ସାମାଜିକ ପ୍ରାଣୀ

Odia Story Samajika Prani (ସାମାଜିକ ପ୍ରାଣୀ) by Ghanashyam Palei

ସକାଳର ସୁନେଲି ସୂର୍ଯ୍ୟକିରଣରେ ବିଛେଇ ହେଇ ପଡ଼ିଥିବା ପୃଥିବୀଟା ଯେ ଦିନବେଳା ହଠାତ୍ ଘୂର୍ଣ୍ଣିଝଡ଼ର ଶୀକାର ହେବ, କଳା ହାଣ୍ଡିଆ ମେଘ ଢାଙ୍କି ଦେବ, ସୂର୍ଯ୍ୟଙ୍କ କିରଣରୁ ବଞ୍ଚିତ ହେବ, ଏକଥା କିଏ ଜାଣି ଥିଲା । ଯିମିତି ଆଦର୍ଶର ପରିବାକୁ ଆସିଥିଲା ଅଦିନରେ ଘୂର୍ଣ୍ଣଝଡ଼ । ତାଣ୍ଡବ ରଚିଗଲା କିଛି କ୍ଷଣରେ । ରୋଡ଼ ଆକ୍ସିଡ଼େଣ୍ଟରେ ବାପା-ମାଆ ଦିହେଁ ଚାଲିଗଲେ ଅଫେରନ୍ତା ରାଇଜକୁ । ଚାରିଆଡ଼େ ଅନ୍ଧାର ଦିଶୁଥାଏ ଆଦର୍ଶକୁ । ନା ନିଜେ ନିଜ ଗୋଡ଼ରେ ଛିଡ଼ା ହେଇପାରିଚି ଏଯାଏଁ । ଏବର୍ଷକୁ ଗ୍ରାଜୁଏସନଟା ସାରିଚି ସତ । ସାନ ଭାଇର ପୁଣି ଇଞ୍ଜିନିୟରଂ ଆଡ଼ମିସନ୍ । ମୁଣ୍ଡ କ’ଣ ହେଇ ଯାଉଥାଏ ଆଦର୍ଶର ।

ସବୁ ସମସ୍ୟାର ବୋଧେ ସମାଧାନ ଥାଏ । ଆଦର୍ଶ ପାଇଲା ବାପାଙ୍କ ଚାକିରୀ ଅନୁକମ୍ପାରେ । ସାନ ଭାଇକୁ ପଢ଼େଇଲା ପାଠ । ହେଲେ ନିୟତିର ଏ କି କରୁଣ ଦୃଶ୍ୟ? ସାନ ଭାଇର ମୁଣ୍ଡ ଖରାପ ହେବାରେ ଲାଗିଲା । ସମ୍ପୂର୍ଣ୍ଣ ମାନସିକ ରୋଗୀ ପାଲଟିଗଲା ବର୍ଷ ଗୋଟାକରେ । ପହଞ୍ଚିଲା ରାଞ୍ଚିରେ ସାନ ଭାଇକୁ ନେଇ । ଏଠି ବଡ଼ ବଡ଼ ମାନସିକ ରୋଗୀକୁ ଠିକ୍ କରାଯାଏ । ସାନଭାଇ ତା’ର ନିଶ୍ଚେ ଠିକ୍ ହେବ ଏ ବିଶ୍ୱାସ ଥାଏ ଆଦର୍ଶର ।

ଡାକ୍ତରଙ୍କ ଚାମ୍ବରକୁ ପଶିଲେ ଦି’ ଭାଇ । ଡାକ୍ତରଙ୍କୁ ଆଦର୍ଶ କିଛି କହିବା ଆଗରୁ ସାନ ଭାଇ କହିଲା, “ବଡ଼ଭାଇ ମୋର ପାଗଳ ହେଇ ଯାଇଚି, ସାର୍ ଟିକିଏ ଭଲ କି ଟ୍ରିଟ୍‌ମେଣ୍ଟ କରିବେ ।”
ଆଦର୍ଶ: ନାଇଁ ନାଇଁ ସାର୍ ! ମୁଁ ନୁହେଁ ମୋ ସାନ ଭାଇର ମୁଣ୍ଡ ଖରାପ । ସେ ପାଗଳ । ତାକୁ ଭଲ କି ଟ୍ରିଟ୍‌ମେଣ୍ଟ କରନ୍ତୁ ସାର୍ ।

ଇଏ କହୁଥାଏ ସିଏ ପାଗଳ, ସିଏ କହୁଥାଏ ଇଏ ପାଗଳ । ଡାକ୍ତରଙ୍କ ମଥା ଘୂରିଯାଉଥାଏ ।

ଡାକ୍ତର କହିଲେ, “ହଉ ହେଲା ! ତମେ ଦିହେଁ କେହି ପାଗଳ ନୁହେଁ । ଅସଲ ପାଗଳ ତ ମୁଁ । ଏବେ ତୁମେ ଯାଅ । ଆଉ କେବେ ଆସିଲେ ଏକା ନୁହଁ ସାଥିରେ କାହାକୁ ଆଣିବ । ଜଣା ପଡ଼ିବ କିଏ ରୋଗୀ !”

ଆଦର୍ଶ ଅନୁଭବିଲା, ସବୁ କାମ ଏକା ଏକା କରି ହୁଏନି, ସେଇଥି ପାଇଁ ତ ଗଢ଼ା ସମାଜ । ବେଳେବେଳେ ଆବଶ୍ୟକତା ଅଛି ସମାଜର । ତେଣୁ ତ ମଣିଷ ଏକ ସାମାଜିକ ପ୍ରାଣୀ ।

– ଘନଶ୍ୟାମ ପଲେଇ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...