ପଢ଼ିଛ କି କେବେ ମୃତ୍ୟୁର ଚିଠି
କାଚ ବୋତଲର ଜଉମୁଦେ
କେବେ ଭାସୁଥାଏ ଜୁଆର ଭିତରେ
କେବେ ପଡ଼ିଥାଏ ବାଲିକୁଦେ ।
ଭଙ୍ଗା ଜାହାଜର ଟୁକୁଡ଼ା ଭିତରେ
ଅଧାମରା କେହି ଜଣେ
କେବେଠୁ ପଡ଼ିଛି ନିଶବ୍ଦ ସେ ଦ୍ଵୀପେ
ତା’ ଧିମା ନିଃଶ୍ୱାସ ହିଁ ଜାଣେ ।
କାଗଜରେ କିଛି ପଦ ଲେଖିଦେଇ
ମନକୁ ମନ ସେ ଭାବେ
ଚିଠିଟା ତ କେହି ନିଶ୍ଚେ ପାଇଥିବ
ମତେ ନେବାକୁ ଆସିବେ ଏବେ ।
ଦେଖିଲେ ବି କେହି ଖୋଲି ପଢ଼ିବେନି
ପଢ଼ିଲେ ବି କିବା ଯାଏ
ଭାବିବେ ଲୋକଟା ଥିବ କି ନଥିବ
ଆମେ ପହଞ୍ଚିବା ଯାଏଁ ।
ବାସ୍ତବତା ସହ ପରିଚିତ ସିଏ
ଜାଣିଥାଏ ଆସିବେନି କେହି
ଡାକି ଡାକି ଥକେ, ମନେ ମନେ ବକେ
ପୁଣି କେବେ କାନ୍ଦେ ରହି ରହି ।
ହାଲୁକା ଗୋଲାପୀ ଆସ୍ତରଣ ତଳେ
ନାରୀ ଛବିଟିଏ କେହି
ଧସେଇ ଆସୁଛି ତା’ ଆଖି ଆଗକୁ
ବିନା ପରିଚୟ ଦେଇ ।
ଝାପସା ହେଇ ହେଇ ଯାଉଛି ଆଖିରେ
ଚିହ୍ନା ଚିହ୍ନା ସେଇ ମୁହଁ
ଆରେ ! ଇଏ ପରା ସିଏ, ଯିଏ ଖାଲି କୁହେ
“କେବେ ଚିଠି ଖଣ୍ଡେ ଲେଖୁନାହଁ!”
ରକ୍ତ ଜୁଡୁବୁଡୁ ଆଙ୍ଗୁଳି ସନ୍ଧିରେ
ଆଜି କଲମର ନାହିଁ ସ୍ଥାନ
ତଥାପି ଲେଖିଛି ବଡ଼ ଚିଠି ଖଣ୍ଡେ
କାଳେ କରିବ ସେ ଅଭିମାନ ।
କାନ ପାଖରେ ତା’ ଛୋଟ ଛୁଆଟିଏ
କାନ୍ଦୁଛି ଖେଳନା ପାଇଁ
କେମିତି କହିବ ତା’ ଜୀବନ ଖେଳରେ
ଆଉ ବେଶୀ କ୍ଷଣ ବାକି ନାହିଁ ।
ସୂର୍ଯ୍ୟାସ୍ତ ହେଉଛି ଜୀବନ ଆକାଶେ
ହେଲେ ଏ ଅସ୍ତ କେବେ ଅନ୍ତ ନୁହଁ
ସୁନେଲି ଜୁଆରେ ଏବେବି ଭାସୁଛି
କାଚରେ ବନ୍ଧେଇ ଲୁହ ।
– ମୋନାଲିସା ପ୍ରିୟଦର୍ଶିନୀ
Comments
ମୋନାଲିସା ପ୍ରିୟଦର୍ଶିନୀ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।