ଏକ ଚିହ୍ନ ମାତ୍ରର ଦୈର୍ଘ୍ୟ, ପ୍ରସ୍ଥକୁ ମିଶାଣ କରି କ୍ଷତର ପରିସୀମା ନିର୍ଦ୍ଧାରଣ କରିବା କେବଳ ପାଗଳାମି । କ୍ଷତ ଅତୀତର ଅସ୍ତିତ୍ୱକୁ ବର୍ତ୍ତମାନରେ ଜାହିର କରେ । କାହାଣୀକୁ ଅମ୍ଳଜାନ ଦେଇ ଜୀବିତ ରଖେ । କ୍ଷତ କଷ୍ଟ ଦିଏ, ଏକ ଅଲିଭା ଦାଗ ଛାଡ଼ି ଯାଏ । କ୍ଷତ ସ୍ମୃତିଚାରଣ କରେ । ହେଲେ ସବୁ କ୍ଷତ ଯେ କଷ୍ଟ ଦିଏ ତାହା ନୁହେଁ । ସୂର୍ଯ୍ୟର ପ୍ରଚଣ୍ଡ କିରଣ ମାଟିରେ କ୍ଷତ ସୃଷ୍ଟି କରେ, ବର୍ଷାର ପ୍ରଥମ ବିନ୍ଦୁ ବି । ଶିଶୁକୁ ମା’ର ଶରୀରରୁ ଅଲଗା କରିବା ବେଳେ ନାଭି ପ୍ରଥମ କ୍ଷତ ହୋଇ ସୃଷ୍ଟି ହୁଏ, ସାରା ଜୀବନ ରହେ ଏ ସମ୍ପର୍କର ସାକ୍ଷୀ ପାଲଟି । ନାରୀ ପୁରୁଷର ସମ୍ଭୋଗ ବି କେବେ କ୍ଷତାକ୍ତ କରେ ଶରୀରକୁ, ଇଂରାଜୀରେ ତାକୁ ଲଭ୍ ସ୍କାର୍ କହନ୍ତି; ଓଡିଆରେ ପ୍ରେମ ଦାଗ କେମିତି ଅବାଗିଆ ଶୁଭୁନି । କ୍ଷତ ଅଶରୀରି ବି, ପ୍ରେମର ପ୍ରତ୍ୟାଖ୍ୟାନ କ୍ଷତ ଦେଇପାରେ, ଦୁଇ ପଦ ଟାଣ କଥା ମଧ୍ୟ । କ୍ଷତକୁ ବଞ୍ଚେଇ ରଖିବାକୁ ହେଲେ ତାକୁ ଆହୁରି କ୍ଷତାକ୍ତ କରିବାକୁ ପଡ଼େ । ଆଦର ଯତ୍ନ ପାଇଲେ ସେ ମରିଯାଏ ।
– କି ଅଜବ କଥା କହିଲ ।
– କ’ଣ ଏମିତି ପାଗଳ ଭଳିଆ ଗପୁଛ । ଏ ଲେଖକ ଗୁଡ଼ାକୁ କେବେ ଭଲ ପାଇବନି । ସାଥିରେ ଝିଅଟେ ଶୋଇଛି, କିଛି ପ୍ରେମରେ ଦୁଇ ଧାଡ଼ି କୁହନ୍ତ । ନାଇଁ, ଖାଲି ଏଇ କ୍ଷତ, କଷ୍ଟ କଥା ।
– ଆରେ ଆଗରୁ ତ ଲେଖା ପଢ଼ି ତମେ କେତେ ଖୁସି ହଉଥିଲ । ମଥାରେ ଚୁମ୍ବନ ଆଙ୍କି ଦଉଥିଲ । ତମ ସାଙ୍ଗ ମାନଙ୍କୁ ଜବରଦସ୍ତି ନେଇ ଶୁଣଉଥିଲ । ଆଜି ଏମିତି ଋତୁ ବଦଳିଲା ଭଳିଆ ବଦଳି ଯାଇଛ ଯେ ।
– ସେତେବେଳେ ପ୍ରେମିକା ଥିଲି, ଏବେ ସ୍ତ୍ରୀ ।
ବାସ୍ ଯୁକ୍ତିର ପରିସମାପ୍ତି । ଲେଖକର କଲମର ଶକ୍ତିବି ହାର ମାନିଗଲା ଏ ଧାଡ଼ୁରେ । ବନିତା ଚେହେରାର ସ୍ମିତହାସ୍ୟ ତା’ର ବିଜୟ ଉଲ୍ଲାସର, ପରାଜିତ ସନ୍ଦୀପ ବି ବନିତାର ବିଜୟରେ ବିଶେଷ ମର୍ମାହତ ନୁହଁନ୍ତି । ପାରିବାରିକ ଜୀବନରେ କୌଣସି ତର୍କରେ ପତ୍ନୀର ବିଜୟ ପତି ପାଇଁ ତା’ର ନିଜ ଜିତ୍ଠାରୁ ବି ମହନୀୟ ।
