ଜାନୁଆରୀ ୧୪ ଆସିଲେ ମନେ ପଡ଼ିଯାଏ ପିଲାଦିନ । ମକର ସଂକ୍ରାନ୍ତି ଆଉ ସାନବେଳର ସେଇ ମକର ବସା । ମକର ସଂକ୍ରାନ୍ତିଟା ଭାରି ଜାକଜକମରେ ପାଳନ ହଉଥିଲା ସ୍କୁଲରେ । ବୋଉ ସକାଳୁ ସକାଳୁ ବଢ଼ିଆ ମକର ଚାଉଳ ତିଆରି କରିଦେଉଥିଲେ । ଚାଉଳ, ଚିନି, କ୍ଷୀର, ଦହି, କଦଳୀ, ଛେନା, ଆଖୁ, ଗୋଲ ମରିଚ । ଆଃ !! କି ସ୍ୱାଦ ତା’ର । ତାକୁ ଟିଫିନ୍ରେ ସ୍କୁଲକୁ ନେଇକି ଯାଉଥିଲୁ । ସ୍କୁଲରେ ସମସ୍ତେ ଏମିତି ମକର ଚାଉଳ ନେଇକି ଆସୁଥିଲେ । ସେଇ ସବୁ ଚାଉଳକୁ ଗୋଟିଏ ବଡ଼ ଜାଗାରେ ଢାଳିକି ରଖା ହଉଥିଲା । ସକାଳୁ ମକର ସଂକ୍ରାନ୍ତି ପାଳନ ହେଲାପରେ ଝିଅମାନେ ସେଇ ମକର ଚାଉଳ ଖୁଆଖୋଇ ହେଇ ମକର ବସୁଥିଲେ ।
ସ୍କୁଲରେ ଏଇଭଳି ଅନେକ ଝିଅ ମକର ବସୁଥିବା ଏବେ ବି ମନେପଡ଼େ । ସେଇଦିନଠୁ କେହି କାହାକୁ ଆଉ ନାଁ ଧରି ଡାକୁନଥିଲେ । ଡାକୁଥିଲେ, “ମକର, ‘ସ’ ମକର, ‘ରୁ’ ମକର, ‘ବି’ ମକର, ‘ପି’ ମକର ଓ ଏମିତି ଅନେକ ଅଦ୍ଭୁତ ନାଁ ।” ଆଉ ଭୁଲରେ ନାଁ ଧରିଦେଲେ ନିଜ ଡାହାଣ ହାତ କାଣି ଆଙ୍ଗୁଠିକୁ ସାତଥର ଦାନ୍ତରେ ଚୋବେଇ ଦଉଥିଲେ ନିଜେ ପାପର ପ୍ରାୟଶ୍ଚିତ ପାଇଁ । ସବୁ ମକର ସଂକ୍ରାନ୍ତିରେ ପରସ୍ପର ପାଇଁ କିଣୁଥିଲେ ଚୁଡ଼ି, ମାଳି, କ୍ଲିପ୍, ଟିକିଲି, ନେଲପଲିଶ୍ । ମକର ସଂକ୍ରାନ୍ତିରେ ପରସ୍ପର ସହ ପ୍ରତିଯୋଗିତା ଲାଗୁଥିଲା କିଏ କାହାକୁ ଅଧିକ ଭଲ ଜିନିଷ ଗିଫ୍ଟ ଦେଇ ପାରିବ ! ମୁଁ ବି ସେଥିରୁ ବାଦ୍ ପଡ଼ୁନଥିଲି । ମୋର ବି ଥିଲେ ଦୁଇରୁ ଅଧିକ ଆଉ ମୁଁ ବି ସେମାନଙ୍କ ପାଇଁ କିଣୁଥିଲି ଉପହାର ।
ଏବେ ସମୟ ବଦଳି ଗଲାଣି । ଏବେ ମକରମାନଙ୍କ ସାଙ୍ଗରେ ମକର ସଂକ୍ରାନ୍ତି ଦିନ ଆଉ ଦେଖା ହୁଏନି । କେବଳ ଫୋନ୍ରେ ଓ ମେସେଜ୍ରେ ଯାହା ପରସ୍ପରକୁ ଶୁଭେଚ୍ଛା ବାର୍ତ୍ତା ଜଣାଉ । ଆଜିକାଲି ସ୍କୁଲଝିଅମାନେ ଆଗଭଳି ମକର ବସୁଛନ୍ତି କି ନାହିଁ ସେ କଥା ବି ଆଉ ଜାଣେନି । ହେଲେ ଯେବେ ବି ମକର ସଂକ୍ରାନ୍ତିର ନାଁ ଶୁଣେ କେଉଁଆଡ଼ୁ କେଜାଣି ମକର ଚାଉଳର ବାସ୍ନା ଭାସିଆସେ ଆଉ ଲାଗେ କାନରେ ଯେମିତି କେହିଜଣେ ଡାକିଚାଲିଛି, “ସୁ ମକର” ଏ “ସୁ ମକର”… ଶୀଘ୍ର କବାଟ ଖୋଲ । ମକର ଚାଉଳ ଆଣିଛି । ଆସ ମକର ବସିବା ।
– ସୁଲଗ୍ନା ମହାନ୍ତି
Comments
ଡ. ସୁଲଗ୍ନା ମହାନ୍ତି, ପେଶାରେ ଜଣେ ଇଂରାଜୀ ଅଧ୍ୟାପିକା । ମାତ୍ର ଓଡ଼ିଆ ଗଳ୍ପ ରଚନାରେ ସେ ବେଶ୍ ପରିଚିତା । ତାଙ୍କର ପ୍ରଥମ ଗଳ୍ପ ସଂକଳନ ନାଲି ଚୁଡ଼ାର ଅଭୁତପୂର୍ବ ସଫଳତା ପରେ ପ୍ରଥମ ଉପନ୍ୟାସ ଆନିର ରୋଷେଇ ଘର ପ୍ରକାଶ ପାଇଥିଲା ।