ତୁମରି ଦାନର ସୀମା ନାହିଁ ପ୍ରଭୁ
ତୁମେ ଯେ ମଙ୍ଗଳମୟ ।
ବଞ୍ଚିବା ପାଇଁ କି ସବୁତ ଦେଇଛ
କୃପାଳୁ ହେ ଦୟାମୟ ॥
ଚାଲିବା ପାଇଁ କି ଗୋଡ଼ ଦୁଇ ମୋର
ଶୁଣିବା ପାଇଁ କି କାନ ।
ଶ୍ରମ କରିବାକୁ ଦେଲ ହାତ ଦୁଇ
ଦେଖିବାକୁ ଏ ନୟନ ॥
ଖାଇବାକୁ ଗଣ୍ଡେ ଦେଲ ତୁଣ୍ଡ ମୋତେ
ନିଶ୍ୱାସ ପ୍ରଶ୍ୱାସେ ନାକ ।
ଜଳ ସ୍ଥଳ ଗିରି ଆକାଶ ରଚିଲ
ଆଉ କି ମାଗିବି ସୁଖ ॥
ସୁଖ ଦୁଃଖ ସବୁ ତୁମରି ଦାନ ହେ
ଜୀବନର ଚଲା ପଥେ ।
ଦୁଃଖରେ ଭାଙ୍ଗି ପଡ଼ିବି ନାହିଁ ହେ
ଓଠେ ହସ ଥାଉ ସତେ ॥
ଅଭିମାନ ନାହିଁ ତୁମ ପାଖେ ମୋର
ଦେଲ ନାହିଁ କିଛି ବୋଲି ।
ସବୁତ ଦେଇଛ ଦେହ ପ୍ରାଣ ମନ
ଆଉ କି କରିବି ଅଳି ॥
ଖୋଜିବି ଏକା ହେ ତୁମରି ଆଶୀଷ
ଜୀବନର ଶେଷଯାଏଁ ।
ଡର ନାହିଁ ପ୍ରଭୁ ଥିଲେ ତୋ’ ଆଶୀଷ
ଲୁହ ହସ ହୋଇ ଯାଏ ॥
ଏତିକି ମାଗୁଣି ଶ୍ରୀ ଛାମୁରେ ତୁମ
ମାଗେ ଦୁଇ ହାତ ମେଲି ।
ତୁମ ନାମ ଧରି ଯାଉ ଏ ଜୀବନ
ଏତିକି ମୋର ଗୁହାରି ॥
– ମମତା ସାହୁ
Comments
ମମତା ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।