ନିଶାର୍ଦ୍ଧର ଆତ୍ମଗ୍ଳାନୀ
ନିଶାର୍ଦ୍ଧର ଆତ୍ମଗ୍ଳାନୀ

ନିଶାର୍ଦ୍ଧର ଆତ୍ମଗ୍ଳାନୀ

ନିଶାର୍ଦ୍ଧରେ କଷ୍ଟଲାଗେ
କାନ୍ଥଘଣ୍ଟା ଟିକ୍ ଟିକ୍ ଶବ୍ଦ ।
ସତେଅବା, କୋଣାର୍କର ଚୂଡ଼ାଦେଶେ
ଯାଯାବର ବଢ଼େଇର
ନିଶାଣ ପ୍ରହାର
ଆଜି ପ୍ରମତ୍ତ ପ୍ରଲୁବ୍ଧ ॥

ନିଶାର୍ଦ୍ଧରେ କଷ୍ଟଦିଏ
ମଶକର ଗୁଣୁଗୁଣୁ ଗୀତ ।
ସତେଅବା, ନକ୍ସଲର ପ୍ରାଦୁର୍ଭାବେ
ଉପଦ୍ରୁତ ପେଣ୍ଠସ୍ଥଳେ
ସଲାମ ସଂଗୀତ
ଆଜି ଉନ୍ମତ୍ତ, ଉନ୍ମୁକ୍ତ ॥

ନିଶାର୍ଦ୍ଧର ପ୍ରାଣପିଡ଼ା
ନାଶୀତିତୋଷ୍ଣ ତୋ’ ଶରୀର ।
ସତେଅବା, ଜଙ୍ଗଲରେ ପର୍ଣ୍ଣମୋଚୀ
ପତ୍ରଝଡ଼ା ପ୍ରତିକ୍ଷାରେ
ଭୟଭୀତ ସୁପ୍ତ
ଋଗ୍ଣ ନିସ୍ତବ୍ଧ ନିଷ୍ଠୁର ॥

ନିଶାର୍ଦ୍ଧରେ ସ୍ୱପ୍ନଭଙ୍ଗ
ଶୁଣି ପୂରାତନ ପ୍ରିୟାସ୍ୱର ।
ସତେଅବା, ଗାଆଁମୁଣ୍ଡ ମଶାଣୀରେ
ନିଶାଚର ଯକ୍ଷବର
ପ୍ରସାରି ତା’ ହସ୍ତ
ଡାକେ ପାଖେ ଆସ ମୋର ॥

ନିଶାର୍ଦ୍ଧର ଅବଶୋଷ
ଅଭିଳାଷ, ଦୁର୍ଲଭ ଅପ୍ରାପ୍ତ ।
ସତେଅବା, ବାମନର ଅସାମର୍ଥ୍ୟ
ଚନ୍ଦ୍ରପୃଷ୍ଠ ଅପହଞ୍ଚ
ସୁଦୂର ସୁଦୀର୍ଘ
କଣ୍ଟକିତ ଜୀବପଥ ॥

ନିଶାର୍ଦ୍ଧରେ ଦେହକଷ୍ଟ
ଅତି ପୂରାତନ କ୍ଷୟରୋଗ ।
ସତେଅବା, ଲବଣ-ସମୀର ଖାଏ
ଘୁଣପରି କାନ୍ଥସବୁ
ଗଡ଼ର ପ୍ରାଚୀର
ଆଜି ଭୋଗ୍ୟ ହୁଏ ଦୁର୍ଗ ॥

ନିଶାର୍ଦ୍ଧରେ ଯମଦଣ୍ଡ
ପ୍ରେୟସୀର ରୂଢ଼ ତିରସ୍କାର ।
ସତେଅବା, କାରୁବାକୀ ମଗଧରେ
ଚଣ୍ଡାଶୋକ ନିବେଦନେ
ଅଶାନ୍ତ ଅସ୍ଥିର
କ୍ଷତପୂର୍ଣ୍ଣ ତିମିରବିକାର ॥

ନିଶାର୍ଦ୍ଧରେ ଅପହୃତା
ଅପବିତ୍ରା ଅସହାୟା ଉଷା ।
ସତେଅବା, ଆତ୍ମା-ସ୍ୱତ୍ତ୍ୱ, ପରଭୁକ୍ତ
ଇଚ୍ଛା-ଦାବି ଭୃଲୁଣ୍ଠିତ
ଶସ୍ତାରେ ବିକ୍ରିତ
ହତଭାଗ୍ୟ ସତ୍ତା ପରିଭାଷା ॥

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

Leave a Reply

Close Menu