ସ୍ନେହାଶ୍ରିତ ଦେବତା

ସ୍ନେହାଶ୍ରିତ ଦେବତା

ଜହ୍ନାଲୋକରେ ଆଲୋକିତ ହୋଇଯାଇଥିବା ସେଦିନର ରାତି ଯେପରି ଏକ ବିଶାଳ ପରିବର୍ତ୍ତନ ଆଣିଥିଲା ସତ୍ୟଦେବଙ୍କ ପାଇଁ । ନୂଆ ଆଶାର ଆଲୋକକୁ ନେଇ ଏକ ସୁନ୍ଦର ପଥର ପଥିକଟିଏ ହୋଇଗଲେ ସେ । ପିତାଙ୍କ ଚରଣ ତଳେ ଶୋଇଯିବା ପରେ ଆଖିରୁ ବହିଯାଉଥିବା ଲୁହ ଯେମିତି ମରୁଭୂମି ପାଲଟି ଯାଇଥିଲା । ଜୀବନର ଚଲାପଥ ଏମିତିବି ହୋଇପାରେ ବୋଲି ସତ୍ୟଦେବ ଅନୁଭବ କରି ଏକ ନୂଆ ଜୀବନଟିଏ ଆରମ୍ଭ କରିଥିଲେ ।

ଗ୍ରୀଷ୍ମର ପ୍ରକୋପରେ ଗାଁ ଶେଷମୁଣ୍ଡରେ ଥୁଣ୍ଟା ହୋଇଯାଇଥାଏ ବରଗଛଟିଏ । ବରଗଛରୁ ପନ୍ଦର କି କୋଡ଼ିଏ ହାତ ଦୂରରେ ମହାରଣା ବାବୁଙ୍କ ଝାଟିମାଟିର ଚାଳ କୁଡ଼ିଆ ଘର । ଦୁଇ ପୁଅ, ପତ୍ନୀ ଉର୍ମିଳା ଦେବୀ ଓ ବୁଢ଼ା ବାପାମାଆଙ୍କୁ ନେଇ ଛୋଟିଆ ପରିବାରଟିଏ । ମହାରଣା ବାବୁଙ୍କର ଦୋକାନଟିଏ ଥାଏ । ସେଥିରୁ ଯାହା ରୋଜାଗର ହୁଏ ସାଥିରେ ତାଙ୍କ ଦାରିଦ୍ର୍ୟତା ଦୂର ହୁଏ ନାହିଁ । ସେଥିପାଇଁ ସେ ସମୟ ମିଳିଲେ ଜମିଦାର ବାବୁଙ୍କ ଘରେ ମୂଲିଆ ଭାବେ କାମ କରନ୍ତି । ନିଜେ ଓଳିଏ ନଖାଇ କିପରି ନିଜ ଛୁଆ ଓ ବାପାମାଆଙ୍କୁ ଆହାର ଦେବେ ସେ କଥା ସବୁବେଳେ ଚିନ୍ତା କରୁଥାନ୍ତି ମହାରଣା ବାବୁ । ଦୁଃଖ ଦାରିଦ୍ରତା ଯେମିତି ତାଙ୍କ ପିଲାଙ୍କୁ ସ୍ପର୍ଶ ନକରୁ ସେଥିପାଇଁ ସେ ପିଲାଙ୍କୁ ବୁଝେଇବା ସହ ସେମାନଙ୍କୁ ସବୁପ୍ରକାର ସୁବିଧା ସୁଯୋଗ ଯୋଗେଇ ଦେଉଥିଲେ । ଏହିସବୁ ଦେଖି ପିତାଙ୍କ କଷ୍ଟକୁ ଠିକ ବାରିପାରୁଥିଲା ବଡ଼ପୁଅ ବିଷ୍ଣୁଦେବ । ନାମଟି ତା’ର ଯେମିତି, କାମ ତା’ର ଠିକ ସେମିତି । ସତେ ଯେପରି ଭଗବାନ ସେହି ବିଷ୍ଣୁଦେବ ଭିତରେ ବିରାଜମାନ କରିଛନ୍ତି । କଥାରେ ନାହିଁ, କାନ ଥିଲେ ସୁନା ନାହିଁ, ଠିକ ସେମିତି ଦାରିଦ୍ର୍ୟତା ମଧ୍ୟରେ ପରିବାର ଗତିକରୁଥିଲେ ମଧ୍ୟ ବିଷ୍ଣୁଦେବ ସବୁ କାର୍ଯ୍ୟରେ ନିପୂଣ ଥିଲା । ପାଠପଢ଼ାରେ ଯେମିତି ଥିଲା, ଠିକ ସେମିତି ଅନ୍ୟ କାର୍ଯ୍ୟରେ ବି ପାରଙ୍ଗମ ଥିଲା । ସମସ୍ତଙ୍କର ପ୍ରିୟପାତ୍ର ହୋଇଯାଇଥିଲା ସେ । ପାଠପଢ଼ା ସହ ଦିନରେ ସାଙ୍ଗମାନଙ୍କ ସହ ଖେଳକୁଦ ଓ ରାତିରେ ଜେଜେବାପା ପାଖରେ ବସି ଭାଗବତ ଶୁଣିବା । ଦୁଃଖ କଷ୍ଟରେ ଥିଲେ ମଧ୍ୟ ପରିବାରଟି ବହୁତ ଖୁସି ଓ ଆନନ୍ଦରେ ଜୀବନଯାପନ କରୁଥିଲା ।

ସମୟକ୍ରମେ ମହାରଣା ବାବୁ ପୂର୍ବପରି ଅଧିକ ପରିଶ୍ରମ କରିପାରିଲେ ନାହିଁ । ବାପାଙ୍କର ଏପରି ଅବସ୍ଥାରେ ବଡ଼ପୁଅ ଉପରେ ଅଧିକ ଚାପ ପଡ଼ିଲା । ଘରର ଦାରିଦ୍ର୍ୟତାକୁ ଦୃଷ୍ଟିରେ ରଖି ବିଷ୍ଣୁଦେବ ନିଜ ଜୀବନକୁ ଜଳାଞ୍ଜଳୀ ଦେଇ ଅଧିକ ପଢ଼ାପଢ଼ି ନକରି ଛୋଟିଆ ବେସରକାରୀ ଚାକିରୀ ଖଣ୍ଡିଏ କରି ଘରର ମେରୁଦଣ୍ଡ ହୋଇ ଛିଡ଼ାହେଲା ଓ ବାପାମାଆଙ୍କ ଯତ୍ନ ନେବା ସହ ସାନଭାଇକୁ ଏକ ଉଚ୍ଚ ପଦବୀରେ ବିରାଜମାନ କରାଇବା ପାଇଁ ସେ ଦିନରାତି ଏକକରି ପରିଶ୍ରମ କରୁଥିଲା। ବାପାମାଆଙ୍କ ସେବାରେ ଯେପରି ଅବହେଳା ନହେଉ ସେଥିପାଇଁ ବାପମାଆଙ୍କ ନିଷ୍ପତିରେ ହାତରୁ ଦୁଇ ହାତ ହୋଇଗଲା ସେ । ବାପାଙ୍କ କଷ୍ଟକୁ ଅନୁଭବ କରି ବିଷ୍ଣୁଦେବ ନିଜ ଖୁସିକୁ ପରିବାର ମଧ୍ୟରେ ଉତ୍ସର୍ଗ କରିଦେଇଥିଲେ । ସାନଭାଇ ସତ୍ୟଦେବର ପଢ଼ିବାରେ ଯେପରି ବ୍ୟତିକ୍ରମ ନହେଉ ସେଥିପାଇଁ ସେ ସମସ୍ତ ସୁବିଧା ଯୋଗାଇ ଦେଉଥିଲା ।

