ଅନେକ ବର୍ଷ ହେଲା ରାମାୟଣ ପଢ଼ି ନଥିଲି… ଆଗରୁ ମାମୁଁ ଘରେ ରାମନବମୀ ସମୟରେ ରାମାୟଣ ପଢ଼ୁଥିଲି । ୨୦୦୮ରେ ମୋର ଏକ୍ସିଡ଼େଣ୍ଟ ପରେ ଆଉ ତଳେ ବସିବାରେ ଅସୁବିଧା ଯୋଗୁଁ ରାମାୟଣ ପଢ଼ିବା ମୋ ପକ୍ଷରେ ସମ୍ଭବ ହେଇନଥିଲା । ଏ ବର୍ଷ ଏଇ ଲକଡ଼ାଉନ୍ ସମୟରେ ପୁଣିଥରେ ରାମାୟଣ ପଢ଼ିବାକୁ ଇଚ୍ଛା ହେଲା… ଆରମ୍ଭ କଲି… ଅବଶ୍ୟ ଏବେ ତଳେ ବସି କରି ନୁହେଁ… ବରଂ ଖଟରେ ଶୋଇ ଶୋଇ । ତୁଳସୀ ଦାସଙ୍କ ରାମାୟଣ ନୁହେଁ ବାଲ୍ମୀକିଙ୍କ ସଂସ୍କୃତ ରାମାୟଣ ।
ପଢ଼ିବା ସମୟରେ ମତେ ଗୋଟିଏ ସ୍ଥାନରେ ବାରମ୍ବାର କେମିତି ଅଖାଡ଼ୁଆ ଲାଗିଲା… ବାରମ୍ବାର ତାକୁ ପଢ଼ିଚାଲିଲି… ଯାହା ଅନୁଭବ କଲି ତାକୁ ହିଁ ଲେଖିଦେବାକୁ ଇଚ୍ଛା ହେଲା… ଆପଣଙ୍କୁ କେମିତି ଲାଗିବ ମୁଁ ଜାଣେନା… ଯଦି କିଛି ଭୁଲ୍ ଥାଏ, ତେବେ ତାହା ଆଲୋଚନାର ବିଷୟବସ୍ତୁ ହେଇପାରେ… ଆଶା ପଢ଼ିସାରି ହିଁ ମତାମତ ଦେବେ ।
ରାବଣର ଶରୀର ମରି ସାରିଥିଲା… ସମସ୍ତ ଲଙ୍କା ନଗରୀ ସ୍ତବ୍ଧ ଓ ସମ୍ପୂର୍ଣ୍ଣ ନୀରବତାରେ ଭରି ଯାଇଥିଲା ସୁବର୍ଣ୍ଣ ଲଙ୍କାର ସେଇ ବିଶାଳ ରାଜବାଟିକା । କେଉଁଠି କୈାଣସି ଉତ୍ସାହ ନଥିଲା, କେଉଁଠି ମଧ୍ୟ ଜନତା ନିଜ ଘରରେ ଦୀପଟିଏ ଜାଳି ନଥିଲେ… କେବଳ ବିଭିଷଣ ଓ ମନ୍ଦୋଦରୀର ମହଲକୁ ଛାଡ଼ି । ଦୁହିଁଙ୍କ ବିବାହ ଯେ ହେବାର ଥିଲା ।
