You are currently viewing ପ୍ରକୃତ ପରିଚୟ
ପ୍ରକୃତ ପରିଚୟ

ପ୍ରକୃତ ପରିଚୟ

କାଲି ରାତିର ମଧ୍ୟ ଭାଗରେ ପୋଲିସର ଅତର୍କିତ ଆକ୍ରମଣରେ ଅନେକ ଦେହ ବ୍ୟବସାୟୀ ଧରା ପଡ଼ିଛନ୍ତି । ସେମାନଙ୍କ ମଧ୍ୟରୁ ବେଶ କେଇଜଣ ପୋଖତ ଦେହ ବ୍ୟବସାୟୀ । ଅବଶ୍ୟ ଆଉ କେଇ ଜଣ କଲେଜ ପଢ଼ୁଆ ଝିଅ ବି ଅଛନ୍ତି । ପୋଲିସ ସମସ୍ତଙ୍କୁ ବାନ୍ଧି ନେଇଗଲା ହାଜତକୁ । ବହୁ ସମୟ ଧରି ପଚରା ଉଚୁରା କଲା । କାହା କାହାର ସମ୍ପର୍କୀୟ ଆସି କଥାବାର୍ତ୍ତା କରି ନେଇ ଗଲେ ନିଜ ନିଜ ସମ୍ପର୍କୀୟଙ୍କୁ ।

ହେଲେ ରହିଗଲା ଗୋଟେ ଝିଅ, ନା ତ ସେ ପୋଖତ ଦେହ ବ୍ୟବସାୟୀ ଲାଗୁ ନଥିଲା ନା ତାଆ ବେଶ ପୋଷାକରୁ କଲେଜ ପଢ଼ୁଆ ଝିଅ ଲାଗୁଥିଲା । ପୋଲିସ ବାରମ୍ବାର ତା’ର ପରିଚୟ ମାଗୁଥିଲା ହେଲେ ସେ ଥିଲା ନିର୍ବିକାର ।

ଝିଅଟିର ଏତାଦୃଶ ବ୍ୟବହାର ପୋଲିସକୁ ବିରକ୍ତିକର ଲାଗୁଥିଲା । ମହିଳା ପୋଲିସ୍ ଆରମ୍ଭ କରିଦେଲା ତା’ଉପରେ ଅତ୍ୟାଚାର, ତଥାପି ସେ ଥିଲା ଜୀବନ ଥିବା ଏକ ଶବ ସଦୃଶ, ନିରବ । ନା ତା’ ଆଖିରୁ ଝରୁଛି ଲୁହ ନା ପଦୁଟିଏ କଥା ବାହାରୁଛି ତା’ ମୁହଁରୁ ।

ବହୁ ସମୟରୁ ଏ ଦୃଶ୍ୟ ପରିଲକ୍ଷିତ କରୁଥିଲେ ଜଣେ ବରିଷ୍ଠ ମହିଳା ପୋଲିସ୍ ଅଧିକାରୀ । ସେ ତା’ ପାଖକୁ ଯାଇ ଆପଣାର ସହିତ ତା’ର ପରିଚୟ ମାଗିଲେ । ଯେମିତିକି ତା’ ବାପା, ମାଆ, ଭାଇ, ଭଉଣୀ, ଘର, ଗ୍ରାମ ବିଷୟରେ ଜାଣିବାକୁ ଚାହିଁଲେ ।

ଝିଅଟି ଏବେ ପାଟି ଖୋଲିଲା… ମାଡାମ୍ କଉ ପରିଚୟ ବିଷୟରେ କହୁଛନ୍ତି, ସେଇ ଘର ଯେଉଁ ଘରେ ମୋ ଉପରେ ଅମାନବୀୟ ଅକଥନୀୟ ଅତ୍ୟାଚାର ହଉଥିଲା, ସେଇ ଘର ! ସେ ଭାଇ କଥା କହୁଛନ୍ତି, ଯିଏ ପ୍ରତି ରାତିରେ ମୋ ଦେହର ମାଂସ ଚିଲ ଶାଗୁଣା ପରି ଖୁମ୍ପି ଖୁମ୍ପି ଖାଉଥିଲା ସେ ଭାଇ କଥା ନା ସେ ବାପ ବିଷୟରେ ଜାଣିବାକୁ ଆଗ୍ରହୀ ଯିଏ ସବୁ ଜାଣି ଶୁଣି ସେ ପାପରେ ନିଜେ ବ୍ୟସ୍ତ ଥିଲା ମୋ ସହିତ ପ୍ରତି ରାତିରେ । ମାଡମ୍ ସେ ପରିଚୟ ଅପେକ୍ଷା ହଜାର ଗୁଣ ଭଲ ମୋର ଏ ପରିଚୟ… ସମାଜଟା ଅନ୍ତତଃ ଗ୍ରହଣ କରିଛି ଓ ନାମ ବି ରଖିଛି । ହେଲେ ମୋ ଘରେ ମୋ ପରିଚୟ କ’ଣ ଥିଲା ଏବଂ ଆପଣକୁ ମୁଁ ମୋର କ’ଣ ପରିଚୟ ଦେବି !

ଥାନାର ବାତାବରଣରେ କୋହର ଛାୟା ଘେରି ଯାଇଥିଲା ହେଲେ ଏବେ ଝିଅର ନୁହଁ, ତା’ ବ୍ୟତିରେକେ ସମସ୍ତଙ୍କ ମୁହଁରେ !

– ସ୍ମୃତିରଞ୍ଜନ ତ୍ରିପାଠୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସ୍ମୃତିରଞ୍ଜନ ତ୍ରିପାଠୀ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।