ ତା’ର ଲକ୍ଷ୍ୟରେ ଥିଲ ।” ତା’ପରେ ମୁଁ ପୁଣି ପଚାରିଲି, “ସେ କ’ଣ ମୋତେ ଏବେ ବି ଲକ୍ଷ୍ୟରେ ରଖିଛି?” ବାବା କହିଲେ, “ହଁ ସେ ତୁମକୁ ଏବେ ବି ଲକ୍ଷ୍ୟ କରି ରହିଛି । ତୁମେ ଯେତେ ଶୀଘ୍ର ପାର ସେ ଘର ଛାଡ଼ି ଦିଅ ଏବଂ ଏହି ତାରକେଶ୍ଵର ତାବିଜଟି ତୁମେ ତୁମ ହାତରୁ କେବେ ବି ଉତାରିବ ନାହିଁ ।” ଆମେ ଦୁଇଜଣ ବାବାଙ୍କୁ ପ୍ରଣାମ କରି ଚାଲି ଆସିଲୁ । ପରଦିନ ଆମେ ସେ ଘର ମଧ୍ୟ ଛାଡ଼ି ଦେଲୁ ।

ଏହା ପରେ କିଛି ଦିନ ପରେ ମୋତେ ଭୁବନେଶ୍ୱରରେ ଗୋଟେ ଭଲ ଚାକିରୀ ମିଳିଗଲା ମୁଁ ସେ କମ୍ପାନୀ ଛାଡ଼ି ଭୁବନେଶ୍ଵର ଚାଲି ଆସିଲି । ଏହା ମଧ୍ୟରେ ଦୀର୍ଘ ୧୨ ବର୍ଷ କଟି ଯାଇଥାଏ । ମୋର ବାହାଘର ସରି ମୋର ଗୋଟିଏ ଝିଅ ଓ ପତ୍ନୀ ସହ ମୁଁ ଭୁବନେଶ୍ୱରରେ ରହୁଥାଏ । ମୋ ହାତରେ ସେ ତାବିଜ ସେମିତି ଥାଏ । ଥରେ ଅଫିସ କାମରେ ମୋତେ ସମ୍ୱଲପୁର ଯିବାର ଥିଲା ଏମିତି ବି ମୁଁ ସବୁ ଥର ସମ୍ୱଲପୁର କି ଅନ୍ୟ କୌଣସି ଟୁର୍‌ରେ ଯିବାର ଥିଲେ ମୁଁ ବସ୍ କିମ୍ୱା ଟ୍ରେନରେ ଯାଏ । କାଇଁ ଏଥର ମନେ ହେଲା ଯେ ମୁଁ ମୋ ନିଜ କାରରେ ସମ୍ୱଲପୁର ଏକା ଚଲେଇକି ଯିବି । ପତ୍ନୀଙ୍କ ବାରଣ ସତ୍ତ୍ୱେ ମୁଁ କାର୍ ଧରି ସନ୍ଧ୍ୟା ୬’ଟାରେ ସମ୍ୱଲପୁର ଅଭିମୁଖେ ବାହରିପଡ଼ିଲି । ଗାଡ଼ି ଚାଲି ଥାଏ ରାତି ଆସି ୨ଟା ପାଖାପାଖି ହେବ । ମୁଁ ରେଢ଼ାଖୋଲ ଜଙ୍ଗଲ ଦେଇ ଯାଉଥାଏ । ହଠାତ୍ ଦେଖିଲି ସେଇ ଜୀର୍ଣ୍ଣକାୟ ବୃଦ୍ଧ ମୋ କାର୍ ଆଗରେ ଆସି ଛିଡ଼ା ହେଇଗଲା । ମୁଁ ହଠାତ୍ ବ୍ରେକ୍ ମାରିବାରୁ ଗାଡ଼ିର ଚକା ରାସ୍ତାରେ ଘୋଷାଡ଼ି ହୋଇ ରହିଗଲା । ଦେଖିଲି ସେଇ ବିଭଶ୍ଚ ଚେହେରା । ସେ ମୋ କାର୍ ଉପରକୁ ଧୀରେ ଧୀରେ ଚଢ଼ିବାକୁ ଚେଷ୍ଟା କରୁଥାଏ । ମୁଁ ଯେତେ ଚେଷ୍ଟା କଲେ ବି ମୋ କାର ଷ୍ଟାର୍ଟ ହେଉ ନଥାଏ । ସେ ଚେହରା ମୋର ଆହୁରି ନିକଟତର ହେଉଥାଏ । ଆଖିରୁ ତା’ର ନିଆଁ ବହରିଲା ଭଳି ମନେ ହଉଥାଏ । ଏକ ବିକଟାଳ ରଡ଼ି ସେ କଲା ମୁଁ ଭୟରେ ଆଖି ବୁଜି ମହା ମୃତ୍ୟୁଞ୍ଜୟ ମନ୍ତ୍ର ଜପ କରିକରି ମୂର୍ଚ୍ଛା ହୋଇଗଲି । ସକାଳୁ ଲୋକମାନେ ଆସି ମୋତେ କାର୍ ଭିତରୁ ଉଦ୍ଧାର କଲେ । ମୁଁ ଦେଖିଲି ମୋ କାର୍‌ର କାଚ ଉପରେ କିଛି ପାଉଁଶ ଭଳି ଜିନିଷ ପଡ଼ି ରହିଛି । କାର୍‌କୁ ନେଇ ସ୍ଥାନୀୟଲୋକେ ଗ୍ୟାରେଜ୍‌ରେ ଦେଲେ । ମୁଁ ସେଦିନର ସମ୍ୱଲପୁର ଯିବାକୁ ବାତିଲ କରି ଭୁବନେଶ୍ଵର ଫେରି ଆସିଲି । ୟା ଭିତରେ ୫ ବର୍ଷ ବିତି ଗଲାଣି ମୁଁ ଆଉ ସେ ବିଭଶ୍ଚ ଚେହରାକୁ କେବେ ବି ଦେଖିବାକୁ ପାଇନି । ମୁଁ ବହୁତଥର ମୋ କାର୍ ନେଇ ଡ୍ରାଇଭର ସାଙ୍ଗରେ ସମ୍ୱଲପୁର ଯାଇଛି କିନ୍ତୁ କୌଣସି ଥର ବି ଅସୁବିଧାରେ ପଡ଼ିନି । ମା’କୁ ଆଣି ଭୁବନେଶ୍ଵରରେ ମୋ ପାଖରେ ରଖିଛି । ବାବା କୈଳାସନାଥଙ୍କର ଦେହାନ୍ତ ଦୁଇ ବର୍ଷ ହେଲାଣି ହୋଇଗଲାଣି, କିନ୍ତୁ ସେ ଦେଇଥିବା ତାବିଜ ମୁଁ ଏ ପର୍ଯ୍ୟନ୍ତ ମୋ ଡାହାଣ ହାତ ବାହୁରେ ବାନ୍ଧିଛି ଓ ସେ ପଠେଇଥବା ଚିଠି ଏବେ ବି ମୋ ପାଖରେ ଅଛି ।

– ଦୀପକ ଷଡ଼ଙ୍ଗୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଦୀପକ ଷଡ଼ଙ୍ଗୀ ପେଶାରେ ଜଣେ ଅଧ୍ୟାପକ, ଯିଏକି ରୋଲାଣ୍ଡ ଫାର୍ମାସୀ କଲେଜରେ କାର୍ଯ୍ୟରତ । ସେ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି । ଏତଦ୍‌ବ୍ୟତୀତ ସେ ନିଜେ ଜଣେ ଗୀତାର ବାଦକ ।