କୋମଳ କଳିକା

Odia Poem Komala Kalika (କୋମଳ କଳିକା) by Nibedita Mohapatra

ଛୋଟ କଳିକାଟି ଫୁଟିଥିଲା
ଅଗଣା ବଗିଚାରେ
ପବନରେ ଝୁଲି ଗାଉଥିଲା
ସେ ଗୀତ ଆନନ୍ଦରେ ॥ (୧)

ନିଷ୍କପଟ ହୃଦୟରେ ଧରି
ମମତା ସ୍ନେହପ୍ରେମ
ଅତୁଟ ବନ୍ଧନେ ବାନ୍ଧିଥିଲା
ସଭିଙ୍କର ଜୀବନ ॥ (୨)

ଛନ୍ଦ କପଟ ହିଂସାଦ୍ୱେଷର
ଭେଦଭାବ ଦୂରେଇ
ଆପଣାର କରିଲା ସଭିଙ୍କୁ
ସରଳ ମନନେଇ ॥ (୩)

କାମୁକ ଭ୍ରମରଟିଏ ଦେଖି
କମନୀୟ ରୂପକୁ
ଆସିଥିଲା ହୋଇ ଆନମନା
କଳିକାର ପାଖକୁ ॥ (୪)

କରିବାକୁ ଚରିତାର୍ଥ ନିଜ
କାମନା ବାସନାକୁ
ଜଳାଞ୍ଜଳି ଦେଇଦେଲା ତା’ର
ବିବେକ ପଣିଆକୁ ॥ (୫)

କଳିକୁ କରି କ୍ଷତବିକ୍ଷତ
ଲୁଟିନେଲା ମହକ
ତୃପ୍ତକରି ନିଜ ଅଭିଳାଷ
ବୋଳିଦେଲା କଳଙ୍କ ॥ (୬)

ନିଷ୍ପାପ କଳିକାର ଭାଙ୍ଗିଲା
ଭବିଷ୍ୟତ ସପନ
ବିଭୁଶିରେ ନହୋଇ ସ୍ଥାନିତ
ହୋଇଗଲା ମଳିନ ॥ (୭)

ଅକାଳେ ବୃନ୍ତଚ୍ୟୁତ ହୋଇଲା
ନିରୀହ ସେ ମୁକୁଳ
ସୌରଭ ବିତରିବା ଆଗରୁ
ହେଲା ପତନଶୀଳ ॥ (୮)

– ନିବେଦିତା ମହାପାତ୍ର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...