You are currently viewing ଭକ୍ତି ବନ୍ଦନା
ଭକ୍ତି ବନ୍ଦନା

ଭକ୍ତି ବନ୍ଦନା

କରୁଛି ଭକ୍ତି ବନ୍ଦନା ହେ କରୁଛି ଭକ୍ତି ବନ୍ଦନା
କରଯୋଡ଼ି ତବ ପୟରେ ମଡ଼ୁଛି ଘେନ ମୋ ଏହି ପ୍ରାର୍ଥନା ହେ,
କେଶବ ! କରୁଣା ଏତିକି ଥିବ ।

ଖଳ ପ୍ରକୃତି କି ତେଜି ହେ ଭକ୍ତି ଭାବ ମନେ ଚିନ୍ତି
ଖଟିବି ନିତି ମୁଁ ଭକ୍ତି ଭାବ ଘେନି କରିବି ନାହିଁ ଅନିତି ହେ,
ଅଖିଳ ! ଖିଆଳେ ନୋହିବି ଖଳ ।

ଗର୍ବରେ ଅନ୍ଧ ନୋହିବି ହେ କଟୁବାର୍ତ୍ତା ନ ବୋଳିବି
ଗର୍ବକଳେ ପ୍ରଭୁ ଅନର୍ଥେ ପଡ଼ିବି ନରକ ପାପ ଭୋଗିବି ହେ,
ଗୋବିନ୍ଦ ! ଗାଉଥିବି ଭକ୍ତି ଛନ୍ଦ ।

ଘୋର କଳି କାଳ ହେଲା ହେ ଘରେଘରେ ମିଥ୍ୟା ବାଦ
ଘର କରି ବି ମୁଁ ଭକ୍ତିର ମାର୍ଗରେ ଦେଖାଇବ ସଦା ପଥ ହେ,
କାଳିଆ ! ଘେନିବି ଭକ୍ତି ଥାଳିଆ ।

ଉଣା ହେଉଛି ବୟସ ହେ ଅଳ୍ପ ଆଉକେତେଦିନ
ଅଳ୍ପ ଦିନିଆର ଅଟେ ମୁଁ କୁଣିଆଁ ଗାଉଥିବି ତୁମ ନାମ ହେ,
ଉପେନ୍ଦ୍ର ! ଉପାୟ ଦିଅ ନାଗେନ୍ଦ୍ର ।

ଚିତ୍ତ ବିନୋଦିଆ ବୋଳି ହେ ସଂସାରେ ପ୍ରଭୁ ବିଖ୍ୟାତ
ଚିତ୍ତରେ ନିତ୍ୟେ ତୁମ ନାମ ଖାଉଥିବି ହୋଇ ଧୀରେ ଭକତ ହେ,
କହ୍ନେଇ ! ଚାପିଲ ବଲିକି ଭୂଇଁ ।

ଛନ୍ଦ କଥା ମାନ କେଭେ ହେ ନକହିବି କାହାଠାରେ
ଛାଡ଼ିଣ ସକଳ କୁକର୍ମକୁ ଯେତେ ଚାଳିବି ସତ୍ୟ ପଥରେ ହେ,
ଗୋପାଳ ! ଛନ୍ଦେ ତୋ’ ବିଶ୍ୱ ମଣ୍ତଳ ।

ଜଗତ କରତା ବୋଳି ହେ କରୁଛି ଏତେ ବିନତୀ
ଜଗତରନାଥ ଆହେ ଜଗନ୍ନାଥ ଦିଅନ୍ତୁ ମତେ ସୁବୁଦ୍ଧି ହେ,
ଯୁଗଳ ! ଜାହା ହସ୍ତେ ଏମଣ୍ଡଳ ।

