ମହ ମହ ଶବ୍ଦ ବାସ୍ନାରେ
ଶବ୍ଦମାନେ ବେଳେ ବେଳେ
ଚତୁର୍ଦ୍ଦିଗରୁ ଘେରି ଯାଆନ୍ତି ମୋତେ
ଚରିଯାଆନ୍ତି ବାଉଁଶଟେ ଭାବି
ଭେଦି ଯାଆନ୍ତି ଶିରା ପ୍ରଶିରାକୁ
ଖାଇଯା’ନ୍ତି ମୋର ମାଂସରୁ ହାଡ଼ଯାଏଁ ।
ମୁଁ ଶବ୍ଦଗ୍ରସ୍ତ ହେଲାପରେ
ଅନୁଭବ କରେ ଅମୃତ ଅମୃତ
ଭିଯିଯାଏ ପୁଣ୍ୟର ବର୍ଷାରେ
ଲାଗେ ମୋତେ ଦିନରାତି ମାହାର୍ଗ ମୁହୂର୍ତ୍ତ
ଗଙ୍ଗାସ୍ନାନ ସମ ଲାଗେ ହାଲ୍କା ।
କାମ, କ୍ରୋଧ, ମୋହ, ମୟା
ଘୁଞ୍ଚିଯାଆନ୍ତି କୋଶେବାଟ
ଦେଖାଯାଏ ପରିଷ୍କାର
ହସଠାରୁ ଲୁହର ଦୂରତା
ଆଲୋକଠାରୁ ଅନ୍ଧାର ଦୂରତା
ଶରୀରଠାରୁ ଆତ୍ମାର ଦୂରତା
ଭକ୍ତିଠାରୁ ଇଶ୍ଵର ଦୂରତା ।
ବନ୍ଧନର ଶିକୁଳି ଛିଣ୍ଡି ହୁଏ ଖଣ୍ଡ ଖଣ୍ଡ
ମୁଁ ଏବେ ମୁକ୍ତି ମାର୍ଗର ବାଟୋଇ
ଦିଶିଲାଣି ସ୍ୱର୍ଗ ଦ୍ଵାର
ଶବ୍ଦ ସ୍ୱର ସୁଭିଲାଣି ନିକଟ ନିକଟ
ଉଠାଅନା ଆଉ
ମିଶିବାକୁ ଦିଅ ମୋତେ ମାଟିରେ
ଲଭିବାକୁ ଦିଅ ମୋତେ
ଅପେକ୍ଷାର ମହେନ୍ଦ୍ର ବେଳାକୁ ।
– ତପନ ସାହୁ
Comments
ତପନ କୁମାର ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରିଥାନ୍ତି । ତାଙ୍କ ରଚିତି କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇଥାଏ ।