ସୂର୍ଯ୍ୟମୁଖୀ ଚଢ଼େଇ ଓ କବି

Surjyamukhi Chadhei o Kabi

ଚଢ଼େଇଟିଏ ଉଡ଼ୁଛି
ସିଧା ଶୂନ୍ୟକୁ,
ମହାଶୂନ୍ୟର ଆହୁରି ଉପରକୁ,
ସୂର୍ଯ୍ୟ ସମ ଜ୍ୱଳନ୍ତ
କିରଣ ସମ ଉତ୍ତପ୍ତ
ଆଉ ଦିବସ ସମ ଉଜ୍ଜ୍ୱଳ ହେବାକୁ ।

କବିଟିଏ ଚାହିଁଛି
ସମବେଦନାର ଶ୍ରାବଣୀରେ
ପୃଥିବୀ ଭିଜୁଛି,
କବିତାର ସ୍ଫୁଲିଙ୍ଗ ଛୁଟୁଛି ।

କିଛି ବୁଝି ପାରୁନି
କି କିଛି ଦେଖିପାରୁନି
ଅବୁଝା ଚଢ଼େଇଟି
କେବଳ ଉଡ଼ୁଛି ଆଉ ଉଡ଼ୁଛି ॥

X X X X X X X X X X

ଏବେ କିନ୍ତୁ ସେ ଖସୁଛି
ତଳକୁ ଆହୁରି ତଳକୁ
ଧରଣୀ କୋଳକୁ,
ଅର୍ଦ୍ଧ ଦଗ୍ଧ ଡେଣା ଆଉ ଶରୀରରେ
ନୈରାଶ୍ୟର କଳା ରଙ୍ଗ ମାଖି ହୋଇ ॥

କିନ୍ତୁ ଭୂମି ସ୍ପର୍ଶ କରିବା ପୂର୍ବରୁ
ହଠାତ୍ ତାକୁ କୋଳେଇ ନେଉଛି
ଅପେକ୍ଷାରତ କବିଟି ।
ମମତ୍ୱର‌ ସ୍ପର୍ଶ ଆଉ ଆଶାର‌ ଫଲ୍ଗୁ
ଥରାଇ ଦେଉଛି ପ୍ରତିଟି ତନ୍ତ୍ରୀ
କବିର ବି… ଚଢ଼େଇର ବି ॥
ଝରି ଯାଉଛି କବିତାର ନିର୍ଝରିଣୀ,
ସଞ୍ଚରି ଯାଉଛି କବିର ହୃଦୟରୁ
ଚଢ଼େଇର ହୃଦୟ ପର୍ଯ୍ୟନ୍ତ ॥

X X X X X X X X X X X

ଏବେ ସବୁ କିଛି ବଦଳି ଗଲାଣି,
ଅଙ୍କୁରିତ ହୋଇ ଆସିଲାଣି ନୂଆ ଡେଣା,
ଆଉ ନିଃସ୍ୱତା ମାଡ଼ି ବସୁନାହିଁ,
ଅଣନିଃଶ୍ୱାସୀ ଲାଗୁନି କାହାରିକୁ,
ବେଶ୍ ତୃପ୍ତିକର ଜୀବନ,
କେବଳ ସାହଚର୍ଯ୍ୟ ଦରକାର
ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ,
ଚଢ଼େଇର ବି…. କବିର ବି ॥

ନିଜ‌ ଅଗଣାର ଥୁଣ୍ଟା ଗଛରେ
ପ୍ରୀତିର ଛାଉଣୀ ସହ ତିଆରିଛି
ସୁନ୍ଦର ବସାଟିଏ କବିଟି ଚଢ଼େଇଟି ପାଇଁ ।
ନରମ ଓ ଉଷୁମ କବିତାର
ଗାଲିଚା ବିଛାଇ ଦେଇଛି
ଆଗାମୀ ସ୍ୱପ୍ନର ସଂସାର ପାଇଁ ॥

X X X X X X X X X X X

ଆଜି ବହୁତ ବେଣୁସୁ ଉଠି ପଡ଼ିଛି କବି,
ସକାଳ ଜଳଖିଆ ପରେ
ନେଇଯିବ ଚଢ଼େଇକୁ
ତା’ ସ୍ୱପ୍ନର ତାଜମହଲକୁ ।
ଉଷୁମ କବିତାର ଗାଲିଚା ଉପରେ
ଶୁଆଇ ଦେଇ, ନିଜେ ବର୍ଷି ଯିବ
ପ୍ରୀତିର ଶ୍ରାବଣ ହୋଇ ॥

କିନ୍ତୁ ଏ କ’ଣ?
ଚଢ଼େଇର ଶେଯ ଖାଲି,
ଚାହିଁଲା ଉପରକୁ,
ଦେଖିଲା ସେ ଉଡ଼ୁଛି
ଉପରକୁ… ଆହୁରି ଉପରକୁ,
ତା’ର ଅପ୍ରିୟ ପ୍ରିୟତମ ଆଡ଼କୁ ॥

X X X X X X X X X X X

ତଥାପି ଅପେକ୍ଷା କରିବ କବିଟି,
ସେ ଜାଣିଛି ଚଢ଼େଇ ନିଶ୍ଚୟ ଆସିବ,
ତଳକୁ… ତା’ କୋଳକୁ ନହେଲେ
ଆଉ କାହା କେଉଁ ନୂତନ ଠାବକୁ ॥

ସେ କିନ୍ତୁ ପ୍ରତୀକ୍ଷା କରିବ
ତା’ର ଶେଷ ନିଃଶ୍ୱାସ ଯାଏ,
କାରଣ ଏଇମିତି ଭଲ ପାଉଥିବ
ସେ ସୂର୍ଯ୍ୟମୁଖୀ ଚଢ଼େଇକୁ ॥

– ବିଶ୍ୱନାଥ କିଙ୍କର ରାଉତ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...