ଫୁଲଟିଏ ଫୁଟୁଚି ବୋଲି ତ
ବଗିଚାଟି ଦିଶୁଚି ସୁନ୍ଦର
ପବନର ଖିଲି ଖିଲି ହସରେ
ଫୁଲର ସୁଗନ୍ଧରେ
ମହକୁଚି ପରିବେଶ ।
ପ୍ରଜାପତି ଡେଣା ଝାଡ଼ି ଝାଡ଼ି
ବୁଣି ଦେଉଛି ମଧୁ
ମତୁଆଲା ମହୁମାଛି
ଗୁଣୁଗୁଣୁ ହୋଇ ଗାଉଅଛି
ମିଳନର ମଧୁର ସଙ୍ଗୀତ ।
ଢାଳି ଦେଉଛନ୍ତି ରବି
ଅସରନ୍ତି ରଙ୍ଗର ଅବିର
ଗଛଲତା ନଇଁ ପଡ଼ୁଛନ୍ତି
ପେନ୍ଥା ପେନ୍ଥା ଫୁଲର ସମ୍ଭାରେ ।
ଆଉ କାଳିଆର ମନ ହେଉଛି
ସଜେଇ ହେବାକୁ
ସେ ଫୁଲର ଗଜରା ହାରରେ ।
ଫୁଲଟିକୁ ଯଦି କେହି
ଫୁଟିବାରୁ କରିବ ବଞ୍ଚିତ
ଦଳି ମକଚି ଖିନ୍ଭିନ୍ କରିଦେବ ତା’ର ସୁନ୍ଦରତା ।
ତା’ ହେଲେ………
କ’ଣ ସୃଷ୍ଟି ଆଉ ଦିଶିବ ସୁନ୍ଦର?
ନା ରଙ୍ଗ ବେରଙ୍ଗ ପ୍ରଜାପତି ସମ୍ଭାରରେ
ହସିବ ବଗିଚା???
ନା ଶୋଭା ପାଇବ କାଳିଆର ଗଳାରେ
ଗଜରାର ହାର?
ସୃଷ୍ଟି ପାଲଟି ଯିବ
ସୁରଭି ବିହୀନ କାଗଜ ଫୁଲର ବଗିଚା ପରି ।
ଯେଉଁଠି ନ ଥିବ ସ୍ନେହ, ପ୍ରେମ
ଆଉ ନିବିଡ଼ତାର ମଧୁର ପୁଲକ
ମଧୁପର ଗୁଞ୍ଜନରେ
ଶୁଭୁଥିବ ଖାଲି ବିରହର ବେସୁରା ସଙ୍ଗୀତ ।
Comments
ଶାନ୍ତିଲତା ରଥ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର କବିତା ରଚନା କରନ୍ତି ।