You are currently viewing ପାପ ପ୍ରେମ
ପାପ ପ୍ରେମ

ପାପ ପ୍ରେମ

ମୋନିକା ଥିଲା ଅସୀତର ସହକର୍ମୀ । ତେଣୁ କଥାବାର୍ତ୍ତା ହେବା ସ୍ୱାଭାବିକ । ତାହା କେତେବେଳେ କାମକୁ ନେଇତ କେତେବେଳେ ବ୍ୟକ୍ତିଗତ । ମୋନିକା ଥିଲା ବିବାହିତ ଆଉ ୬ବର୍ଷର ପୁଅଟିଏ ମଧ୍ୟ । କିନ୍ତୁ ଅସୀତ ଅବିବାହିତ । ବୟସରେ ମୋନିକା ବଡ଼ ହୋଇଥିଲେବି ଅସୀତ ଥିଲା ମୋନିକାର ଉପରିସ୍ତ ଅଫିସର । ଆଉ ମୋନିକା ଥିଲା ଅସୀତର ଆସିଷ୍ଟାଣ୍ଟ ।

ଏମିତି କାମକୁ ନେଇ ବେଳେ ବେଳେ ସେମାନଙ୍କର ହ୍ଵାଟ୍‌ସ୍‌ଆପ୍‌ରେ ଚାଟିଙ୍ଗ ହେଉଥିଲା । ପରେ ପରେ ଗୁଡ଼୍ ମର୍ଣ୍ଣିଙ୍ଗ, ଗୁଡ଼ ନାଇଟ । ଆଉ ଧୀରେ ଧୀରେ ସେମାନଙ୍କ ଚାଟିଙ୍ଗ ଏକ ନିତିଦିନିଆ କାର୍ଯ୍ୟରେ ପରିଣତ ହୋଇଗଲା । କୌଣସି କାରଣରୁ ଅସୀତ ରିପ୍ଲାଇ ନକଲେ ମୋନିକା ରାଗୁଥିଲା ଆଉ ମୋନିକା ନକଲେ ଅସୀତ । ସେମାନଙ୍କ ମଧ୍ୟରେ ରାଗରୁଷା ମାନ ଅଭିମାନ ବଢ଼ିବାରେ ଲାଗିଲା । ସତେ ଯେମିତି ସେମାନେ ପ୍ରେମିକ ପ୍ରେମିକା ।

ବେଳେ ବେଳେ ଅସୀତ ଭାବିଛି ଏ ସମ୍ପର୍କକୁ ଏଇଠୁ ଛିଡ଼େଇ ଦେବ ଆଉ ଆଗକୁ ବଢ଼ାଇବନି । କିନ୍ତୁ କେଜାଣି କାହିଁକି ସିଏ ପାରେନା । ମୋନିକା ସହିତ ଚାଟିଙ୍ଗ ନକଲେ କଥା ନହେଲେ ତାକୁ ଭଲ ଲାଗୁନଥିଲା । ଆଉ ମୋନିକା ମଧ୍ୟ ଯେମିତି ତା’ ସ୍ୱାମୀକୁ ଛାଡ଼ି ଅସୀତକୁ ଅଧିକ ପ୍ରାଧାନ୍ୟ ଦେଉଥିଲା । ଦୁହେଁ ମିଶୁଥିଲେ ହସୁଥିଲେ ଗପୁଥିଲେ । ଆଉ ହସ ଖୁସିରେ କାମ ମଧ୍ୟ କରୁଥିଲେ ।

ମୋନିକା ଥିଲା ଅତ୍ୟନ୍ତ ସୁନ୍ଦରୀ । ତା’ର ରୂପ ଲାବଣ୍ୟ ଦେଖିଲେ କେହି ବି କହି ପରିବେନି ଯେ ସେ ବିବାହିତା । ସୁନ୍ଦର ଗୋରା ତକତକ ଚେହେରା । ଯୌବନ ଯେମିତି ଢେଉ ଭାଙ୍ଗୁଥିଲା ତା’ ଦେହରେ । କେତେବେଳେ ଜିନ୍ସ ଟପ ପିନ୍ଧି ଆସୁଥିଲା ତ କେତେବେଳେ ଶାଢ଼ୀ । ଶାଢ଼ୀରେ ଆହୁରି ସୁନ୍ଦରୀ ଦେଖା ଯାଉଥିଲା ସିଏ । ଆଉ ଅସୀତ ତାକୁ କହି ଦେଉଥିଲା, “ଆଜି କଣ ମ ଜଳୁଛ ।” ମୋନିକା ହସି ଦେଉଥିଲା । ଆଉ ତା’ ହସରୁ ଯେମିତି ବାରି ହେଇ ପଡ଼ୁଥିଲା ଅସୀତ ପ୍ରତି ଥିବା ଆନ୍ତରିକତା ।

