You are currently viewing ✍ ଚତୁର୍ତ୍ରିଂଶ ସମ୍ପାଦକୀୟ
Editorial Page of Shubhapallaba 34th Edition

✍ ଚତୁର୍ତ୍ରିଂଶ ସମ୍ପାଦକୀୟ

ଚାହୁଁ ଚାହୁଁ ଆମ୍ଭେମାନେ ୨୦୨୨ରେ ! ଆଶ୍ଚର୍ଯ୍ୟ ଲାଗୁଚି ନା ! ଯଦିଓ ଏଥିରେ ଆଶ୍ଚର୍ଯ୍ୟ କିଛି ନାହିଁ । ସମୟ ତ ଏଇମିତି ନୌକାରେ ବସେଇ ସବୁ ଝଡ଼ ମଉଜ ବୁଲେଇ ଆଣି ବର୍ଷ ପରେ ବର୍ଷ ପାର କରେଇଦିଏ । ଆହୁରି ଅନେକ ଦେଖିବାକୁ ଏବେ ବି ଚର୍ମ ଚକ୍ଷୁ ସକ୍ଷମ, ସେଥିପାଇଁ ଈଶ୍ୱରଙ୍କ ନିକଟରେ ଆମେ ସମସ୍ତେ ଋଣୀ । ନୁହଁନ୍ତି କି? ଯାହା କିଛି ପାଇଲେ ବା ହରାଇଲେ ସେ ସବୁର ହିସାବ ନକରି କ’ଣ ଶିଖିଲେ ଏବଂ ଯାହା କିଛି ଶିଖିଲେ ଆଗାମୀ ଭବିଷ୍ୟତରେ ନିଜ ଜୀବନ ଶୈଳୀରେ ଏହାର ଉତ୍ତମ ପ୍ରୟୋଗ କିପରି କରିପାରିବା ସଂକ୍ଷେପରେ ଆଲୋଚନା କରିବା ।

ପ୍ରଥମତଃ, ପ୍ରତ୍ୟେକଟି କ୍ଷେତ୍ରରେ ପାଦ ବଢ଼େଇବା ଆଗରୁ ଯୋଜନା କରିବା । ଯୋଜନାଟି ଭଣ୍ଡୁର ହେବାର ସମ୍ଭାବନା ଥାଇପାରେ । ତେଣୁ ଏକ ସମୟରେ ଦୃଢ଼ ବିଶ୍ୱାସର ସହ ଯୋଜନାଟିର ଅନୁକୂଳ କରିବା ସହ ପ୍ରତିକୂଳ ପରିସ୍ଥିତି ଉପୁଜିଲେ ଏହାକୁ ସାମ୍ନା କରିବାର କ୍ଷମତା ନିଜ ଭିତରେ ସନ୍ତୁଳିତ ହୋଇ ରହିବା ଆବଶ୍ୟକ ।

ଦ୍ୱିତୀୟତଃ, ଖୁସି ଏବଂ ଶାନ୍ତି ମଧ୍ୟରେ ପାର୍ଥକ୍ୟ ବୁଝିବା । ଖୁସି କ୍ଷଣସ୍ଥାୟୀ । ସମୟାନୁଯାୟୀ ଖୁସିମାନେ ମୋଡ଼ ବଦଳେଇ ନିଅନ୍ତି । ଯେଉଁ ଖୁସି ପରବର୍ତ୍ତୀ ସମୟରେ ନିଜ ପାଖେ ନିଜକୁ ଅନୁତପ୍ତ କରାଏ ନାହିଁ ସେ ହେଉଛି “ଶାନ୍ତି” । ମନ ଏବଂ ବିବେକ; ଏ ଦୁଇଟି ଖର୍ଚ୍ଚ କରି ଉତ୍ତମରୁ ଅତି ଉତ୍ତମ ଚିଜଟି ନିଜ ପାଇଁ ଏବଂ ଆମ ପରିବେଶ ପାଇଁ ବାଛି ପାରିବା ।

ଯେମିତି ଆପଣମାନଙ୍କ ହୃଦୟ ବାଛି ନେଇଥିଲା ଶୁଭପଲ୍ଲବକୁ ୨୦୧୮ ମସିହାରେ ଏବଂ ଶୁଭପଲ୍ଲବ ଦ୍ୱାରା ପ୍ରସ୍ତୁତ କାହାଣୀ, କବିତା ଗୁଡ଼ିକର ଅଡ଼ିଓ ମଧ୍ୟ ବହୁ ସଂଖ୍ୟାରେ ଶ୍ରଦ୍ଧା ସାଉଁଟି ଥିଲା । ଯେଉଁମାନଙ୍କ ପ୍ରେରଣା ପାଇ ଶୁଭପଲ୍ଲବକୁ କରୋନା ଛୁଇଁନି । ପ୍ରିୟ ପାଠକମାନଙ୍କ ଭଲପାଇବାର ଭାକ୍ସିନ ଘେନି ସିଏ ଆସି ୨୦୨୨ରେ ପାଦ ଥାପିଲାଣି ।

ଶ୍ରୀ ସଂଗ୍ରାମ କେଶରୀ ସେନାପତି, ଶ୍ରୀଯୁକ୍ତ ସମ୍ବିତ ଦାଶଙ୍କ ଅବିରତ ଚେଷ୍ଟା, ଶ୍ରୀ ତାପସ ରଞ୍ଜନଙ୍କର ପୁଣିଥରେ ସମ୍ପାଦକୀୟ ପୃଷ୍ଠାକୁ ଲେଉଟାଣିର ଅପେକ୍ଷା ଏବଂ ଆପଣମାନଙ୍କର ଖଟାମିଠା, ରାଗ, ଲୁଣି କବିତା, କାହାଣୀ, ପ୍ରବନ୍ଧ ନେଇ ନବବର୍ଷ ଉପଲକ୍ଷେ ଭେଟି ଦେଉଛୁ ଶୁଭପଲ୍ଲବର ୩୪ଶ ସଂସ୍କରଣ ।

ଶୁଭପଲ୍ଲବ ପରିବାର ତରଫରୁ ସଭିଙ୍କୁ ନୂତନ ବର୍ଷର ହାର୍ଦ୍ଦିକ ଅଭିନନ୍ଦନ । ପ୍ରଭୁ ଜଗନ୍ନାଥଙ୍କ ନିକଟରେ ସଭିଙ୍କ ମଙ୍ଗଳ ମନାସି ମତାମତ ଅପେକ୍ଷାରେ ରହିଲୁ ।

ଜୟ ଜଗନ୍ନାଥ !

– ପଲ୍ଲବୀ ପୂଜାପଣ୍ଡା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ପଲ୍ଲବୀ ପୂଜାପଣ୍ଡା ଜଣେ କ୍ଷୁଦ୍ରଗଳ୍ପ ଲେଖିକା, କବି, ଅଧ୍ୟାପିକା, ପାଠିକା । ତାଙ୍କ ରଚିତ କବିତା ପ୍ରାୟ ସବୁବେଳେ ଫେସବୁକରେ ସେ ଛାଡ଼ୁଥିଲେ, ମାତ୍ର ପରେ ପ୍ରଥମେ ଶୁଭପଲ୍ଲବ ଜରିଆରେ ପତ୍ରିକାରେ ପ୍ରକାଶ ପାଇବା ଆରମ୍ଭ କରିଥିଲା । ସେ ଶୁଭପଲ୍ଲବର ଅନେକ ଗଳ୍ପ, କବିତାକୁ ଅଡ଼ିଓ ଭାବରେ ରେକର୍ଡ଼ କରିଛନ୍ତି ।