ସାଗର କୂଳରେ ବ୍ରହ୍ମାଣ୍ଡ ବିଜୟୀ ରାବଣକୁ ପରାସ୍ତ କଲା ପରେ ମଧ୍ୟ ଚିନ୍ତା ଓ ଅଜଣା ଆଶଙ୍କା ମଧ୍ୟରେ ତ୍ରସ୍ତ ଶ୍ରୀ ରାମ । ଯଦିଓ ସେ ଲଙ୍କାର ରାଜ୍ୟଭାର ବିଭିଷଣକୁ ଦେଇ ସାରିଛନ୍ତି କିନ୍ତୁ ରାଜ୍ୟାଭିଷେକ ଏ ପର୍ଯ୍ୟନ୍ତ ହୋଇନାହିଁ । ବାରମ୍ବାର ଲକ୍ଷ୍ମଣଙ୍କୁ ପଚାରି ଚାଲିଛନ୍ତି ଆପଣାର ସହଯୋଗୀ ଆଉ ଅନୁଚରମାନଙ୍କ କୁଶଳତା ବାବଦରେ… ତାଙ୍କ ଚରଣ ସେବାରେ ହନୁମାନ ମଧ୍ୟ ବିରାଜମାନ ।
ଯଦିଓ ଶ୍ରୀରାମଙ୍କ ଆଜ୍ଞାଧିନ ଲକ୍ଷ୍ମଣଙ୍କ ମନରେ ଅନେକ ପ୍ରଶ୍ନ । ଏବେ ତ ରାବଣର ଅନ୍ତ ହେଇସାରିଛି… ତେବେ କାହିଁକି ରାମଚନ୍ଦ୍ର ମାତା ସୀତାଙ୍କୁ ଅଶୋକ ବାଟିକାରୁ ଆଣୁନାହାନ୍ତି? କାହିଁକି ସେ ମାତା ସୀତାଙ୍କ ପ୍ରତି ଏତେ ନିର୍ଦ୍ଦୟ? କିନ୍ତୁ କିଛି କହିବାର ସାହାସ ତାଙ୍କର ନାହିଁ ।
ଧୀରେ ଧୀରେ ସବୁ କାର୍ଯ୍ୟ ସୁରୁଖୁରୁରେ ସମାପନ ହେଇଗଲା… ବିଭିଷଣର ରାଜ୍ୟାଭିଷେକ ସାଥିରେ ମନ୍ଦୋଦରୀ ସହିତ ତାଙ୍କର ଶୁଭ ବିବାହ ମଧ୍ୟ । ରାଜା ରାଣୀ ଭାବରେ ସେମାନେ ଲଙ୍କା ରାଜ୍ୟରେ ପୁଣି ଅଭିଷିକ୍ତ । ଶ୍ରୀ ରାମ ବିଭିଷଣଙ୍କ ନିମନ୍ତ୍ରଣ କ୍ରମେ ପ୍ରବେଶ କରନ୍ତି ଲଙ୍କାପୁରୀରେ ଆଉ ରାଜବାଟୀର ଏକ ମହଲରେ ଆସ୍ଥାନ ଜମେଇ ହନୁମାନଙ୍କୁ ପଠେଇଲେ ଅଶୋକ ବାଟିକା ମାତା ସୀତାଙ୍କ ପାଖକୁ ଏହି ସମାଚାର ଦେବାକୁ ଯେ… ରାବଣର ମୃତ୍ୟୁ ହେଇଯାଇଛି ଆଉ ଏବେ ଲଙ୍କାର ଅଧିପତି ହେଉଛନ୍ତି ବିଭିଷଣ…
ମାତା ସୀତା ଏ ସବୁ ଶୁଣିଲା ପରେ ସମ୍ପୂର୍ଣ୍ଣ ଭାବରେ ନୀରବ ଓ ଦୁଃଖିତ… ତାଙ୍କ ଜିଜ୍ଞାସୁ ଆଖି ଦୁଇଟି ଖୋଜି ବୁଲୁଥାଏ ତାଙ୍କର ସେଇ ପ୍ରାଣପ୍ରୀୟଙ୍କ ଆସିବା ବାଟକୁ… କିନ୍ତୁ ସେ ଭୁଲି ଯାଇଥିଲେ ଲଙ୍କାଧିପତି ରାବଣକୁ ବଧ କଲା ପରେ ବନବାସୀ ରାମ ପାଲଟି ଯାଇଛନ୍ତି ସମ୍ରାଟ! ଲଙ୍କାରେ ଥାଇ ମଧ୍ୟ ସେ ନିଜେ ନ ଆସି ପଠେଇଛନ୍ତି ନିଜର ଦୂତକୁ… ତାଙ୍କ ମନରେ କ’ଣ କିଛି ଉତ୍କଣ୍ଠା ନାହିଁ କି ସେ ଭୁଲି ଯାଇଛନ୍ତି ଯେ ତାଙ୍କର ଅର୍ଦ୍ଧାଙ୍ଗିନୀ ଯାହାକୁ ସପ୍ତ ଶପଥ ଗ୍ରହଣ କରି ବରି ଆଣିଥିଲେ ସମସ୍ତ ସୁଖ ଦୁଃଖରେ ଛାୟା ଭଳି ରହିବାର ଦ୍ୱାହୀ ନେଇ… ଯେ ସୀତେ ବିଗତ ଏକ ବର୍ଷ ହେଲା କେମିତି ଅଛନ୍ତି ଓ କେଉଁଠି ଥିଲେ? ନୟନରୁ ବହି ଯାଉଛି ଅଶ୍ରୁର ଧାର… ଯାହାକୁ ବୁଝିବାରେ ଅସମର୍ଥ ହନୁମାନ… ସେ ଅଶ୍ରୁଳ ଗାଥା ମଧ୍ୟ ଅବୁଝା ରହିଗଲା ଆଦି କବିଙ୍କ ଲେଖନୀରେ…
ସୀତାଙ୍କ ମନରେ କେବଳ ଏତିକି ଥିଲା… ଆଜି ସୀତାକାନ୍ତ ଯଦି ଏଠିକୁ ଆସିଥିଲେ ପରିଚୟ କରାଇଥାନ୍ତେ ସେଇ ପରିଚାରିକାମାନଙ୍କ ସହିତ… ଯେଉଁମାନେ ରାଜାଜ୍ଞା ପାଇଁ ତାଙ୍କୁ ଭୟଭୀତ କରାଉଥିଲେ ମଧ୍ୟ ତାଙ୍କୁ ସ୍ତ୍ରୀର ପୂର୍ଣ୍ଣ ଗାରିମା ପ୍ରଦାନ କରିଥିଲେ ଯଦିଓ ସେମାନେ ପ୍ରତ୍ୟେକେ ଥିଲେ ରାବଣର ଅନୁଚିରୀକା କିନ୍ତୁ ସୀତାଙ୍କ ପାଇଁ ମାତୃ ତୂଲ୍ୟ । ଶ୍ରୀରାମ ଆସିଥିଲେ ଦେଖେଇଥାନ୍ତେ ସେଇ ଅଶୋକ ବୃକ୍ଷକୁ ପରିଚୟ କରାଇଥାନ୍ତେ ସେଇ ମାଧବୀ ଲତା ସହିତ… ଯେଉଁମାନେ ତାଙ୍କର ଲୁହ, କୋହ ଓ ମନର ବେଦନାକୁ ନିଜ ଅଙ୍ଗରେ ଆପଣେଇ ନେଇଥିଲେ କାକର ବିନ୍ଦୁ ସମ । କିନ୍ତୁ ଦୁର୍ଭାଗ୍ୟ… ଏବେ ତ ରାମଚନ୍ଦ୍ର ବିଶ୍ୱବିଜୟୀ ସମ୍ରାଟ… ସେ ବା କାହିଁକି ଆସିବେ ସୀତାଙ୍କୁ ନେବା ପାଇଁ?
