ଇନ୍ଦ୍ରଧନୁର ସାତ ରଙ୍ଗ କାହିଁ ଆଜି ବୁଣିଦିଏ,
ସତେ ଯେମିତି ସୁନ୍ଦର ସୁସଜ୍ଜିତ ଆସ୍ତରଣଟିଏ ।
ଯାହାକି ଥିଲା ଅତ୍ୟନ୍ତ ରମଣୀୟ ଆଉ ମନ ଲୋଭା,
ଲାଗୁଥିଲା ସତେ ଯେମିତି, ନିୟତିର କି ଅପୂର୍ବ ଶୋଭା ।
ନୀଳ ଆକାଶର ବୁକୁଠାରୁ ସାଗରର ପାଦ ଦେଶ,
ଉତ୍ଫୁଲ୍ଲିତ ଅପରାହ୍ନ ବି ରଖିଲାନି ଯେ ଅବଶୋଷ ।
ଅସୀମ ଦରିଆ ବହି ଚାଲିଥାଏ କୂଳ ଲଙ୍ଘୀ ଲଙ୍ଘୀ,
ଦିଶାହୀନ ଅବୋଲକରା ସେ ସ୍ତବ୍ଧ କିଛି କ୍ଷଣ ଲାଗି ।
ସାତରଙ୍ଗର ପ୍ରତିଫଳନରେ ଚକ୍ ଚକ୍ ନୀଳ ଜଳରାଶି,
ଲହଡ଼ି ବି ନୃତ୍ୟରତ ଆନନ୍ଦ ଉଲ୍ଲାସରେ ହସି ହସି ।
ଆହା କି ମନୋରମ, ଆହା କି ଅବର୍ଣ୍ଣନୀୟ ଏ କ୍ଷଣ,
ଇନ୍ଦ୍ରଧନୁର ଋଣ ପରିଶୋଧ ନା ଦେଖେଇ ହେବାର ପଣ ।
ହଠାତ୍ ସୀମାନ୍ତ ପ୍ରଦେଶୁ ବହିଲା ସୁଲୁସୁଲୁ ବାହା,
ଭାବନା ଉଦ୍ରେକ ଯେମିତି ସରଗେ ହେଇଛି ମୁଁ ଠିଆ ।
ଗଗନରୁ ବରଷାର ଛିଟା ବହିଗଲା ଝରଝର,
ବୋଧ ହେଲା କି ଅପୂର୍ବ ମିଳନ ଆଜି ପ୍ରକୃତିର ।
ଅଳ୍ପଖରାକୁ ଅଳ୍ପବର୍ଷା ଓ ଇନ୍ଦ୍ରଧନୁର ଛାଇ,
ନିଶ୍ଚନ୍ଦ୍ର ବେଳାଭୂମି ଲାଗୁଥିଲା ହୋଇଛି କି ସଜେଇ ।
ଚାନ୍ଦିନୀ ରାତିର କନ୍ୟା ସମ ପରିଲକ୍ଷିତ ଆଜି ପ୍ରକୃତି,
ଉଦାସ ଆତ୍ମାର ମହୋଷଧି ସାଜି ଭରିଦେଲା ଟିକେ ଶାନ୍ତି ।
– ଅଭିଷେକ ପଣ୍ଡା
Comments
ଅଭିଷେକ ପଣ୍ଡା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।