ପାହାଡ଼ ଜଙ୍ଗଲ ଘେରା ଗାଆଁଟିଏ ମଧୁପୁର । ଅଧିବାସୀମାନେ ପ୍ରାୟତଃ ଆଦିବାସୀ ସମ୍ପ୍ରଦାୟର । ଜଙ୍ଗଲ ଜାତ ଦ୍ରବ୍ୟ ଆଉ ପାହାଡ଼ ଝରଣାରୁ ମିଳୁଥିବା ଦ୍ରବ୍ୟ ହିଁ ତାଙ୍କ ଜୀବନ ଜୀବିକା । ସରଳ ବିଶ୍ୱାସୀ ଆଦିବାସୀମାନେ କେବେ ଡାକ୍ତର, ଓକିଲ ଆଉ ଅଲଗା ଜୀବିକା ଲୋକମାନଙ୍କ ସଂସ୍ପର୍ଶରେ ଆସିବା ତ ଦୂର କଥା ତାଙ୍କୁ ଦେଖି ବି ନଥାନ୍ତି । ଖାଲି ଜଣେ ସହୃଦୟ ଦିଦି ଆଦିବାସୀ ଛୁଆମାନଙ୍କୁ ଆସି ପାଠ ପଢ଼େଇ ଦେଇ ଯାଆନ୍ତି । ସେଇ ଟିକିଏ ସଂସାଧନ ତାଙ୍କର ବାହାର ଦୁନିଆ ବିଷୟରେ ଜାଣିବା ପାଇଁ । ଦିଦି ସବୁବେଳେ ନୂଆ ପିଢ଼ିର ପିଲାଙ୍କୁ ଅନ୍ଧବିଶ୍ୱାସର କବଳିତ ନହେଇ ବାହାର ଦୁନିଆ ଦେଖିବାକୁ ଉତ୍ସାହିତ କରନ୍ତି ।
ସବୁ ଉତ୍ସବରେ, ବିବାଦ, କଳିଗୋଳରେ ଆଉ ଦେହ’ପାରେ ତାଙ୍କ ବନଦେବୀ ହିଁ ତାଙ୍କ ଭରସା । ଗଭୀର ବିଶ୍ୱାସ ତାଙ୍କର ବନଦେବୀଙ୍କ ଉପରେ । ସମ୍ପୂର୍ଣ୍ଣ ଜଙ୍ଗଲ, ପଶୁପକ୍ଷୀ ଆଉ ତାଙ୍କ କବିଲାର ଏକମାତ୍ର ସାହା ବନଦେବୀ ।
ଗାଁର ଆଦିବାସୀ ମୁଖିଆ ରମୁଲୁ ଆଉ ତାଙ୍କ ଦଶ ବର୍ଷର ପୁଅ ବଣୁଆ ମା’ଙ୍କର ସବୁ ସେବା କରନ୍ତି ଆଉ ଗାଁ’ର ନ୍ୟାୟ ନିଶାପ ବି ତାଙ୍କ ହାତରେ । ରମୁଲୁର କିନ୍ତୁ ଭାରି ଇଚ୍ଛା ଥାଏ ତା’ ପୁଅ ଟିକେ ବେଶୀ ପାଠ ପଢ଼ିବ । ଆଉ ସେ ସେଥିପାଇଁ ଦିନେ ତାକୁ ଆଦିବାସୀମାନଙ୍କ ପାଇଁ ସୁବିଧା ଥିବା ଏକ ବିଦ୍ୟାଳୟ ବିଷୟରେ ଦିଦିଙ୍କଠାରୁ ଶୁଣିବା ପରେ ଉତ୍ସାହିତ ହେଇ ପୁଅକୁ ସହରକୁ ପଠାଇଲା । ବଣୁଆ ଖୁବ ମେଧାବୀ ଓ ବିଚକ୍ଷଣ ଥିଲା । ତେଣୁ ତା’ ଭବିଷ୍ୟତ ନିଶ୍ଚୟ ଉଜ୍ଜ୍ୱଳ ହେଉ ବୋଲି ରମୁଲୁ ବନଦେବୀଙ୍କ ପାଖରେ ନୀତି ମୁଣ୍ଡିଆ ମାରୁଥିଲା ।