ସମୟ ବିତିବା ସହ ଅଧିକରୁ ଅଧିକ ପାଠ ପଢ଼ିବା ପାଇଁ ସତ୍ୟଦେବ ସହରକୁ ଚାଲିଆସିବା ପରେ ତାଙ୍କ ଜୀବନରେ ଆରମ୍ଭ ହୁଏ ଏକ ନୂତନ ଅଧ୍ୟାୟ, ଯେଉଁଠି ସେ ଭୁଲିଯାଏ ବାପାଙ୍କ ଭଲପାଇବା, ମାଆର ପଣତକାନିର ସ୍ନେହ ଓ ବଡ଼ଭାଇର ଆଦର । ଅଧିକରୁ ଅଧିକ ପାଠ ପଢ଼ିସାରିବା ପରେ ସତ୍ୟଦେବ ଏକ ସରକାରୀ ଉଚ୍ଚ ପଦବୀରେ ନିଯୁକ୍ତ ହେଲା । ଧନ ଓ ଯୌବନ କ୍ଷଣସ୍ଥାୟୀ ହୋଇଥିଲେ ମଧ୍ୟ ଏହାକୁ ସତ୍ୟଦେବ ବୁଝିପାରିନଥିଲା । ଏହାପରେ ସେ ଆନନ୍ଦ ଉଲ୍ଲାସରେ ସାଙ୍ଗସାଥିମାନଙ୍କ ସହ ମିଶି ସମୟ ଅତିବାହିତ କରୁଥିଲା । ଇତିମଧ୍ୟରେ ସେ ନିଜ ମନର ସାଥିକୁ ବାଛିନେଇ ଜୀବନର ଶେଷ ନିଶ୍ଵାସ ପର୍ଯନ୍ତ ତା’ର ହାତ ଧରି ବାଟ ଚାଲିବେ ବୋଲି ସ୍ଥିର କରିସାରିଥିଲା । ମନରେ ଦୁଃଖ ଥିଲେ ମଧ୍ୟ ମହାରଣା ବାବୁ ଓ ଉର୍ମିଳା ଦେବୀ ପୁଅର ମନରେ କଷ୍ଟ ନଦେଇ ପୁଅର ନିଷ୍ପତିରେ ହିଁ ସହମତି ଦେଇଥିଲେ । ଏହାର କିଛିଦିନ ପରେ ସତ୍ୟଦେବଙ୍କର ଦୁଇଟି ପୁତ୍ର ସନ୍ତାନ ଜନ୍ମ ହୋଇଥିଲେ ଓ ସେଥିରେ ବହୁତ ଖୁସି ଥିଲେ ମହାରଣା ବାବୁ ।

ଯେମିତି ଅଦିନିଆ ମେଘ ଗର୍ଜନ କରେ ଠିକ ସେମିତି ଚଡ଼କ ପଡ଼େ ମହାରଣା ବାବୁଙ୍କ ଘରେ । ହସଖୁସିରେ ଚାଲୁଥିବା ସୁନାର ସଂସାର ଉପରେ ଯେମିତି କାହାର କୋପ ଦୃଷ୍ଟି ପଡ଼ିଯାଇଥିଲା । ସତ୍ୟଦେବ ସମ୍ପୂର୍ଣ୍ଣ ପରିବର୍ତ୍ତନ ହୋଇଯାଇଥିଲେ । ସ୍ତ୍ରୀ-ବୋଲକରା ହୋଇ ସତ୍ୟଦେବ ନିଜ ପରିବାର ସହ ଖୁସିରେ ରହିବାକୁ ସ୍ଥିର କରି ନିଜ ପତ୍ନୀ ଓ ଦୁଇ ପୁଅକୁ ନେଇ ଘରଠାରୁ ଦୂରରେ ରହିବାକୁ ଆରମ୍ଭ କରିଦେଲା । ପିଲାବେଳେ ହାଥଧରି ଚାଲିବା ଶିଖାଇଥିବା ସେହି ବୁଢ଼ା ବାପାଙ୍କଠାରୁ ସେ ବହୁତ ଦୂରକୁ ଚାଲିଯାଇଥିଲା । ବଡ଼ଭାଇର ଆଦର ଓ ବାପାମାଆଙ୍କର ଭଲପାଇବାକୁ ଭୁଲିଯାଇ ସତ୍ୟଦେବର ଏପରି କାର୍ଯ୍ୟ ଦେଖି ମନ ଭିତରେ କଷ୍ଟ ଥିଲେ ମଧ୍ୟ ମହାରଣା ବାବୁ ପ୍ରକାଶ କରିନଥିଲେ ମାତ୍ର ବିଷ୍ଣୁଦେବ ଠିକ ବୁଝିପାରୁଥିଲା ।

