ଝରକା

Odia Poem Jharaka (ଝରକା) by Mrutyunjay Patra

ତୋ’ ମୋ ଝରକା ଭିତରେ
କେତେ ଅବା ତଫାତ୍?
ଗୋଟେ ଫୋନକଲ୍
କିମ୍ବା ଗୋଟେ ଟେକ୍ସଟ୍ ମ୍ୟାସେଜର ଦୂରତା
କେବେ ମାପିନି ସେ ଲମ୍ବା ରାସ୍ତାଟା
ଯେଉଁଟା ମୋ ଝରକା ଫାଙ୍କରୁ ଦିଶେ
ଆଉ ତୋ’ ଝରକାଟିରେ ଶେଷ ହୁଏ ।

ଅଙ୍କରେ ବହୁତ ଦୂର୍ବଳ ତ
ଦୈର୍ଘ୍ୟ ପ୍ରସ୍ଥ ପରିସୀମା ଆଦି
ମାପିବାକୁ ସାହସ ପାଏନି
ତୋ’ ଝରକା ଫାଙ୍କରୁ
ସୂର୍ଯ୍ୟାସ୍ତଟା ଭଲକି ଦିଶେ
ତୋ’ ଝରକାରୁ ଜନ୍ମ ନିଏ
ଆଉ ମୋ ଝରକା ବେଳକୁ ତରତର ହୁଏ
ଗୋଟେ ଆସନ୍ତାକାଲିର ସ୍ୱପ୍ନ ଦେଖେଇ
ମିଛ ପ୍ରତିଶୃତି ଦିଏ ।

ମୋ ଝରକାକୁ ସବୁବେଳେ ଠକେ
ଲାଲ କମଳା ରଙ୍ଗର କିରଣ
ବିଛେଇପଡ଼େ ତୋ’ ଟେବୁଲ୍ ଉପରେ
ତୋ’ ଅଇଁଠା କଫିମଗ୍‌କୁ ଛୁଏଁ
ଉପନ୍ୟାସକୁ ଛୁଏଁ
ଆଉ ବାହାନାରେ ଛୁଇଁଯାଏ
ତୋ’ ଆଖିପତା
ତା’ ଉପର ତିଳ ଚିହ୍ନ
ଆଉ ସମଗ୍ର ମୁହଁଟା
ତୁ ତୁଚ୍ଛାଟାରେ ବିଳିବିଳେଇ ହଉ
ଝରକାଟା ବନ୍ଦ କରିନଉ
ରାଗ ତମତମ ହେଇ
ତୋ ଝରକା ଚୁପଚାପ୍ କଥାମାନିନିଏ
ଆଉ ମୋର
ଅଣନିଶ୍ୱାସୀ ହୋଇପଡ଼େ
ସେଇମିତି ଚାହିଁରହେ
ଅପଲକ ଆଖିରେ
ପୁଣିଥରେ ତୋ’ ଝରକା
ଫିଟିବା ପର୍ଯ୍ୟନ୍ତ ।

– ମୃତ୍ୟୁଞ୍ଜୟ ପାତ୍ର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...