ଶେଷ କଥା

sesha-katha

କିଏ ଜାଣିଛି
ଆଉ ଥରେ ଆସିବା, ହେବ ଅବା ନାହିଁ?
ଯଦି ବି ଫେରିଆସେ,
କିଏ ଜାଣିଛି, କେଉଁଠି, କେମିତି,
କି ଭାବେ ଆସିବି?
ତୁମ ସହ ଆଉଥରେ ଦେଖାହେବ ଅବା ନାହିଁ?
ସେଥି ପାଇଁ କହୁଛି,
ଯାହା ଦବା ନବା କଥା
ଏଇ ଥରରେ ସାରି ଦିଅ,
ଯାହା କହିବା ଶୁଣିବା କଥା
ଶୁଣି ଯାଅ ଆଉ ଶୁଣେଇ ଯାଅ,
ଆଉ ଥରେ ମଉକା ମିଳିବ କି ନାହିଁ ।

ଯିବାଟା ତ ସୁନିଶ୍ଚିତ,
ପୁଣି ଆସିବା ବି ନିଶ୍ଚିନ୍ତ,
ଏଇଠି ଏମିତି ଯିବା ଆସିବା ତ ଲାଗି ରହିଥିବ ।
ହେଲେ, ଗଲା ଥରକଥା
ସବୁ କିଛି ବିସ୍ମୃତିରେ ହଜିଯିବ ।
ଆସନ୍ତା ପାଳିରେ, ନା’ ମୁଁ, ମୁଁ ଥିବି,
ନା’ ତୁମେ, ତୁମେ ଥିବ ।
ସବୁ କିଛି ବଦଳିଯିବ,
ନାଆଁ, ଗାଆଁ, ଠିକଣା,
ଭାଷା, ଭାବ, ଲିଙ୍ଗ ଓ ଚରିତ୍ର ।
ଏଇ ମେଳାରେ ଭେଟ ହେବାର,
ମଉକା ମିଳି ଯାଇପାରେ,
ହେଲେ କ’ଣ ହେବ,
ପୁଣି ଥରେ ଚିହ୍ନା ହେବା ପାଇଁ
ସବୁ କିଛି ମୂଳରୁ ଆରମ୍ଭ କରିବାକୁ ହେବ ।

ମୁଁ ଗଲା ପରେ, ହୁଏତ କାନ୍ଦିବ
ମୋର ଗୁଣ ଗାନ କରିବ,
ମୋତେ କେତେ ଭଲ ପାଅ,
କି ଘୃଣା କର, କହି ହେବ ।
ହେଲେ ଆଜି କାହିଁକି ପାରୁନ କହି,
ତୁମ ଭଲ ପାଇବାର କଥା?
ଆଜି କାହିଁକି ଦେଉନ କହି,
ମୋତେ ନାପସନ୍ଦ କରିବାର କଥା?
କହି ଦେଲେ, ହୁଏତ
ମୁଁ ବଦଳିବାର ଚେଷ୍ଟା ତ କରନ୍ତି,
ତୁମର ଭଲ ପାଇବା ନହେଲେ ନାଇ,
ତୁମର ଘୃଣା ତ ପାଆନ୍ତିନି !

କିଛି ଦିନ, ମାସ, ବର୍ଷର,
ଏ ସମ୍ପର୍କ,ଏଇ ଚିହ୍ନା ଜଣା,
କିଛି ଖଟା ମିଠା ଅନୁଭୂତି
କେତେ ରାଗ ରୁଷା, ମାନ, ଅଭିମାନ,
ରଙ୍ଗମଞ୍ଚର ଅଭିନୟ ପରି ଲାଗେ ।
ସତ ଏଠି ସତ ନୁହେଁ,
ମିଛ ମାୟା କହି,
ହସରେ ଉଡାଇ ଦିଅନ୍ତି ସଭିଁଏ,
ତାହେଲେ, ସତ ପୁଣି କ’ଣ?
ଏଇ ସମ୍ପର୍କ, ଏଇ ବନ୍ଧନ ଏଇ ମମତା
ଏଇ ଇର୍ଷା, ଘୃଣା ଏସବୁର ମାନେ ପୁଣି କ’ଣ ?
କିଏ ଜାଣିଛି, କିଏ ଆଗ
କିଏ ଯିବ ପଛେ ପଛେ,
ଯିବା ତ ସମସ୍ତେ,
ହେଲେ, ଚେଷ୍ଟା ରହିବ
କିଛି ସ୍ମୃତି ଦେଇଯିବା ପାଇଁ,
ଦେହ ସିନା ରହିବନି,ହେଲେ
ନାଆଁ ରହିଯିବ ଦୁନିଆ ବୁକୁରେ,
କଥାରେ କଥାରେ କେହି କେବେ କହିଦେବ ନାଆଁ
କିଛି ମିଠା ମିଠା ସ୍ମୃତିର ସାଥିରେ ।

ବିନୟ ମହାପାତ୍ର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...