ସମୟ ଗଡ଼ି ଚାଲିଥାଏ, ବଣୁଆ ସହର ସଭ୍ୟତା ସହ ଖାପ ଖୁଏଇ ଚାଲିବା ଶିଖି ଯାଇଥାଏ । ଆଉ କ୍ରମେ ପଢ଼ା ସାରି ଏକ ବହୁତ ଭଲ ଚାକିରୀ ବି କରିଲା । ତା’ ମୁଣ୍ଡରେ କିନ୍ତୁ ସହରକୁ ଆସିବା ପରେ ଖାଲି ସହଜ ପଇସା ଉପାର୍ଜନର ସବୁ ଦୁର୍ବୁଦ୍ଧି ଖେଳୁଥାଏ । ଗାଁ ଜଙ୍ଗଲରେ ମିଳୁଥିବା ଜନ୍ତୁ ଆଉ ପ୍ରାକୃତିକ ଜିନିଷ ଯେ ଅମୂଲ ମୂଲରେ ସହରରେ ବିକ୍ରି ହୁଏ, ଆଉ ସେ ସବୁରେ ଜଣେ ଲୋକ ଅନାୟାସରେ ବହୁତ ଅର୍ଥ ପାଇ ଯାଉଚି, ତାହା ତାକୁ ଅଛପା ନଥିଲା । ସରକାରଙ୍କ ଶତ ଚେଷ୍ଟା ସତ୍ତ୍ୱେ ଏ ଚୋରା କରାବାର ଯେ ତା’ ବାଟରେ ଚାଲିଛି ସେ ଜାଣି ସାରିଥିଲା ।
ଦିନେ ସେ ତା’ ଅଫିସର ଜଣେ ସହକର୍ମୀଙ୍କୁ କିଛି ଜଙ୍ଗଲୀ ଝୁଣା, କିଛି ଦୁର୍ଲଭ ବଳ୍କଳ ଆଉ ଚେର ଯୋଗେଇଦେବା ଫଳରେ ତା’ ହାତକୁ ଏକ ମୋଟ ଅଙ୍କର ଆସିଗଲା । ଏଥିରେ ତା’ ଲୋଭ ଆହୁରି ବଢ଼ିଗଲା ।
ତା’ ପରେ ସେ ବଭିନ୍ନ ବାହାନାରେ ଗାଁ’କୁ ଯାଇ ତା’ ବାପା ରମୁଲୁଙ୍କୁ ଲୁଚେଇ ବହୁ ଅନୈତିକ ଚୋରା କାରବାର ଯେମିତି ଗୋଧି, ଝିଙ୍କ, ବାଦୁଡ଼ି, ହରଡ଼ ଚଢ଼େଇ, ଗୁଣ୍ଡୁରୀ ଚଢ଼େଇ ଆଉ ଅନ୍ୟାନ୍ୟ ଛୋଟ ଜନ୍ତୁମାନଙ୍କୁ ଧରି ସହରରେ ବିକିବାକୁ ଲାଗିଲା । ତା’ର ଲୋଭ ଯେମିତି ଅସରନ୍ତି ହେଇ ସାରିଥିଲା ।
ଏବେ ଗାଆଁକୁ ସେ ଆସିବା ମାତ୍ରେ ଜଙ୍ଗଲୀ ପଶୁପକ୍ଷୀ ବିଚିତ୍ର ଅଶୁଭ ଚିତ୍କାର ସବୁ କରୁଥିବାର ଶୁଣିବାକୁ ମିଳୁଥିଲା । ରମୁଲୁ ଏ ସବୁ ଶୁଣି ବିଚଳିତ ହେଇଯାଏ, ତା’ ଶାନ୍ତ ଜଙ୍ଗଲରେ ତାକୁ କିଛି ଅସ୍ୱାଭାବିକ ହେଉଥିବାର ଆଭାସ ମଧ୍ୟ ଆସେ । ମନେମନେ କହେ ବନଦେବୀ ରାଗୁଛନ୍ତି କିଛି ଅଶୁଭ ଘଟୁଛି ସମସ୍ତଙ୍କ ଅଗୋଚରରେ । ବଣୁଆ ସବୁ ଶୁଣି ଅଜଣା ପରି ଚୁପ ରହେ । ବନଦେବୀ, ତାଙ୍କ ପୂଜା ଏସବୁ ଅନ୍ଧବିଶ୍ୱାସ ବୋଲି ତା’ ଧାରଣା ଦୃଢ଼ ହେଇ ସାରିଥାଏ ।
ଆଜିକାଲି ବଣୁଆ ଆସିଲେ ତା’ ସାଥିରେ ତା’ର କିଛି ସାଙ୍ଗ ସାଥି ବି ଆସନ୍ତି । ଗଲାବେଳେ ଦିନେ ଏକ ପଞ୍ଜୁରୀରେ କିଛି ପକ୍ଷୀ ଆଉ ମାଙ୍କଡ଼ ଛୁଆ ନେଇ ଯାଉଥିବାର ଦେଖି ରମୁଲୁର ଆଉ ବଣୁଆର ଖୁବ ଝଗଡ଼ା ହେଲା । ନିରୀହ ଜୀବଙ୍କୁ ଏପରି ମା’ କୋଳରୁ ଆଉ ପ୍ରକୃତିଠାରୁ ଛଡ଼େଇ ଯେ ବଣୁଆ ପାପ କରୁଛି, ସେ ବୁଝେଇ ପାରିଲାନି । ଆଖି ଆଗରେ ତା’ର ପୁଅ କେତେ ବଦଳିଯାଇଛି ସେ ଅନୁଭବ କରି ଭିତରୁ ଭାଙ୍ଗି ସାରିଥିଲା । ମନେ ମନେ ରମୁଲୁ ତା’ ଅଳ୍ପ ପାଠୁଆ ନିରୀହ ବଣୁଆକୁ ଝୁରି ହେଉଥିଲା ।
ଏପଟେ ଗ୍ରାମବାସୀମାନେ ଆଶଙ୍କାରେ ଥା’ନ୍ତି କାରଣ ଜୀବଜନ୍ତୁଙ୍କ ଜନବସତି ଉପରେ ଅସ୍ୱାଭାବିକ ଆକ୍ରମଣ ଆଉ ହିଂସ୍ର ବ୍ୟବହାର ବଢ଼ି ଯାଇଥାଏ । ମନୁଷ୍ୟ ଆଉ ଜନ୍ତୁଙ୍କ ଏତେ ବର୍ଷର ସହାବସ୍ଥାନ କେମିତି ବିଗିଡ଼ି ଯାଇଥାଏ ।
ଦିନେ ବଣୁଆ ଆଉ ତା’ ସାଙ୍ଗମାନେ ସାଙ୍ଗରେ ବହୁତ ଗୁଡ଼ିଏ ବ୍ୟାଗ ନେଇ ଘରେ ପହଞ୍ଚିଲେ, ସାଙ୍ଗରେ କିଛି ଅତ୍ୟାଧୁନିକ ଯନ୍ତ୍ରପାତି ମଧ୍ୟ ଥାଏ, ଗଲାବେଳକୁ ସେ ବ୍ୟାଗ ଭର୍ତ୍ତି ଆଉ ଓଜନ ହେଇଥାଏ, ରମୁଲୁ ତା’ ଭିତରେ କ’ଣ ଅଛି ଜାଣିବାକୁ ଇଚ୍ଛା କରି ଅସଫଳ ହେଲା । ବଣୁଆ ତାଙ୍କ କିଛି ଗବେଷଣା ଜିନିଷ କହି ଅପାଠୁଆ ବାପାକୁ ଭୁଲେଇ ଚାଲିଗଲା । ଏହାର କିଛିଦିନ ପରେ ଘଞ୍ଚଜଙ୍ଗଲର ମଧ୍ୟ ଭାଗର ଅତି ନୃଶଂସ ଭାବରେ ହତ୍ୟା କରାଯାଇଥିବା ଦୁଇଟି ଦନ୍ତା ହାତୀ ମିଳିଲେ, ତାଙ୍କର ଦାନ୍ତ କଟା ହେଇଯାଇଥିଲା ।
