ଯଦି
ଯଦି

ଯଦି

ଯଦି
କ୍ରୋଧର ଅନଳରେ ଜଳିନଥାନ୍ତି ସେଦିନ
ହୁଏତ ଏ ଜୀବନେ ଆଜିବି ଥାଆନ୍ତା ଅସ୍ତିତ୍ୱ ତୁମର
ନା ପ୍ରତି ମୁହୂର୍ତ୍ତରେ ଝୁରୁଥାନ୍ତା ଅଧିର ଏ ମନ
ନା ଅବଶୋଷ କରୁଥାନ୍ତା ଚିର ଅପୂର୍ଣ୍ଣ ମୋ ସ୍ୱପ୍ନ ।

ଯଦି
ପ୍ରାପ୍ତିର ଅଭୀପ୍ସାରେ ଲଙ୍ଘିନଥାନ୍ତି ଲକ୍ଷ୍ମଣ ରେଖା
ବିବ୍ରତ ହେଉନଥାନ୍ତା ହୃଦୟ ପାଇବାକୁ ଶୀତଳ ସ୍ପର୍ଶ
ମୃଗପ୍ରାୟ ଇତସ୍ତତଃ ଧାଇଁ ହୋଇନଥାନ୍ତି ମତ୍ତ
ପାଇବାକୁ ସ୍ୱଶରୀରେ ସ୍ଥିତ କସ୍ତୁରୀ ରହସ୍ୟ ।

ଯଦି
ଚାନ୍ଦିନୀ ରାତିର ଉନ୍ମାଦରେ ରଚିନଥାନ୍ତି ଧ୍ୱଂସର ଜୁଆର
ସୃଷ୍ଟିର ଭଟ୍ଟାରେ ଆଜି କରୁନଥାନ୍ତି ନିଃଶବ୍ଦ ଚିତ୍କାର
ଆତ୍ମସମ୍ମାନ ସମର୍ପି ତ୍ୟାଗକରି ପରାଜୟର ସଂଶୟ
ଶବ୍ଦସହ ନ ଖେଳି ହାରିଥିଲେ ପାଇଥାନ୍ତି ପ୍ରକୃତ ବିଜୟ ।

ଯଦି
ସୁପ୍ତ ଏଇ ମନକୁ କରିଥାନ୍ତ ଜାଗ୍ରତ
ଚିରାଗ୍ରଗାମୀ ହୋଇଥାନ୍ତା ଆମ ପ୍ରେମ ସ୍ରୋତ
ସଂସାର ଗଢ଼ିବା ହୋଇଥାନ୍ତା ଜୀବନର ବ୍ରତ
ମଧୁର ସମ୍ପର୍କ କେବେ ହୋଇନଥାନ୍ତା ତିକ୍ତ ।

ଯଦି
ପୂଜିଥାନ୍ତି ପ୍ରେମଭାବି ପ୍ରଭୁ ଉପହାର
ସହୁନଥାନ୍ତା ତନୁ ମନ ଘୃଣାର ପ୍ରହାର
ରଜନୀଗନ୍ଧାରେ ସାଜୁଥାନ୍ତା ପ୍ରୀତିର ପଲଙ୍କ
ଆଘାତ କରୁନଥାନ୍ତା ସଦା ସ୍ମୃତିର କଣ୍ଟକ ।

ଯଦି
ନୈରାଶ୍ୟର ଅନ୍ଧକାର ଭେଦି ଜାଳିଥାନ୍ତି ଆଶାର ଆଲୋକ
ଅଭିଶପ୍ତା ନୟନରୁ ଝରୁଥାନ୍ତା ଖୁସିର ଲୋତକ
ତୁମେ ଓ ମୁଁ ଭିନ୍ନ ନୋହି ହୋଇଥାନ୍ତେ ଏକ
ବୁକୁର ଗଙ୍ଗାରେ ଖେଳୁଥାନ୍ତା ପବିତ୍ର ସନ୍ତକ ।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

Leave a Reply

Close Menu