– ଆଚ୍ଛା, ସେଠି ବି କ’ଣ ଏମିତି ପାଗଳ ଭଳିଆ ଗପ, ଆବୁରୁ ଜାବୁରୁ ଲେଖିକି ଶୁଣାଅ । କେହି କିଛି କହନ୍ତିନି, ମାନେ ତମ ଅଫିସର ।
– ଆରେ ପାଗଳୀ, ସେଠି ତ କାହାଣୀ ହିଁ କାହାଣୀ । ଯେତେବେଳେ ବେଶ୍ କ୍ୟାମ୍ପ୍ ଛାଡ଼ି ଯାଉ ବିନା ନେଟ୍ୱର୍କରେ ଦିନ ଦିନ । ବରଫ ଖସଡ଼ାରେ ରାସ୍ତା ବନ୍ଦ ହେଲେ ଘଣ୍ଟା ଘଣ୍ଟା ଅପେକ୍ଷା କରିଥା । ଆଖି ବୁଲେଇ ଆଣିଲେ କାହାଣୀ ସବୁ ମୁଣ୍ଡ ଟେକି ଚାହାନ୍ତି । କେଉଁଠି ବର୍ଷା ସହ ଭିଜି ଖେଳୁଥିବା ସବୁଜିମା, ବରଫର ଧଳା ଚାଦର ଘୋଡେଇ ଶୋଇଥିବା ହିମାଳୟ, ହିମାଳୟ ମଥାରେ ପ୍ରୀତି ଚୁମ୍ବନ ଆଙ୍କୁଥିବା ବାଦଲ, ବାଦଲକୁ ସାହାରା ଦେଇଥିବା ଆକାଶ । କୋଉ କାହାଣୀ ଲେଖିବି କୁହ । ହିମାଳୟର କଥା- କୋଉ କାଳରୁ ବୁଢ଼ାଟା ଭଳିଆ ପଡ଼ିକି ରହିଛି । କେତେ ବର୍ଷା, ଝଡ଼, ବରଫ ମାଡ଼ ଖାଇ ବି ତା’ ପିଠିରେ ତୃଣରାଜିକୁ ଜୀବନ ଦେଇଛି; ଘରର ବାପା ସତେ । ରକ୍ତର କାହାଣୀ ଶୁଣିବ? କାନରେ ବନ୍ଧୁକର ଗର୍ଜନ ଶିରା ପ୍ରଶିରାରେ ରକ୍ତ ପ୍ରବାହ ବଢ଼େଇ ଦିଏ । ସୈନିକ ଲହୁ ବୁହେଇ ଦିଏ ସେ ପତାକାକୁ ବଞ୍ଚେଇବାକୁ, ଲୁହର ମୁଲ ମୁଲେଇବାର ସମୟ କାଇଁ ।
– ଆଉ ପ୍ରେମ? ପ୍ରେମ ଲେଖିବାକୁ କ’ଣ ପାଉଛ ଟିକେ ଶୁଣେ ।
– ତମେ ପଚାରୁଛ ଏ କଥା । ଯେବେ ତମ ସହ ସପ୍ତାହେ କି ଦଶ ଦିନ ସହ କଥା ହେଇ ନ ଥାଏ, କ୍ୟାମ୍ପ୍ରେ ପହଞ୍ଚିଲା କ୍ଷଣି କେମିତି ତମକୁ ଆଗେ ଫୋନ କରେ, ଖାଲି କ’ଣ ମୁଁ ସବୁ ପରା ପାଗଳ ଭଳିଆ ଦୌଡ଼ି ଝାମ୍ପି ପଡ଼ନ୍ତି ଫୋନ ଉପରେ । ଲୁହ ଛଳଛଳ ଦୁଇ ଆଖି ଖାଲି । ପରାକ୍ରମୀ ସୈନିକ ଶିଶୁ ପରି ବିକଳ ହଉଥାଏ । ଭୋକ ଶୋଷ ସେଇ ଫୋନରେ ମରିଯାଏ । କି ସୁନ୍ଦର ନିଦ ହୁଏ ସେ ରାତିରେ । ଏ କଲେଜର ଗଛ ମୂଳିଆ ପ୍ରେମ ଲେଖା ଲେଖକର କଲମ କ’ଣ ୟାକୁ କାଗଜରେ ଉତାରି ପାରିବ ।
