ଶରତ

Sharata

ବର୍ଷାର ଗଜଲ ଶୁଣି ଶୁଣି
ଅନ୍ୟ ମନସ୍କ ଭାବେ
ଧରଣୀକୁ ପଶିଆସେ ଶରତ,
ଖଣ୍ଡ ଖଣ୍ଡ ଧଳାମେଘ କାଗଜ ଫର୍ଦ୍ଦରେ
କାଶତଣ୍ଡି ତୂଳୀକାରେ
ଲେଖିଯାଏ ଅବୁଝା ସଙ୍ଗୀତ ଅନେକ ଅନେକ ।

ଜଳ ସ୍ଥଳ ଆକାଶରେ
ଭରିଦିଏ ଶୁଭ୍ରତାର ବିମଳ ଝଲକ
ଭଲ ପାଇବାର ଯେତେ ଆକର୍ଷଣ ଉଷ୍ମପ୍ରସ୍ରବଣ
ଛୁଇଁ ଛୁଇଁ ଯାଏ ସବୁ ହୃଦୟ ମୂଲକ ।
ଭୁଲି କେବେ ହୁଏ ନାହିଁ
ଶରତର ବିମଳ ରଜନୀ
ମାୟା ମୋହ ଆଲେଖ୍ୟର
ଋଦ୍ଧିମନ୍ତ ଚାରୁ ଶୋଭାରାଶି,
ଅଟେ ଯାହା ମଧୁମୟ, ପ୍ରେମମୟ
ଆଉ ସ୍ମୃତିମୟ
ଝୁରିହୁଏ ଯାହା ପାଇଁ କଳ୍ପନା ବିଳାସୀ ।

ବିନ୍ଦୁ ବିନ୍ଦୁ ଶିଶିର ଟୋପାରେ
ତା’ ପ୍ରେମର ଆର୍ଦ୍ରତାରେ
ଧୋଇଦିଏ ମଳିନତା ଅକୁଣ୍ଠ ଚିତ୍ତରେ,
ଆଶା ଆଉ ଉନ୍ମେଷାର ଚାରା ରୋପଣ
କରୁଥାଏ ମନ ବଗିଚାରେ ।

ବସନ୍ତ କୁମାର ପ୍ରଧାନ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...