You are currently viewing ମାନବିକତା
Odia Short Story Manabikata (ମାନବିକତା) by Dr. Rajkumari Behera

ମାନବିକତା

ସେଦିନ ଥାଏ ମାର୍ଗଶିର ମାସ ଗୁରୁବାର, ଘରେ ଘରେ ଝିଅ ବୋହୂମାନେ ପାହାନ୍ତିଆରୁ ଉଠି ଘରଦ୍ୱାର ଲିପାପୋଛା କରି, ନାନା ରଙ୍ଗବେରଙ୍ଗର ଝୋଟିଚିତା କାଟି ଘରକୁ ସଜାଇ, ନୂଆ ଲୁଗା ପିନ୍ଧି ମାଣ ବସାଇବା ପାଇଁ ତତ୍ପର ହେଉଥାନ୍ତି । ହଠାତ୍ ଗାଆଁରେ କୋଳାହଳ ଶୁଣିବାକୁ ପାଇ, ସୀମାନାନୀ ଘରୁ ବାହାରକୁ ଆସି ଦେଖିଲା, ଗାଁ’ସାରା ଶୋକର ଛାୟା ଖେଳିଯାଇଛି, ସମସ୍ତେ କୁହାକୁହି ହେଉଥାନ୍ତି, “ଆହାଃ! ଆଠ ମାସର ଛୁଆକୁ ଛାଡ଼ି ପ୍ରଧାନ ଘର ବୋହୂ ଏ କ’ଣ କଲା !” ଆଉ କିଏ କହୁଥାଏ, “ଗରିବ ଘରର ଝିଅ ମୋଟା ଅଙ୍କର ଯୌତୁକ ଆଣି ନଥିଲା ବୋଲି ଶାଶୁ ଶ୍ୱଶୁର କମ୍ ନିର୍ଯ୍ୟାତନା ଦେଇଛନ୍ତି, ସ୍ୱାମୀଟା ପାଖରେ ଥିଲା ବୋଲି କିଏ କିଛି ମୁହଁ ଖୋଲି କହି ପାରୁନଥିଲେ, ଏବେ ଯେତେବେଳେ ସ୍ୱାମୀଟି ଦାଦନ ଖଟିବାକୁ ବିଦେଶକୁ ଚାଲିଗଲା, ସେତେବେଳେ ଏଇ ଶାଶୁଘର ଲୋକଙ୍କୁ ସୁବିଧା ହେଇଗଲା, ବୋହୂଟାକୁ ଖୁଣ୍ଟଣା ଦେବାପାଇଁ ।” ଏତିକିବେଳେ ରମାଖୁଡ଼ି ଥିଲା କେଜାଣି ଆସିକହିଲା, “ଆହାଃ! ପ୍ରଧାନ ଘର ବୋହୂଟା ଏ କ’ଣ କଲା, ଆଉ କାହାକୁ ନ ଚାହିଁଲେ ନାହିଁ ଆଠମାସର ଛୁଆଟା ମୁହଁକୁ ତ ଚାହିଁଥାନ୍ତା ।”

ମୁଁ ତାକୁ ପିଲାଟି ବେଳୁ ଜାଣେ, ଅଭାବ ଅନଟନରେ ବଞ୍ଚି ଆସିଛି, ବାପାମାଆ ତା’ର ବହୁତ ଗରିବ, ଅନ୍ୟ ଘରେ କାମ କରି ଘର ଚଳାନ୍ତି । ବିବାହର ସାତ ବର୍ଷପରେ ବହୁ ଔଷଧ ପତ୍ର ଦିଅଁ ଦେବତା କରି ଏଇ ଝିଅଟିକୁ ଜନ୍ମ ଦେଇଥିଲେ । ଜନ୍ମ ହେଉ ହେଉ ମାଆଟି ଆଖି ବୁଜିଥିଲା । ଗୁରୁବାରରେ ଜନ୍ମ ହୋଇଥିଲା ବୋଲି ବାପା ତା’ର ନାଆଁ ଲକ୍ଷ୍ମୀ ବୋଲି ଦେଇଥିଲା । ଏଇ ଝିଅଟିର ମୁହଁକୁ ଚାହିଁ ବାପା ତା’ର ଅନ୍ୟତ୍ର ବାହା ହେବନି ବୋଲି ମନା କରି ଦେଇଥିଲା । ପରଘରେ କାମ କରି ଅତି ଯତନରେ ତାକୁ ପାଳିପୋଷି ବଡ଼ କରିଥିଲା, ପାଠ ଦି’ଅକ୍ଷର ମଧ୍ୟ ପଢ଼ାଇଥିଲା । ସାକ୍ଷାତ୍ ଲକ୍ଷ୍ମୀ ପରି ଝିଅଟି, ରୂପ ଯେମିତି ଗୁଣ ସେମିତି କେଉଁଥିରେ ଊଣା ନଥିଲା । ବଡ଼ ଘରେ ବନ୍ଧୁ ବାନ୍ଧିବ ବୋଲି ବାପା ତା’ର କମ୍ ଖୁସି ନଥିଲା ଝିଅ ବାହାଘରରେ କିଛି ଅଭାବ ନ ରୁହେ ବୋଲି, ଶେଷରେ ବାପା ତା’ର ଘରଡିହ ଖଣ୍ଡକୁ ମଧ୍ୟ ବିକି ଦେଇଥିଲା । ସିଏ କ’ଣ ଜାଣିଥିଲା ବଡ଼ ଘରେ ବନ୍ଧୁ ବାନ୍ଧିବା ତା’ପାଇଁ କାଳ ହେବ ବୋଲି । ଅଭାଗିନୀଟା ଜନ୍ମ ହେଉ ହେଉ ମାଆକୁ ହରାଇଥିଲା, ବାହାଘର ପରେ ଶାଶୁଘରକୁ ଆସି ଭାବିଥିଲା ମାଆ ରୂପରେ ଶାଶୁକୁ ପାଇବ ବୋଲି । କିନ୍ତୁ ବିଧିର ବିଧାନ ତ ଅଲଗା, କେତେବେଳେ କ’ଣ ଘଟିବ କିଏ ଅବା ଜାଣିଛି? ଶାଶୁ ଶ୍ୱଶୁରଙ୍କ ଯନ୍ତ୍ରଣା ସହିନପାରି ଆତ୍ମହତ୍ୟାର ପନ୍ଥା ବାଜିଲା ।

