ଜୁଲାଇ ୪ ତାରିଖ, ରଥଯାତ୍ରା । କଥାରେ ନାହିଁ, ଷ୍ଟେସନ ପାଖ ଲୋକ ଟ୍ରେନ୍ ଫେଲ୍ । ପୁରୀ ଲୋକ ବୋଲି ଦିନରେ ରଥ ଉପରେ ଜଗନ୍ନାଥ ଦର୍ଶନ ୩/୪ ବର୍ଷ ହବ ବନ୍ଦ । ରାତି ୧୦ ହେଲେ ଘରୁ ବାହାରେ, ଆଉ ଫାଙ୍କାରେ ଦର୍ଶନ କରି ଆସେ । ଏଥର କିନ୍ତୁ ଠିକ୍ ବାହାରିଲା ବେଳକୁ ବର୍ଷା କାଚିଲା । ପାରାଦ୍ଵୀପ ଫେରନ୍ତା ବର୍ଷାରେ ଓଦା ହେବା କଷ୍ଟଟା ଦେହରୁ ଯାଇନଥିଲା । ଗାଲୁ ମାରି ରହିଗଲି । କିନ୍ତୁ ଶୋଇବାକୁ ଗଲାବେଳେ କାହିଁ କେଜାଣି ଟିକେ ଅଭିମାନ ଆସିଲା । ଜଗୁ କ’ଣ ସତରେ ମୋତେ ଡାକିଲାନି । କେତେ ବାଟରୁ ଲୋକେ ଆସି ଦର୍ଶନ କଲେ, ମୋତେ କ’ଣ ଆଉ ପର କରିଦେଲେ ! ସତ କଥା ହଉଛି, କାହିଁ କେଜାଣି ନବକଳେବର ପରଠୁ ଲାଗେ ଯେମିତି ଜଗନ୍ନାଥ ସତରେ କାଠ ହେଇ ଯାଇଛନ୍ତି ଆଉ ଅଧମମାନଙ୍କ ଅଭିନୟ ଦେଖୁଛନ୍ତି । ସେବେଠୁ ତାଙ୍କୁ ଦର୍ଶନ କଲାବେଳେ ପୂର୍ବର ସେ ଆତ୍ମୀୟତା ଫିକା ଫିକା ଲାଗେ, ତାଙ୍କୁ ବି ବେଶୀ କିଛି କୁହେନି । କାଲି ରାତିରେ ବି କିଛି କହିଲିନି ।
ଆଜି ଜୁଲାଇ ୫ । ଅଫିସରେ ଥିଲି, ଭାବିଥିଲି ଗୁଣ୍ଡିଚା ଘରକୁ ପହଣ୍ଡି ହେଇ ସାରିଥିବେ । ଭାବନାରେ କିନ୍ତୁ ସେଇଠି ପୂର୍ଣ୍ଣଚ୍ଛେଦ ପଡ଼ିଲା, ଯେତେବେଳେ ରଥରେ ଠାକୁର ଦର୍ଶନ ପାଇଁ ପ୍ରସ୍ତାବ ଆସିଲା । ଅଫିସ୍ ସରୁ ସରୁ ବାହାରିପଡ଼ିଲୁ । ମନ ଜାଣି ମଣିଷ ଟାଣି ହେଇଯାଏ । ଆଜି ଲାଗିଲା ଅତୃପ୍ତ ମନ ଯେମିତି ତା’ର ପୁରୁଣା ଚକା ଆଖି ଦି’ଟାକୁ ପୁଣିଥରେ ଦେଖୁଛି । ଆଖିରେ ଆଖି ମିଶିଗଲା । ସବୁ ମାନ, ଅଭିମାନ ପଳେଇଲା । କୋଉଠି ଲୁଚି ଯାଇଥିଲେ କେଜାଣି, ଏତେ ଦିନ ପରେ ମୋ କଥା ତାଙ୍କୁ ମନେ ପଡ଼ିଲା । ଘରକୁ ଆସିବା ପରେ “ଶୁଭପଲ୍ଲବ” କଥା ମନେପଡ଼ିଲା । ଭାବୁଥିଲି କ’ଣ ଲେଖିବି ! ପୁଣି ମନେ ପଡ଼ିଲା, ପାଖ ଲୋକକୁ ଆଜି ପାଇଛି, ଦୂରକୁ ଆଖି ପକେଇବି କାହିଁକି ।
ଫନି ବାତ୍ୟା ହବାର ୨ ମାସ ବିତିଗଲା । ମାସେ ପଳେଇଲା ବିଶ୍ରାମହୀନ ବାତ୍ୟା ପରବର୍ତ୍ତୀ କାମରେ । ଅଳ୍ପେ ବହୁତେ ସବୁ ପୁରୀ ଲୋକ ଥରି ଯାଇଥିଲେ । କିଛି ଅଣ୍ଟା ସଳଖି ସାରିଲେଣି, ଆଉ କିଛି ଏବେ ବି ପୂର୍ବ ଅବସ୍ଥାରେ ଅଛନ୍ତି । ଏବେ ବି ମନେ ପଡ଼ୁଛି, ବାତ୍ୟା ପୂର୍ବ ଦିନ ସନ୍ଧ୍ୟା ସୁଦ୍ଧା ବି ଲୋକଙ୍କର ଜଗନ୍ନାଥଙ୍କ ଉପରେ ଅଖଣ୍ଡ ବିଶ୍ଵାସ । ବଡ଼ଶଙ୍ଖ ପରିବା ଦୋକାନୀ ବି ଗରାଖଙ୍କୁ କହୁଥିଲେ, “କିଛି ହବନି, ବାତ୍ୟା ଉଡ଼ିଯିବ ମ ୯୯ ଭଳିଆ ।” କିନ୍ତୁ ମୋତେ ଯେମିତି କିଏ କହିଦେଲା, ୯୯ରେ ବାଇଶି ପାହାଚ ଖୋଳା ହେଇ ନଥିଲା କି ବଡ଼ଦାଣ୍ଡରେ ନିଆଁ ଜଳୁନଥିଲା । ବାତ୍ୟା ଯିଏ ଆଖିରେ ଦେଖିଛି, ସେ ହିଁ ଜାଣିଛି । ସେ ପର୍ଯ୍ୟନ୍ତ ଖାଲି ଉପନ୍ୟାସରେ ପଢ଼ିଥିଲି “ଝଡ଼ ପୂର୍ବର ନୀରବତା”, ସେଦିନ କିନ୍ତୁ ଅନୁଭବ କରିଥିଲି । ପ୍ରତି ମୁହୂର୍ତ୍ତରେ ଲାଗୁଥିଲା, ଘର ଭୁଷୁଡ଼ି ପଡ଼ିବ, ନହଲେ ସମୁଦ୍ର ପାଣି ମାଡ଼ି ଆସିବ ବା ଦି’ଟା ଯାକ ହେଇଯିବ । ପରବର୍ତ୍ତୀ ଅବସ୍ଥା ଅସମ୍ଭାଳ ଥିଲା । କେତେ ଯାଗାରେ ମୁଖ୍ୟ ରାସ୍ତା ଫିଟିବାକୁ ୩ ଦିନ ଲାଗିଗଲା । ଗାଁ କଥା ନଦେଖିଲେ ବିଶ୍ଵାସ ହବନି ।
ଯାହା ଯେମିତି ଦିନ ବିତିବାରେ ଲାଗିଲା । ସାହଯ୍ୟ ପରେ ସାହଯ୍ୟ ଘୋଷଣା, ଦିନ, ରାତି ଅବିଶ୍ରାନ୍ତ ଖଟଣି । ପାରୁ ପର୍ଯ୍ୟନ୍ତ ଚେଷ୍ଟା ଚାଲିଥାଏ ଉପଯୁକ୍ତ ହିତାଧିକାରୀ ଉପଯୁକ୍ତ ସାହଯ୍ୟ ପାଉ । ବହୁତ ଲୋକ ଆସନ୍ତି, ଅଭିଯୋଗ କରନ୍ତି, କିଛି ସତ, କିଛି ମିଛ । କଷ୍ଟ ହୁଏ । ଏ ଜାତିର କି