ମୁଁ କାହିଁକି ଅନୁତପ୍ତ?

Odia Story Mun Kahinki Anutapta (ମୁଁ କାହିଁକି ଅନୁତପ୍ତ) by Narendra Prasad Behera

ମଣିଷ ଏକ ସାମାଜିକ ପ୍ରାଣୀ । ସେ ସବୁବେଳେ ସମସ୍ତଙ୍କୁ ସମ୍ମାନ ଦେଇଥାଏ । ଛୋଟ ହେଉ କିବା ବଡ଼, ବୃଦ୍ଧ ହେଉ କି ବୃଦ୍ଧା । ସମାଜରେ ଚଳିବାକୁ ହେଲେ ପରଆପଣାର ନଭାବି ମେଲିଦେଇଥାଏ ସ୍ନେହ ମମତାର ପସରା । ହେଲେ ଏହି ସ୍ନେହ ମମତାର ବନ୍ଧନରେ ନିଜକୁ ହଜାଇ ଦେଇ ଅନ୍ଧ ଭାବେ ବିଶ୍ୱାସ କରିଚାଲେ କାହିଁ କେଉଁ ଜିଲ୍ଲାର ପରୀକୁ । ଶେଷରେ କରେ ଅନୁତାପ । ଅଜଣା, ଅପରିଚିତ, ଅଦେଖା ପରୀ ଯେ ଦିନେ ମନ ମଧ୍ୟରେ ଭରିଦେବ ଦୁଃଖ ଜଣାନଥାଏ ତାକୁ । କଥାରେ ଅଛି, “ସବୁ ଜକଜକ ନୁହେଁ ମାଣିକ”; ଅର୍ଥାତ ଖୁବ୍ ଜୋରରେ ଜକଜକ କରୁଥିବା ସମସ୍ତ ବସ୍ତୁ ମାଣିକ ନୁହନ୍ତି କିମ୍ବା ସବୁ ସୁନ୍ଦରୀ ପରୀର ସ୍ୱଭାବ ବା ହୃଦୟ ପବିତ୍ର ନଥାଏ । ମହାକାଳ ଫଳ ଦେଖିବାକୁ ସୁନ୍ଦର ହେଲେ ଭିତରଟା କୁତ୍ସିତ କଦାକାର । ସେଥିପାଇଁ ସେ ଆଦର ପରିବର୍ତ୍ତେ ଘୃଣାର ପାତ୍ର ହୋଇଥାଏ । ତେଣୁ ଏଠି ଆମକୁ ମନେ ରଖିବାକୁ ହେବ ଅତିବ ସୁନ୍ଦରୀ ପରୀ ବିପଦର କାରଣ ହୋଇଥାଏ । ଏପରି ଏକ ସୁନ୍ଦରୀ ପରୀ ସହିତ ଗଢ଼ି ଉଠିଥିଲା ସମ୍ପର୍କ । ଆଉ ପ୍ରତିଶ୍ରୁତି ଥିଲା ଏ ସମ୍ପର୍କ ନୁହେଁ ଅଢ଼େଇ ଦିନର, ସମ୍ପର୍କ ଯୁଗଯୁଗର । କିନ୍ତୁ ସେ ପରୀ ଆଜି ଉଡ଼ିଗଲା ବହୁଦୂର, ପାଇଗଲା ସରସ, ସୁନ୍ଦର ଓ ସପନର ସୌଦାଗର । ଭାଙ୍ଗି ଦେଇଗଲା ହୃଦୟ ମୋର ।

କଥାରେ ଅଛି;

ଯାହାକୁ କରିଲି ଅତି ନିଜର
ଦେଇଗଲା ଦୁଃଖ ହୃଦୟେ ମୋର ।
ଉଡ଼ନ୍ତା ଚଢ଼େଇ ଗଣିଲି ପର
ଭାବି ନଥିଲି ସେ ହେବ ନିଜର ।

ସମାଜକୁ କଳୁଷିତ କରୁଥିବା କେତେକ ନିର୍ଲଜ ପରୀ ପାଲଟିଛନ୍ତି ନାଟକର ନାୟିକା । ଜାତି କୁଳ ଗୋତ୍ର ଜଣା ନଥିବା ମଣିଷ ତା’ ପାଇଁ ହୁଏ ଆପଣାର ଆଉ ଆପଣାର ହୁଏ ପର । କହିବାକୁ ଲାଜ ଲାଗେ ହେଲେ କି ହେବ, ଏ ତ କଳିଯୁଗ ପରୀର ଲକ୍ଷଣ । ଏମିତି ଅଚିହ୍ନା ଅପରିଚିତ ସମୟ ଆସିଥିଲା ଦିନେ ଯାହା ଆଜି ଅତି ଦୁଃଖ ଓ ପରିତାପର ବିଷୟ । ବାଇଚଢ଼େଇ କହିଥିଲା ଅତିବେଶି କାହାରିକୁ ଭଲ ପାଇବୁ ନାହିଁ, ପାଇଲେ ଆଘାତ ପାଇବୁ । ଚିରଦିନ ଅନୁତାପ ନିଆଁରେ ଜଳିଜଳି ସମସ୍ତ ସ୍ନେହ ମମତାକୁ ଭୁଲିବାକୁ ପଛେଇବୁ ନାହିଁ । ଆଜି ଏମିତି ଏକ ଦୋଛକି ରାସ୍ତାରେ ଛିଡ଼ାହୋଇ ମୁଁ ଅନୁତାପ କରୁଛି । ନିଜ ବିବେକକୁ ପଚାରୁଛି ଭୁଲ୍ ରହିଲା କେଉଁଠି? କାହିଁକି ମୁଁ ଅନୁତପ୍ତ? କିଏ ଦେବ ଏହାର ଉତ୍ତର? ଆଜିର ଏ କଳୁଷିତ ସମାଜରେ ପରୀଙ୍କ ଅଭିନୟ, ସୁନ୍ଦର ଚେହେରା, ସୁନ୍ଦର ବଚନ ଓ ସୁନ୍ଦର ମୁଖ ମଣ୍ଡଳକୁ ଦେଖାଇ ନିଜକୁ ମହାନ ଭାବନ୍ତି । ଶେଷରେ ଉଡ଼ି ଯାଆନ୍ତି ଏ ଡାଳରୁ ସେ ଡାଳକୁ, ଏ ଫୁଲରୁ ସେ ଫୁଲକୁ ମଧୁ ଶୋଷିବାକୁ । ବିଚ୍ଛେଦର ବହ୍ନିରେ ପୋଡ଼ିଯାଏ ପୁରୁଷର ଡେଣା, କାହାଣୀ ନୁହେଁ ଅଙ୍ଗେନିଭା କଥା । ଆଜିର ସମାଜକୁ ନିବେଦନ, ପଡ଼ନ୍ତୁନି ସୌନ୍ଦର୍ଯ୍ୟ ପୂର୍ଣ୍ଣ ପରୀ ଫାଶରେ, ନହେଲେ ମୋପରି ହେବ ଅନୁତପ୍ତ ।

– ନରେନ୍ଦ୍ର ପ୍ରସାଦ ବେହେରା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...