ବିଭିଷଣଙ୍କ ଆଦେଶରେ ମାତା ସୀତାଙ୍କ ଶୃଙ୍ଗାର ହୁଏ ଏବଂ ପାଲିଙ୍କିରେ ବସାଇ ତାଙ୍କୁ ଶ୍ରୀରାମଙ୍କ ନିକଟକୁ ସେଇ ମହଲକୁ ନିଆଯାଏ… ମାତା ସୀତାଙ୍କ ମନରେ ପୁଣି ଉଜ୍ଜିବୀତ ହୁଏ ସେ ବିଗତ ଦିନର ସ୍ମୃତି… ଜନକ ବି ଦିନେ ଏମିତି ତାଙ୍କୁ ବିଦା କରିଥିଲେ । ରାମଙ୍କ ଗମ୍ଭୀର ସ୍ୱରରେ ଚମକି ଉଠିଲେ ସୀତା… ‘ସେଇଠି ରଖିଦିଅ ପାଲିଙ୍କି, ସୀତାଙ୍କୁ ଖାଲି ପାଦରେ ଆସିବାକୁ ଦିଅ ମୋର ସମୀପକୁ’ । ଭୂମିସୂତାଙ୍କ ସମଗ୍ର ଶରୀର ନିଜ ପ୍ରତି ଘୃଣାରେ ଭରିଗଲା… ସେ ନିଜ ପଦପାତରେ ନିଜେ କମ୍ପି ଉଠିଲେ… କ’ଣ ଦେଖିବାକୁ ଚାହାନ୍ତି ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ? କାରାବାସ ମଧ୍ୟରେ ରହି କ’ଣ ଭୂଇଁରେ ଚାଲିବାର ଭୁଲି ଯାଆନ୍ତି ସ୍ତ୍ରୀମାନେ? ଏତେ ଦୁର୍ବଳା? ଅପମାନ ଓ ଉପେକ୍ଷାର ବୋଝ ମଧ୍ୟରେ ପିଡ଼ିତା ସୀତା ଭୁଲି ଯିବାକୁ ବାଧ୍ୟ ହେଲେ ପତିଙ୍କ ସହିତ ମିଳନର ଉତ୍ସାହ ଓ ଉଦ୍ଦୀପନା… ଚୁପଚାପ୍ ଛିଡ଼ା ହୋଇରହିଲେ ଏକ ଯୁଦ୍ଧ ବନ୍ଦିନୀ ପ୍ରାୟ ।
ବେଡ଼ି ଉପରେ କରୋଡ଼ା ମାଡ଼ ପ୍ରାୟ ଅପମାନ ଆହୁରି ବାକି ରହିଯାଇଥିଲା… ଆକୁଳରେ ଓ ସୋହାଗରେ ଆଲିଙ୍ଗନ କରିବା ପରିବର୍ତ୍ତେ ପୁରୁଷୋତ୍ତମ ଶ୍ରୀରାମ ସୀତେଙ୍କୁ ସମ୍ବୋଧନ କରି କହିଛନ୍ତି – ସଂସାରରେ ଏମିତି କେଉଁ ପୁରୁଷ ଅଛି.. ଯିଏ ବର୍ଷେ କାଳ ପର ପୁରୁଷ ଘରେ ରହିଥିବା ସ୍ତ୍ରୀକୁ ସ୍ୱୀକାର କରିବ? ସେଥିପାଇଁ ତମକୁ ସ୍ୱତନ୍ତ୍ର ଓ ମୁକ୍ତ କରୁଛି… ତମେ ଚାହିଁଲେ ଅନ୍ୟ କାହା ପାଖକୁ ଚାଲିଯାଇ ପାର… ସେ (ରାବଣ) ତମକୁ ନିଜ ହାତରେ ଉଠାଇ ଥିଲା…. ମୃତ୍ୟୁ ପର୍ଯ୍ୟନ୍ତ ତମକୁ ଦେଖି ଦେଖି ସେ ଜୀବିତ ଥିଲା…. ଯେହେତୁ ମୋର ଦାୟିତ୍ଵ ଥିଲା ତମକୁ ମୁକ୍ତ କରିବାର… ସେଥିପାଇଁ ତମକୁ ମୁକ୍ତ କଲି…. କିନ୍ତୁ ତମକୁ ପତ୍ନୀ ରୂପେ ସ୍ୱୀକାର କରିବା ମୋ ପାଇଁ ସମ୍ଭବ ନୁହେଁ… ବଡ଼ ବିଚିତ୍ର ଥିଲା ଜଣେ ବିବାହିତା ସ୍ତ୍ରୀ ପ୍ରତି ପତିର ଆଚରଣ… ତାହା ପୁଣି ମର୍ଯ୍ୟାଦାର ପରାକାଷ୍ଠା ପ୍ରତିପାଦନ କରୁଥିବା ପୁରୁଷୋତ୍ତମ ଶ୍ରୀରାମ । ଏହା କେଉଁ ପ୍ରକାରର ମର୍ଯ୍ୟାଦା? ଏହା କେଉଁ ପ୍ରକାରର ପୈାରୁଷତ୍ୱ? ଏହା କେଉଁ ପ୍ରକାରର ପ୍ରେମ ଓ ବନ୍ଧନ?
