ସେତେବେଳକୁ ବର୍ଷା ପ୍ରାୟ ଛାଡ଼ି ଆସିଥାଏ ।
ଜେଜେଙ୍କୁ ନେଇ ପାର୍କ ବାହାରିଲି, ପାର୍କରେ ପହଞ୍ଚି ଦେଖିଲି ସେହି ଭଦ୍ର ମହିଳାଙ୍କୁ ଯିଏ ଆମ କଲୋନିକୁ ଏବେ ନୂଆ କରି ଆସିଛନ୍ତି ।
– ସେ ଦାଶ ବାବୁଙ୍କ ବୋହୂ ନା?
– “କ’ଣ କହିଲେକି ଜେଜେ?” ଅନ୍ୟମନସ୍କ ଥିବାରୁ ପଚାରିଲି ।
– ନାଇଁ, କହୁଥିଲି କି ସେ ଦାଶ ବାବୁଙ୍କ ବୋହୂ ବୋଧେ? ଦେଖୁନୁ କେତେ ସଂସ୍କାରୀ ଲାଗୁଛି, ତା’ର ହାବଭାବ ଚାଲିଚଳଣୀ ପୁରା ଓଡ଼ିଆଣୀ । ମଥାରେ ବଡ଼ ବିନ୍ଦି, ମୁଣ୍ଡରେ ଓଢ଼ଣୀ, ହାତରେ ନାଲି ଚୁଡ଼ି, ଗୋଟିଏ ଚାଉଳରେ ଗଢ଼ା । ଶ୍ରୀମତି ଦାଶ ଯେମିତି ସଂସ୍କାରି, ତାଙ୍କ ବୋହୂ ବି ସେମିତି, ଯାହା ହେଲେବି ହିନ୍ଦୁ ଘରର ବୋହୂ ପରା ।
ସେତବେଳକୁ ପୁଣି ଝିପ ଝିପ ବର୍ଷା ଆରମ୍ଭ ହୋଇଯାଇଥାଏ ।
– ଜେଜେ ଯିବା?
– ହଁ ମାଆ ଚାଲେ ।
ଫେରିଲା ବେଳକୁ ସେଇ କଥା ହିଁ ଭାବୁଥାଏ । ଶାଢ଼ୀ ପିନ୍ଧିବା, ବଡ଼ ବିନ୍ଦି ଲଗେଇବା କ’ଣ ଖାଲି ହିନ୍ଦୁ ନାରୀମାନେ ଖାଲି ମାନୁଛନ୍ତି? ଶାଢ଼ୀ ନ ପିନ୍ଧିଲେ ବି କ’ଣ ଅଧିକ ହେଇଯିବ? ହିନ୍ଦୁ ଦେବାଦେବୀ କ’ଣ ଶାଢ଼ୀ ନ ପିନ୍ଧିଲେ ତାଙ୍କ ପ୍ରାର୍ଥନା ଗ୍ରହଣ କରିବେନି ନା ଲୋକ ଲୋକେ ହିନ୍ଦୁ ବୋଲି ଗ୍ରହଣ କରିବେନି? କିନ୍ତୁ ଏ ସବୁ କଥା ଜେଜେଙ୍କୁ ବୁଝାଇବା ସହଜ ନଥିଲା । କେମିତି ଅବା କହିଥାନ୍ତି ଜେଜେଙ୍କୁ ସେ ମିଷ୍ଟର ଦାଶଙ୍କ ବୋହୁ ନୁହେଁ ବରଂ ମିଷ୍ଟର ଡିକ୍ରୁଜ୍ଙ୍କ ପତ୍ନୀ ବୋଲି । ହୋଇପାରେ ବର୍ଷା ଯୋଗୁଁ ମୁଣ୍ଡରେ ଓଢ଼ଣି ଦେଇଥିବେ ।
– ଅର୍ପିତା ମହେଶ୍ୱରୀ ସିଂହ
Comments
ଅର୍ପିତା ମହେଶ୍ୱରୀ ସିଂହ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରିଥାନ୍ତି । ତାଙ୍କ ରଚିତ ଅନେକ ଗପ, କବିତା ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇଛି ।