ନାହିଁ ତା’ର ରୂପ ଗନ୍ଧ ନାହିଁ ତା ଆକାର
ତା ବିହୁନେ ସୃଷ୍ଟି ନାମ ଆଉ ସବୁ ନିମିତ୍ତ ମାତର ।
ସ୍ୱାଦହୀନ ହୋଇ ପୁଣି ସଭିଙ୍କର ପ୍ରିୟ
ସୃଷ୍ଟି ହୁଏ ଆତଯାତ ଅଭାବରେ ହୋଇବ ବିଲୟ ।
ବିଚରଣ କରୁଥାଇ ସ୍ୱର୍ଗପୁରେ ପୃଥିବୀ ପୃଷ୍ଠରେ
ନଈ ନାଳ ଝରଣାରେ ଅବା ସାଗରରେ ।
ତା’ କୋଳରେ ପଦ୍ମ ହସେ ହସୁଥାଏ କଇଁ
ମୀନ ଖେଳେ ସରାଗରେ ବଗ ଥାଏ ଚାହିଁ ।
ବାଦଲରେ ଭାଷୁଥାଏ ବରଷିଲେ ପାଣି
ବାଷ୍ପ ହୋଇ ଉଡ଼ିଯାଏ ନପାରନ୍ତି ଜାଣି ।
ପବିତ୍ର ଗଙ୍ଗାର ଜଳ ଯୁମନାର ନୀର
ଆକାଶେ ବାଦଲ ହୋଇ ଝରେ ଝର୍ ଝର୍ ।
ହିମାଳୟ ପରବତେ ବାସକରେ ବରଫ ରୂପରେ
ସମୀରେ ପରଶ ପାଇ ବହୁଥାଏ ନିରନ୍ତର ନିତି ଝରଣାରେ ।
ଝରଣାରେ କଳକଳ ସମୁଦ୍ରେ ତରଙ୍ଗ
ଜୀବଙ୍କ ଜୀବନ ସିଏ ନଥାଏ ତା ରଙ୍ଗ ।
ନାହିଁ ତା’ର ରାଗଦ୍ୱେଶ ନାହିଁ ଅଭିମାନ
ଜୀବ ଓ ଜଗତ ସେବାରେ ସାର୍ଥକ ଜୀବନ ।
– ସତ୍ୟବ୍ରତ ମାଝୀ, ଜାହ୍ନବୀ ମଲ୍ଲିକ
Comments

ସତ୍ୟବ୍ରତ ମାଝୀ ଓ ଜାହ୍ନବୀ ମଲ୍ଲିକ ଉଭୟ ସମ୍ପର୍କରେ ପତିପତ୍ନୀ । ଉଭୟ ପେଶାରେ ଚାକିରୀଆ ହେଲେ ମଧ୍ୟ ଓଡ଼ିଆ ତଥା ଇଂରାଜୀ ଭାଷାରେ ଗପ ଓ କବିତା ଆଦି ରଚନା କରିଥାନ୍ତି ।