ଅବସ୍ଥା । ଅଧିକ ସରକାରୀ ସାହଯ୍ୟ ପାଇବେ ବୋଲି ପୁଅ ଆସି ଅଭିଯୋଗ କରୁଛି, ବାପାର ଆଉ ତା’ର ପରିବାର ଅଲଗା । ଅନ୍ୟର କ୍ଷତିଗ୍ରସ୍ତ ସମ୍ପତ୍ତିକୁ ନିଜର ଦେଖେଇ ସୁବିଧା ହାସଲ ପାଇଁ ଏ ଜାତି ଆଗଭର । ସେ ସମୟ ବର୍ତ୍ତମାନର ନଥିଲା, ଥିଲା ଖାମଖିଆଲି ଭବିଷ୍ୟତର ଏକ ଝଲକ । ଯୋଉଠି ପରିଷ୍କାର ପାଣି ଟୋପେ ପାଇଁ ସମସ୍ତେ ଡହଳ ବିକଳ, ସେଠି କେତେଟା ଟଙ୍କା, କିଟ୍ ବ୍ୟାଗ ପାଇଁ ଗଣ୍ଡଗୋଳ । ଦିନ ଥିଲା, ଗୋଦାବରୀଶ ମହାପାତ୍ରଙ୍କ ଲେଖାରେ ଓଡ଼ିଆ ଜାତିର ସ୍ଵାଭିମାନ; ହଉ ପଛେ ଗୋଟେ ଆତ୍ମାରେ କିନ୍ତୁ ବଞ୍ଚିଥିଲା । ଧାଡ଼ିରେ ଆହାର ମୁଠେ ମାଗିବା ବି ସ୍ଵାଭିମାନକୁ ଆଘାତ ଦେଉଥିଲା । ଯିଏ ବଞ୍ଚିବା ପାଇଁ ଲଢ଼ୁଛି, ସାହଯ୍ୟ ତା’ପାଇଁ, କିନ୍ତୁ ବେଶ୍ ଥିଲାବାଲା ଘରର ଲୋକ ବି ଧାଡ଼ିରେ ଛିଡ଼ା ହେଇଥିଲେ ସାବୁନ୍ ଦି ଖଣ୍ଡ, ସର୍ଫ୍ ପ୍ୟାକେଟ୍, ଚୁଡ଼ା, ଗୁଡ଼, ପ୍ରଭୃତି ପାଇଁ । ଉତ୍ତର ବି ଅଦ୍ଭୁତ ପ୍ରକାରର । ସରକାର ଦଉଛି ଯେତେବେଳେ, ଆଣିବୁନି କ’ଣ ପାଇଁ ! ହାତ ଟେକା ଦାନ ଯେମିତି ରକ୍ତରେ ମିଶି ଯାଇଛି । ବାତ୍ୟା ଦିନ ଲାଗିଥିଲା ଜଗନ୍ନାଥ ଅନୀତି ବିରୁଦ୍ଧରେ ଭଲ ଜାବଡ଼ାଟେ ମାରିଲେ । କିନ୍ତୁ ଗାଲୁଆମାନଙ୍କୁ କାଟିଲାନି ।
ଜୀବନ ସମୟର ଢେଉ କାଟି ଆଗକୁ ବଢ଼େ । ୨ ମାସ ଭିତରେ ବହୁତ ପରିବର୍ତ୍ତନ ଆସିଛି । ଏବେ ପର୍ଯ୍ୟନ୍ତ ମୋ ଦୃଷ୍ଟିରେ ବେନିୟମ କାମକୁ ଦେଖି ଆସିଲି । ଆଜି ଜଗନ୍ନାଥଙ୍କୁ ଦେଖିଲା ପରେ ଯେମିତି ଆଖିରୁ ପରଳ ଖସିଗଲା । ମନେପଡ଼ିଲା, ସବୁ ଭିତରେ ବି ଏ ଜାତି “ଏବେ ମଧ୍ୟ ବଞ୍ଚିଛି”; ହଁ ଟିକେ ଅଲଗା ପ୍ରକାରରେ । ମଣିଷକୁ ନିଜ ଜୀବନ ଯେତେବେଳେ ଅସମ୍ଭାଳ, ବୁଲା ଗାଈ, କୁକୁରଙ୍କୁ କିଏ ପଚାରୁଛି ! ତା’ରି ଭିତରେ କେତେଜଣ ଧାଡ଼ିରେ ଛିଡ଼ା ହେଇ ରିଲିଫ୍ ଖାଦ୍ୟ ଆଣି ଗାଈ, କୁକୁର, ମାଙ୍କଡ଼, ସମସ୍ତଙ୍କୁ ଦେଇଥିଲେ । ମଣ୍ଡଳ ପରିଦର୍ଶୀକା ଭାବରେ ଯେତେବେଳେ ପରିଦର୍ଶନରେ ଗଲି, କର୍ମୀମାନଙ୍କ ଘର ବି ଦେଖି ଆସିଲି । ସେମାନଙ୍କ ପାଇଁ ମୋ ପାଖେ ଶବ୍ଦ ନାହିଁ । କେତେଜଣଙ୍କର ନିଜର ଘର ବି ନଥିଲା, କିନ୍ତୁ ବାହାରକୁ “ଏବେ ମଧ୍ୟ ବଞ୍ଚିଛୁ ।” କର୍ତ୍ତବ୍ୟରେ ହେଳା ନାହିଁ, ଅଙ୍ଗନୱାଡ଼ି ଖୋଲା ହେଉଥିଲା, ପିଲାମାନେ ବି ଆସୁଥିଲେ ।
ମାସ ଦି’ଟାରେ ପ୍ରସ୍ତୁତି ପର୍ବ ବେଶ୍ ଭଲ ଥିଲା । ରଥଯାତ୍ରାର ଉତ୍କଣ୍ଠା ଆଗ ଭଳିଆ ଥିଲା । ପୁରୀ ସହର ଖୁସିରେ ସମସ୍ତଙ୍କୁ ସ୍ୱାଗତ କରିଥିଲା । କାଲି ବର୍ଷାରେ ମୁଁ ତ ଛାତ ତଳେ ଥିଲି; ଜଗନ୍ନାଥ କିନ୍ତୁ ଦାଣ୍ଡରେ ଥିଲେ । ସେ କଷ୍ଟ ତ ଦିଅନ୍ତି, କିନ୍ତୁ ପାଖରେ ଥାଇ ନିଜ ଉପରକୁ ବି ଟିକେ ନେଇଯାଆନ୍ତି । ତାଙ୍କୁ କେବେ ଠାକୁର ବୋଲି ଭାବିନି, ତା’ର ଅର୍ଥ ବି ମତେ ଆଜି ପର୍ଯ୍ୟନ୍ତ ଅଜଣା । କିନ୍ତୁ ଯେତେବେଳେ ଚାହିଁଛି, ପାଖରେ ପାଇଛି, ଯୋଉ ଭାବରେ ଦରକାର କରିଛି, ସେ ସେମିତି ଭାବରେ ଆସିଛନ୍ତି । ତାଙ୍କରି ଆଗରେ ହାତ ଟେକିଦେଲେ ଦୁନିଆର ସବୁକିଛି ମିଳିଯାଏ । କଷ୍ଟ ଦିଅ, କିନ୍ତୁ ପାଖରେ ଥାଅ । ବେଳେବେଳେ ଚାଲିବାକୁ ବହୁତ କଷ୍ଟ ହବ, କିନ୍ତୁ ଜଣାଅଛି, ତମେ ହିଁ ହାତ ଧରି ଆଗକୁ ନବ ।
– ଆଭା ପ୍ରଧାନ
Comments
ଆଭା ପ୍ରଧାନ ତାଙ୍କ ଛୋଟବେଳୁ ସାହିତ୍ୟ ପ୍ରତି ଅଧିକ ଆକର୍ଷିତ ଥିଲେ । ବିଭିନ୍ନ ପ୍ରକାରର ରଚନା ରହିଛି ତାଙ୍କର । ପାଠକମାନେ ସବୁବେଳେ ତାଙ୍କର ଲେଖାରେ ଥିବା ନିଜର ପଣିଆକୁ ସବୁବେଳେ ପସନ୍ଦ କରିଆସିଛନ୍ତି ।