ଏକାନ୍ତରେ ବସି ଅତୀତରେ ଭାସି
ସାଉଁଣ୍ଟୁଥିଲି ମୋ ସ୍ମୃତି
ଚଗଲା ପବନ ଚହଲେଇ ମନ
ଥରହର କଲା ଛାତି
କେତେ ବାଲିଘର ମିଶି ତୋଳୁଥିଲୁ
ହାତରେ ହାତକୁ ଛନ୍ଦି
ବାଲିଘର କି ସୌଦାଗର ଯିଏ
ହୃଦୟକୁ କଲା ବନ୍ଦୀ
ମୁଁ ଆଜି ତୋଳେ ବାଲିଘର ଏକା
ବିରହିଣୀଟିଏ ସାଜି
ମିଛ ପ୍ରତିଶୃତି ଶୁଣି ମୁଁ କାହିଁ
ଭାବେ ହୋଇଥିଲି ରାଜି
ତୁମେ ଗଢ଼ିଥିବ ସୁନାର ସଂସାର
କାହାକୁ ବାଛି ଜୀବନେ
ସ୍ପନ୍ଦନ ଥିଲି ମୁଁ ତୁମ ହୃଦୟର
କେବେ ଅବା କେଉଁ ଦିନେ
ମୁଁ ଆଜି ସତେ ତୁମ ପାଇଁକି ଜଣେ
ପାନ୍ଥଶାଳାର ପଥିକ
ଚାତକ ସାଜି ମୁଁ ଚାହିଁ ବସିଅଛି
କିଏ ହେବ ମୋ ନାୟକ?
– ଦେବବ୍ରତ ଦାଶ