ଛାଡ଼ନ୍ତୁ… ରାମାୟଣର ରଚୟିତା ବାଲ୍ମୀକି ବି ପୁରୁଷ ଓ ତାଙ୍କ ବିଶ୍ୱକାବ୍ୟର ନାୟକ ହେଉଛନ୍ତି ଶ୍ରୀରାମ… ସେ ବା କାହିଁକି ଲେଖିବେ ଜଣେ ଅବଳା ନାରୀର ମନୋଦଶା? ସେ ବା କାହିଁକି ବର୍ଣ୍ଣନା କରିବାକୁ ଯିବେ ସୀତାଙ୍କ ହୃଦୟର କଥା ଓ ମନର କୋହକୁ… ଆପଣମାନେ ଥରେ ଚିନ୍ତା କରନ୍ତୁ – ସୀତାଙ୍କ ମନୋଦଶା ଠିକ୍ ସେହି ସମୟରେ କ’ଣ ଥିବ? ସୀତା ନିଜେ ନିଜକୁ ପଚାରି ନଥିବେ… ଇଏ ସେଇ ପୁରୁଷୋତ୍ତମ ଯାହାଙ୍କୁ ସ୍ଵୟମ୍ବର ସଭାରେ ମୁଁ ସମସ୍ତଙ୍କୁ ଆଡ଼େଇ ଦେଇ ବରଣ କରିଥିଲି? ଯିଏ ମତେ ସମସ୍ତ ଦୁଃଖ ସୁଖରେ ଛାୟା ପରି ଢାଙ୍କି ରଖିବି ବୋଲି ସପ୍ତପଦୀରେ ଶପଥ କରି ମୋର ବରଣ କରିଥିଲେ? ଇଏ ସେଇ ପୁରୁଷ, ଯାହାର ପ୍ରେମରେ ଜନକ ରାଜନନ୍ଦିନୀ ମୁଁ ଜାନକୀ ଅଯୋଧ୍ୟାର ରାଜମହଲର ସୁରକ୍ଷା ଓ ଚାକଚକ୍ୟକୁ ପାଦରେ ଆଡ଼େଇ ଦେଇ ବଣ ଜଙ୍ଗଲ ଘୁରି ବୁଲୁଥିଲି ଖାଲି ପାଦରେ?
