ଅଭିମାନ କରି କାନ୍ଦନ୍ତି କମଳା କୁହନ୍ତି ଦୁଃଖ ମନରେ ।
ପଥର ହେଲକି କାଳିଆ ସାଆନ୍ତ ନେଲନି ମୋତେ ସାଙ୍ଗରେ ॥
ଭାଇ ଭଉଣୀ କି ନିଜର ହୋଇଲେ ପର ହେଲା ଅର୍ଦ୍ଧାଙ୍ଗିନୀ ।
ଏଗାର ଦିନର ଯାତ୍ରା ଯେ କରୁଛ କରି ମୋତେ ଏକାକିନୀ ॥
କି ପାପ କଲି ମୁଁ କାହିଁ ଦିଅ ଦୁଃଖ ବରଷକେ ଥରେ ମୋତେ ।
ଇଚ୍ଛା ଯେ ହୁଅଇ କରିବାକୁ ମୋର ରଥଯାତ୍ରା ତୁମ ସାଥେ ॥
ରହି ମୁଁ ପାରୁନି ସହି ମୁଁ ପାରୁନି ଯାଉଛି ତୁମ ପାଖକୁ ।
ଭାଙ୍ଗିକି ଆସିବି ରଥ ତୁମ ଆଜି ରାଗ ମୋର ସୁଝିବାକୁ ॥
ରହିବି କରି ମୁଁ ଅପେକ୍ଷା ତୁମକୁ କରି ବନ୍ଦ ସିଂହଦ୍ଵାର ।
ଦେଖିବି କେମିତି ପଶିବ ମନ୍ଦିରେ ନ ଆଣି ମୋ ପାଇଁ ଉପହାର ॥
– ଯଜ୍ଞେଶ କୁମାର ରାଉତ
Comments
ଯଜ୍ଞେଶ କୁମାର ରାଉତ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।