ସମୟ ସ୍ରୋତରେ ନିଜ ସଂସାରକୁ ଖୁସିରେ ଦେଖିବାକୁ ଚାହୁଁଥିବା ସତ୍ୟଦେବକୁ ଏମିତି ଏକ ଦିନ ଦେଖିବାକୁ ପଡ଼ିବ ସେ କେବେ ହେଲେ ଭାବିନଥିଲେ । ନିଜ ସଂସାର ପାଇଁ ଦିନରାତି ପରିଶ୍ରମ କରି ନିଜ ପୁଅଙ୍କୁ ବଡ଼ କରାଇ ଉଚ୍ଚ ପଦପଦବୀରେ ବସାଇଥିଲେ । ନିଜକୁ ଉଚ୍ଚ ଅଧିକାରୀ ରୂପେ ଗର୍ବ ଅନୁଭବ କରୁଥିବା ପୁଅମାନେ ଶେଷରେ ନିଜ ମାଆଙ୍କ ସହମତି କ୍ରମେ ଏମିତି ଏକ ସମୟରେ ସତ୍ୟଦେବକୁ ସମସ୍ତେ ଛାଡ଼ିଦେଇ ଚାଲିଗଲେ ଯାହା କେବେ ସତ୍ୟଦେବ କଳ୍ପନା କରିନଥିଲେ । ନିଜ ଇଚ୍ଛାରେ ଜୀବନସାଥୀ ଖୋଜିବା ପରେ ମଧ୍ୟ ସେ ଏମିତି କଟୁ ପ୍ରକୃତିର ଘରଣୀ ପାଇବେ ସେ କେବେ ଜାଣିନଥିଲେ ଓ ଶେଷରେ ପୁତ୍ରମାନେ ନିଜ ପିତାଙ୍କୁ ଅକ୍ଷମ କହି ଚାଲିଗଲେ । ନିଜର ପରିବାରକୁ ଖୁସିରେ ରଖିବାକୁ ଚାହୁଁଥିବା ସତ୍ୟଦେବ ଆଜି ସେ ନିଜଠୁ ହାରିଯାଇଥିଲେ ।

ଦୂରରେ ରହିଲେ ମଧ୍ୟ ନିଜ ପୁଅକୁ ନିଜ କୋଳକୁ ନେଇଗଲେ ମହାରଣା ବାବୁ । ଦୁଃଖରେ ରହିଲେ ମଧ୍ୟ କାହାକୁ ନିଜ ଦୁଃଖ ପ୍ରକାଶ କରୁନଥିଲେ ସତ୍ୟଦେବ, ମାତ୍ର ପିତାମାତାଙ୍କୁ କ’ଣ ବା ଅଛପା । ସେଦିନ ରାତ୍ରି-ଭୋଜନ ସରିବା ପରେ ସତ୍ୟଦେବ ଦୁଃଖରେ ବସିଥିଲେ ଓ ଆଖିରୁ ବହିଯାଉଥିଲା ତାଙ୍କର ଅଶ୍ରୁ ଧାର । ଅକସ୍ମାତ ସତ୍ୟଦେବଙ୍କ କକ୍ଷକୁ ମହାରଣା ବାବୁ ପ୍ରବେଶ କରି ସତ୍ୟଦେବଙ୍କୁ ଏମିତି ପରିସ୍ଥିତିରେ ଦେଖିବାପରେ ତା’ର କାନ୍ଧରେ ହାତ ପକାଇ ଆଶ୍ୱାସନା ଦେଲେ ଓ ପିତାଙ୍କ ମୁହଁକୁ ଦେଖି ତାଙ୍କ ଚରଣ ଧରି ଅଧିକ କାନ୍ଦିବାକୁ ଲାଗିଲେ ଓ ସତ୍ୟଦେବ ନିଜର ତ୍ରୁଟିକୁ ଜାଣିପାରିଲେ । ଏହାପରେ ସେଦିନର ରାତି ସତ୍ୟଦେବଙ୍କ ପାଇଁ ଏକ ଅମୂଲ୍ୟ ରାତି ହୋଇଯାଇଥିଲା ଓ ପିତାଙ୍କ ଚରଣରେ ସତ୍ୟଦେବ ଶୋଇଯାଇଥିଲେ । ସମୟସ୍ରୋତରେ ବରଗଛଟିରେ ପୁଣିଥରେ ନୂଆ ନୂଆ ପତ୍ର କଅଁଳିବାକୁ ଲାଗିଲା ।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...