ଆଦିବାସୀ ଗ୍ରାମବାସୀ ଏବେ ଅତ୍ୟନ୍ତ ଭୟଭୀତ ହେଇ ପଡ଼ିଥିଲେ, ତାଙ୍କ ଇଲାକାରେ ଶତ୍ରୁର ଅନୁପ୍ରବେଶ ହେଇଥିବାର ଜାଣି । ନିରୀହ ଲୋକମାନେ ବନଦେବୀଙ୍କ ପାଖରେ ଶରଣ ପଶିସାରିଥିଲେ । ଖୁସିବାସିଆ ଓ ସ୍ଥିତପ୍ରଜ୍ଞ ରମୁଲୁ ବି କେମିତି ଚୁପ ପଡ଼ି ଯାଇଥିଲା ଆଉ ଉଦାସ ରହୁଥିଲା ସବୁବେଳେ । ବଣୁଆର ଏବେ ଗାଆଁକୁ ଆସିବା ବଢ଼ି ଯାଇଥିଲା କିନ୍ତୁ ସମସ୍ତ ଲୋକସମ୍ପର୍କଠାରୁ କ୍ରମେ ଦୂରେଇ ଯାଉଥିଲା । ସେଦିନ ରାତିରେ ପୁଣି ବଣୁଆ ଆଉ ତାର ତିନି ଜଣ ସାଙ୍ଗ ଘରେ ପହଞ୍ଚିଲେ, ହାତରେ ଏକ ବଡ଼ ବ୍ୟାଗ । ରମୁଲୁ ଆଖିରେ ସନ୍ଦେହ ଆଉ ବଣୁଆ ଆଖିରେ ଅଶୁଭର ଚିହ୍ନ ।
ରମୁଲୁ ସମସ୍ତଙ୍କୁ ଖାଇବାକୁ ଦେଇ ଗ୍ରାମଦେବୀଙ୍କ ଆସ୍ଥାନ ପାଖକୁ ବାହାରିଲା । ବଣୁଆ ପଚାରିଲାରୁ କହିଲା ଟିକେ ପରେ ଆସି ଶୋଇଯିବି ଟିକେ ଦର୍ଶନ କରିଦେଇ ଆସେ ମନଟା କେମିତି ଅସ୍ଥିର ଲାଗୁଛି । ବଣୁଆ ବେଶି ମୁଣ୍ଡ ନ ଖେଳେଇ ଶୋଇପଡ଼ିଲା, ରାତି ଅଧରେ ତାକୁ ଉଠିକରି ଯିବାର ଯେ ଅଛି । ହାତରେ ମୋଟା ଅଙ୍କର ଅଗ୍ରୀମ କିଛି ମିଳିଛି ।
ରାତି ପାହି ସକାଳ ହେଇଗଲା, ପୂରା କବିଲା ହୋହଲାରେ ଫାଟୁଥାଏ । ଘର ଭିତରେ ବଣୁଆ ତା’ ସାଙ୍ଗମାନେ ସବୁ ସନ୍ଦେହଜନକ ଅବସ୍ଥାରେ ମରି ପଡ଼ିଥାନ୍ତି । ପାଟିରୁ ଫେଣ ବାହାରୁଥାଏ, ସମଗ୍ର ଶରୀର ନେଳି ପଡ଼ି ଯାଇଥାଏ ଯେମିତି କୌଣସି ଅତି ବିଷଧର ସର୍ପ କି ଭୟାନକ ବିଷର ପ୍ରଭାବ । ତାଙ୍କ ଚାରି ପାଖରେ ବିଭିନ୍ନ ମରଣାସ୍ତ୍ର, ଆରୀ, ଟର୍ଚ୍ଚ ଲାଇଟ ଇତ୍ୟାଦି ବିଛାଡ଼ି ହେଇ ପଡ଼ିଥାଏ । ଲୋକ ବିକଳ ହେଇ ରମୁଲୁ କୁ ଖୋଜୁଥାନ୍ତି ବିଷ ଝାଡ଼ି କାଳେ ପ୍ରାଣ ଫୁଙ୍କିଦେବ ତା’ ପ୍ରାଣପ୍ରିୟ ପୁଅ ବଣୁଆ ଦେହରେ । କିନ୍ତୁ ରମୁଲୁର ଦେଖା ନଥାଏ ।