ଝଗଡ଼ା କରିବି ନାହିଁ ହେ ଶାନ୍ତିରେ ଦିନ କାଟିବି
ଝାଉଁଲି ପଡ଼ିଲା ବେଳକୁ ନୟନେ ତୋ ବିଶ୍ୱ ରୂପ ଦେଖିବି ହେ,
କଂସାରୀ ! ଝଳଶ ରୂପ ତୋହରି ।

ନିନ୍ଦିତ କରି କାହାକୁ ହେ ଅପମାନ ନ କରିବି
ନାନାଦି ପ୍ରକାରେ ଭକ୍ତିର ମାର୍ଗରେ ସତ୍ୟ ପଥ ଦେଖାଇବି ହେ,
ନାଗର ! ନଥିବ ପାତ ଅନ୍ତର ।

ଟାଣ ନକରି କାହାକୁ ହେ ଅନ୍ତରେ ଭାବ ପାଞ୍ଚିବି
ଟାଣ କଲେ ମେରୁ ଭାଙ୍ଗିବ ନିଶ୍ଚୟ ଆଦି,ଅନ୍ତ ହରାଇବି ହେ,
ସୁରେଶ ! ଟାଣହୁଏ ସର୍ବନାଶ ।

ଠକିବି ନାହିଁ କାହାକୁ ହେ କରିବିନି ହଇରାଣ
ଠାବରେ ଯିବି ମୁଁ ଅଠାବକୁ ତେଜି ଭକ୍ତିର ମାର୍ଗ ପାଞ୍ଚିଣ ହେ,
ଠାକୁର ! ଠାବେ ଯିବି ତୋ ମନ୍ଦିର ।

ଡଗର ପରାୟ ହୋଇ ହେ କହୁଥିବି ସତ୍ୟ କଥା
ଡର ଜଞ୍ଜାଳକୁ ଖାତିରି ନକରି ଟେକିଥିବି ସଦା ମଥା ହେ,
ରତନ ! ଡରେ ନ ଜୀବ ଜୀବନ ।

ଢମ ନ କରିବି କେବେ ହେ ଶାନ୍ତିରେ କାଟିବି ଦିନ
ଢମ କଳାରୁ ଯେ ନାଶ ହେଲା ପରା ଲଙ୍କାର ଈଶ ରାବଣ ହେ,
ମୁରାରୀ ! ଢମେ ନାଶ ଲଙ୍କାପୁରୀ ।

ଆକୁଳେ କରେଁ ଗୁହାରି ହେ ପ୍ରଭୁ ଦିଅ ମୋତେ ସୁବୁଦ୍ଧି
ଆକୁଳ ପରାୟେ ଡାକିଲା ସୁଦାମା ଭାବରେ ଯେ ଘେନି ଭକ୍ତି ହେ,
ଅନନ୍ତ ! ଅନ୍ତରେ ଜାଣ ସମସ୍ତ ।

ତାରି ଗଉତମ ନାରୀ ହେ ମୁକତି ସେହୁ ଲଭିଲା
ତରୁ ବନସ୍ଥରେ ପଡ଼ି କେତେ କାଳ ଚରଣେ ମୁକ୍ତି ପାଇଳା ହେ,
ତ୍ରିନାଥ ! ତହୁଁ ହୋଇଲା ବିଖ୍ୟାତ ।

ଥୟ ନ ରହୁଛି ମନ ହେ ସର୍ବଦା ଭ୍ରମି ବୁଳୁଛି
ଥିରବାଦି ଭାବ ହେବାକୁ ପ୍ରଭୁ ହେ ତୁମ ଚରଣ ସେବୁଛି ହେ,
ଥବିର ! ଥାଉ କିର୍ତ୍ତି ହେ ତୁମର ।

ଦରିଦ୍ର ସେବା କରିବି ହେ ନୋହିବି କେବେ କୃପଣ
ଦିନ-ହୀନ-ଜନ ସେବା କରୁଥିବି ହୃଦୟେ କର୍ମ ପାଞ୍ଚିଣ ହେ,
ଦେବେନ୍ଦ୍ର ! ଦୟା-ଧର୍ମ-କର୍ମ-ମନ୍ତ୍ର ।

