ହଜି ଯାଇଛି ରଜ ମଉଜ

Haji Jauchhi Raja Mauja

ବନସ୍ତେ ଡାକଇ ଗଜ,
ବରଷକେ ଥରେ ଆସଇ ରଜ,
ହେଉଥିଲି ମୁଁ କେତେ ସଜବାଜ,
ପିନ୍ଧି ମମ୍ମି ହାତ ତିଆରି ଫରକ,
ପାଦରେ ନାଲି ଅଳତାକୁ ଆଖିରେ କଜ୍ଜଳର ଗାର,
ଦୌଡ଼ିଯାଏ ଦୋଳି ପାଖକୁ ସେ ଆମ୍ବତୋଟାର,
ପୁଣି ଆସର ଜମେ ପାଖ ବରଗଛ ମୂଳେ ତାସ ଖେଳର…। (୧)

ଖୁସି ଦ୍ଵିଗୁଣିତ କରୁ ଆମେ ଭାଇଭଉଣୀ,
ଫିଲ୍ମ ଦେଖୁ ଭଡ଼ାରେ ଭିସିଆର ଆଣି,
ଖୁସିର ମଜାକୁ ମାଡ଼ଗୋଳ ଆମ ଭିତରେ,
ଆଈ ତୋ’ ହାତ ତିଆରି ପୋଡ଼ପିଠା ଖାଇବାରେ,
ବୁଢ଼ା ଚକୁଳି, ସରୁ ଚକୁଳିକୁ ତୋ’ ହାତ ଏଣ୍ଡୁରୀ,
ଗୋଟେ ଗୋଟେ ଖାଇଲେ ପେଟ ପୂରିଯାଏ ସବୁରି,
ସଞ୍ଜ ନଇଁଗଲେ ମୁଣ୍ଡ ତୋ’ ପଣତ କାନିରେ ରଖି,
ଭୂତ ଗପ ଶୁଣି ପାହୁଥିଲା ରଜ ରାତି…। (୨)

ହେଲେ ହଜିଯାଇଛି ରଜ ମଉଜ,
ହଜି ଯାଇଛି ଓଡ଼ିଆ ପରମ୍ପରା ସଂସ୍କୃତି,
ଆଧୁନିକତାର ନାଁ’ରେ ହଜିଛି ଅଳତାଲଗା ପାଦ,
ନାଲି ପାନ ଖିଆ ଲାଲ ଓଠ ବଦଳରେ ଲାଲ୍ ଲିପିଷ୍ଟିକ୍‌ର ସେଲଫି ସ୍ଥାନ ନେଇଛି,
ପୋଡ଼ପିଠା ବଦଳରେ ପିଜ୍ଜା ବର୍ଗର ବିରିୟାନୀ ଖିଆ ହେଉଛି,
ମଲ୍ଟିପ୍ଲେକ୍ସ ଆଉ ସପିଙ୍ଗ କମ୍ପ୍ଲେକ୍ସ ଚୋରେଇଛି ସାଇ ବୁଲା ପରମ୍ପରା,
ବଦଳିଛି ସମୟ ବଦଳିଛି ଆମ ସଂସ୍କୃତି ପରମ୍ପରା,
ଫେସବୁକ୍ ଇନଷ୍ଟା ଓ୍ଵାଟସ୍ ଆପ ସାଉଁଟୁଛି ପୁରୁଣା ଅଫେରା ସ୍ମୃତି ରଜ ମଉଜର…। (୩)

ଆଜି ବି ଆସଇ ବରଷକୁ ଥରେ ରଜ,
କିନ୍ତୁ ନାହିଁ ସିମେଣ୍ଟ କଂକ୍ରିଟ ସହରରେ ରଜ ମଉଜ,
କି ନାହିଁ ଆଈ ହାତ ପୋଡ଼ପିଠାର ବାସ୍ନା,
ନା ପଡ଼ୁଛି ଆଗ ଭଳି ଗାଆଁ ଦାଣ୍ଡରେ ଗାର,
ନା ଶୁଭୁଛି ବୋହୂଚୋରି ଆଉ କିତିକିତି ସ୍ଵର,
ଡାକ ଶୁଭୁ ନାହିଁ କବାଡ଼ିର କି ଖୋ… ଖୋ…ର,
ନୂଆ ଶାଢ଼ୀ କାନି କି ନୂଆ ଓଢ଼ଣୀ ଦିଶିବ ନାହିଁ,
ତାଟି କବାଟ ଭିତରେ ଦୋଳି ଖେଳ ବି ହେବ ନାହିଁ…। (୪)

ସଖି କଣ୍ଢେଇର ନାଲି ପାନ ଖିଆ ହସରେ,
ଥିରି ଥିରି ଟଳମଳ ହେବ ନାହିଁ ଦୋଳି,
ଫିକା ପଡ଼ିଛି ରଜ ସଜବାଜ କୋରୋନା କଟକଣା ଲାଗି,
ପାଦରେ ଅଳତା ନାଇଁ ହଳଦୀ ଯୈାବନର ରୂପ ଦେଖେଇବ ବା କାହାକୁ,
ଲାଜେଇ ପାରିବ ନାହିଁ ପ୍ରିୟତମ ଆଗରେ,
ପ୍ରିୟାର ମନ ପୁଣି ଆକର୍ଷିତ ହେବ କାହୁଁ,
ମୈାସୁମୀ ବା’ରେ ହୃଦୟ ସ୍ପନ୍ଦନ ବଢ଼ିବ କାହୁଁ…।। (୫)

– ଶ୍ୱେତପଦ୍ମା ପାଢ଼ୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...