ନିର୍ଭୀକତାର ମୁଖା ପିନ୍ଧି
ନିର୍ଦ୍ୱନ୍ଦରେ ବିଚରଣ କରୁଥିବା
ପାହାନ୍ତି ରାତ୍ରୀର ଅପରିପକ୍ଵ ସ୍ୱପ୍ନମାନେ,
କିମ୍ପା ଭୟ ଦିନର ପ୍ରସ୍ତୁରିତ ଅବଧିକୁ?
ଯଦି ବି ବିତିଯିବାକୁ ଚାହଁ
ମୋ ଦରଭଙ୍ଗା ନିଦରେ
ସର୍ତ୍ତୀଳ ଇଚ୍ଛାମାନଙ୍କର ଅଗଣାକୁ ।
ମନ ମୋର ଉତ୍ତରଳ
ଅତି ପ୍ରଖର ତା’ ନିସ୍ତବ୍ଧର ଗତି ।
ତନ୍ମଧ୍ୟେ ବି ସତ୍ତାୟିତ
ଅକପଟ ହୀନ କ୍ଷୀଣ ସ୍ୱପ୍ନର ପ୍ରସ୍ତୁତି ।
ମୁଁ କିନ୍ତୁ ନୁହେଁ ନିଶ୍ଚେଷ୍ଟ, ନୀରବ
ସ୍ନାୟୁମାନେ ସବୁ ସାଜି ଅସ୍ଥାଣୁ
ଅଣ୍ଟା ଭିଡ଼ନ୍ତି ସ୍ୱପ୍ନର ବାସ୍ତବତାକୁ ପରଖିବାକୁ
ହେଲେ ତତ୍କ୍ଷଣାତ
ଏସବୁର ହୁଏ ନାଟକୀୟ ପରିବର୍ତ୍ତନ ।
ମୋତେ ନିଷ୍ପ୍ରୃହ କରି
ଧୀରେ ଧୀରେ ସ୍ୱପ୍ନସବୁ ମିଳେଇଯାନ୍ତି
କାରଖାନାର ଧୂଆଁ ଗଗନେ ମିଶିଲା ପରି ।
ମିଞ୍ଜି ମିଞ୍ଜି ହୁଏ ଆକାଶ ଓ ଆଖି
ଖୋଜିଚାଲେ ବିତା ରାତିର ଇତିବୃତ୍ତ ।
ଝାପସା ଝାପସା ଦୃଶ୍ୟ ସବୁ ଗୁନ୍ଥି,
ନଭ ବିସ୍ତାରୀ ଭାସ୍କର୍ଯ୍ୟ
ଗୁଞ୍ଜରିତ କରେ ଅନ୍ତିମ ଚେତାବନୀ-
“ବୃଥା ଲୋଡ଼ୁ ସ୍ୱପ୍ନିଳ ରାତି,
ତୋ’ ପାଇଁ ସବୁ ରାତି ସ୍ୱପ୍ନ ପରିପନ୍ଥୀ”
– ପ୍ରଭାତ ବଳ
Comments
ପ୍ରଭାତ ବଳ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।