ଧନ ମୋର ଲୋଡ଼ା ନାହିଁ ହେ ଲୋଡ଼ା ମୋର ଧର୍ମ ପଥ
ଧନ୍ଦି ହେବନାହିଁ ଏମନ ସଂସାରେ ଆହେ ପ୍ରଭୁ ଜଗନ୍ନାଥ ହେ,
ଧର୍ମେନ୍ଦ୍ର ! ଧର୍ମ ରସ ମକରନ୍ଦ ।

ନ ପାଞ୍ଚିବି ବଡ଼ ସାନ ହେ ଧନୀ ଆଉ କେ ଗରିବ
ନିଷେଧ ବୋଳି ମୁଁ ତୁମଠୁ ଜାଣିଛି ଭକ୍ତି ମୋ ସଦା ରହିବ ହେ,
ନିତାଇ ! ନାମ ତୋ କଳା କହ୍ନେଇ ।

ପାପ ଭାର ମୁଁ ଭୋଗିବି ହେ ପରକୁ ନିନ୍ଦିବି ଯେବେ
ପାପ କର୍ମ ଛାଡ଼ି ତୁମନାମ ଭଜି ମୁକତି ଲଭିବୀ ତେବେ ହେ,
ପିନାକୀ ! ପୁଣ୍ୟପଥ ପାଇବିକି ।

ଫକୀର ପରାୟ ହୋଇ ହେ ଗାଉଥିବି ତୁମ ନାମ
ଫେରି ଯିବ ଆସି ତୁମ କୃପାବଳେ ବାନ୍ଧିନ ପାରିବ ଯମ ହେ,
ଶ୍ରୀକୃଷ୍ଣ ! ଫାନ୍ଦ ଫାନ୍ଦୁ ରାତ୍ର-ଦିନ ।

ବ୍ରହ୍ମାଣ୍ତ କରତା ବୋଳି ହେ ବ୍ରହ୍ମାଣ୍ତେ ତୁମରି ଯଶ
ବାହୁଡ଼ିଲା ବେଳେ ଶେଷ ଇଚ୍ଛା ମୋର ଦେଖିବି ତୋତେ ନିମିଷ ହେ,
ବହ୍ଳବ ! ବୈକୁଣ୍ଠକୁ ଆତ୍ମାଯିବ ।

ଭାବ ବିନୋଦିଆ ପ୍ରଭୁ ହେ ଭକ୍ତିରେ ଭାବ ତୁମର
ଭାବ ରଖିଥିବି ତୁମଠାରେ ସଦା ନଥିବ ପାତ ଅନ୍ତର ହେ,
ଭୂପତି ! ଭ୍ରମିବ ନାହିଁ ମୋ ମତି ।

ମନ୍ଦ କାର୍ଯ୍ୟ ନ କରିବି ହେ ଉତ୍ତମ କର୍ମ କରିବି
ମକରନ୍ଦ ପରା ଭକ୍ତିର ରସରେ ମୋମନକୁ ରସାଇବି ହେ,
ମୋହନ ! ମିଥ୍ୟାରେ ଭ୍ରମୁଛି ମନ ।

ଯଦୁ କୂଳେ ହୋଇ ଯାତ ହେ ପାର୍ଥର ହେଳ ସାରଥି
ଜଞ୍ଜାଳ ମୁହଁରୁ ଉଦ୍ଦାର ହେବାକୁ ଗାଇବି ପୁରାଣ ପୋଥି ହେ,
ଯାଦବ ! ଜଗତରେ ଥାଉ ଭାବ ।

ରହିଲ ଜଳରେ ପ୍ରଭୁ ହେ କୂର୍ମରୂପ ଅବତରି
ରଖିଳ ଶରୀରେ ସମୁଦ୍ର ମନ୍ଥନେ ବିରାଟ ମନ୍ଦର ଗିରୀ ହେ,
ରାଘବ ! ରିପୁ ହେଲା ରାହୁ ଦୈତ୍ୟ ।