-କଷ୍ଟ କ’ଣ ଖାଲି ତମକୁ ହୁଏ । ଗୋଟେ କଲ୍କୁ ଦିନ ଦିନ ଅପେକ୍ଷା କରିବା, କିଛି ଖବର ଅନ୍ତର ନଥିବା, ଦିନଟିଏ ଯୁଗ ପାହିଲା ଭଳିଆ ଲାଗେ । ସମାଚାରରେ ବୋମାମାଡ଼, ଗୁଳିଚାଳନା, ଅନୁପ୍ରବେଶ, ସୀମାରେ ହିଂସାର ଖବର ଛାତିରେ ଛନକା ପୁରେଇ ଦିଏ । ବାହାଘରର ସାତ ମାସରେ ଏବେ ଆସିଲ ମାସେ ପାଇଁ, ସେ ମାସ ଦେଖୁ କୁଆଡ଼େ ଚାଲିଗଲା କିଛି ଜଣା ବି ପଡିଲାନି । କାଲି ସକାଳୁ ତମେ ବାହାରି ଯିବ ଲାଗୁଚି ଯେମିତି କାଲି ଆସି ପହଞ୍ଚିଥିଲ । ଆର ଥରକୁ କେବେ ଆସିବ ତମକୁ ଜଣା । ଏମିତି ମରି ମରି ବଞ୍ଚିବି ଜାଣିଥିଲେ ପଢ଼ିଲା ବେଳେ ତମକୁ ବିଲକୁଲ ଭଲ ପାଇ ନ ଥାନ୍ତି ।
– ମରି ମରି ବଞ୍ଚିବା କଥା କହୁଛ । ବନ୍ଧୁକ ଗୁଳିରେ, ବୋମାରେ, ଲ୍ୟାଣ୍ଡମାଇନରେ, ବରଫ ଅତଡ଼ା ଖସିବାରେ, ଅତ୍ୟଧିକ ଥଣ୍ଡାରେ ପ୍ରତି ପାଦେ ମରିବାର ଡର । କେବେ କ’ଣ ହବ କିଏ କହିବ ।
ସନ୍ଦୀପ ଓଠରେ ହାତ ରଖିଦେଲା ବନିତା । ରାତି ପାହିଲେ ଫେରିଯିବାକୁ ହବ ସନ୍ଦୀପକୁ । ଆଉ ଏ ସବୁ ଶୁଣିପାରିବନି ସେ । ହେଲେ ସନ୍ଦୀପ ସତେ ସ୍ଥିତପ୍ରଜ୍ଞ । ସାମାନ୍ୟ ହସି ଛାତିରେ ଭିଡ଼ି ଧରିଲେ ବନିତାକୁ । ସୈନିକର ଛାତି ପରା । କାନରେ ଫୁସ୍ ଫୁସ୍ କହିଲା ବନିତା, “ସେ ପ୍ରେମ ଦାଗ କିଛି ମୋ ଦେହରେ ବି ଛାଡ଼ି ଯାଅ, କ୍ଷତାକ୍ତ କରିଦିଅ ମତେ ।”
ପରଦିନ ଘରୁ ବାହାରି ଯାଇଥିବା ସନ୍ଦୀପ କଥାଦେଇଥିଲା ଛ’ମାସ ପରେ ମାସେ ଛୁଟିନେଇ ଆସିବାକୁ । ଛ’ମାସ ବି ଅପେକ୍ଷା କରିବାକୁ ପଡ଼ିନଥିଲା ବନିତାକୁ । ଦୁଇ ମାସରେ ଫେରିଆସିଥିଲା ସନ୍ଦୀପ । ପ୍ରେୟସୀ ବାହୁ ବନ୍ଧନରେ ବାନ୍ଧିହେବା ପାଇଁ ନୁହେଁ, ମାଟି ମା’ର ପଣତକାନି ତ୍ରିରଙ୍ଗା ଘୋଡ଼େଇ ଆସିଥିଲା ସନ୍ଦୀପ । ବନିତାର ସନ୍ଦୀପ ଶହୀଦ ସନ୍ଦୀପ ମିଶ୍ର ହୋଇ ଫେରିଥିଲେ । ‘ଭାରତ ମାତା କି ଜୟ, ବନ୍ଦେ ମାତରମ୍, ଶହୀଦ୍ ସନ୍ଦୀପ୍ ମିଶ୍ର ଅମର ରହେ’ ଧ୍ୱନି ପ୍ରକମ୍ପିତ କରି ଶୋଭାଯାତ୍ରାରେ ଆସିଲେ ସନ୍ଦୀପ । ବନିତା ମୂର୍ତ୍ତି ପାଲଟି ସାରିଥିଲା । ଶହୀଦ ବୀରାଂଗନା ପରା ସେ, ନିଜର କ୍ଷତ କାହାକୁ ଦେଖେଇବ । ଆଖିର ଅଶ୍ରୁ ତାକୁ ଦୁର୍ବଳ କରିପାରେ ଯେ । ଆବୁରୁ ଜାବୁରୁ ପୁଳାଏ ଗପି ବନିତାକୁ ବିରକ୍ତ କରୁନଥିଲା ସନ୍ଦୀପ, ଚୁପ୍ ଚାପ୍ ଶୋଇଯାଇଥିଲା । ଶେଷ ଆଲିଙ୍ଗନ ଏ, ବନିତା ନାଚାର । ନା ସେ ‘ନ ପାହୁ ରାତି, ନ ମରୁ ପତି’ କହି ଫେରେଇ ଆଣି ପାରିବ ତା’ ସନ୍ଦୀପକୁ ନା ସାବିତ୍ରୀ ପରି ଜନ୍ତୁରାଣ ସହ ଲଢ଼ିପାରିବ । ଟୋପାଏ ଲୁହ କେତେବେଳେ ଧାର ହୋଇ ବହିଯାଇଥିଲା ଯାହା । ଧୀରେ ଖାଲି ସନ୍ଦୀପ୍ କାନ ପାଖରେ କହିଲା, “ଆଇ ଲଭ୍ ୟୁ ସନ୍ଦୀପ୍,” ୟା ପରେ କେବେ ସନ୍ଦୀପ କାନରେ ସେ ଚପଳାମି କରିପାରିବନି । ଗାର୍ଡ ଅଫ୍ ଅନର୍ରେ ବିଦା କରାଗଲା ସନ୍ଦୀପକୁ । ଚାରି କାନ୍ଧରୁ ଗୋଟେ କାନ୍ଧ ବନିତାର । ଏ ଭାର ଶେଷନାଗ ଧରିତ୍ରୀ ଟେକି ଧରିବା ଭାରଠୁ ବି ଭାରୀ, ଏ କ୍ଷତ ଶରଶଯ୍ୟାରେ ଭୀଷ୍ମଙ୍କ କ୍ଷତରୁ ବି ଆହୁରି ଭୀଷ୍ମ । ସ୍ତବ୍ଧ ଯବାନ, ସ୍ତବ୍ଧ ଜନତା । ସେନାର ପରାକ୍ରମ ବି ନତମସ୍ତକ ଥିଲା ସାମାନ୍ୟ ନାରୀର ଅସାମାନ୍ୟ ଧୈର୍ଯ୍ୟ ପାଖରେ । ସନ୍ଦୀପଙ୍କୁ ନିଜେ ମୁଖାଗ୍ନି ଦେଲା ବନିତା । ଜଳୁଥିଲା ସନ୍ଦୀପର ମର ଶରୀର, କ୍ଷତାକ୍ତ ହୋଇସାରିଥିଲା ବନିତା ।
ଉଠି ପାରନ୍ତା ଯଦି ସନ୍ଦୀପ ବନିତା ଚୁଟିରେ ଆଙ୍ଗୁଠି ବୁଲେଇ ନିଜ ଭାଷାରେ ନିଜ ମୃତ୍ୟୁ କାହାଣୀ କହିପାରନ୍ତା । ସେ କାହାଣୀ କିଛି ଏମିତି ହେଇପାରେ, “ରାତ୍ରି, ସ୍ୱପ୍ନର ନଗରୀ । ସବୁ ମସଗୁଲ୍ ଥାଉ ନିଜ ନିଜ ସ୍ୱପ୍ନର ଦୁନିଆରେ । ମୁଁ ତମ ସହ ମିଶି ସ୍ୱପ୍ନ ମହଲ ଗୋଟେ ତିଆରି କରୁଥାଏ, ତମେ ମୋ ମହଲର ରାଣୀ, ଗୋଟେ ରାଜକୁମାର, ଗୋଟେ କୁନି ପରୀ । ବାସ୍ ଏତିକି ମୋ ସାମ୍ରାଜ୍ୟ । ହଠାତ୍ ଅତର୍କିତ ଶବ୍ଦରେ ମୋର ସେ ସାମ୍ରାଜ୍ୟଟା ଭାଙ୍ଗିଗଲା । ଏମିତି କେତେ ସ୍ୱପ୍ନର ମହଲ ଭାଙ୍ଗିଥିବ । ବୁଝିବାକୁ ଡେରି ନଥିଲା । ବନ୍ଧୁକ ଲୋଡ୍ କରି ବାହାରକୁ ଆସିଲା ବେଳକୁ ଓପନ୍ ଫାୟାରିଂ ଆରମ୍ଭ ହେଇସାରିଥାଏ । ପ୍ରଥମ ବମ୍ଟା ଆମଠୁ ଦୁଇଟା ଟେଣ୍ଟ୍ ଛାଡ଼ି ପଡିଥିଲା । ତିନି ଚାରି ଜଣ ପେଟେଇ ପେଟେଇ ଗଲେ ସେ ଟେଣ୍ଟକୁ ନୀରବ ଆଶା ନେଇ କେହି ଭାଇ ବଞ୍ଚି ଯାଇଥିଲେ ସାହାଯ୍ୟ ଦବାକୁ । ଆମେ ବି ଫାୟାରିଂ ଆରମ୍ଭ କରିଦେଲୁ । ମଣିଷ ଜୀବନର ଯବନିକା ବାସ୍ କେଇଟା ବୁଲେଟ୍, କିଛି କ୍ଷତ । ମୋରି ସାମ୍ନାରେ ଟଳିପଡ଼ିଲା ସରୋଜ । ସେପଟୁ କଭର୍ ନ ଦେଇଥିଲେ ସହଜ ହୋଇଯାଇଥାନ୍ତା ଶତ୍ରୁ ପାଇଁ । ବିଭୂ ଇସାରା ଦେଲା, ବାସ୍ ସେତିକି ଯଥେଷ୍ଟ ଥିଲା । କିଛି ଦ୍ୱିମତ ନ ହେଇ ଦୁହେଁ ସିଧା ମାଡ଼ିଗଲୁ କଭର୍ କରିବାକୁ । ଏକ, ଦୁଇ, ତିନି, ଚାରି ଆଉ ଆଗକୁ ଗଣିନି । କାନ୍ଧ, ଛାତି, ପେଟ, ଗୋଡ଼ ସବୁଠି ଗୁଳିର କ୍ଷତ । ରକ୍ତ ପିଚକାରୀରେ ହୋଲି ଖେଳୁଥାଏ ମୁଁ । ମୋ ରକ୍ତର ନାଲି ରଙ୍ଗ ବେଶୀ ଗାଢ଼୍ ନା ତମ ସିନ୍ଦୂରର, ତଉଲି ପାରୁ ନ ଥାଏ । ମୋ ସ୍ୱପ୍ନର ରାଜମହଲ ଧୀରେ ଭାଙ୍ଗୁଥାଏ । ରାଜକୁମାର, ପରୀ, ରାଜା ଟଳି ପଡ଼ୁଥାନ୍ତି । ରହିଯାଏ ସେ ଅଭାଗା ରାଣୀ ।” ଚାପି ରଖିଥିବା କୋହ ଛାତିରେ ଚାପି ରଖିପାରିଲାନି ବନିତା । ଲୁହ ବନ୍ଧ ଭାଙ୍ଗିସାରିଥିଲା । ବୀରାଂଗନାର ଅହଂକାରରେ ଶ୍ୱାସରୁଦ୍ଧ ନାରୀ ଭୋ ଭୋ କରି କାନ୍ଦୁଥିଲା, ଏକାକୀ । ସନ୍ଦୀପ କ’ଣ କେବେ ଫେରିବେନି । ବନିତା ହାତରେ କଲମ, ସନ୍ଦୀପର କଲମ । ଲେଖିଲା- “ସମୟ କ୍ଷତସବୁକୁ ପୋଛିଦିଏ ବୋଲି ସେ ବଳବାନ୍ ବୋଲି ଯେଉଁମାନେ କହନ୍ତି, ସେମାନଂକୁ ମୋର ପ୍ରଶ୍ନ, କ୍ଷତ ସୃଷ୍ଟି କରୁଥିବା ଅପରାଧରେ ସମୟକୁ କାଠଗଡ଼ାରେ କାହିଁ ଠିଆ କରା ନଯିବ?”
– ସ୍ୱରୂପ କୁମାର ନାୟକ
Comments
ସ୍ୱରୂପ କୁମାର ନାୟକ ଓଡ଼ିଆ ଭାଷାରେ ବିଭିନ୍ନ ଗପ ରଚନା କରନ୍ତି । ତାଙ୍କ ପ୍ରଥମ ପୁସ୍ତକ ୨୦୨୦ ମସିହାରେ ପ୍ରକାଶିତ ହୋଇଛି ।