You are currently viewing ଅନନ୍ୟ କାହାଣୀକାର ତଥା ଅଭିନେତା ବିରାଜ ଦାଶ
Biography of Odia Actor Biraj Dash (ଅନନ୍ୟ କାହାଣୀକାର ତଥା ଅଭିନେତା ବିରାଜ ଦାଶ)

ଅନନ୍ୟ କାହାଣୀକାର ତଥା ଅଭିନେତା ବିରାଜ ଦାଶ

ବିରାଜ ଦାଶ (Biraj Dash) ଜଣେ ଓଡ଼ିଆ ଅଭିନେତା ଓ କାହାଣୀକାର ଥିଲେ ଯିଏକି ଓଡ଼ିଆ ନାଟକ, ରେଡିଓ ନାଟକ, ଧାରାବାହିକ, ଟେଲିଫିଲ୍ମ ଏବଂ କଥାଚିତ୍ର ଆଦିରେ ଅଭିନୟ କରୁଥିଲେ । ସେ କିଛି ହିନ୍ଦୀ ଧାରାବାହିକ ଓ ବଙ୍ଗଳା କଥାଚିତ୍ର ଜଗତରେ ମଧ୍ୟ କାମ କରିଥିଲେ । ସେ ମଞ୍ଚ ନାଟକରୁ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ଆକାଶବାଣୀ ଓ ଦୂରଦର୍ଶନରେ କାମ କରିଥିଲେ ।

୧୯୫୯ ମସିହାର ଜୁନ ମାସ ୧୫ ତାରିଖରେ ଜନ୍ମଗ୍ରହଣ କରିଥିଲେ ଶ୍ରୀଯୁକ୍ତ ଦାସ । ସେ ମୁମ୍ବାଇରେ ମ୍ୟାନେଜ୍‌ମେଣ୍ଟ୍‌ ଅଧ୍ୟୟନ ପରେ ଅଭିନୟ କରିବା ସହିତ ବ୍ୟାଙ୍କରେ ଚାକିରି କରିଥିଲେ । ତାଙ୍କ ଧର୍ମପତ୍ନୀଙ୍କ ନାମ ବିନିତା ତ୍ରିପାଠୀ ।

ସେ ୧୯୭୯ ମସିହାରେ ପ୍ରଥମେ ଦୂରଦର୍ଶନ ନାଟକ ଭାଗବତ ଟୁଙ୍ଗୀରେ ଅଭିନୟ କରିଥିଲେ, ଯାହାର ପ୍ରଯୋଜନା କରିଥିଲେ ସ୍ୱର୍ଗତ ଅକ୍ଷୟ ମହାନ୍ତି । ପରବର୍ତ୍ତୀ ସମୟରେ ସେ ଦେଖ ବର୍ଷା ଆସୁଛି, ଝରା ବଉଳ, କପଟ ପାଶ, ବୋହୂ କଟକିଆଣି ଆଦିରେ ଅଭିନୟ କରିଥିଲେ । ବୋହୂ କଟକିଆଣି ନାଟକର ରଚନା ମଧ୍ୟ ସେ ନିଜେ କରିଥିଲେ, ଯାହାକି ଟି-ସିରିଜ୍ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା । ସାଇ ବାବା, ଆତତାୟୀ, ନାଗଫାଶ ଆଦିରେ ସେ ଖଳନାୟକ ଭାବରେ କାର୍ଯ୍ୟ କରିଥିଲେ ।

Odia Actor Biraj Dash during a film
ଅଭିନେତା ବିରାଜ ଦାଶଙ୍କ ଏକ ପୁରୁଣା ଫଟୋ (ସୌଜନ୍ୟ: ସମ୍ବାଦ)

୧୯୮୬ ମସିହାରେ ସେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ ଓଡ଼ିଆ କଥାଚିତ୍ର ଥିଲା ବଗୁଲା ବଗୁଲୀ । ପରେ ପରେ ସେ ଗୋଲାମ ଗିରି, ମା’ ପରି କିଏ ହେବ, ଯା ଦେବୀ ସର୍ବ ଭୂତେଷୁ, ପ୍ରେମ ବନ୍ଧନ, ମୋ ଭାଇ ଜଗା, ପୁଅ ଭାଙ୍ଗିଦେଲା ସୁନା ସଂସାର ଆଦି କଥାଚିତ୍ରରେ ଅଭିନୟ କରିଥିଲେ । ୧୯୮୯ ମସିହାରେ ସେ ଓଡ଼ିଆ ଅଭିନେତା ତଥା ନିର୍ଦ୍ଦେଶକ ପ୍ରଶାନ୍ତ ନନ୍ଦଙ୍କର ଏକ ବଙ୍ଗଳା କଥାଚିତ୍ର ନ୍ୟାୟଚକ୍ରରେ ଅଭିନୟ କରିଥିଲେ ।

ଚାକିରୀ ପାଇଁ ସେ ଅଭିନୟ ଜଗତରୁ ପ୍ରାୟ ୧୫/୧୬ ବର୍ଷ ଦୂରେଇ ଯାଇଥିଲେ ଏବଂ ୨୦୧୯ ମସିହାରେ ଚାକିରୀ ଜୀବନରୁ ଅବସର ନେବା ପରେ ପୁଣିଥରେ ଅଭିନୟ ଜଗତକୁ ଫେରିଥିଲେ । ୨୦୨୧ ମସିହାରେ ମନ ମୋ ନେଇଗଲୁ ରେ କଥାଚିତ୍ରରେ ସେ ଅଭିନୟ କରିଥିଲେ । ତାଙ୍କ ଅଭିନୀତ କିଛି କଥାଚିତ୍ର ଏବଂ ୱେବ୍‌ ସିରିଜ୍ ମୁକ୍ତିଲାଭ ଅପେକ୍ଷାରେ ଅଛି ।

ବିରଜ ଦାଶ ୬୨ ବର୍ଷ ବୟସରେ ୨୦୨୨ ମସିହାର ମଇ ୨୫ ତାରିଖରେ କର୍କଟ ରୋଗରେ ପୀଡ଼ିତ ହୋଇ କଟକର ଏକ ଘରୋଇ ଚକିତ୍ସାଳୟରେ ମୃତ୍ୟବରଣ କରିଥିଲେ ।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସଂଗ୍ରାମ କେଶରୀ ସେନାପତି, ଶୁଭପଲ୍ଲବ ଓଡ଼ିଆ ଇ-ପତ୍ରିକାର ପ୍ରତିଷ୍ଠାତା ତଥା ସମ୍ପାଦକ । ସେ ଓଡ଼ିଆରେ ଗଳ୍ପ, ପ୍ରବନ୍ଧ ଆଦି ଲେଖାଲେଖି କରନ୍ତି ଏବଂ ଓଡ଼ିଆ ଉଇକିମିଡ଼ିଆର ବିଭିନ୍ନ ପ୍ରକଳ୍ପରେ ପ୍ରାୟତଃ କାର୍ଯ୍ୟ କରନ୍ତି ।