ମୁଁ ଦିଗହରା ବିହଙ୍ଗଟେ ପରି
ବୁଲୁଥିଲି ଇତସ୍ତତଃ ହୋଇ
ନୀଳ ଆକାଶର ବୁକୁରେ
ତୁମେ ପରାଗର ରେଣୁ ପରି
ଉଡ଼ି ଆସି ପୁଷ୍ପ ଉଦ୍ୟାନରୁ
ବିଞ୍ଚି ଦେଲ ମୋ ଦେହେ
ମହକତାର ବାସ୍ନାଟିଏ ।
ମୁଁ ପାହାଡ଼ୀ ଝରଣାଟେ ପରି
ବୋହୁଥିଲି ଅଙ୍କାବଙ୍କା ହୋଇ
ସବୁଜ ବନାନୀର ଗର୍ଭରେ
ତୁମେ ପୂର୍ଣ୍ଣମୀର ଚାନ୍ଦ ପରି
ଭାସି ଆସି ସରଗ ରାଇଜରୁ
ଭରି ଦେଲ ମୋ ହୃଦେ
ଶୀତଳତାର ଜ୍ୟୋତ୍ସ୍ନାଟିଏ ।
ମୁଁ ଶୁଷ୍କ ନାଗଫେଣୀଟେ ପରି
ପଡ଼ିଥିଲି ମଳିନ ହୋଇ
ମରୁଭୂମିର ଚୋରା ବାଲିରେ
ତୁମେ ବରଷାର ଧାରା ପରି
ଝରି ଆସି ମେଘର ଆଢ଼ୁଆଳରୁ
ଛିଞ୍ଚି ଦେଲ ମୋ ଓଠେ
ଅମୃତର ତୃଷ୍ଣାଟିଏ ।
ମୁଁ ଘନ ଅନ୍ଧକାରଟେ ପରି
ରହିଥିଲି ଶିଥିଳ ହୋଇ
ଅମାବାସ୍ୟାର କାଳ ରାତିରେ
ତୁମେ ଅନଳର ବର୍ତ୍ତୀକା ପରି
ବହି ଆସି କାହିଁ କେତେ ଦୂରୁ
ଲିପି ଦେଲ ମୋ ଆଖିରେ
ଆଲୋକର ରଶ୍ମିଟିଏ ।
ମୁଁ ମୂକ ପାଷାଣୀଟେ ପରି
ଜିଇଁଥିଲି ନିଶ୍ଚଳ ନିସ୍ତେଜ ହୋଇ
ଏ ଦୁନିଆର ରାଜପଥରେ
ତୁମେ ପ୍ରଭୁ ଶ୍ରୀରାମଚନ୍ଦ୍ର ପରି
ଚଳି ଆସି ମାୟା ନଗରୀରୁ
ବୁଣି ଦେଲ ମୋ ଜୀବନେ
ବଞ୍ଚିବାର ନୂଆଁ ଆଶାଟିଏ ।
– ଡା. ରାଜକୁମାରୀ ବେହେରା
Comments
ଡ. ରାଜକୁମାରୀ ବେହେରା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗଳ୍ପ ଓ କବିତା ଆଦି ରଚନା କରିଥାନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।