ଏତିକିବେଳେ ନିତେଇ ମାଆ ଆସି କହିଲା, “ଆଲୋ କିଏ କହିଲା, ପ୍ରଧାନ ଘର ବୋହୂ ବିଷ ପିଇ ଆତ୍ମହତ୍ୟା କରିଛି ବୋଲି, ପୋଲିସ୍ ପରା ଆସି ତନାଘନା କଲା, ଦେଖିଲା ବେକରେ ଶାବଳ ଚିହ୍ନ ଆଉ ଦେହସାରା ବି ମାଡ଼ ଚିହ୍ନ ରହିଛି । ପୋଲିସ୍ ଆସିବା ଖବର ଶୁଣି ପ୍ରଧାନଘର ବୁଢ଼ାବୁଢ଼ୀ ଭୟରେ ଥରୁଛନ୍ତି ।”

ଏମାନଙ୍କ ସବୁକଥା ଗଛ ଉପରେ ବସିଥିବା କପୋତ କପୋତୀ ଦମ୍ପତ୍ତି ଦୁହେଁ ଶୁଣୁଥାନ୍ତି ଆଉ କିଚିରି ମିଚିରି ହୋଇ ନିଜ ଭିତରେ କଥା ହେଉଥାନ୍ତି, “ଏହି ମଣିଷମାନଙ୍କଠାରୁ କେତେ ସଭ୍ୟ ଆମ ପଶୁପକ୍ଷୀ ସମାଜ, ଅନ୍ତତଃ ଏମିତି ରାଗ, ଈର୍ଷା, ଲୋଭ, ମୋହମାୟା ତ ଆମ ସମାଜରେ ନାହିଁ । ଆଉ ଦେଖ ଯେଉଁ ମଣିଷ ସମାଜ ଆଜି ମାର୍ଗଶିର ମାସ ଗୁରୁବାର ବୋଲି, ଘରକୁ କେତେ ସଜାଇଛି ଆଉ ମାଟିର ପ୍ରତିମାକୁ ଦେବୀରୂପେ ପୂଜା କରି ଆଶିଷ ଭିକ୍ଷା କରୁଛି, ସେଇ ମଣିଷ ଭୁଲି ଯାଇଛି ମଣିଷ ରୂପୀ ଦେବୀଙ୍କୁ ପୂଜା କରିବା ପାଇଁ । ସତରେ କେଡ଼େ ବିଚିତ୍ର ଏ ମଣିଷ ସମାଜ । ଭଗବାନଙ୍କ ସୃଷ୍ଟିରେ ମଣିଷକୁ ସର୍ବଶ୍ରେଷ୍ଠର ଆଖ୍ୟା ପ୍ରଦାନ କରାଯାଇଛି କିନ୍ତୁ ମିଛ ମୋହମାୟାର ଜାଲରେ ନିଜକୁ ଛନ୍ଦି ମଣିଷ ଆଜି ହରାଇ ବସିଛି ମାନବିକତା ।”

– ଡ. ରାଜକୁମାରୀ ବେହେରା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଡ. ରାଜକୁମାରୀ ବେହେରା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗଳ୍ପ ଓ କବିତା ଆଦି ରଚନା କରିଥାନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।