ବେଳେବେଳେ ଅଫିସ କାମରେ ସେମାନଙ୍କୁ ବାହାରକୁ ଯିବାକୁ ହେଉଥିଲା । ଥରେ ଦୁହେଁ ବାହାରକୁ ଯାଇଥିଲେ । ମୋନିକା କହିଲା ଚାଲ ଆଜି ପାର୍କ ଆଡ଼େ ଟିକେ ବୁଲିକି ଯିବା । ଅସୀତ ମନା କରି ପାରିଲେନି । କାହିଁକିନା ଅଫିସକୁ ଫେରିବା ବାଟରେ ପଡ଼ିଥାଏ ସେହି ପାର୍କ । ଦୁହେଁ ଯାଇ ପାର୍କରେ ପହଞ୍ଚିଛନ୍ତି ହଠାତ ବର୍ଷା ମାଡ଼ି ଆସିଲା । ଦୁହେଁ ଧାଇଁ ଗଲେ ଏକ ଗଛର ମୂଳକୁ । ବର୍ଷାର ବେଗ ବଢ଼ିଲା ଦୁହେଁ ଭିଜି ସାରିଥିଲେ । ମୋନିକାର ଭିଜା ଭିଜା ଦେହ ଯେମିତି ଅସୀତକୁ ପାଗଳ କରି ପକାଉଥିଲା । ମୋନିକା ଅସୀତକୁ ଚାହିଁଦେଲେ ଅସୀତ ତାଳମୁହାଁ ହୋଇ ଯାଉଥିଲା ଆଉ ମୋନିକା ଲାଜେଇ ଯାଉଥିଲା । ଏମିତି ଥରେ ଦୁହିଁଙ୍କ ଆଖିରେ ଆଖି ମିଶିଗଲା ।

ମୋନିକା କହିଲା, “କ’ଣ ଦେଖୁଛ?”
ଅସୀତ କହିଲା, “ନାହିଁ କିଛି ନାହିଁ ।”

ଏତିକି ବେଳେ ଜୋରରେ ଏକ ଘଡ଼ଘଡ଼ି ମାରିଲା ଦୁହେଁ ପାଖାପାଖି ହେଲେ ଆଉ ଭୁଲିଗଲେ ନିଜର ସ୍ଥିତିକୁ । କମନାରେ ବିଭୋର ହୋଇ ଦୁହେଁ କରି ବସିଲେ ପାପ ।
ବର୍ଷା ଛାଡ଼ିଗଲା । କେହି କାହାରି ମୁହଁକୁ ଚାହିଁ ପାରୁନଥିଲେ । ସେଦିନ ରାତିସାରା ଅସୀତ ଶୋଇ ପାରିନଥିଲା । ପ୍ରଥମ ସ୍ପର୍ଶଟି ତାକୁ ଯେମିତି ମତୁଆଲା କରିଦେଉଥିଲା । ଭାବିଥିଲା ମୋନିକା ବିବାହିତ ତା’ ସହିତ ସମ୍ପର୍କ ରଖି ମୁଁ ପାପ କରିନି ତ ! ଆଉ ଜଣଙ୍କ ବିଶ୍ୱାସରେ ବିଷ ଦେଇନି ତ ।

ସେପଟେ ମୋନିକା ମଧ୍ୟ ଅସୀତର ସ୍ପର୍ଶରେ ବିଭୋର ହୋଇ ପଡ଼ିଥିଲା । ଆଉ ଭୁଲି ଯାଇଥିଲା ଯେ ସେ ବିବାହିତ ଆଉ ତାର ମଧ୍ୟ ସ୍ୱାମୀ ସଂସାର ଅଛି ।
ପ୍ରେମଟା ସବୁବେଳେ ପବିତ୍ର କିନ୍ତୁ ୟାକୁ କ’ଣ କହିହେବ ପବିତ୍ର ପ୍ରେମ । ନା କେବେନୁହେଁ ଏହା ଅଟେ ପାପପ୍ରେମ ।

– ପ୍ରଶାନ୍ତ କୁମାର ନାଥ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ପ୍ରଶାନ୍ତ କୁମାର ନାଥ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।