ଲଳିତା, ବିଶାଖା ଆଦି ହେ ଜନ୍ମିଲେ ଯାଇ ଗୋପରେ
ଲଭି ତୁମ୍ଭପାଦ ପଙ୍କଜନିଧି ସେବାକଲେ ଭକତିରେ ହେ,
ଲୋଚନ ! ଲଭି ପୂଣ୍ୟ ହେଲା ପ୍ରାଣ ।

ବଡ଼ ଦେଉଳିଆ ପ୍ରଭୁ ହେ ରଥ ତୁମ ନନ୍ଦିଘୋଷ
ବେଳୁ ବେଳ ମୋର ହୃଦ ଦଗ୍ଧ ହୁଏ ଦେଖିବି ବୋଳି ନିମିଷ ହେ,
ବାମନ ! ବେଳେ ଦିଅ ଦରଶନ ।

ଶାନ୍ତି ପରିହରୀ ପ୍ରଭୁ ହେ ଶ୍ୟାମ ମାଧବ ମୁରାରୀ
ଶ୍ରୀହସ୍ତରେ ତବ ଦିଅ ଆଶୀର୍ବାଦ ନହେଳେ ଛିଡ଼ିବ ଶିରୀ ହେ,
ଶ୍ରୀହରି ! ଶ୍ୟାମ ନାମ ଯେ ତୁମ୍ଭରି ।

ଷଡ଼ାନନ ଆଶ୍ରେ କରି ହେ ଭକ୍ତି ଭାବ ମନେ ଚିନ୍ତି
ସେବା କରୁଥିବି ସର୍ବଦା ପୟର ମନେ ନରଖି ଅସାନ୍ତି ହେ,
ଶ୍ରୀଧର ! ସଂସାରେ ବିଜେ ତୁମର ।

ସଂସାର ଅଟଇ ମିଥ୍ୟା ହେ ନାହିଁ ଏଠି କିଛି ସତ୍ୟ
ସଂସାର ମଧ୍ୟରେ କେବଳ ଅଟଇ ରାମ ହରିନାମ ସତ୍ୟ ହେ,
ଶ୍ରୀରାମ ! ସର୍ବ ହୃଦେ ତୁମଧାମ ।

ହସ୍ତରେ କରେ ପ୍ରଣତୀ ହେ ଘେନ ମୋର ନିବେଦନ
ହୀରା ଲାଗୁନାହିଁ ନୀଳା ଲାଗୁନାହିଁ ସେବିବୀ ତୁମ ଚରଣ ହେ,
ହେନାଥ ! ହୀନ ଦୟାଳୁ ଭକତ ।

କ୍ଷିତିରେ ଜନମ ମୋର ହେ କ୍ଷଣକ ପାଇଁ ଜୀବନ
କ୍ଷିଣ ହୋଇଯିବି ପ୍ରଭୁ ଏସଂସାରୁ ଗାଇ ଗାଇ ତୁମ ନାମ ହେ,
ଅଚ୍ୟୁତ ! ଲେଖିଲା ଗୀତେ ଆନନ୍ଦ ।

ଆନନ୍ଦ ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଆନନ୍ଦ ସାହୁ ବଲାଙ୍ଗୀର ଜିଲ୍ଲାର ସଇଁନ୍ତଲା ସ୍ଥିତ ସିଲେଟପରାଠାରେ ଜନ୍ମଗ୍ରହଣ କରିଥିଲେ । ସେ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର କବିତା ରଚନା କରନ୍ତି । ତାଙ୍କ ରଚିତ କବିତାଗୁଡ଼ିକ ଅନେକ ପତ୍ରପତ୍ରିକାରେ ସ୍ଥାନିତ ହୋଇଛି ।