ହଁ ରାବଣ ହିଁ ମତେ ଉଠାଇ ଆଣିଥିଲା ବଳପୂର୍ବକ ମୋର ହାତ ଧରି… ହଁ ରାବଣ ମତେ ପ୍ରଣୟ ନିବେଦନ ମଧ୍ୟ କରିଥିଲା… ସେ ଜଣେ ରାଜା… ପୁଣି ବ୍ରହ୍ମାଣ୍ଡ ବିଜୟୀ… ସେ ଚାହିଁଥିଲେ ମତେ ବଳପୂର୍ବକ ନେଇ ଯାଇ ପାରିଥାନ୍ତା ତା’ର ରାଣୀ ଉଆସକୁ… ତା’ର ରାକ୍ଷସ ପ୍ରବୃତ୍ତି ତାକୁ ମୋର ବଳାତ୍କାର କରିବାକୁ ରୋକି ନଥାନ୍ତା… ସେ ବି ତ ପୁରୁଷ ଥିଲା… କ’ଣ ତାରି ଭିତରେ ପୈାରୁଷତ୍ତ୍ୱ ନଥିଲା? କିନ୍ତୁ ସିଏ ଦିନେ ମଧ୍ୟ ମୋର ସ୍ତ୍ରୀତ୍ୱକୁ ଅପମାନିତ କରିନାହିଁ… ହେଇପାରେ ସେ ଅସୁର ଓ ରାକ୍ଷସ… ହେଇପାରେ ତାକୁ ଇତିହାସର କଳାପଟାରେ ପୁରୁଷୋତ୍ତମ ବୋଲି କୁହାଯିବ ନାହିଁ କିନ୍ତୁ ହେ ପୁରୁଷୋତ୍ତମ ତମର ଏ ପ୍ରକାର ମାନସିକତା ଓ ବ୍ୟବହାର କେଉଁ ପୁରୁଷ ପଣିଆର ସୂଚାଗ୍ରେ ଚେତନା ମଧ୍ୟରେ ମଣିଷ ବା ଦେବତ୍ୱର ନିଦର୍ଶନ କରୁଛି?
ଅତି ଦୁଃଖର କଥା ଏସବୁକୁ ତାଙ୍କର କାବ୍ୟରେ କେଉଁଠି ମଧ୍ୟ ସ୍ଥାନିତ କଲେ ନାହିଁ ମହର୍ଷି ବାଲ୍ମୀକି… ମହର୍ଷି – ମହାନ୍ ଋଷି, ଯିଏ ପୁଣି କାବ୍ୟ ମନସ୍କ… ମନ ଯିଏ ଚିହ୍ନି ପାରିଲେ ନାହିଁ ସେ ପୁଣି ମଣିଷ ଓ ସେଥିରେ ମହର୍ଷି… କିଛି କହି ପାରିଲେ ନାହିଁ ସୀତେ… କାହିଁକି ନା ବାଲ୍ମୀକିଙ୍କୁ ତ ରାମକଥା ଲେଖିବାର ଥିଲା… ସେ ବା କାହିଁକି ଲେଖିବେ ଓ ବର୍ଣ୍ଣନା କରିବେ ଜାନକୀଙ୍କ ମନର ବେଦନା…
ଆଗର କାହାଣୀ ଆମେ ସମସ୍ତେ ଅଳ୍ପେ ବହୁତେ ଜାଣିଛେ… ସୀତାଙ୍କୁ ଥରେ ନୁହେଁ ଦୁଇ ଦୁଇ ଥର ଅଗ୍ନି ପରୀକ୍ଷା ଦେବାକୁ ହେଲା… ଯେହେତୁ କବିବରଙ୍କୁ ତାଙ୍କର କାହାଣୀକୁ ଯଥାଶୀଘ୍ର ସାରିବାର ଥିଲା… ସେ ପୁଷ୍ପକ ବିମାନରେ ରାମ, ସୀତା, ଲକ୍ଷ୍ମଣଙ୍କୁ ଫେରାଇ ଆଣିଲେ ଅଯୋଧ୍ୟାକୁ… ନଗରବାସୀ ମଧ୍ୟ ଜୟ ପୁରୁଷୋତ୍ତମ ଶ୍ରୀରାମଙ୍କ ଉଦ୍ଘୋଷ ମଧ୍ୟରେ ଦୀପାବଳୀର ଉତ୍ସବ ପାଳନ କଲେ… କିନ୍ତୁ ଯେଉଁଥିରେ ନଗରୀର ଧୋବାମାନେ ସାମିଲ୍ ନଥିଲେ ଆଗକୁ ଅପମାନ ଓ ମାନସିକ ଶାରୀରିକ ନିର୍ଯ୍ୟାତନାର ଆହୁରି କାହାଣୀ ଲେଖିବାକୁ…