ଟିକେ ସମୟ ପରେ ଗାଆଁ ଲୋକ ଜାଣି ପାରୁଥାନ୍ତି ଯେ ବଣୁଆ ବୋଧେ ଭୁଲ ରାସ୍ତାରେ ଚାଲି ଯାଇଥିଲା ଆଉ ସେଥିପାଇଁ ସେ ବନଦେବୀଙ୍କ କୋପ ଦଣ୍ଡର ଶିକାର ହେଇଚି । ଏପଟେ ଗାଁ ଲୋକ ଖୋଜି ଖୋଜି ରମୁଲୁକୁ ଏକ ଝରଣା କୂଳରେ ଭୋ ଭୋ କାନ୍ଦୁଥିବାର ପାଇଲେ । ହାତରେ ତା’ର ଏକ ମାଠିଆର ଢାଙ୍କୁଣି ଧରିଥାଏ ଓ ପାଖରେ ଏକ ବଡ଼ ମାଠିଆ ପଡ଼ିଥାଏ । ଜଣେ ଦୌଡ଼ିଯାଇ ରମୁଲୁକୁ କାନ୍ଦି କାନ୍ଦି ସବୁକଥା କହିବା ବେଳକୁ ହଠାତ ମାଠିଆଟିରେ ଗୋଡ଼ ବାଜି ଗଡ଼ିଗଲା ଆଉ ତା’ ଭିତରୁ ସର୍ ସର୍ କରି କିଛି ବିଷାକ୍ତ ସାପ ବାହାରି ଜଙ୍ଗଲ ଭିତରେ ପଶିଗଲେ । ରମୁଲୁ ସେମିତି ବୁକୁଫଟା କାନ୍ଦୁଥାଏ, କିଛି ଅପଢ଼ା ଦୁଃଖ ଆଉ କିଛି ଦୈବୀ ସମାଧାନର ଫେଣ୍ଟାଫେଣ୍ଟି ଆଭା ତା’ ମୁହଁରୁ ପଢ଼ି ହେଉଥାଏ ।
– ସୌମ୍ୟା ପ୍ରିୟଦର୍ଶିନୀ ରଥ
Comments
ସୌମ୍ୟା ପ୍ରିୟଦର୍ଶିନୀ ରଥ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗଳ୍ପ ରଚନା କରିଥାନ୍ତି । ସେ ମୁଖ୍ୟତଃ ଭୂତ ଗପରେ ଲୋକପ୍ରିୟତା ଅର୍ଜନ କରିଛନ୍ତି । ତାଙ୍କ ରଚିତ ଗପଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନିତ ହେବା ସହିତ ପାଠକୀୟ ଆଦୃତି ଲାଭ କରିଛି । ସେ ଭୂତ ଗପ ବ୍ୟତୀତ ପ୍ରେମ ଭର ଗପ ତଥା ସାମାଜିକ ଚଳଣୀକୁ ନେଇ କିଛି କିଛି କ୍ଷୁଦ୍ର ଗପ ମଧ୍ୟ ରଚନା କରିଥାନ୍ତି ।