ମେଘକୁ ମାଗିଲି ଶ୍ରାବଣ
ହେଲେ, ସେ ଲୁହ ଦେଇଗଲା
ଫୁଲକୁ ମାଗିଲି ଫଗୁଣ
ହେଲେ, ସେ କଣ୍ଟା ଦେଇଗଲା ।
ପାଣିକୁ ମାଗିଲି ଶୋଷ ଟିକେ
ସେ ବିଷ ହେଇଗଲା
ହୃଦୟରେ ଖୋଜିଲି ହସଟିକେ
ସେ ରାଗି ଚାଲିଗଲା ।
ରାତିକୁ ମାଗିଲି ତାତି
ସେ ଶୀତ ଆଣିଦେଲା
ପୁନେଇଁ ଚାହିଁଲି ଜହ୍ନଠୁଁ
ତାକୁ ମେଘ ଢାଙ୍କିଦେଲା ।
ତୂଳୀରୁ ତୋଳିଲି ରଙ୍ଗ
ଧେତ୍ ! ସେ ଫିକା ପଡ଼ିଗଲା
ପ୍ରିୟାକୁ ମାଗିଲି ପ୍ରେମ
ସେ ଧୋକା ଦେଇଗଲା ।
ଭାବିଥିଲି,
କାହାକୁ ଆଉ ମାଗିବିନି କିଛି
ହେଲେ, ସମୟ ଋଣ ଦେଇଗଲା
ଯେବେ ମାଗିଲି ଆଉଟିକେ ଆୟୂଷ
ଜୀବନ ମୋ ଘୁଣ ଖାଇଗଲା ।
– ବିଜୟ ଅନ୍ଦାଜ୍