ପଥିକ କାହାଣୀ

Pathika Kahani (ପଥିକ କାହାଣୀ) by Amrutanshu Panda

ଦିନେ ବାଟରେ ଯାଉ ଯାଉ ଏଇ ମଉସାଙ୍କ ସହ ଭେଟ ହେଲା ତାଙ୍କ ତାଳ ସଜର ଦୋକାନ ଦେଖି । ପଚାରିଲି କେତେ ଟଙ୍କା ବୋଲି? ମଉସା କହିଲେ ୧୦କୁ ୩ଟା ଆଖି । କହିଲି ହଉ ଫଟାଫଟ ୧୮ଟି ଦିଅ ।

ମଉସା ସେତିକି କରୁ କରୁ, କୌତୁହଳରେ ପଚାରିଲି, “ମଉସା ତମ ବୟସ କେତେ ହେବ?” ଗୋଟେ ରୁକ୍ଷ ହେଇଯାଇଥିବା କଣ୍ଠରେ କହିଲେ ତିନି କୋଡ଼ି ଦଶ । ମୁଁ ମନେ ମନେ ଭାବିଲି ୭୦ ବର୍ଷ ବୟସରେ ମଉସା ଏତିକି ସାଇକେଲରେ ଲଦି ବିକିବାକୁ ଆସୁଛନ୍ତି ! ମୁଣ୍ଡରେ ପାକଲା ବାଳ ଦେଖି ଅନୁମାନ କରି ପାରୁଥିବେ । ଟିକେ ରହିଯାଇକି ପଚାରିଲି ଯେ ମଉସା ଗଛ କିଏ ଚଢ଼େ? କହିଲେ, “ମୁଁ ଚଢ଼ୁଛି । କାମ ନକଲେ ଖାଇବାକୁ କିଏ ଦେବ କି? ମୋ ପୁଅ ଝିଅମାନେ ମନା କଲେଣି ଯେ ହେଲେ ଏତେ ବଡ଼ ପରିବାରକୁ ମୁଁ ବି ଟିକେ ଖଟିଦେଲେ ଦି ପଇସା ମିଳିଯିବ ।”

ହେଁ !… ମୁଁ ତାଜୁବ୍ ହେଇକି ରହିଗଲି ଗୋଟେ ମୁହୂର୍ତ୍ତ ପାଇଁ । ସତୁରୀ ହେଲାଣି ବୟସ ଆଉ ଏ ମଣିଷ ତିରିଶ କି ଚାଳିଶ ଫୁଟିଆ ଗଛ ଚଢ଼ି ଫଳ ତୋଳି ଆଣି ବିକୁଛି ପେଟ ପାଇଁ ! କାଳେ କିଛି ଅଘଟଣ ଘଟିଯିବ ଯଦି? ଆଜିକାଲି ଯୋଉ ଅଂଶୁଘାତ, ରକ୍ତଚାପ ଯୋଉ ସବୁ ନାଁ କରିଆ ବେମାରୀ ଅଛି । ସେ ଗଛ ଚଢ଼ିଥିବେ ହଟାତ୍ କିଛି ହେଇଯିବ ଯଦି, ସେଇ ଭାବିକି ଟିକେ ମନରେ ଦୟା ଲାଗୁଥାଏ । ଯାହା ହେଲେ ବି ବୁଢ଼ା ମଣିଷଟିଏ ଗଛ ଚଢ଼ିବା ମୋ ମନକୁ ଭଲ ଲାଗୁଥାଏ ।

ସେ ସୁନ୍ଦର ଭାବେ ଆଖି ତକ କାଢ଼ି ମୋ ହାତକୁ ଜାରି ବଢ଼େଇ ଦେଲେ । ଆଉ ମୁଁ ଶହେ ଟଙ୍କିଆଟେ ବଢ଼େଇ ଦେଇକି କହିଲି ମଉସା ରଖିଦିଅ । ମଉସା ଜଣକ ବ୍ୟାଗ୍‌ରୁ ଆଉ ଖୁଚୁରା ବାହାର କରିକି ମୋତେ ଫେରାଇବାକୁ ଯାଇଥାନ୍ତି ମୁଁ କହିଲି ରଖିଦିଅନ୍ତୁ ଯାହା ବଳିଲା ।

ମଉସା କହିଲେ, “ଏ ବାବାରେ ଧର୍ମ ସହିବଟି ମୋତେ? ତମର ଯେତିକି ହେଲା ସେତିକି ନେମି ଏକ ନୂଆ ପଇସା ବି ନେମିନି ମୁଁ ।” ମୁଁ ତଥାପି ଆଉଥରେ କହିଲି, ହେଲେ ସେ ବିଲକୁଲ ନଛୋଡ଼ବନ୍ଧା ।

ସତେ ଯେମିତି ସ୍ୱାଭିମାନତାର ଚଟକଣି ଖାଇଲା ପରିଲାଗିଲା । ନିହାତି ନିରୀହ ଆଉ ସ୍ଵାଭିମାନୀ ମଣିଷଟିଏ । ତା’ ପରେ ଟିକେ କଥା ହେଇ ମୁଁ ଆଗେଇଲି । ସତରେ ଆମେ କେତେ ସୁସ୍ଥିଆ ହୋଇଯାଉଛନ୍ତି ଦିନକୁ ଦିନ, ହେଲେ ଏଇ ମଉସାଙ୍କ ମନୋବଳ ଆଉ ସ୍ୱାଭିମାନତାକୁ ଶତ ନମନ ।

– ଅମୃତାଂଶୁ ପଣ୍ଡା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...