ମୁଁ ଆଜି ଖୁବ୍ କ୍ଷୁବ୍ଧ ସେଇ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ପାଇଁ… ଯିଏ କୈାଣସି ପୁରୁଷ ପଣିଆ ବା ସ୍ତ୍ରୀ, ସନ୍ତାନ ପ୍ରତି ନିଜର କର୍ତ୍ତବ୍ୟର ପାଳନ କରିନାହାନ୍ତି… ଅନ୍ୟପକ୍ଷରେ ମର୍ମାହତ ସେଇ ରାକ୍ଷସ ଓ ଅସୁର ବୋଲି ସମଗ୍ର ଇତିହାସରେ ପରିଚିତ ରାବଣର ପାଇଁ… ଯାହାର ମର୍ଯ୍ୟାଦା କୈାଣସି ମର୍ଯ୍ୟାଦା ପୁରୁଷୋତ୍ତମଠାରୁ କୈାଣସି ପ୍ରକାରରେ କମ୍ ନଥିଲା । ମୁଁ ଖୁବ୍ ଉଦାସ ଓ ଲଜ୍ଜିତ ସେଇ ଆଦିକବି ବାଲ୍ମୀକିଙ୍କ ପାଇଁ… ଯିଏ ଶ୍ରୀରାମଙ୍କୁ ମର୍ଯ୍ୟାଦା ପୁରୁଷୋତ୍ତମର ଶ୍ରେଷ୍ଠତ୍ୱର ମୁକୁଟ ପିନ୍ଧାଇ ଦେଇଛନ୍ତି ନିଜର ଅମର କାବ୍ୟ ମାଧ୍ୟମରେ କିନ୍ତୁ ସୀତାଙ୍କ ମନୋଭାବକୁ ପ୍ରକାଶ କରିବାରେ କୁଣ୍ଠାବୋଧ ଓ ଅକ୍ଷମ । ଜଣେ କାବ୍ୟ ମନସ୍କ ପ୍ରାଣ ମୋର ଦୋହଲି ଯାଉଛି… ମୋ ଆଖିରୁ ଝରି ପଡ଼ୁଛି ଲୁହର ଧାର ଓ ମନରେ କ୍ଷୋଭର ଜୁଆର ଉଠିବା ସଙ୍ଗେ ସଙ୍ଗେ ମନଟି ଉଦାସ ହେଇଯାଉଛି ସ୍ତ୍ରୀର ସେଇ ଅସ୍ମିତା ପ୍ରତି ଯାହାର ଶାଶ୍ୱତ ପ୍ରତୀକ ମାତା ଜାନକୀଙ୍କ ପାଇଁ ।
– ଦୀନବନ୍ଧୁ ମିଶ୍ର
(ବି.ଦ୍ର.: ଉପରୋକ୍ତ ଲେଖାଟିରେ ସମସ୍ତ ମତ ଲେଖକଙ୍କର ।)
Comments
ସ୍ୱର୍ଗତ ଦୀନବନ୍ଧୁ ମିଶ୍ର ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଦୀର୍ଘ ୨୮ ବର୍ଷ ଧରି କାର୍ଯ୍ୟ କରୁଥିଲେ । ସେ ଓଡ଼ିଆ ଭାଷାରେ ବିଭିନ୍ନ ତର୍କମୂଳକ ଲେଖା ଆଦି ରଚନା କରିଥାନ୍ତି । ବିଶ୍ୱବିଦ୍ୟାଳୟରେ ଏତେଦିନ ଧରି କାର୍ଯ୍ୟ କରିବାପରେ ମଧ୍ୟ ସ୍ଥାୟୀ ନିଯୁକ୍ତି ନମିଳିବାରୁ ସେ ଆତ୍ମାହୁତି ଦେଇଥିଲେ ଏବଂ ଆମ ସମସ୍ତଙ୍କୁ ଛାଡ଼ି ପରପାରିକୁ ଚାଲିଯାଇଥିଲେ ।