You are currently viewing ✍ ପଞ୍ଚତ୍ରିଂଶ ସମ୍ପାଦକୀୟ
Editorial Page of Shubhapallaba 35th Edition

✍ ପଞ୍ଚତ୍ରିଂଶ ସମ୍ପାଦକୀୟ

ଯେବେ ଯେବେ କୌଣସି ସଭ୍ୟତା ଏବଂ ଏହାର ଧାର୍ମିକ ଭାବନାକୁ ଆକ୍ରମଣ କରାଯାଇଛି, ସମାଜ ଅବନତି ଆଡ଼କୁ ମୁହାଁଇଛି, ପ୍ରଥମ ଖଣ୍ଡା ଚୋଟ ଏହାର ଶିକ୍ଷା ବ୍ୟବସ୍ଥା ଏବଂ ଜ୍ଞାନର ଉତ୍ସ ଉପରେ ପଡ଼ିବାର ନଜିର୍ ଇତିହାସ ଆମକୁ ଦେଖାଇ ସାରିଛି । ବଖତିୟାର ଖିଲଜିଙ୍କ ଦ୍ୱାରା ନାଳନ୍ଦା ବିଶ୍ୱବିଦ୍ୟାଳୟ ଉପରେ ଆକ୍ରମଣ, ଧର୍ମଗ୍ରନ୍ଥ ପୁସ୍ତକ ସଂଗ୍ରହାଳୟ ଜାଳି ପୋଡ଼ି ଛାରଖାର କରିଦେବା ଏହାର ଜ୍ଵଳନ୍ତ ଉଦାହରଣ । ପ୍ରାୟ ନବେ ଲକ୍ଷ ପୁସ୍ତକ ପାଉଁଶ ହେବାକୁ ତିନି ମାସ ଧରି ଜଳିଥିଲା । ଏଥିରୁ ଜଣାପଡ଼େ ଭାରତବର୍ଷ ନିଜର କେତେ ଅମୂଲ୍ୟ ରତ୍ନ ହରାଇଛି ।

ଗତ ଦୁଇ ବର୍ଷ ଧରି କରୋନା ମହାମାରୀ କବଳରୁ ଶିକ୍ଷା ବିଭାଗ ମଧ୍ୟ ସମ୍ପୂର୍ଣ୍ଣ ବର୍ତ୍ତି ପାରିନାହିଁ । ତା’ଠାରୁ ଆହୁରି କ୍ଷତିଗ୍ରସ୍ତ ଛାତ୍ରଛାତ୍ରୀଙ୍କ ମାନସିକତା । ଯଦିଓ ଅନେକ ବିକଳ୍ପ ପନ୍ଥା ଅବଲମ୍ବନ କରାଯାଇଛି, ତଥାପି ସମସ୍ତ ଛାତ୍ରଛାତ୍ରୀ ଉପକୃତ ହୋଇପାରିନାହାନ୍ତି । କାରଣ ବିକଳ୍ପ ପ୍ରମୁଖରେ ରୂପାନ୍ତରିତ ହେବାକୁ ଅନେକ ସମୟ ଲାଗିବ ।

ଅପରପକ୍ଷରେ ଦେଖିବାକୁ ଗଲେ ଯେବେ ଯେବେ କୌଣସି ସମାଜ ଉନ୍ନତି ଆଡ଼କୁ ଗତି କରିଛି, ସଭ୍ୟତାର ବିକାଶ ଘଟିଛି, ମୂଳଦୁଆ ସ୍ୱରୂପ ପ୍ରଥମେ ଜ୍ଞାନର ବିକାଶ ଘଟେ ।

“ରାଜନୀତି” କ୍ରମଶଃ ନୀତି ନୈତିକତା ହୀନ ହୋଇଆସୁଥିବା ସମୟରେ, ପ୍ରାୟତଃ ଶିକ୍ଷିତ ଯୁବପିଢ଼ି ରାଜନୀତିଠାରୁ ନିଜକୁ ଦୂରେଇ ରଖୁଥିବା ବେଳେ ଚଳିତ ବର୍ଷ ପଞ୍ଚାୟତ ନିର୍ବାଚନରେ ଅନେକ ଶିକ୍ଷିତ ବ୍ୟକ୍ତି ସେବାପରାୟଣ ହୋଇ ଆଗକୁ ଆସିବା ଏବଂ ବିଭିନ୍ନ ରାଜନୈତିକ ଦଳଙ୍କ ଦ୍ୱାରା ଚୟନ ହେବା ନିଶ୍ଚିତ ରୂପେ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ।

ମାଆ ବାଗ୍‌ଦେବୀ ସେମାନଙ୍କ କଣ୍ଠରେ ବିରାଜମାନ କରନ୍ତୁ । ନିଜର ଜ୍ଞାନ କୌଶଳ ବଳରେ ସେମାନେ ସମାଜର ବିଭିନ୍ନ ଦିଗରେ ଉନ୍ନତି ଏବଂ ସଂସ୍କାର ଆଣିବାରେ ସହାୟକ ହୁଅନ୍ତୁ ।

ଜୟ ଜଗନ୍ନାଥ !!!

– ପଲ୍ଲବୀ ପୂଜାପଣ୍ଡା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ପଲ୍ଲବୀ ପୂଜାପଣ୍ଡା ଜଣେ କ୍ଷୁଦ୍ରଗଳ୍ପ ଲେଖିକା, କବି, ଅଧ୍ୟାପିକା, ପାଠିକା । ତାଙ୍କ ରଚିତ କବିତା ପ୍ରାୟ ସବୁବେଳେ ଫେସବୁକରେ ସେ ଛାଡ଼ୁଥିଲେ, ମାତ୍ର ପରେ ପ୍ରଥମେ ଶୁଭପଲ୍ଲବ ଜରିଆରେ ପତ୍ରିକାରେ ପ୍ରକାଶ ପାଇବା ଆରମ୍ଭ କରିଥିଲା । ସେ ଶୁଭପଲ୍ଲବର ଅନେକ ଗଳ୍ପ, କବିତାକୁ ଅଡ଼ିଓ ଭାବରେ ରେକର୍ଡ଼ କରିଛନ୍ତି ।